Unknown

 

 

 

 

 

 

 

 

 

 

 

ନିର୍ବାଚିତ ଗଳ୍ପ

ସାତକଡ଼ି ହୋତା

 

ଆପଣ ଏ ବହିରୁ ପାଇବେ....

 

୧.

ଉପହାର

୨.

ଦଗ୍ଧ ଫୁଲବନ

୩.

ଭଗୀରଥ

୪.

ଆକାଶକୁ ସିଡ଼ି

୫.

ନୂଆ ମଣିଷର ମନ

୬.

ଭୋକ

୭.

ଅସତର୍କ ମୁହୂର୍ତ୍ତ

୮.

ଈଶ୍ଵର ଦାୟୀ

୯.

ଉଚ୍ଚ ପାଚେରୀ

୧୦.

ଅନ୍ୟ ଏକ ପୃଥିବୀ

୧୧.

ଆଲୋକିତା

୧୨.

ମୋ ଗଳ୍ପର ନାୟକ

୧୩.

ନର ନାରାୟଣ

୧୪.

ବିଶ୍ଵାସ ହୁଏ ନାହିଁ

☆☆☆

 

ଉପହାର

 

ବୟସ ପଚାଶ ଟପି ନ ଥିଲେବି ଗୋବିନ୍ଦବାବୁ ପଞ୍ଚଷଠି ବର୍ଷର ବୁଢ଼ାପରି ନଇଁ ପଡ଼ିଥିଲେ । ମଥାର ସବୁ ବାଳ ପ୍ରାୟ ଧଳା । ଦାନ୍ତ ଦୁଇଚାରିଟା ବି ପଡ଼ିଗଲାଣି । ଜୀବନ ଜଞ୍ଜାଳର ଛାପ ବହନ କରି ସେ କିନ୍ତୁ ଚାଲିଛନ୍ତି । ଗୋବିନ୍ଦ ବାବୁଙ୍କୁ ସନ୍ଧ୍ୟାବେଳେ ବଜାରରୁ ପରିବା ଥଳି ନେଇ ଫେରୁଥିବା ବେଳେ ଦେଖିଲେ ଦୟା ହୁଏ । ହାତର ଶିରାପ୍ରଶିରାଗୁଡ଼ା କଇଁଫୁଲର ନାଡ଼ି ପରି ଉଜ୍ଜ୍ଵଳି ଉଠେ । ଚପଲ ହଳକ ଘୋଷାରି ଜୀବନର ବୋଝକୁ ବାସୁଆ ବଳଦ ପରି ଝିଙ୍କିଝିଙ୍କି ଚାଲିଥାଆନ୍ତି ସେ । ଗୋବିନ୍ଦ ବାବୁ କିନ୍ତୁ ପଛୁଆ ନକରି ଚିହ୍ନାଲୋକ ଦେଖିଲେ ଗାଲେ ହସି କହିଦିଅନ୍ତି; ଯୋଉ ଦର, ପରିବା ନଖାଇ ଘାସ ଖାଇ ପାରିଲେ ନିଶ୍ଚିତ ହୁଅନ୍ତା ମଣିଷ-

 

ଚିହ୍ନା ପରିଚୟ ଅନେକ । କେହି କେହି ମାଛ ଦର ପଚାରିବା ବେଳକୁ ନଶୁଣିବା ପରି ଆଗକୁ ମାଡ଼ି ଯାଆନ୍ତି ଗୋବିନ୍ଦ ବାବୁ । ମନକୁମନ କହନ୍ତି, ହଃ ! ମାଛଟା ନହେଲେ ଯେପରି ଭାତ ଗଳୁନି । ରଖିଥା ମାଛ । ଷୋହଳ ଟଙ୍କା କିଲୋରେ ମାଛ ନଖାଇଲେ ମହାଭାରତ ଅଶୁଦ୍ଧ ହୋଇଯିବନି । ପିଲାଗୁଡ଼ାଙ୍କ ମୁହଁକୁ ଚାହିଁ ଦେଇ କହନ୍ତି, ସବୁ ପଚା । ପଚା ମାଛ ଖାଇ ଝାଡ଼ାବାନ୍ତି ଭୋଗିବ କିଏ ? ରବିବାର ସକାଳୁ ଯିବି ଯେ ଷ୍ଟେସନ ବଜାରରୁ ତାଜା ମହୁରାଳି ପୁଞ୍ଜାଏ ନେଇ ଆସିବି । ପିଲାଏ କଅଣ ବୁଝନ୍ତି କେଜାଣି ତୁନି ହୋଇ ଚାଲି ଯାଆନ୍ତି ଭିତରକୁ । ସ୍ତ୍ରୀଙ୍କ ହାତକୁ ପରିବା ଥଳିଟା ବଢ଼େଇ ଦେଇ ଗୋବିନ୍ଦ ବାବୁ ଲମ୍ବା ନିଶ୍ଵାସଟିଏ ମାରି କୁହନ୍ତି, ବାଇଗଣ ଟିକେ ବୁଢ଼ା ହେଲେ କଅଣ ହେବ ବେଶ୍ ସୁଆଦିଆ ବୋଲି କହିବାରୁ ନେଇ ଆସିଲି କିଲେ । ବାଇଗଣ କିଲୋ ତିନିଟଙ୍କା ଚାଳିଶି ପଇସା । ମୁଁ ଆଣିଲି ଅଢ଼େଇ ଟଙ୍କାରେ… । ନେତ୍ରମଣି ଥଳିରୁ ପରିବାତକ କାଢ଼ି ପକେଇ କୁହନ୍ତି; ପିଲାଙ୍କ ତୁଣ୍ଡରେ ଆଉ ମାଛ ଟିକେ ଲାଗିଲା ନାହିଁ । କପାଳ । ମଣିଷ ଜୀବନଟା ନିରର୍ଥକ ହୋଇଗଲା ନୀରବରେ ଆକାଶଆଡ଼କୁ ଅନାଇ ପେଟ ଭିତରୁ ଠୋଲା ମାରୁଥିବା ଭୋକଟି ଆଉ ଦୁଇଘଣ୍ଟା ସବୁର କରିବା ପାଇଁ ପ୍ରାର୍ଥନା କରନ୍ତି ଗୋବିନ୍ଦ ବାବୁ । କଟିକୁଟା ଯିବାପରେ ଘରକୁ ଆଣନ୍ତି ଦରମା ଚାରିଶହ ତେୟାଳିଶ ଟଙ୍କା । ଘରଭଡ଼ା ପଚସ୍ତରୀ ଦେଇ ସାରିବା ପରେ, ପାଣି ଓ ଇଲେକ୍‍ଟ୍ରିକ୍ ଦେୟ ଛିଡ଼େଇ ଦେଲେ ହାତରେ ରୁହେ ତିନିଶହ ଚାଳିଶ ଟଙ୍କା । ଛଅ ପ୍ରାଣୀ କୁଟୁମ୍ବକୁ ମାସକୁ ଜଣପିଛା ହାରାହାରି ପଡ଼େ ଛପନ ଟଙ୍କା । ଅଫିସର ଗଧ ଖଟଣି ପରେ ଆଉ ବଳ ନଥାଏ ଟିଉସନ କରିବା ପାଇଁ । ସେଥିପାଇଁ ମାଛଆଡ଼ିର ଗୋଦାମରେ ଘଣ୍ଟେ ବିକ୍ରିକର ହିସାବ ଲେଖିଦେଇ ମାସକୁ ଯୋଉ ପଚାଶ ଟଙ୍କା ଆଣନ୍ତି ସେତକ ସଇସାର ସମୁଦ୍ରରେ ଅଦୃଶ୍ୟ ହୋଇ ଯାଏ ଖୁବ୍ ଶୀଘ୍ର ।

 

ହଠାତ୍ ନେତ୍ରମଣି କହି ପକେଇଲେ: ମୁଣ୍ଡଟା ଖରାପ ହୋଇଗଲାଣି । ନହେଲେ ଏଡ଼େ ବଡ଼ ଖବରଟା ଏଯାଏ କହି ନଥାନ୍ତି ! ତା ପରେ ଦଉଡ଼ି ଯାଇ ଘର ଭିତରୁ ଥାଳିଟି ନେଇ ଆସି ଭାଇଘରୁ ଆସିଥିବା ଗୁଆ ନିମନ୍ତ୍ରଣ ପତ୍ର ଦେଖେଇ କହିଲେ, ନରିଆ ଆସିଥିଲା, ତମେତ ଥିଲ ଅଫିସରେ, ସୁର ଅପା ଘରକୁ ଯାଇଛି, କାଲି ଫେରିବ । ଗୁଆ, ନିମନ୍ତ୍ରଣ ଦେଇଗଲା । ତା ବଡ଼ ପୁଅର ବ୍ରତ, ଏଇ ମାସ ପଚିଶିରେ । ଆଉ ଦିନ ପନ୍ଦରଟା ରହିଲା । ପ୍ରଥମ କାମ । ବଡ଼ କାକୁତି ମିନତି କରି କହିଚି । ଦୁଇବର୍ଷ ହବ ବାପଘରେ ପାଦ ଦେଇନି । ଏଇଟା ଗୋଟେ ସୁଯୋଗ । ପିଲାମାନେ ମାମୁଁଘରକୁ ଯିବେ ବୋଲି ଆଜିଠୁ ଗୋଡ଼ ଟେକି ବସିଛନ୍ତି ।

 

ହଠାତ୍ ବାଉଳା ପରି କହି ଉଠିଲେ ଗୋବିନ୍ଦ ବାବୁ: ଖାଲି ତୁମ ମୁଣ୍ଡ ଖରାପ ହୋଇନି, ମୋ ମୁଣ୍ଡଟାବି ବିଗିଡ଼ିଗଲାଣି । ନୋହିଲେ ଏତେ ବଡ଼ ତାଜା ଖବରଟା ଏଯାଏ କହି ନଥାନ୍ତି ! ତା’ପରେ ପକେଟରୁ ନିମନ୍ତ୍ରଣ ପତ୍ରଟିଏ ବାହାର କରି କହିଲେ, ମୋ ସାଙ୍ଗ ହରିଶର ବଡ଼ ଝିଅର ବିବାହ ଏଇ ମାସ ତିରିଶିରେ । ପିଲାଦିନର ସାଙ୍ଗ । ଏକା ସାଙ୍ଗରେ ପାଠ ପଢ଼ୁଥିଲୁ । ତାଙ୍କ ଘରେ ରହି ମୁଁ ମାଟ୍ରିକ୍ ପାସ୍ କରିଥିଲି ।

 

ନେତ୍ରମଣି ପରିବା କାଟୁ କାଟୁ କହିଲେ–ଗୋଟେ ପଇତା, ଆଉ ଗୋଟେ ବାହା । ଚାରି ପାଞ୍ଚଶହ ନହେଲେ ନଚଳେ । ସାନଭାଇର ବଡ଼ ପୁଅ । ଧୋତି ଚାଦର ଛାଡ଼ି ଥାଳିରେ ବ୍ରହ୍ମଚାରିକୁ ଯାହା ଦବ ଦଶଜଣ ଦେଖିବେ । ଯିବା ଖାଇବା ବସ୍‍ଭଡ଼ା ତ ଅଛି । ଏଣେ ତାଙ୍କ ଘରେ ରହି ପାଠ ପଢ଼ିଛ ଯେତେବେଳେ ଏଣୁତେଣୁ ଗୋଟେ କିଛି ପକେଇ ଦେଇ ଆସି ପାରିବନି । ଭଲ ଶାଢ଼ିଟିଏ ଦୁଇଶହରୁ କମରେ କିଏ ଦବ ।

 

ଗୋବିନ୍ଦ ବାବୁଙ୍କୁ ଆଉ ଭୋକ ଲାଗୁ ନ ଥିଲା । ଶୋଷରେ ତଣ୍ଟିଟା ଶୁଖି ଯାଉଥିଲା ଯେପରି । ସେ ପାଣି ଗିଲାସେ କଳସୀରୁ ନିଜେ ଢାଳି ନେଇ ଢକଢକ କରି ପିଇଗଲେ ଏବଂ ଟିକେ ସାଷ୍ଟାଙ୍ଗ ହୋଇ କହିଲେ, ମାସକର ଦରମା ଚାଲିଯିବ । ଯାଉ ସେଥିରେ ଯାଏ ଆସେ ନାହିଁ, କିନ୍ତୁ ଆଗତୁରା ତ ଦରମାଟା ମିଳିବନି । ତା ହେଲେ ଉପାୟ ?

 

ନେତ୍ରମଣି ଏସବୁ ସମସ୍ୟା ଯେ ବୁଝନ୍ତି ନାହିଁ ତାହା ନୁହେଁ; କିନ୍ତୁ ସେ ଏ ଘରକୁ ବୋହୂ ହୋଇ ଆସିବା ଦିନୁ ଏଇ ସମସ୍ୟାଗୁଡ଼ାକୁ ଅଙ୍ଗେ ନିଭେଇ ଆସୁଛନ୍ତି । ସେ ସମସ୍ୟାକୁ ଏଡ଼ି ଯିବା ପାଇଁ ଚାହିଁଲେବି ସମସ୍ୟା ତାଙ୍କୁ ଘେରି ରହୁଛି । ସମସ୍ୟାଗୁଡ଼ାକୁ ବୋହିବା ପାଇଁ ଯେପରି ଗୋବିନ୍ଦ ବାବୁଙ୍କ ଜନ୍ମ । ସେ ନୀରବରେ ସବୁ ସହନ୍ତି, ଜୀବନର ଯନ୍ତ୍ରଣାଗୁଡ଼ାକୁ ଗଣ୍ଠିଲି କରି କାନ୍ଧରେ ପକେଇ ଘୋଷାରି ହୋଇ ଚାଲନ୍ତି । ସ୍ଵାମୀଙ୍କୁ ଆଜିର ଅବସ୍ଥାରେ ସେ ଦେଖି ନଥିଲେ । ବାହା ହବାବେଳେ ଗୋବିନ୍ଦ ବାବୁଙ୍କର ବୟସ ପଚିଶ, ମୁହଁରେ ନବ ଯୁବକର ଅଶେଷ କଳ୍ପନା ଏବଂ କାମନାର ଦୀପ୍ତି । ସେତେବେଳେ ସେ ନିଜର ଅନେକ କଳ୍ପନାକୁ ସାକାର କରି ଛବି ଆଙ୍କୁଥିଲେ । ସେଇଟା ଥିଲା ତାଙ୍କର ବଡ଼ ପରିଚୟ । ଶିଳ୍ପୀର ତୁଳିରେ ଗୋବିନ୍ଦ ବାବୁଙ୍କ ଜଗତଟା ଖରାଦିନର ଉଷୁମ ଖରା ପରି ଥିଲା ବେଶ୍ ମନୋରମ ।

 

ତାପରେ ଅନେକ ବର୍ଷ ହେଲା ତୁଳି ଧରି ଚିତ୍ର ଅଙ୍କନ ନକରି କଲମ ଚଳେଇ ଫାଇଲ୍ ଚାଷ କରୁଥିଲେ ଗୋବିନ୍ଦ ବାବୁ । ଏଇଟା ଯେପରି ବେଶି ସ୍ଵାଭାବିକ । ସେ ଯେ ଦିନେ କୁଶଳୀ ଶିଳ୍ପୀ ଥିଲେ ଏଇ କଥାଟା ଅତୀତର ଅନେକ ସ୍ଵପ୍ନ ପରି ରାସ୍ତାରେ ହଜି ଯାଇଥିଲା । ଗୋଟେ ଦୁଇଟା ଛବିକୁ ଫଟୋ ବନ୍ଧେଇ ଟାଙ୍ଗି ଦେଇଥିଲେ ନେତ୍ରମଣି । ସେଗୁଡ଼ା ଅଳନ୍ଧୁ ଓ ଧୂଳିରେ ପୋତି ହୋଇ ପଡ଼ିଥିଲେ ବି ସେଥିପ୍ରତି କାହାର ନଜର ବା ଯତ୍ନ ନଥିଲା । ଘରର ଅନେକ ଅନାବଶ୍ୟକୀୟ ଉପକରଣ ମଧ୍ୟରୁ ସେଇ ଫଟୋଗୁଡ଼ିକ ଯେପରି ଥିଲା ଅନ୍ୟତମ ।

 

ବହୁଦିନ ପରେ ଗୋବିନ୍ଦ ବାବୁଙ୍କର ମନେ ପଡ଼ିଲା ଯେ ସେ ଦିନେ ଚିତ୍ର ଅଙ୍କନ କରୁଥିଲେ । ଲୋକେ ତାଙ୍କୁ ଶିଳ୍ପୀ ବୋଲି କହୁଥିଲେ । ଆଜି ସେଇ କଥାଟା କାହିଁକି ମନେପଡ଼ିଲା ବୋଲି ସେ ନିଜକୁ ପ୍ରଶ୍ନ କଲେ, କିନ୍ତୁ ଉତ୍ତର ପାଇଲେ ନାହିଁ । ସେହି ଉତ୍ତରଟା ଶୁଣିବା ପାଇଁ ପ୍ରୟୋଜନ ନଥିଲା, ବରଂ ତାଙ୍କ ମନକୁ ବାରମ୍ବାର ବ୍ୟସ୍ତ କରୁଥିଲା ଗୋଟିଏ କଥା, ଏଇ ଚାରି ପାଞ୍ଚଶହ ଟଙ୍କା କୋଉଠୁ ଆଣି ଗୋଟିଏ ବ୍ରତ ଏବଂ ଆଉ ଗୋଟିଏ ବିଭାର ସାମାଜିକ ଦାୟିତ୍ଵ ଉଠେଇବେ । ପହିଲା ଦିନଟା ଏକାବେଳେ ସେ ଏତେଗୁଡ଼ାଏ ଟଙ୍କା ଆଖିରେ ଦେଖନ୍ତି, ତା’ପରେ ସ୍ଵପ୍ନର ନାଲି ନେଳି ମାଛ ପରି ସେମାନେ ଆଖି ଆଗରେ ଅଦୃଶ୍ୟ ହୋଇଯାଆନ୍ତି, ହାତରେ ଧରି ଆଖିରେ ତୃଷ୍ଣା ମେଣ୍ଟାଇବା ପାଇଁ ସମୟ ମିଳେ ନାହିଁ ।

 

ସବୁକଥା ମନର ଗଭୀର କନ୍ଦରକୁ ଠେଲିଦେଇ ପେଟ ଭିତରୁ ଉଠୁଥିବା ଭୋକକୁ ଚାପିରଖି କିପରି ଟଙ୍କା ଯୋଗାଡ଼ କରି ଦୁଇଟି ଦାୟିତ୍ଵକୁ ତୁଲାଇବାକୁ ହେବ ସେଥିପାଇଁ ନାନା ଚିନ୍ତାକୁ ଲାଳନ କଲେ ଗୋବିନ୍ଦ ବାବୁ । ନେତ୍ରମଣି କହିଲେ; ଉପାୟ ବାହାର କର, କରଜ ଆଣ କିମ୍ବା ଘରଡ଼ିହ ବନ୍ଧକ ଦିଅ, ଯାହା ହେଲେ ବି ଟଙ୍କା ତ ଆଣିବାକୁ ହବ । ଏସବୁ ଯେ ଗୋବିନ୍ଦ ବାବୁ ଭାବୁ ନ ଥିଲେ ତାହା ନୁହେଁ, ଭାବିଲେ ବି ଭାବନାର ସମୁଦ୍ର ଭିତରେ ହଜିଯାଉଥିଲେ, ଥଳକୂଳ ମିଳୁ ନଥିଲା । ସେ ନୀରବରେ ବସି ରହି ସ୍ତ୍ରୀଙ୍କର ପରିବା କାଟିବା ଦୃଶ୍ୟ ଦେଖୁଥିଲେ । ଇମିତି ମଣିଷର ବେକଗୁଡ଼ା ରଚରଚ କରି କଟିଯାଏ ସଂକଟବେଳେ । ସେ ରକ୍ତାକ୍ତ ହୋଇ ଆତ୍ମସମର୍ପଣ କରେ ଯେ ଆଉ ଉଠିପାରେ ନାହିଁ । ପ୍ରତିଦିନ ସମସ୍ୟା ସମାଧାନ କରି ନପାରି ସଂକଟରେ ପଡ଼ି କେତେ ମଣିଷ ତଳିତଳାନ୍ତ ହୋଇ ଯାଆନ୍ତି ତାର ଖବର ଗୋବିନ୍ଦ ବାବୁ ଜାଣନ୍ତି ନାହିଁ । କିନ୍ତୁ ଆଉ କେହି ସେହି ହିସାବ ରଖେ ବୋଲି ମଧ୍ୟ ତାଙ୍କର ମନେ ହୁଏ ନାହିଁ ।

 

ଗୋବିନ୍ଦ ବାବୁ ବାହାରେ ଟିକେ ବୁଲିଲେ । ନିଜର କେତେ ପ୍ରଗଳ୍‍ଭ ଏବଂ ସୁନ୍ଦର ଅତୀତଟି ଆଉ ଆଖିରେ ପଡ଼ୁନାହିଁ । ଅଥଚ ସେଇତକ ଥିଲା ତାଙ୍କର ନିଜସ୍ଵ । ମାଟ୍ରିକ୍ ପଢ଼ିଲାବେଳେ ଡ୍ରଇଁ ଭଲ ଆଙ୍କି ପାରୁଥିଲେ ବୋଲି ପୁରସ୍କାର ପାଉଥିଲେ । ବାଘ, ବକରୀର ଚିତ୍ର ଅଙ୍କନ କରୁ କରୁ ମଣିଷକୁ ଚାଲିଆସିଥିଲେ । ଆଉ ମଣିଷର ବିଭିନ୍ନ ରୂପ ଦେଖି ତହିଁରେ ବିଭବ ପାଇଲା ପରି ତନ୍ମୟ ହୋଇ ସେ କେତେ ଛବି ଆଙ୍କିଥିଲେ କଲେଜ ଜୀବନରେ । ସାମାନ୍ୟ ପାଞ୍ଚଫୁଟ୍ ଚାରିଇଞ୍ଚ ମଣିଷର ଚାହାଣିରେ, ତାର ହସ ଓ ଅଶ୍ରୁରେ, ପୁଣି ତାର ସାମୟିକ ବିଜୟ ଏବଂ ଲମ୍ବା ପରାଜୟର ଚିତ୍ରଟି ଆଙ୍କିଦେଇ ମଣିଷର କେତେ ସମ୍ଭାବନାର ଚିତ୍ରଦେଖି ତାହାରି ବୈଚିତ୍ର୍ୟ ଦେଖି ବିସ୍ମୟାଭିଭୂତ ହୋଇ ପଡ଼ୁଥିଲେ । ଆଃ ! ମଣିଷ ! ତମେ ଛୋଟ, ଅତି ନଗଣ୍ୟ ହୋଇବି କେଡ଼େ ଅପୂର୍ବ, ତୁମର ଆଖିରେ ଅନନ୍ତ ସମୁଦ୍ରର ଢେଉ, ପୁଣି ହସରେ ନକ୍ଷତ୍ର ଭରା ଆକାଶର ଅସରନ୍ତି ପୁଲକ । ସେଇ ମଣିଷକୁ ଦିନେ ସଂସାରର କେଉଁ ଏକ ନାମ ନଥିବା ଦୋଛକିରେ ସେ ହଜେଇ ଦେଇଥିଲେ ବୋଲି ନିଜକୁ କ୍ଷମା କରି ପାରୁନଥିଲେ ଗୋବିନ୍ଦ ବାବୁ । ହଜାଇ ଦେଇଥିବା ମଣିଷ ସହିତ ସେ ନିଜକୁ ବି ହଜାଇ ଦେଇ କିରାଣୀ ହୋଇ ମଣିଷର ମୁହଁ ନଦେଖି ତାର କଙ୍କାଳକୁ ଦେଖୁଥିଲେ ଫାଇଲ୍ ଭିତରେ । ରାଶିରାଶି ଫାଇଲ୍ ଭିତରେ କୁଢ଼କୁଢ଼ ମଣିଷର କଙ୍କାଳ ଜମା ହୋଇଥିଲା, ଯେପରି କି କେହି ଆତତାୟୀ ସବୁ ମଣିଷକୁ ହତ୍ୟା କରୁଛି ସୁଯୋଗ ଉଣ୍ଡି । ସେଇ ଆତତାୟୀର ଜଳନ୍ତା ଆଖିଯୋଡ଼ିକ ମାର୍ଜାରର ଆଖିପରି ଜଳି ଉଠିଲା ତାଙ୍କ ଆଗରେ । ଅଟକିଗଲେ ଗୋବିନ୍ଦ ବାବୁ । ପାଦ ସ୍ଥିର ହୋଇଗଲା । ସେ ପୁଣି ହଜିଗଲେ ଘର ଚାରିପାଖରେ ଘନୀଭୂତ ହେଉଥିବା ଅନ୍ଧାରରେ ।

 

ନେତ୍ରମଣି ଖାଇବାକୁ ବାଢ଼ିଦେଇ ଡାକିବା ବେଳକୁ ସେ ପ୍ରକୃତିସ୍ଥ ହୋଇ ଅନ୍ୟମନସ୍କ ଭାବରେ ଦୋହଲି ଦୋହଲି ଆସି ବସିଲେ ଭାତଥାଳି ପାଖରେ । ବୁଢ଼ା ବାଇଗଣର ମଞ୍ଜିଗୁଡ଼ା ଖତେଇ ହୋଇ ଚାହୁଁଥିଲେ ତାଙ୍କ ମୁହଁକୁ । ଆଉ କେଉଁଆଡ଼େ ନ ଅନାଇ ସେଇ ମଞ୍ଜିଆ ବୁଢ଼ା ବାଇଗଣ ଝୋଳ ସହିତ ଭାତ ମିଶାଇ ଖାଇବାକୁ ଆରମ୍ଭ କଲେ ଗୋବିନ୍ଦ ବାବୁ ।

 

ବଡ଼ ବଡ଼ ନେତାଙ୍କୁ ଏତେ ଥଳି ଭେଟି ମିଳୁଛି । ତାଙ୍କୁ କେହି ଚାରିଶହ ଟଙ୍କାର ଥଳିଟିଏ ଦିଅନ୍ତା ନାହିଁ ! ସବୁ ଭାଗ୍ୟ । ପୁରୁଷର ପୁରୁଷକାର କିଛି କାମକୁ ଲାଗେନାହିଁ, ଭାଗ୍ୟଲିପି ହିଁ ସବୁ । ଅଦୃଷ୍ଟ । ସେଇ ଅଦୃଷ୍ଟରେ କଅଣ ଲେଖାଅଛି ଥରେ ଗୋବିନ୍ଦ ବାବୁ ଦେଖି ପାରନ୍ତେ କି, ପଢ଼ି ପାରନ୍ତେ କି ତାର ଭାଷା । ଚାରିଶହ ଟଙ୍କା ନହେଲେ ଶଳାର ପୁଅର ଉପନୟନକୁ ଖାଲି ହାତରେ ଯିବେ । ହରିଶ୍ ବାବୁଙ୍କ ଝିଅ ତାଙ୍କ ଝିଅ ଭିତରେ ଫରକ କଅଣ ? ଖାଲି ହାତରେ ଯିବେ ତାଙ୍କ ଦୁଆରକୁ ? ବସ୍ ଭଡ଼ାରେ ଶହେ ସରିକି ଲାଗିଯିବ । କପାଳ ମନ୍ଦ ହୋଇ ନଥିଲେ ଏଇ ପାଞ୍ଚଦିନ ଆଗରୁ ସରକାର ବସଭଡ଼ା ବଢ଼ାଇ ନଥାନ୍ତେ । ଆଉ ମାସ ପରେ ବଢ଼େଇ ଥିଲେ ଚାଳିଶି ଟଙ୍କା ତ ବଞ୍ଚିଥାଆନ୍ତା । ନେତ୍ରମଣି ଆଉ ପୁଞ୍ଜେ ଭାତ ଢାଳିଦେଇ କହିଲେ ବସି ବସି ଖାଅ, ଏଡ଼େ ତରତର ହଉଛ କାହିଁକି ?

 

ଗୋବିନ୍ଦ ବାବୁ ଧୀରସ୍ଥିର ମଣିଷ । ତରତର ହୁଅନ୍ତି ନାହିଁ । ତାଙ୍କୁ ଦେଖିଲେ ମନେହୁଏ ବାସୁକୀ ପରି ସଂସାରର ଏତେ ବୋଝ ବୋହି ନଇଁପଡ଼ିଛନ୍ତି ସିନା, ଭାଙ୍ଗିପଡ଼ି ନାହାନ୍ତି । ତାଙ୍କ ଚାଲିବା ଓ ଧୀରସ୍ଥିର କଥା ଶୁଣିଲେ ମନେହୁଏ ପୃଥିବୀର ଗତି ସହିତ ତାଳ ନରଖି ସେ ତାଙ୍କର ନିଜର ଗତି ଠିକ୍ କରିଛନ୍ତି । ମୌକା ପାଇଲେ ସେ କୁହନ୍ତି, ତରତର ହୋଇ ହଇଚଇ ପକାଇ ଦୌଡ଼ିଲେ ପୃଥିବୀଟା ତୁମ ପାଦତଳେ ଯଦି ଲୋଟି ନପଡ଼ିବ ଏଡ଼େ ହାଇଁପାଇଁ, ଅଯଥା ରକ୍ତଚାପରେ ପଡ଼ିବ କାହିଁକି ?

 

ଗୋବିନ୍ଦ ବାବୁ ଖାଇସାରି ମୁହଁ ଧୋଇଲେ । ଗାମୁଛାରେ ମୁହଁପୋଛି ନେତ୍ରମଣିଙ୍କୁ କହିଲେ–ବ୍ରତ ଆଉ ବାହାଘର, ବହୁଦିନ ହେଲା ଭଲମନ୍ଦ ତୁଣ୍ଡରେ ଲାଗିନି, ଏବେ ସୁଯୋଗ ମିଳିବ-। ପିଲାଗୁଡ଼ା ବି ପଲଉ ମାଉଁସ ଖିରି ପୁରି ପୁଳାଏ ଖାଇବେ । ନେତ୍ରମଣି ଝିଙ୍କାରି ହୋଇ କହିଲେ, ତୁମର ଖାଇବାରେ ଏଡ଼େ ଲୋଭ କାହିଁକି ? ଘରେ ତ ସବୁ ଖାଉଚ, ପଲଉ ମାଉଁସ ନହେଲା ନାହିଁ ଭୋକରେ ତ ରହିନାହଁ ।

 

ଗୋବିନ୍ଦ ବାବୁ ଶୋଇରହି ଚାରିଶହ ଟଙ୍କାର ଯୋଜନା କରିବାକୁ ଲାଗିଲେ । ହାତରେ ପଇସାଏ ସଞ୍ଚୟ ନାହିଁ ଯେ କିଛି କରିବେ । ଯତ୍ର ଆୟ ତତ୍ର ବ୍ୟୟ । ଭରଭଡ଼ା ଦୁଇମାସର ବାକି ଅଛି, ଦେଇପାରି ନାହାନ୍ତି । ଘନ ସାହୁ ଦୋକାନରେ ବି ଉଧାର ଅଛି କିଛି । ଚାରିଶହ ଟଙ୍କା କୋଉଠୁ ଆସିବ, କିଏ ଦବ ? ମାସ ଆରମ୍ଭରେ ଶୁଭ କର୍ମ ପଡ଼ିଥିଲେ ଦରମାତକ ଖରଚ କରି ଦେଇ ଥାଆନ୍ତେ, ପରେ ଯାହା ହୁଅନ୍ତା ସିନା । ତାହା ତ ହେଲା ନାହିଁ । ରାତି ଦୁଇଟା ବାଜିଲା । ହଠାତ୍ ବିଛଣାରୁ ଉଠି ବସି ଆଲୁଅ ଜାଳି ବାକ୍ସ ଖୋଲି କଅଣ ସବୁ ଖୋଜିଲେ ସେ । ଅନେକ ଖୋଜାଖୋଜି ପରେ ଗୋଟେ ଚିତ୍ର ଏବଂ ଆଉ କାଗଜ ବାକ୍ସରୁ ରୁପା ମେଡ଼େଲଟିକୁ ବାହାର କରି ଅନେକ ଥର ଦେଖିଲେ । ଆଲୁଅରେ ଚହଟି ଉଠୁଥିଲା ରୁପା ମେଡ଼େଲଟି । ଏଇ ମେଡ଼େଲଟି ସେ ପାଇଥିଲେ ଆଇ.ଏ. ପଢ଼ିଲାବେଳେ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ହୋଇ । ପଚିଶି ବର୍ଷ ତଳର କଥା । ଭୁଲିଯାଇଥିଲେ ସବୁ । ବିସ୍ମୃତିର ଅତଳ ଗର୍ଭରୁ ଅନେକ ସ୍ମୃତି ପରି ଇଏ ବି ଗୋଟିଏ ଅମୂଲ୍ୟ ସ୍ମୃତି, ମହାର୍ଘ । ମେଡ଼େଲଟାର ଓଜନ ଦିଭରି ହବ । ସେତେବେଳେ ରୁପାର ଦର କମ୍ ଥିଲା । ଆଜି କିନ୍ତୁ ଅନେକ ବେଶୀ ଏଇଟାକୁ ବିକ୍ରି କରିଦେଲେ ଯାହା ମିଳିବ ଶଳାର ପୁଅର ବ୍ରତ କାମ ଉଠିଯିବ ସେଥିରେ । ରଙ୍କନିଧି ପାଇ ଆତ୍ମହରା ହେଲା ପରି ନିଜର ଆନନ୍ଦରେ ନିଜେ ତରଳିବାକୁ ଲାଗିଲେ ଗୋବିନ୍ଦ ବାବୁ । ଯେଉଁ ମେଡ଼େଲଟା କୌଣସି କାମରେ ନଆସି ବାକ୍ସ ତଳେ ପଚିଶ ବର୍ଷ ହେବ ପଡ଼ିଥିଲା ତା’ର ମୂଲ୍ୟ ହଠାତ୍ ଏତେ ବଢ଼ିଯିବ ସେ କେବେ କଳ୍ପନା କରି ପାରିନଥିଲେ । ତା’ପରେ ସେଇ ଚିତ୍ରଟିକୁ ଭଲକରି ଅନେଇଲେ । ପଚିଶ ବର୍ଷ ତଳେ ଅଙ୍କା ସେଇ ଚିତ୍ରଟି ପ୍ରତିଯୋଗିତାରେ ପ୍ରଥମ ହୋଇଥିଲା । ଚିତ୍ରଟି ଜଣେ ଅସାଧାରଣ ମଣିଷର । ସାଧାରଣ ମଣିଷ ମୁହଁରେ ଆଶାର ଟିକେ ଝଲକ ମେଘ ଭିତରୁ ଉଙ୍କି ମାରୁଥିବା ସୂର୍ଯ୍ୟାଲୋକ ପରି ଝଲକି ଉଠୁଥିଲା । ସେଇ ହସ ଟିକକର କୋମଳତା ପୁଣି ତହିଁରେ ଫୁଟି ଉଠୁଥିବା ବଞ୍ଚିବାର ଦୁର୍ବାର ବାସନା କେଡ଼େ ଅପୂର୍ବ ଦିଶୁଥିଲା ସତରେ ! ସେଇ ସାଧରଣ ମଣିଷଟି ସେଦିନ ତାଙ୍କର ନିଛକ ପ୍ରତିବିମ୍ବ ବୋଲି ତାଙ୍କର ମନେ ହୋଇଥିଲା । ଦୀର୍ଘ ପଚିଶବର୍ଷର ଯାତ୍ରାପଥରେ ଆଗକୁ ବଢ଼ୁଥିବା ଉତ୍‍ଥାନ ପାଦ ଦେଇ ସାଧାରଣ ମଣିଷଟିକୁ ପୁଣି ଚିତ୍ରରେ ଆବିଷ୍କାର କରି ତାଙ୍କର ଆଖି ଯୋଡ଼ିକ ସଜଳ ହୋଇ ଉଠିଲା । ସେଦିନ ସେଇ ଛବିର ନାମକରଣ କରି ତଳେ ଲେଖିଦେଇଥିଲେ ‘ଅଜୟ’-। ସଂସାରର ସବୁ ନିର୍ଯ୍ୟାତନା ସହି, ପଦେ ପଦେ ପରାଜୟକୁ ବରଣ କରି ବି ସେଇ ଲୋକଟା ଯେପରି ଏବେବି ‘ଅଜୟ’ ହୋଇ ରହିଛି । ହାରିବାଗୁଡ଼ା ଦେହର ମଳି ପରି ଝାଡ଼ିଦେଲେ ପୁନର୍ବାର ସେ ଉଜ୍ଜ୍ୱଳ ଏବଂ ଅନୁପମ ।

 

ଅଥଚ ସେଇ ଶିଳ୍ପୀ ଗୋବିନ୍ଦ ନାମକ ଜୀବନ ଯନ୍ତ୍ରଣାରେ କୂର୍ମ ପାଲଟି ଯାଇଛନ୍ତି । ତାଙ୍କର କିନ୍ତୁ ଆପତ୍ତି ନାହିଁ କି ଅଭିଯୋଗ ନାହିଁ । କାହାରି ବିରୁଦ୍ଧରେ କିଛି କହିବାର ନାହିଁ । ସମୟ ସହିତ ସେ ଚାଲିପାରି ନାହାନ୍ତି ବୋଲି ତାଙ୍କ ମନ ନିଷ୍ଫଳ କ୍ରୋଧରେ ଫାଟି ପଡ଼ୁନାହିଁ । ସେ ଯେପରି ସମସ୍ତଙ୍କୁ କ୍ଷମାକରି ଭୀଷ୍ମ ପରି ଅଟଳ ରହିଛନ୍ତି ।

 

ଗୋବିନ୍ଦ ବାବୁ ଆଲୁଅ ଲିଭାଇ ଦେବା ବେଳକୁ ନେତ୍ରମଣି ଉଠି ସାରିଥିଲେ । ସେ ଆଶ୍ଚର୍ଯ୍ୟ ହୋଇ କହିଲେ; ଅଧରାତିରେ କାହା ସାଙ୍ଗରେ କଥାବାର୍ତ୍ତା ହଉଚ, ପାଖରେ ତା ଆଉ କାହାକୁ ଦେଖୁନାହିଁ । ଗୋବିନ୍ଦ ବାବୁ ସବୁକଥା କହି ସାରି ଟିକେ ବେପରବାୟ ହୋଇ କହିଲେ; ଏବେ ନିଶ୍ଚିତ ହେଲି । ଆଉ ଅନିଦ୍ରାରେ ରହିବି ନାହିଁ । ଆମର ସିନା ସବୁଗୁଡ଼ା ପୁଅ, କିନ୍ତୁ ହରିଶଙ୍କରର ଝିଅ ତ ବାହାହବ । ତାହାରି ବାହାଘରରେ ଏଇ ଚିତ୍ରଟିକୁ ତା ହାତରେ ଦେଇ ମୁଁ ନିଶ୍ଚିତ ହେବି । ମୋ ମା’ ସିନା ମୋତେ ପାଳିବା ପାଇଁ ବେଶୀଦିନ ବଞ୍ଚିଲା ନାହିଁ, ମୋର ମାନସ ପୁତ୍ରକୁ ହରିଶର ଝିଅ ନିରୂପମା ଅମୃତାୟନ କୋଣରୁ ଚାହିଁବ ନାହିଁ ? ନେତ୍ରମଣି କହିଲେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ତୁମର ସାଧାରଣ ଜ୍ଞାନ ବି ଲୋପ ପାଉଛି । ଲୋକେ ଆତ୍ମୀୟଙ୍କ ବାହାପୁଆଣିରେ ସୁନା, ରୁପା, ଶାଢ଼ି କେତେ କଅଣ ଦଉଛନ୍ତି । ତୁମେ ଦବ ଚିତ୍ରଟିଏ । ତୁମ ଆଖିରେ ସେଇ ଛବିଟି ଅନିନ୍ଦ୍ୟ ହୋଇପାରେ, କିନ୍ତୁ ହରିଶ ବାବୁ କଅଣ ଭାବିବେ, ତାଙ୍କ ଝିଅ ନିରୂପମା କଅଣ ଭାବିବ । ବାୟା ବୁଦ୍ଧି ଛାଡ଼ । ଟଙ୍କା ଯୋଗାଡ଼ କରି ଗୋଟେ ଭଲ କୁମ୍ଭପକା ଶାଢ଼ି ଆଣ । କୁମ୍ଭପକା ଶାଢ଼ିଟିଏ ଦବାପାଇଁ ଗୋବିନ୍ଦ ବାବୁଙ୍କର ଯେ ଇଛା ହୋଇ ନଥିଲା ଏମନ୍ତ ନୁହେଁ, କିନ୍ତୁ ଅନେକ ଇଚ୍ଛା ପରି ଏଇ ଇଚ୍ଛାଟାବି ଫଳବତୀ ହେଲା ନାହିଁ । ନେତ୍ରମଣି ଶୋଇ ପଡ଼ିଲେ, କିନ୍ତୁ ଗୋବିନ୍ଦ ବାବୁଙ୍କୁ ଆହୁରି ସମୟ ଲାଗିଲା ଶୋଇବା ପାଇଁ ।

 

ଶୋଇବା ଆଗରୁ ସର୍ବଂସହା ଏବଂ ସର୍ବଶକ୍ତିମାନ ନଗଣ୍ୟ ସାଧାରଣ ବ୍ୟକ୍ତିଟିକୁ ପୁଣି ମନେ ପକାଇଲେ । ସବୁ ହତାଶା ଏବଂ ଦୁଃଖକୁ ପାଦରେ ଦଳି ପଡ଼ିଉଠି ଧାଉଁଥିବା ସେହି ବ୍ୟକ୍ତିର ଆଶା ଅପେକ୍ଷା ହତାଶା ଅନେକ, କିନ୍ତୁ ସେଥିରେ ଦବି ନଯାଇ ସେ କପାଳରେ ସଂକଳ୍ପର ସ୍ଵେଦ ଏବଂ ମୁହଁରେ ସବୁ ନିର୍ଯ୍ୟାତନା ଓ ଯନ୍ତ୍ରଣା ସତ୍ତ୍ଵେ ହସ ଟିକେ ଫୁଟାଇବାର ଶକ୍ତି ନେଇ ଯେ ଚାଲୁଅଛି ସେଇ ଛବିଟା ଆଙ୍କିଥିଲେ ଗୋବିନ୍ଦ ବାବୁ । ସେହି ଲୋକଟା ଅମର ହୋଇ ରହିଯାଇଛି ବୋଲି ଇତିହାସର ପୃଷ୍ଠାରେ ତା ନାମ ଉଲ୍ଲେଖ ନାହିଁ । ସେଇ ସାଧାରଣ ବ୍ୟକ୍ତିର ଛବିଟିତ ମଣିଷ ସମାଜର ପ୍ରତିନିଧି । ତାକୁ ହରିଶ ବାବୁଙ୍କ ଝିଅ ନିରୂପମାର ହାତରେ ତୋଳିଦେଇ ସେ ତାକୁ କହିବେ ଲାଳନ ପାଳନ କରିବା ପାଇଁ । ନାରୀ ହିଁ କନ୍ୟା, ଜାୟା ଏବଂ ଜନନୀ । ଏହିପରି ଭାବୁଭାବୁ କେତେବେଳେ ଶୋଇପଡ଼ିଲେ ଗୋବିନ୍ଦ ବାବୁ ଜାଣିପାରିଲେ ନାହିଁ ।

 

ନେତ୍ରମଣି ଭାଇର ପୁଅର ବ୍ରତ ଭଲରେ ହୋଇଗଲା । ମେଡ଼େଲ ବିକ୍ରି କରି ଏବଂ କିଛି ହାତ ଉଧାର କରି ଯାହା ସଂଗ୍ରହ କରିଥିଲେ ସେତକରେ କୌଣସି ପ୍ରକାରେ ଚଳିଗଲା । କିନ୍ତୁ ହରିଶ ବାବୁଙ୍କ ଝିଅ ନିରୂପମାର ବିବାହ ପାଇଁ ହାତରେ ଆଉ କିଛି ପାଣ୍ଠି ରହିଲା ନାହିଁ । ସେଇ ଚିତ୍ରଟିକୁ ଭଲକରି ବନ୍ଧେଇ ଆଣିଲେ ଗୋବିନ୍ଦ ବାବୁ । ଜୀବନର ସବୁ ସ୍ଵପ୍ନ ଏବଂ ସମ୍ଭାବନାର ମୂର୍ତ୍ତ ପ୍ରତୀକ ସେଇ ଚିତ୍ରଟି ନିରୂପମାର ହାତରେ ତୋଳିଦେଇ ସେ କେବଳ ଏକ ଲୌକିକତା ରକ୍ଷା କରିବେ ନାହିଁ, ତାଙ୍କର ଆକୁଣ୍ଠ ଆଶୀର୍ବାଦ ପାଇ ସୁଖୀ ହବ ନିରୂପମା ।

 

ହରିଶ ବାବୁ ନିଜେ ଆସି କହିଯାଇଥିଲେ ସମସ୍ତଙ୍କୁ ଯିବାପାଇଁ । ପିଲାମାନଙ୍କୁ ଧରି ଖୁବ୍ ଆଗ୍ରହରେ ବାହାଘରକୁ ଗଲେ ଗୋବିନ୍ଦବାବୁ । ଅନେକ ଲୋକ । ଅନେକ ଗାଡ଼ି । ଆୟୋଜନ ଦେଖି ସ୍ତବ୍ଧ ହୋଇଗଲେ ନେତ୍ରମଣି ।

 

କନ୍ୟା ବସିଥିଲା ଗୋଟିଏ କୋଠରୀରେ, ତାକୁ ଘେରି ବସିଥିଲେ ଅନେକ ମହିଳା । ଦଳଦଳ ହୋଇ ଅତିଥିମାନେ ଯାଇ କନ୍ୟାକୁ ଆଶୀର୍ବାଦ କରି ଉପହାର ଦେଇ ଫେରି ଆସୁଥିଲେ-। ଉପହାର ସାମଗ୍ରୀରେ ପୂରି ଉଠିଥିଲା କୋଠରୀର ଗୋଟିଏ କୋଣ । ଦାମୀ ଉପହାର-। ହରିଶ ବାବୁଙ୍କ ବଡ଼ପୁଅ ମଝିରେ ମଝିରେ ଜମା ହୋଇଥିବା ଉପହାର ପ୍ୟାକେଟ୍‍ଗୁଡ଼ାକୁ ଭିତରକୁ ନେଇ ଯାଉଥିଲେ । ନେତ୍ରମଣି ନିରୂପମା ପାଖରେ ଦଣ୍ଡେ ବସିଲେ ।

 

ଏହି ଅବସରରେ ଧୀରେ ଧୀରେ କନ୍ୟା ପାଖକୁ ଯାଇ ତାକୁ ଆଶୀର୍ବାଦ କରି କାଚଫ୍ରେମରେ ବନ୍ଧା ହୋଇଥିବା ଚିତ୍ରଟିକୁ ନିରୂପମା ହାତକୁ ବଢ଼ାଇଦେଲେ ଗୋବିନ୍ଦ ବାବୁ । କିଛି କହିବା ପାଇଁ ଇଛା ହେଉଥିଲା, କିନ୍ତୁ ସମୟ ପାଇଲେ ନାହିଁ । ଜଣେ କିଏ ପଛରୁ କହିଲା; କେତେ ବାଜେ ଲୋକ ପଶିଛନ୍ତି ଭିତରେ । ସେମାନେ ବାହାରି ନଗଲେ ଚେୟାରମ୍ୟାନଙ୍କ ପରିବାର ପଶିବେ କିପରି, ବସିବେ କେଉଁଠି ? ଗୋବିନ୍ଦ ବାବୁଙ୍କୁ ଜଣେ କେହି ହାତ ଧରି ଟାଣିନେଇ ଆଡ଼ କରିଦେବା ବେଳେ ଦଳେ ମହିଳା ପଶି ଆସିଲେ । କାଚ ଫ୍ରେମ୍ ବନ୍ଧା ଚିତ୍ରଟି ବୋଧହୁଏ ତଳେ ଥିଲା, କାହାର ପାଦ ପଡ଼ି ଚଡ଼ମଡ଼୍ କରି ଉଠିଲା । ହାଁ ହାଁ କହି ଆଗେଇଯାଇ ଝୁଙ୍କି ପଡ଼ିବା ବେଳକୁ ଗୋବିନ୍ଦବାବୁ ଦେଖିଲେ ଯେ କାଚ ଭାଙ୍ଗି ଚିତ୍ରରେ ଗଳିଯାଇଛି । ତାଙ୍କର ଅନ୍ତଃସ୍ଥଳରୁ ଏକ କରୁଣ ଆର୍ତ୍ତନାଦ ଉଠି ଆସିଲା ବାଧା ନମାନି । ସେ ମନେକଲେ ଯେପରି ସେଇ ଭଙ୍ଗା କାଚଗୁଡ଼ା ତାଙ୍କର କଲିଜାକୁ କ୍ଷତବିକ୍ଷତ କରି ଦେଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରି ଛାତି ଉପରେ ହାତଜାକି କାନ୍ଥ ଉପରେ ଆଉଜିବାକୁ ଚେଷ୍ଟା କଲାବେଳେ କଳରୋଳ ଶୁଣାଗଲା ପାଖରୁ । ଜଣେ କିଏ କହୁଥିଲା; ଆଉ କିଛି ନ ମିଳିଲାତ କିଛି ନଦିଅ, ଏପରି ଗୋଟେ ମଣିଷର ଚିତ୍ରକୁ ଫଟୋ ବାନ୍ଧି ଦବାର ଅର୍ଥ କଅଣ ? ଯେତେସବୁ ଅନାଡ଼ି, ଅସଂସ୍କୃତ ।

 

ଆଉ ଶୁଣି ପାରୁ ନଥିଲେ ଗୋବିନ୍ଦବାବୁ । ତାଙ୍କ ଭିତରୁ ରକ୍ତ ଝରୁଥିଲା । ସେ ଆଖିର ଲୁହକୁ ଲୁଚାଇ ଦେବାପାଇଁ ବାହାରିଯିବା ବେଳକୁ ନେତ୍ରମଣି କହିଲେ; ମୁଁ କହୁଥିଲି ନା ନ ଆଣିବା ପାଇଁ । ଚାଲ, ଚାଲ, ପିଲାମାନେ ଖାଇସାରି ଅପେକ୍ଷା କରୁଛନ୍ତି… ।

 

ଗୋବିନ୍ଦବାବୁ କିଛି କହିପାରିଲେ ନାହିଁ । ନେତ୍ରମଣିଙ୍କ କାନ୍ଧ ଉପରେ ଭରାଦେଇ ଧୀରେ ଧୀରେ ବାହାଘର ଆସରରୁ ବାହାରକୁ ଚାଲିଗଲେ ।

☆☆☆

 

ଦଗ୍ଧ ଫୁଲବନ

 

ଏଗାର ବର୍ଷର ପୁଅ ଅଲେଖ । ଅତି ଗରିବ ଘରେ ଜନ୍ମ ହୋଇ ନଥିଲେ ସ୍କୁଲରେ ପାଠ ପଢ଼ୁଥାଆନ୍ତା । ଏବେ ଯେ ତାର ପାଠ ପଢ଼ିବା ପାଇଁ ଇଚ୍ଛା ନହୁଏ ସେପରି ନୁହେଁ । ପାଠ ପଢ଼ୁଥିବା ସାଙ୍ଗସାଥିମାନଙ୍କ ସହିତ ଗାଁଆରୁ ଗୋହିରୀ ପାରିହୋଇ ସେ ବି ସ୍କୁଲ୍ଆଡ଼କୁ ଯାଏ । ସେମାନେ ସ୍କୁଲ୍ ଭିତରକୁ ପଶିଲେ, ସେ ଗାଈ ଜଗେ ପଡ଼ିଆରେ । ବରଗଛ ଉପରେ ଚଢ଼ି ବରକୋଳି ଖାଏ ଏବଂ ମାଙ୍କଡ଼ମାନଙ୍କୁ କଦବା କାହିଁ ଦେଖିଲେ ଖତେଇ ହୁଏ । ଡର ଭୟ ଟିକେ ନାହିଁ । ଗୋଟିଏ ଡାଳରୁ ଆଉ ଗୋଟିକୁ ଅନାୟାସରେ ଡେଇଁପଡ଼ି ସାଙ୍ଗମାନଙ୍କୁ ଡରେଇ ଦିଏ । ଦୁଇ ବର୍ଷ ହେଲା ଆଉ ସ୍କୁଲ୍‍କୁ ଯାଉନାହିଁ ଅଲେଖ । ଆଗରୁ ସ୍କୁଲ୍ ଛୁଟି ହେବା ପରେ ସେ ଖେଳୁଥିଲା ଘରକୁ ଫେରିବା ଆଗରୁ । ଏବେ ତ ସଦାବେଳେ ଛୁଟି । ଗାଈ ଜଗିବାଟା ଏପରି କି କାମ ଯେ ତାର ପରିଶ୍ରମ ହବ । ବରଂ ଗଛ ଡାଳ ଏପରେ ଆଉଜି ପଡ଼ି ବଂଶୀ ବଜାଏ, ଗୋରୁମାନଙ୍କର ଘାଗୁଡ଼ିର ଶବ୍ଦ ଶୁଣେ ।

 

ବରଗଛ ଉପରେ ସେ ଦେଖିପାରେ ସହରର କୋଠାଗୁଡ଼ାକୁ, ଦେଖିପାରେ ମନ୍ଦିରର ଚୂଡ଼ାକୁ । ମହାଲକ୍ଷ୍ମୀଙ୍କ ମନ୍ଦିର । ଗୁରୁବାର ଦିନ ଖୁବ୍ ଭିଡ଼ ହୁଏ ମନ୍ଦିରରେ । ଏବେ ସେଇ ମନ୍ଦିରକୁ ଯିବାର ଆକର୍ଷଣଟା ଆହୁରି ଅନେକ ବଢ଼ିଯାଇଛି । ଯେଉଁଦିନ ପ୍ରଥମେ ଯାଇଥିଲା ସେ ମାଆର ସାଙ୍ଗରେ, ତାକୁ ବିଚିତ୍ର ଲାଗୁଥିଲା ସବୁ । ହାତରେ ଗୋଟେ ଗୋଟେ ଘିଅ ଦୀପ, କାହାରି କାହାରି ହାତରେ ପଦ୍ମଫୁଲ ବା ମନ୍ଦାର ମାଳଟିଏ ଦେଖି ସେ ବି ମାଆକୁ କହିଥିଲା ମାଳ ଗୋଟେ କିଣିବା ପାଇଁ । ତା ମା’ ତା ମୁହଁକୁ ଶୁଖିଲା ଦୃଷ୍ଟିରେ ଅନେଇ କହିଥିଲା; ପଚାଶ ପଇସା ହେଲେ ମୁଢ଼ି କିଣି ଖାଇବା । ରାତିକୁ କିଛି ନାହିଁ ଘରେ । ବାପା କେତେବେଳେ ଫେରିବେ କିଏ ଜାଣେ ?

 

ପଚାଶ ପଇସାକୁ ଗୋଟିଏ ପଦ୍ମମାଳ । କେଡ଼େ ସୁନ୍ଦର ଦିଶେ । ସେଦିନ ତାହାରି ଆଗରେ ପଦ୍ମମାଳଟିଏ କିଣି ନେଇଥିଲେ ଜଣେ ସ୍ତ୍ରୀ ଲୋକ । କି ଆଗ୍ରହରେ କେଜାଣି, ସେଦିନ ସେ ତାଙ୍କ ପଛେ ପଛେ ଯାଇଥିଲା ଦେଉଳ ଭିତରକୁ । ସେଇ ସ୍ତ୍ରୀ ଲୋକ ଜଣକ ଦୀପ ଜାଳି, ପଦ୍ମମାଳଟିକୁ ମହାଲକ୍ଷ୍ମୀଙ୍କ ପାଖରେ ଲାଗି କରିବା ପାଇଁ ପୂଜକକୁ ଦେଲେ । ପୂଜକ ଯତ୍ନ କରି ମାଳଟିକୁ ମହାଲକ୍ଷ୍ମୀଙ୍କ ଗଳାରେ ଲମ୍ବାଇ ଦବାବେଳେ ନିଷ୍ପଲକ ନୟନରେ ଦେଖୁଥିଲା ଅଲେଖ । ଫୁଲମାଳ ପିନ୍ଧିବା ପରେ ମହାଲକ୍ଷ୍ମୀଙ୍କ ମୁହଁ ଏପରେ ପ୍ରସନ୍ନତା ଖେଳିଗଲା ଯେପରି । ସେ ଆଖି ଫେରାଇ ପାରିଲା ନାହିଁ । ଆହୁରି କେତେସମୟ ସେହିପରି ଏକ ଲୟରେ ଛିଡ଼ା ହୋଇଥାଆନ୍ତା କେଜାଣି, ପଛରୁ ତା’ର ହାତ ଧରି ମା’ କହିଲା: ଆସୁନୁ ଯେ… ମୁଁ କାମକୁ ଯିବିନି ? ମା’ ସାଙ୍ଗରେ ଫେରିବାବେଳେ ସେ କେବଳ ଭାବୁଥାଏ ସେଇ ପଦ୍ମମାଳ କଥା । ମହାଲକ୍ଷ୍ମୀଙ୍କ କଥା ଆଜି ଯାଏଁ ବି ସ୍ପଷ୍ଟ ମନେ ଅଛି । ଏ ଭିତରେ ଆହୁରି କେତେଥର ସେ ଯାଇଛି ମନ୍ଦିରକୁ, କିନ୍ତୁ ଭିତରକୁ ପଶିନାହିଁ । ଖାଲି ହାତରେ ଯିବାକୁ ଇଛା ହୁଏନାହିଁ । ପଦ୍ମମାଳଟିଏ କିଣିବା ପାଇଁ ହାତରେ ପଇସା ନାହିଁ ।

 

ମହାଲକ୍ଷ୍ମୀଙ୍କୁ ଗୋଟିଏ ପଦ୍ମମାଳ ଦବାପାଇଁ ସେଇଦିନୁ ମନେମନେ ପଣ କରିଥିଲା ଅଲେଖ । କିନ୍ତୁ ମନର କଥା ମନରେ ରହିଗଲା । ସେ ପଦ୍ମମାଳଟିଏ ଆଉ ଦେଇପାରିଲା ନାହିଁ । ପଚାଶ ପଇସାରେ ପଦ୍ମଫୁଲର ମାଳଟିଏ । ମୁଢ଼ି ଖାଇବାକୁ ପଇସା ନାହିଁ, ପଦ୍ମଫୁଲର ମାଳଟିଏ କିଣିବ କିପରି ?

 

ଅଲେଖ ଗାଈ ଜଗିଲା ବେଳେ ବରଗଛ ଉପରରୁ ମନ୍ଦିରର ଚୂଡ଼ା ଦେଖି ମନକୁମନ କହେ; ପଦ୍ମମାଳଟିଏ ଦବା ଆଉ ଭାଗ୍ୟରେ ହେଲା ନାହିଁ । ମନ ମରା ହୋଇ ବସି୍ଥିବା ବେଳେ ଦିନେ ନରେନ୍ଦ୍ର ତାକୁ ଡାକିଲା ଗୋଟିଏ ନୂଆ ଜାଗାକୁ ନେଇଯିବା ପାଇଁ । ନରେନ୍ଦ୍ର ତାର ଖୁବ୍ ଭଲ ସାଙ୍ଗ । କଥା ଟାଳି ନପାରି ତାହାରି ସାଙ୍ଗରେ ସଡ଼କ ପାରିହୋଇ ସେ ପାଖକୁ ଚାଲିଗଲା ଅଲେଖ-। ସଡ଼କ ସେ ପାଖରେ ବଡ଼ ପୋଖରୀଟିଏ । ପୋଖରୀ ତୁଠରେ ବସି ନରେନ୍ଦ୍ର ବନସୀ ପକେଇ ମାଛ ଧରିଲା ବେଳେ, ଅଲେଖ ପୋଖରୀ ଭିତରେ ଅନେକ ପଦ୍ମ କଢ଼ି ଦେଖି ବିସ୍ମିତ ହେଲା-। ସେ ଆଗରୁ କେବେ ଆସି ନଥିଲା ଏଇ ପୋଖରୀକୁ । ନରେନ୍ଦ୍ର ମାଛ ଧରିବାରେ ବ୍ୟସ୍ତ ଥିବାବେଳେ ପୋଖରୀ ଚାରିପାଖରେ ଥରେ ବୁଲି ଆସିଲା ଅଲେଖ । ପଦ୍ମବଣ ଛାଇ ହୋଇ ରହିଥାଏ ବୋଲି ପୋଖରୀର ପାଣି ଭଲ ଭାବରେ ଦିଶୁ ନଥାଏ ଆଖିକୁ । ପାଖରେ କିନ୍ତୁ ଗଛ ଥିଲେ ବି ଫୁଲ ନଥାଏ । ଏତେ ପାଖରେ ପଦ୍ମଫୁଲ ରହିବା କଥା ନୁହେଁ । ଫୁଲ ଯିଏ ଦେଖିବ ଲୋଭ କରି ସେ ତୋଳିନେବ । ଅଲେଖର ଲୋଭ ହେଉଥାଏ ଗୋଟିଏ କି ଦିଓଟି ଫୁଲ ତୋଳିବା ପାଇଁ-। ପନ୍ଦର କୋଡ଼ିଏଟି ଫୁଲ ହେଲେ ହାରଟିଏ ଗୁନ୍ଥି ସେ ଚାଲିଯାଆନ୍ତା ଦେଉଳକୁ, ମହାଲକ୍ଷ୍ମୀଙ୍କ ପାଖରେ ଲାଗି କରିବା ପାଇଁ ।

 

ନରେନ୍ଦ୍ର ମାଛ ଧରା ଶେଷ ହେଲା, କିନ୍ତୁ ପୋଖରୀ ଭିରତକୁ ପଶି ଗୋଟିଏ ପଦ୍ମଫୁଲ ତୋଳିପାରିଲା ନାହିଁ ଅଲେଖ । ନରେନ୍ଦ୍ର ବରଂ ତାକୁ ସାବଧାନ କରେଇ ଦେଇ କହିଲା; ଯିବୁନିରେ ପୋଖରୀ ଭିତରକୁ, ଦେଖୁନୁ ପୋଖରୀର ପାଣି କେଡ଼େ କଳା । ପଦ୍ମବଣରେ ଅନେକ ସାପ ଥାଆନ୍ତି… ।

 

ପଚାରିବା ପାଇଁ ଇଚ୍ଛା ହଉଥାଏ ଅଲେଖର; ଯଦି ଏତେ ସାପ, ତାହେଲେ ଲୋକେ ପଦ୍ମଫୁଲ ତୋଳନ୍ତି କିପରି ? ସେମାନଙ୍କୁ କଣ ସାପ କାମୁଡ଼େ ନାହିଁ ? କିନ୍ତୁ ଅଲେଖ କିଛି କହିଲା ନାହିଁ । ମନେ ମନେ ଏକା ଆସି ଆଉ ଥରେ ଚେଷ୍ଟା କରିବ ବୋଲି ସ୍ଥିର କରି ଚୁପ୍ ରହିଲା ସେ ।

 

ସେଇଦିନୁ ପଦ୍ମପୋଖରୀ ତାକୁ ଆକର୍ଷଣ କରେ । ସେ ସମୟ ପାଇଲେ ଚାଲିଯାଏ ସେଆଡ଼କୁ ଏକା ଏକା । ଆଉ କାହାକୁ ନିଏ ନାହିଁ ସାଙ୍ଗରେ, କାଳେ ତାର ଅଭିପ୍ରାୟ ସେମାନେ ଜାଣିଯିବେ ବୋଲି । ମନର କଥା ସମସ୍ତଙ୍କୁ କହି ଲାଭ କଅଣ । ଯୋଉଦିନ ସେ ପୋଖରୀ ଭିତରେ ପଶି ପଦ୍ମଫୁଲ ତୋଳି ଆଣିବ, ସେଦିନ ସମସ୍ତଙ୍କୁ କହିବ ସେଇ ପ୍ରସଙ୍ଗ । ସେମାନେ ସମସ୍ତେ ବିସ୍ମିତ ହୋଇଯିବେ । ତାକୁ ହୁଏତ ବିଶ୍ଵାସ କରିବେ ନାହିଁ । ସାଙ୍ଗମାନଙ୍କୁ ତା’ପରେ ସାଙ୍ଗରେ ନେଇ ପୁଣି ପୋଖରୀ ଭିତରକୁ ପଶି ପଦ୍ମଫୁଲ ତୋଳି ସେ ପ୍ରମାଣ କରିଦେବ ଯେ ସେ ନିଜେ ତୋଳିଛି, ଅନ୍ୟ କେହି ନୁହେଁ । ବଡ଼ ଆକର୍ଷଣୀୟ ମନସ୍କାମନା । ଅଲେଖର ବୀରତ୍ଵ ଓ ବାହାଦୂରି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ତା’ ବାପ ମଦ ଚୋଟରେ ଥିବାବେଳେ ଯଦି ଏଇ କଥାଟା ତା କାନକୁ ଯାଏ ତାକୁ ମାରଧର କରିବ କି କାନ୍ଧରେ ବସେଇ ନାଚିବ ସେ କଳନା କରିପାରେ ନାହିଁ । କିନ୍ତୁ ମା’ ଯେ ନିଶ୍ଚୟ ଖୁସିହେବ ଏଥିରେ ସନ୍ଦେହ ନାହିଁ । ସେ ହୁଏତ ତାକୁ ସାବଧାନ କରିଦେଇ କହିବ; ଯେତିକି ହେଲା ସେତିକି, ଆଉ ନୁହେଁ, ସେଇ ପୋଖରୀରେ ଅନେକ ତମ୍ପ ସାପ । ତୋତେ ରକ୍ଷା କରିଛନ୍ତି ଠାକୁର, ଆଉ ଯିବୁ ନାହିଁ ।

 

ଦିନ ଚାଲିଯାଏ, କିନ୍ତୁ ନିଜର ବୀରତ୍ଵ ଓ ସାହସକୁ ପରଖି ନବାପାଇଁ ସୁବିଧା ହୁଏ ନାହିଁ-। ପୋଖରୀ କୂଳରେ ଛିଡ଼ା ହୋଇ ପୋଖରୀର ଶୋଭା ଦେଖେ ସେ । ପଦ୍ମଫୁଲମାନଙ୍କୁ ଅନେକ ସମୟ ଅନେଇ ସାରିବା ପରେ ହସିଦିଏ । ପଦ୍ମଫୁଲ ସୂର୍ଯ୍ୟକୁ ଚାହିଁ ଫୁଟେ ବୋଲି ନରେନ୍ଦ୍ର କହୁଥିଲା । ସୂର୍ଯ୍ୟ ସହିତ ପଦ୍ମଫୁଲର ସମ୍ପର୍କ କଅଣ ଥାଇପାରେ ବୋଲି ସେ ନିଜକୁ ପ୍ରଶ୍ନ ପଚାରେ-। ପଦ୍ମଫୁଲ କେଡ଼େ ନିର୍ମଳ, କେଡ଼େ ସୁନ୍ଦର ! କେଡ଼େ ଶୋଭାବନ ଦିଶେ ପୋଖରୀ-। ପଦ୍ମଫୁଲର ସୁବାସ ଭାସିବୁଲେ ପବନରେ । ପଦ୍ମରେଣୁ କେତେ କାମରେ ଲାଗେ । ମହାଲକ୍ଷ୍ମୀଙ୍କର ଖୁବ୍ ଶ୍ରଦ୍ଧା ପଦ୍ମଫୁଲ ପିନ୍ଧିବା ପାଇଁ । ପଦ୍ମଫୁଲର ମାଳଟିଏ ତାଙ୍କ ଗଳାରେ ଲମ୍ବାଇ ଦେଲେ ସେ ହସିଦିଅନ୍ତି ଯେପରି ।

 

ବଡ଼ ଇଚ୍ଛାହୁଏ ତାଙ୍କୁ ଗୋଟିଏ ଲମ୍ବା ପଦ୍ମଫୁଲମାଳ ଦବା ପାଇଁ । ପ୍ରାଣ ପୁଲକିତ ହୋଇଉଠେ ସମ୍ଭାବନାରେ । କିନ୍ତୁ ସେ ପଚାଶ ପଇସା ପାଏ ନାହିଁ ମାଳଟିଏ କିଣିବା ପାଇଁ । ସାହସ ହୁଏ ନାହିଁ ପୋଖରୀ ଭିତରେ ପଶିବା ପାଇଁ । ପହଁରିବା ନୂଆ ହୋଇ ଶିଖୁଛି, ଏଯାଏ ଏକା ଏକା ପୋଖରୀର ଏ ପାଖରୁ ସେପାଖ ପହଁରି ଯାଇପାରେ ନାହିଁ । ପଦ୍ମ ପୋଖରୀଟା ଆହୁରି ବଡ଼-। ପୁଣି ସାପ ଅଛନ୍ତି ସେଥିରେ । ଭୟ ହୁଏ ଅଲେଖର ।

 

ତାର ବାପା ସୁଲେଖ ଘରେ ବେଶୀ ସମୟ ରୁହେ ନାହିଁ । ବାହାରେ ବାହାରେ ବୁଲେ, ମଦ ପିଏ । ଘରକୁ ରାତିଅଧରେ ଫେରି ତା’ ମାଆକୁ ମାରଧର କରେ, ତାକୁ ଦେଖିଲେ ତା’ ଉପରକୁ ଚିହିଙ୍କି ଆସେ । ସେଥିପାଇଁ ବାପାକୁ ଖୁବ୍ ଡରେ ଅଲେଖ । ମୁହାଁମୁହିଁ ଭେଟ ହେଲେ ସଙ୍କୁଚି ଯାଇ ଦୌଡ଼ିପଳାଏ । ଦିନେ ତା’ ଉପରେ ରାଗି ଯାଇ ତାର ପାଦ ଦୁଇଟା ଉପରକୁ ଏବଂ ମୁଣ୍ଡ ତଳକୁ କରି ବାନ୍ଧିଦେଇ ବାହାରୁ ଜଞ୍ଜିର ଲଗାଇ ଦେଇଥିଲା ସେ । ତା’ ମା ଖୋଲି ଦେଇ ନଥିଲେ ମରିଯାଇଥାନ୍ତା ଅଲେଖ । ବାପା ଉପରେ ଏଥିପାଇଁ ରାଗ ହୁଏ ଅଲେଖର । କିନ୍ତୁ ପୁଣି ମନଟା ନରମି ଯାଇ ବାପାର ଦୋଷ ଭୁଲିଯାଇ ନିଜର ଦୋହ ଦୁର୍ବଳତାଗୁଡ଼ାକୁ ମନେ ପକାଏ । ବାପା ସିନା ମାତାଲ ହେଲେ ଗାଳିମନ୍ଦ କରେ, କିନ୍ତୁ ତାକୁ କେବେ କେମିତି ସ୍ନେହ ଶ୍ରଦ୍ଧା ବି କରେ । ତା’ର ଦାଢ଼ି ଭର୍ତ୍ତି ମୁହଁଟାକୁ ଅଲେଖର ଗାଲ, ଛାତି, ପିଠିରେ ଘଷି, ତାକୁ ଛାତିରେ କିଛି ସମୟ ଜାକି ଧରି ବୋକ ଖାଇ କହେ: ମୋ ଅଲେଖରେ, ମୋ ବାପରେ ! ତା ବାପର ସେଇ ରୂପଟା ସତରେ ବଡ଼ ଲୋଭନୀୟ ! ସେତେବେଳେ ସେ ଶାନ୍ତ, ନମ୍ର । ମା’କୁ ମାରେ ନାହିଁ କି ଖରାପ କଥା କୁହେ ନାହିଁ ।

 

ଅଲେଖ ସେଦିନ ମା’କୁ ନ କହି ଲୁଚି ଲୁଚି ଦେଉଳକୁ ଚାଲିଗଲା ଯେ ଫେରିବା ବେଳକୁ ରାତି । ସେଦିନ ଥାଏ ଗୁରୁବାର । ମହାଲକ୍ଷ୍ମୀ ମନ୍ଦିରରେ ଖୁବ୍ ଭିଡ଼ ଜମିଥାଏ ଆର୍ତ୍ତ ଓ ଭକ୍ତଙ୍କର । ସେଇ ଭିଡ଼ ଠେଲି ଭିତରକୁ ପଶିଲା ଅଲେଖ । ଛିଡ଼ା ହେଇ ଆର୍ତ୍ତୀମାନଙ୍କର ଦୀପ ଜଳେଇବା ଦେଖିଲା, ଧୂପ ଦବା ଦେଖିଲା । କେହି କେହି ଫୁଲମାଳ ହାତରେ ନେଇ ଆସିଥିଲେ । କେତେ ରମକର ଫୁଲମାଳ । କେତେ ରଙ୍ଗ, କେତେ ପ୍ରକାରର, କିନ୍ତୁ ପଦ୍ମଫୁଲଟିଏ କେହି ଏଯାଏ ଦେଇ ନାହିଁ ବୋଲି ମନଟା କ୍ଷୁଣ୍ଣ ହେଲା ଅଲେଖର । ମନ୍ଦିରକୁ ଯିବା ପାହାଚ ତଳେ ବୁଢ଼ୀଟିଏ ବିକ୍ରି କରୁଥିଲା ପଦ୍ମମାଳ । ଗୁରୁବାର ବୋଲି ଦାମ୍ ବି ବଢ଼େଇ ଦେଇଥାଏ । ଟଙ୍କାଏ ଗୋଟିଏ ମାଳକୁ । ଅଲେଖର ଅଣ୍ଟା ଖାଲି । ଗୋଟିଏ ପଇସା ବି ପାଖରେ ନଥାଏ । କେତେଦିନୁ କିଛି କିଛି ସଞ୍ଚୟ କରିବ ବୋଲି ଭାବିଥିଲା, ସେତେକ ଆଉ ହୋଇପାରୁନାହିଁ । ମା’ କେବେ କେମିତି ଦଶପଇସା, ପାଞ୍ଚପଇସା ଦିଏ ମୁଆଁ କିଣି ଖାଇବା ପାଇଁ । ବାବୁମାନଙ୍କ ଘରେ ବାସନ ସଫାକରି ବା ବୋଲହାକ କରି ଯାହା ଉପାର୍ଜନ କରେ ସେତକ ନିଅଣ୍ଟ ହୁଏ । ବାପା ଯାହା ଆୟ ଉପାୟ କରେ ତା’ ନିଜ ଖର୍ଚ୍ଚକୁ ନିଅଣ୍ଟ ।

 

କେତେଥର ବାପାର ଥଳିରୁ ପଇସା ଚୋରି କରିବା ପାଇଁ ଇଚ୍ଛା ହୋଇଛି ଅଲେଖର । କିନ୍ତୁ ଥଳି ଭିତରେ ହାତ ଗଳେଇବାକୁ ଯାଇ ପୁଣି ହାତ ବାହାର କରି ଆଣିଛି, ଚୋରି କରିପାରି ନାହିଁ । ମାଆକୁ ଯେ କେବଳ ଡର ତାହା ନୁହେଁ, କାଳେ ଚୋରି ପଇସାରେ ଫୁଲ କିଣିଲେ ମହାଲକ୍ଷ୍ମୀମା’ ରାଗିବେ ବୋଲି ସେ ଚୋରିକରେ ନାହିଁ । ହାତ ଖଲବଲ ହୁଏ, ମନ ଗୁରୁଗୁରୁ କରେ । ପଚାଶ ପଇସା ହେଲେ ପଦ୍ମଫୁଲର ମାଳଟିଏ ପାଇଯିବ ସେ । ସେତକ ଆଉ ଯୋଗାଡ଼ କରିପାରୁନାହିଁ ବୋଲି ମନକୁ ଭଲ ଲାଗୁ ନଥାଏ କିଛି । ବାପାକୁ ଭରସି କରି ମାଗିପାରେ ନାହିଁ । ତା’ ପାଖରେ ପଇସା ଥାଏ; କିନ୍ତୁ ସେଇ ପଇସା ସକାଳେ ଉପାର୍ଜନ କରି ସନ୍ଧ୍ୟାରେ ଖର୍ଚ୍ଚ କରିଦିଏ; ପିଲା ମାଇପଙ୍କ କଥା ତାର ମନେରୁହେ ନାହିଁ କି ସେମାନଙ୍କ ପାଇଁ କିଛି କରିବା ଦାୟିତ୍ଵ ତା’ ମନକୁ କେବେ ଅସ୍ଥିର କରେ ନାହିଁ । ମା’ ପାଖରେ ସର୍ବଦା ନିଅଣ୍ଟ । ଅଭାବ, ଖାଲି ଅଭାବ । ପଦ୍ମପୋଖରୀର ପାଣି ଯେପରି ପଦ୍ମପତ୍ରର ଛାଇ ହୋଇ ଯାଇଥିବା ଯୋଗୁଁ ଭଲଭାବରେ ଦିଶେ ନାହିଁ, ବାହାରୁ ଅଲେଖର ମା’କୁ ଦେଖି ତା’ ଭିତରେ ଲୁଚି ରହିଥିବା ରାଶି ରାଶି ଅଭାବକୁ ମଧ୍ୟ କେହି ଦେଖିପାରନ୍ତି ନାହିଁ । ସେ ମୁହଁ ଖୋଲି ନିଜର ଦୈନ୍ୟ କାହାକୁ ଦିନେ କହି ନାହିଁ । ମା’ ପାଖରେ ଅଭିମାନ ବସା ବାନ୍ଧିଛି ଯେପରି । ତାକୁ ଚାହିଁଦେଇ ମାଗିବା ମନଟା ପୁଣି ସଂକୁଚିତ ହୋଇଯାଏ, ମା’ର ଦୁଃଖକଷ୍ଟ ଭାବି ସେ ହାତ ଫେରାଇ ଆଣେ ମନକୁ ।

 

ମହାଲକ୍ଷ୍ମୀଙ୍କର ଆରତି ହେଉଥାଏ । ଅନେକ ଲୋକ ରୁଣ୍ଡ ହୋଇଥାଆନ୍ତି ଦେଉଳ ଭିତରେ । ଘଣ୍ଟା, ଝାଞ୍ଜ, ଶଂଖ ବାଜୁଥାଏ, ଅହ୍ୟ ସ୍ତ୍ରୀମାନେ ହୁଳହୁଳି ଦେଉଥାନ୍ତି । ଦୀପ ଜାଳିଦେଇ କେହି କେହି ଗୁଣୁଗୁଣୁ କରି ପ୍ରାର୍ଥନା ବୋଲୁଥାନ୍ତି ବା ମନସ୍କାମନା ଜଣାଉଥାନ୍ତି । ଅଲେଖ ତାଙ୍କ ମୁହଁକୁ ଚାହିଁ ରହିଥାଏ ଅପଲକ ନେତ୍ରରେ । ହଠାତ୍ ଜଣେ ଭକ୍ତ ହାତରୁ ପଦ୍ମହାରଟିଏ ନେଇ ଲକ୍ଷ୍ମୀଙ୍କ ଗଳାରେ ଲମ୍ବାଇ ଦେଲେ ପୂଜକ । ଶୋଭାମୟ ହୋଇଉଠିଲା ପରିବେଶ । ଅଲେଖ ମହାଲକ୍ଷ୍ମୀଙ୍କ ମୁହଁକୁ ଅନେଇ ହସିଦେଲା । ତା’ ମାଆକୁ ଦେଖିଲେ ଯେପରି ନିଶ୍ଚିତ, ନିର୍ଭୟ ହୋଇ ସବୁ ସମସ୍ୟାଗୁଡ଼ାକୁ ମା’ ପାଖରେ ଅଜାଡ଼ିଦିଏ ଅଲେଖ, ଏଠାରେ ମହାଲକ୍ଷ୍ମୀଙ୍କୁ ସେହିପରି କିଛି କହିବା ପାଇଁ ତାକୁ ଯେପରି କେହି ବାଧ୍ୟ କରୁଥିଲା । ପେଟ ଭିତରଟା କ’ଣ ହୋଇଗଲା । ସେ କିଛି ଭାବି ନ ପାରି ଲକ୍ଷ୍ମୀଙ୍କ ପାଦତଳେ ପ୍ରଣାମ କରି କହିଲା; ତୁମକୁ ଫୁଲମାଳଟିଏ ଦବାକୁ ମନ ହେଲେ ବି ଦେଇପାରୁ ନାହିଁ । କ’ଣ କରିବି ? କୋଉଠୁ ପଇସା ପାଇବି । ମୋ ମା’ ପାଞ୍ଚପଇସା, ଦଶପଇସା ଦିଏ କେବେ କେମିତି । ତୁମେ ତ ମୋ ମା’ଠାରୁ ଆହୁରି ସୁନ୍ଦର ଦିଶୁଛ । ତୁମର ଅଶେଷ ଦୟା ବୋଲି ତୁମ ପାଖକୁ ଶହଶହ ଲୋକେ ଆସୁଛନ୍ତି ନିଜ ହାରି ଗୁହାରି ଜଣାଇବା ପାଇଁ-। ମୋର ହାରି ଗୁହାରି କିଛି ନାହିଁ, କେବଳ ତୁମକୁ ଫୁଲମାଳଟିଏ ଦିଅନ୍ତି ।

 

ମହାଲକ୍ଷ୍ମୀ କିଛି ଉତ୍ତର ନ ଦେଲେ ବି ଅଲେଖର ମନରେ ପ୍ରତ୍ୟୟ ଆସିଥାଏ । ଦିନେ ସେ ତାକୁ ପଚାଶ ପଇସାଠାରୁ ଆହୁରି ବେଶୀ ଦେବେ । ସେଥିରେ ସେ କେବଳ ପଦ୍ମଫୁଲର ମାଳଟିଏ କିଣିବ ନାହିଁ, ପାଚିଲା କଦଳୀ ଯୋଡ଼ିଏ କିଣିବ, ଧୂପ ନୈବେଦ୍ୟ ବି କିଣିବ । ତା’ପରେ ଘରକୁ ଫେରିଯାଇ ମାଆର ମଥାରେ ଠାକୁରାଣୀଙ୍କ ସିନ୍ଦୂର ଲଗାଇଦବ ଫୁଲ ଗୋଟିଏ ମଥାରେ ଛୁଆଁଇ ତା’ ହାତକୁ ଟେକିଦବ । ଆଉ ସେଇ ବଡ଼ ପଦ୍ମମାଳ… । ତାକୁ ପିନ୍ଧି ମହାଲକ୍ଷ୍ମୀ ମା’ଙ୍କର ଶୋଭା ପ୍ରକଟ ହେବ ଆହୁରି ବେଶି, ସେ ଆହୁରି ସୁନ୍ଦର ଦିଶିବେ ।

 

ଅଲେଖ ଠିକ୍ ଦେଉଳରୁ ବାହାରି ଘରକୁ ଫେରୁଥାଏ । ରାତି ଘଡ଼ିଏ ହେଲାଣି ସେତେବେଳକୁ । ସେ ଡରି ଡରି ଫେରୁଥାଏ, କାଳେ ବାପ ହାବୁଡ଼ରେ ପଡ଼ିଗଲେ ମାଡ଼ ଖାଇବ ବୋଲି । ସଂଧ୍ୟ୍ୟାବେଳେ ବାହାରେ ରହିଲେ ବାପା ବକେ, ଦିନେ ଦିନେ ମାରେ । ସେଥିପାଇଁ ସେ ସଞ୍ଜ ହେବା ଆଗରୁ ଫେରିଆସେ ଘରକୁ । ଆଜି କିନ୍ତୁ ବ୍ୟତିକ୍ରମ ହେଲା, ସେ ଫେରିବା ବେଳକୁ ରାତି ହୋଇଗଲା ।

 

ସହର ପାରିହେବା ଆଗରୁ ଗୋଟେ ଧର୍ମଶାଳା ପଡ଼େ । ସେଇ କୋଠା ଆଗରେ କ’ଣ ଗୋଟିଏ ପାଦରେ ଲାଗି ଛିଟିକି ପଡ଼ିଲା । ଅଲେଖ କ’ଣ ବୋଲି ହାତରେ ଉଠେଇ ନେଇ ଗୋଟେ ଚମଡ଼ା ଥଳି ଦେଖି ଚମକି ପଡ଼ିଲା । ସେଇ ଥଳି ଭିତରେ କେତେଗୁଡ଼ାଏ ଟଙ୍କା ଥିଲା । ହାତ ଥରୁଥାଏ ଅଲେଖର । କାଳେ କେହି ତାକୁ ଦେଖି ଯଦି ଚୋର ବୋଲି ଭାବେ ! ସେ କିନ୍ତୁ ଚୋରିକରି ନାହିଁ । କିଏ ବିଶ୍ଵାସ କରିବ ତା’ କଥା ? ଅଲେଖ କିନ୍ତୁ ଥଳିଟିକୁ ଫୋପାଡ଼ି ଦେଇପାରୁ ନଥାଏ । କେତେଗୁଡ଼ାଏ ଟଙ୍କା ଅଛି । ମା’ ଦେଖିଲେ କେତେ ଖୁସି ହେବ । ସେ ତ ଚୋରି କରି ନାହିଁ କି ପକେଟମାରୁ କରି ନାହିଁ, ରାସ୍ତାରୁ ପାଇଛି । ମନଖୁସିରେ ଗାଆଁଆଡ଼କୁ ପାଦ ପକାଉଥାଏ ଅଲେଖ, ଭୁଲି ଯାଇଥାଏ ଆଉ ସବୁକଥା । ସେ ଟଙ୍କା ମା’ ହାତକୁ ଟେକି ଦେଇ ସେ ନିଶ୍ଚିନ୍ତ ହେବ-

 

ଅଲେଖ ସହର ଛାଡ଼ି ବାହାରି ଆସିଥାଏ ଗାଁ’ ଆଡ଼କୁ । ଆଉ ବାଟ ଅଳ୍ପ । କେନାଲ କୂଳ ପାରିହୋଇ ଟିକେ ଆଗେଇଗଲେ ତା’ର ଗାଁ ।

 

ଅଲେଖର ଦେହରୁ ଝାଳ ବାହାରୁଥାଏ । ମନଟା କିପରି ତରକା ବାଛୁରୀ ପରି ଏଣେତେଣେ ଦଉଡ଼ୁଥାଏ । ଅଲେଖ କିନ୍ତୁ ଚାଲିଥାଏ ଜୋର୍ ଜୋର୍ ପାଦ ପକାଇ, ଘରେ ପହଞ୍ଚିବା ପାଇଁ । ହାତରେ ସେହି ଛୋଟ ଚମଡ଼ା ଥଳି ।

 

ଥଳି ସମେତ ସବୁ ଟଙ୍କା ମାଆ ହାତକୁ ଟେକିଦେବ ନା ପଚାଶ ପଇସା ବାହାର କରି ରଖିବ ତାହା ସ୍ଥିର କରିପାରିଲା ନାହିଁ । ମନକୁମନ ଅନେକ ତର୍କକଲା । ଟଙ୍କାଟିଏ ବାହାର କରି ନ ନେଇ ଖାଲି ପଚାଶ ପଇସା କାହିଁକି ନବ ବୋଲି ବହୁତ ଭାବିଲା । ପୁଣି ମନହେଲା ଯେ ମା’ତ ଜାଣିନାହିଁ ତାକୁ କିଛି ନଦେଇ ସେ ଯଦି ଥଳିଟାକୁ ନେଇ ଘର ଚାଳରେ ବା ଅନ୍ୟ କୌଣସି ଗୁପ୍ତ ସ୍ଥାନରେ ଲୁଚାଇ ରଖନ୍ତା ତା’ହେଲେ କେହି ଜାଣନ୍ତେ ନାହିଁ, ଏବଂ ସେ ମଝିରେ ମଝିରେ ସେଠାରୁ କିଛି ଖର୍ଚ୍ଚ କରନ୍ତା । ଏଇ କଥାଟା ମନକୁ ଆସିବାକ୍ଷଣି ମନଟା ଟିକେ ଉତ୍‍ଫୁଲ୍ଲ ହେବାଭଳି ଜଣାଗଲା । ସେ ଆଉ ହାତ ଖର୍ଚ୍ଚ ପାଇଁ ମାଆ ପାଖରେ ହାତ ପତେଇବ ନାହିଁ ବୋଲି ସ୍ଥିର କଲା । ବରଂ ଏଥିରୁ କିଛି ମା’ ହାତକୁ ବଢ଼େଇଦେଇ ସେ କହିବ; ବାବୁ ଜଣେ ଦୟାକରି ଦେଇଥିଲେ ଯେ କିଛି ନ ଖାଇ ଖର୍ଚ୍ଚ ନ କରି ସେହିପରି ନେଇଆସିଛି । ତୁ ନେ… ।

 

ତା’ ମା’ ତାକୁ ଭଲପାଏ ।

 

ତାକୁ ଆଦର କରି ତା’ ଦେହରୁ ଧୂଳିମଳି ଝାଡ଼ିଦେଇ କୁହେ; ତୁ ବଡ଼ ହେଲେ ମୋ କଥାକୁ ପାସୋରିଦେବୁ । ମୋ ମୁହଁକୁ ଚାହିଁବୁ ନାହିଁ ?

 

ଅଲେଖ ମା’ ଏପରି କହି ତାକୁ କୁଣ୍ଢେଇଧରି ଦିନେ ଦିନେ ଇମିତି ବିକଳ ହୋଇ କାନ୍ଦେ ଯେ ତାର ଶୋକ ଦେଖି ଧୈର୍ଯ୍ୟ ଧରିପାରେନା ଅଲେଖ । ସେ ବି ମାଆ ସାଙ୍ଗରେ କାନ୍ଦେ । ମାଆର ଛାତି ଉପରେ ମୁହଁ ରଖି ଫୁଲି ଫୁଲି କାନ୍ଦିବା ବେଳେ ତାକୁ କୁଣ୍ଢେଇ ପକେଇ ତା’ ମା’ କୁହେ: ଥାଉ ଆଉ କାନ୍ଦନା ବାପା, ଆମ ଉପରେ ଅଭିଶାପ ପଡ଼ିଛି ଠାକୁରଙ୍କର, ସେଥିପାଇଁ ଆମେ ଏଡ଼େ ଗରିବ, ଏଡ଼େ ଅଭାବୀ ।

 

କାରଣ ଜାଣିବା ପାଇଁ ମା’କୁ ପଚାରିବା ପାଇଁ ମନେ ହୁଏ ଅଲେଖର, କିନ୍ତୁ ପଚାରିପାରେ ନାହିଁ । କାହିଁକି ଠାକୁର ରାଗନ୍ତି ଦୁଃଖିରଙ୍କିଙ୍କ ଉପରେ, ସେମାନଙ୍କର ଦୋଷ କ’ଣ । ଅହୋରାତ୍ର କେବଳ ଖଟିଯାନ୍ତି ସେମାନେ । ଫଳଭୋଗ ଥାଏ ଆଉ କାହାର ଭାଗ୍ୟରେ ।

 

ଏତେଗୁଡ଼ା କଥା କେବେ ଭାବି ନଥିଲା ଅଲେଖ । ଯେତିକି ଭାବିଲା ସେତିକି ଥର ମଥା ଭାରି ହେବାକୁ ଲାଗିଲା । ସେ ବାଟ ଭାଙ୍ଗିବାକୁ ଭୁଲିଯାଇ ସିଧା ଚାଲିଲା ସଡ଼କରେ । ଏଇ ସଡ଼କର ଶେଷ ନାହିଁ । କେତେ ଜୀବନ ଆରମ୍ଭ ହୋଇ ଗୋଟିଏ ଜାଗାରେ ବୁଢ଼ା ହୋଇଯାଏ ଲାଉ କଖାରୁ ପରି, କିନ୍ତୁ ଲମ୍ବି ଯାଇଥିବା ରାସ୍ତାଟା ଯେତେ ପୁରୁଣା ହେଲେ ବି ଆଗକୁ ଆଗ ଚାଲୁଥିବା ଲୋକ ନୂଆ ।

 

ହଠାତ୍ ଗୋଟିଏ କଥା ମନେ ପଡ଼ିଗଲା ଅଲେଖର । ଅନେକ ଦିନ ତଳର କଥା । ସେ ଭୁଲିଯାଇଥିଲା କହିଲେ ଚଳେ । ଆଜି ଘରମୁହାଁ ହୋଇ, ଚାଲୁ ଚାଲୁ ବାଟ ଭାଙ୍ଗିବାକୁ ଭୁଲି ଯାଇଥିବା ବେଳେ ଏଇ କଥାଟା କିପରି ମନକୁ ଆସିଲା କେଜାଣି । ଯେତେବେଳେ ସାତବର୍ଷର ହୋଇଥାଏ ଅଲେଖ । ଦିନେ ଦାଣ୍ଡରୁ ଗୋଟେ ଟଙ୍କା ପାଇ ଘରକୁ ଆଣି ଅତି ଭଲ କାମ କରିଥିବାରୁ ଅତି ବାହାଦୁରି ନବାପାଇଁ ବାପାକୁ ଦେଖେଇବାରୁ ବାପା ତାର କାନ ମୋଡ଼ି ଦେଇ କହିଥିଲା, ଆଉ ପରର ଜିନିଷ ଉଠେଇବୁ ନାହିଁ । ଯୋଉଠି ପଡ଼ିଥିଲା ପଡ଼ିଥାଆନ୍ତା । ତୁ ଏ କାମ କରୁଥିଲୁ କାହିଁକି ? କେହି ଜାଣିଲେ ଏଇନେ କହିବ ଯେ ସୁଲେଖର ପୁଅ ଅଲେଖଟା ଚୋର, ନ ହେଲେ ଚିଲ ପରି ରାସ୍ତା ଉପରୁ ଝାମ୍ପି ନେଇ ଥାଆନ୍ତା ହଜି ଯାଇଥିବା ଟଙ୍କାଟା । ଗରିବ ଆମେ ଗରିବ ହୋଇ ରହିବା, ଉପାର୍ଜନ ନ କରି କୌଣସି ପଦାର୍ଥ ଘରକୁ ଆଣିବା ନାଇଁ ।

 

ବାହାବା ପରିବର୍ତ୍ତେ କାନମୋଡ଼ା ଖାଇ ସେଦିନ କାନ୍ଦି ପକେଇଥିଲା ଅଲେଖ । ତା’ ମା’ ତାକୁ ଆଦରକରି କହିଥିଲା; ବାପା କଥା ଭୁଲିବୁ ନାହିଁରେ ଅଲେଖ, ବଡ଼ ହେଲେ କାମରେ ଆସିବ-

 

କିନ୍ତୁ କେବେ ଯେ ସେଇକଥାଟାକୁ ପାସୋରି ପକେଇଥିଲା ସେ ଆଜି ସ୍ମରଣ କରି ନ ପାରି ବିସ୍ମିତ ହେଲା ।

 

ସେଦିନ ବାପା ବିରକ୍ତ ହୋଇଥିଲେ ପରର ଜିନିଷ ଦାଣ୍ଡରୁ ଉଠେଇ ନେଇଥିବାରୁ । ଆଜି ଏଇ ଟଙ୍କା ଥଳି ଯଦି ସେ ଘରକୁ ନିଏ ମା, ବାପା କ’ଣ ଆଦର କରିବେ ତାକୁ ?

 

ସେ ଚୋରିକରି ନାହିଁ ସତ, କିନ୍ତୁ ଏହି ଟଙ୍କା ଉପାର୍ଜନ ବି କରି ନାହିଁ, ଇଚ୍ଛା କରି ତା’ ହାତକୁ କେହି ଏଇ ଟଙ୍କା ଟେକିଦେଇ ନାହିଁ । ବାପା କହିଥିଲା ଯେ ଉପାର୍ଜନ ନ କରି କୌଣସି ପଦାର୍ଥ ଘରକୁ ଆଣିବାର ଅଧିକାର ଗରିବର ନାହିଁ । ଆଜି ଏଇ ଟଙ୍କା ଥଳିରେ ଅନେକଗୁଡ଼ାଏ ଟଙ୍କା ଅଛି ବୋଲି ବାପାର କଥା ଅମାନ୍ୟ କରିବ ? ସେତେବେଳେ ମଦ ପିଉ ନଥିଲା ସୁଲେଖ । ମଦ ପିଇଲେ ନୀତିଟା ତ ଆଉ ଅନୀତି ହୁଏ ନାହିଁ । ଯାହା ନୀତି, ନିୟମ ତାହା ସବୁଦିନ ମାନିବାକୁ ହୁଏ ।

 

ଅଲେଖ ଛିଡ଼ା ହୋଇଗଲା । ଦୋଛକିରେ ବାଟ ନ ଭାଙ୍ଗି ବହୁତ ଆଗେଇ ଆସିଥିଲା ସେତେବେଳକୁ । ପଛକୁ ଫେରିଲା ପୁଣି । କଅଣ ଖିଆଲ ହେଲା କେଜାଣି ଟଙ୍କା ଥଳିଟାକୁ ହାତରେ ଧରି ଦୌଡ଼ିଲା ଅଲେଖ । କିଛି ସମୟ ପରେ ଯୋଉଠୁ ଥଳିଟାକୁ ଉଠେଇ ଦେଇଥିଲା ସେଠାରେ ପହଞ୍ଚି ଅନ୍ଧାରରେ ଟଙ୍କାଥଳିଟାକୁ ସମସ୍ତଙ୍କର ଅଲକ୍ଷ୍ୟରେ ଆଉ ଥରେ ପୁଣି ଉପରେ ପକେଇ ଦେଇ ଘର ମୁହାଁ ହୋଇ ଦୌଡ଼ିଲା ଅଲେଖ ।

 

ତାର କପାଳ ମନ୍ଦ, ନୋହିଲେ ଠିକ୍ ଗାଁ ଗୋହିରୀ ପାରିହେବା ବେଳକୁ ତା’ ହାତଟା ଖପ୍ କିନା ଧରି ପକେଇ କହି ନଥାନ୍ତା ବାପା; ଏଇ ଅନ୍ଧାରରେ ଦଉଡ଼ି ପଳଉଛୁ ଯେ… ତୁ କିଏ ସେ-? ବାପା ହାବୁଡ଼ରେ ପଡ଼ିଯାଇ ଥତମତ ହୋଇଗଲା ଅଲେଖ । ଦେହଟା ଭୟରେ ଶୀତେଇ ଉଠିଲା । ତା’ପରେ ହାତର ପରଶ ଓ ଦେହର ବାସ୍ନା ପାଇ ତାକୁ ଚିହ୍ନିବା ପରି କହିଲା; ଏତେ ରାତିରେ ତୁ କୁଆଡ଼େ ଯାଇଥିଲୁ, ନିଶାପାଣି କରିବା ପାଇଁ ?

 

ବରଡ଼ା ପତର ପରି ଥରୁଥାଏ ଅଲେଖ । ତାକୁ ଭଲ କରି ପାନେ ଦେଇ ତା ହାତ ଧରି ଘୋଷାଡ଼ି ଘୋଷାଡ଼ି ନଉଥାଏ ସୁଲେଖ । ଅଲେଖର ବୋବାଳି ଛାଡ଼ି କାନ୍ଦିବା ପାଇଁ ଇଚ୍ଛା ହଉଥିଲେ ବି ସେ କାନ୍ଦିପାରୁ ନ ଥାଏ । ବାପା ହାତ ଛାଡ଼ିଦେଲେ ସେ ନିଷ୍କୃତି ପାଆନ୍ତା, କିନ୍ତୁ ମଦର ନିଶାରେ ଟମମଳ ହେଲେ ବି ପୁଅକୁ ଭୁଲି ପାରିନଥିଲା ସୁଲେଖ ।

 

ଘରେ ପହଞ୍ଚି ପୁଅକୁ ସ୍ତ୍ରୀ ଜିମା ଦେଇ କହିଲା ସୁଲେଖ; ଏଇ ଟୋକା ଆଜିରୁ ରାତିରେ ବୁଲୁଛି । ଆଉ ଦିନେ ଦେଖିଲେ ତା ଗର୍ଦ୍ଦନ କାଟିଦେବି…

 

ମା’କୁ ଜାବୁଡ଼ି ଧରି ଅଭୟ ପାଇଲା ଅଲେଖ । ମା’ ତାକୁ ଭିତରକୁ ଟାଣିନେଇ କହିଲା; ବାପା କଅଣ କହିଲା ଶୁଣିଲୁ, ଆଉ ଦିନେ ରାତିରେ ବାହାରେ ରହିବୁ ନାହିଁ ।

 

ଅଲେଖର ଇଚ୍ଛା ହଉଥିଲା ସବୁ କଥା କହିଦବା ପାଇଁ । କିନ୍ତୁ କାଳେ ତାର ପିଠି ନଥାପୁଡ଼ାଇ ତାକୁ ଆଉ ଦି ଚାପୁଡ଼ା କଷିଦେଇପାରେ ବୋଲି ଆଶଙ୍କା କରି ନୀରବ ହୋଇଗଲା ଅଲେଖ ।

 

ରାତିରେ ତାକୁ ଆଦୌ ଭଲ ନିଦ ହେଲା ନାହିଁ । ମହାଲକ୍ଷ୍ମୀଙ୍କର କୋମଳ ମଧୁର ମୁହଁଟି ବାରମ୍ବାର ମନେ ପଡ଼ିଲା । ସେ ପଦ୍ମପୋଖରୀକୁ ଯାଇ ପାଣି ଭିତରେ ପଶି ପଦ୍ମ ତୋଳୁଥିବାର ସ୍ଵପ୍ନ ଦେଖିଲା । ଲକ୍ଷ ଲକ୍ଷ ପଦ୍ମଫୁଲ ଫୁଟିଥିଲା ପଦ୍ମ ପୋଖରୀରେ । ସେଥିରୁ ପୁଞ୍ଜାଏ ଫୁଲ ତୋଳି ଆଣି ଗୋଟେ ଲମ୍ବା ହାର ଗୁନ୍ଥି ସେ ଠାକୁରାଣୀଙ୍କ ଗଳାରେ ପିନ୍ଧେଇଦେଲାବେଳେ ନିଦ ଭାଙ୍ଗିଗଲା । ଆଉ ନିଦ ହେଲା ନାହିଁ । ଏପରି ସୁନ୍ଦର ସ୍ଵପ୍ନଟିଏ ଆଉ ଦେଖି ନଥିୁଲା ।

 

ସ୍ଵପ୍ନ ଅନେକ ସମୟରେ ସତ ହୁଏ ବୋଲି ଦିନେ ମା କହିଥିଲା । ଏଇ ସ୍ଵପ୍ନଟା ଯଦି ସତ ହୁଅନ୍ତା… । ସର୍ବାଙ୍ଗ ପୁଲକିତ ହୋଇଉଠିଲା ଅଲେଖର ।

 

ରାତି ପାହି ଦିନ ହେଲା । ସକାଳେ ପୁଣି ଗାଈ ଜଗିବାକୁ ଗଲା । ଅଲେଖର ଆଜି ଆଉ କାହା ସହିତ ସାଙ୍ଗ ହେବା ପାଇଁ ଇଚ୍ଛା ହେଲା ନାହିଁକି କାହାକୁ କିଛି କହିବା ପାଇଁ ମନହେଲା ନାହିଁ । ସେ ନିଜେ ମନକୁମନ କେତେସବୁ ଭାବିବାକୁ ଲାଗିଲା ।

 

ଗାଈମାନଙ୍କୁ ଗୋଠରେ ଚରିବାକୁ ଛାଡ଼ିଦେଇ ପଦ୍ମ ପୋଖରୀ ଆଡ଼କୁ ଚାଲିଗଲା ଅଲେଖ ।

 

ବେଳ ବୁଡ଼ିଲା, ଗୋରୁଗାଈ ସବୁ ମନକୁମନ ଚିହ୍ନା ବାଟରେ ଆସିଲେ ଗୁହାଳକୁ । ଘରକୁ ଅଲେଖ ନ ଫେରିବାରୁ ଉଦ୍‍ବିଗ୍ନ ହୋଇ ଯେଉଁମାନଙ୍କର ଗୋରୁଗାଈ ସେ ଚରେଇବା ପାଇଁ ନଉଥିଲା ସେମାନଙ୍କ ଘରକୁ ଯାଇ ଖୋଜି ଆସିଲା ଅଲେଖର ମା ।

 

ବେଳ ବୁଡ଼ି ସଂଧ୍ୟା ହେଲା ।

 

ଅଲେଖ କିନ୍ତୁ ଆଉ ଘରକୁ ଫେରିଲା ନାହିଁ ।

 

ରାତିରେ ଟଳି ଟଳି ଘରକୁ ଫେରି ସବୁ ଶୁଣି ସ୍ତବ୍‍ଧ ହୋଇଗଲା ସୁଲେଖ ।

 

ଯେପରି କେଉଁଠାରେ କିଛି ଗୋଟାଏ ଅଘଟଣ ଘଟିଯାଇଛି ।

 

ରାତି ସାରା ବାପା, ମା ଦୁହେଁ ଖୋଜିଲେ ଅଲେଖକୁ । କିନ୍ତୁ ତାର କୌଣସି ସନ୍ଧାନ ପାଇଲେ ନାହିଁ ।

 

ବଡ଼ିଭୋର ପୁଣି ଖୋଜିବା କାମ ଆରମ୍ଭ କରିଦେଲେ ଦୁହେଁ । ବିଶ୍ଵାସ ହଉଥିଲା ଯେ ବେଳ ହବା ବେଳକୁ କୋଉଁଠି ରାତି ଅଟକି ଯାଇଥିବା ପୁଅ, ଘରକୁ ଫେରି ଆସିବ ।

 

କିନ୍ତୁ ସବୁ ଆଶା ବ୍ୟର୍ଥ ହୋଇଗଲା ।

 

ଅଲେଖ ଆଉ ଫେରିଲା ନାହିଁ ।

 

ବେଳ ମୁଣ୍ଡ ଉପରେ । ପଦ୍ମ ପୋଖରୀକୁ ବନସୀ ପକାଇବାକୁ ଯାଇଥିଲା ନରେନ୍ଦ୍ର । ସେ ଧଇଁ ସଇଁ ହୋଇ ଆସି ଗାଁରେ ଯେଉଁ ଖବର ଦେଲା ତାହା ଶୁଣି ସମସ୍ତେ ବିସ୍ମୟ ବିମୂଢ଼ ହୋଇଗଲେ ।

 

ପୋଖରୀ ତୁଠର ଟିକିଏ ଦୂରରେ ଗୁଡ଼ାଏ ଫୁଟିଲା ପଦ୍ମଫୁଲ ପାଖରେ ଅଲେଖ ପରି କିଏ ଜଣେ ଭାସୁଥିବାର ସେ ଦେଖି ଆସିଥିଲା ।

 

ଗାଁଯାକର ଆବାଳବୃଦ୍ଧବନିତା ଢାଳି ହୋଇପଡ଼ିଲେ ପୋଖରୀ କୂଳରେ ।

 

ସହସ୍ର ପ୍ରସ୍ଫୁଟିତ ପଦ୍ମଫୁଲ ପାଖରେ ଅଲେଖର ଶାନ୍ତ, ନିର୍ମଳ ମୁହଁଟି ଝଲକି ଉଠୁଥିଲା-

 

ନିଷ୍ଠୁର ଅକୃତଜ୍ଞ ଭଗବାନଙ୍କୁ ଶାସ୍ତି ଦବାପାଇଁ ବୋଧହୁଏ ଅଲେଖ ଚିରଦିନ ପାଇଁ ପଦ୍ମଫୁଲ ହୋଇ ରହିଗଲା ପଦ୍ମ ପୋଖରୀରେ ।

☆☆☆

 

ଭଗୀରଥ

 

ମୁଣ୍ଡ ଉପରେ ସୂର୍ଯ୍ୟ । ଭୂଇଁର ତାତିରେ ଖଇ ଫୁଟିଯିବା ପରି ଲାଗୁଛି । ଗଛର ପତ୍ର ଖଣ୍ଡେ ବି ହଲୁନାହିଁ । ସଦାବେଳେ ଚହଳ ଗହଳ ଲାଗିଥାଏ ଏଇ ରାସ୍ତାରେ । ଅଥଚ ଆଜି ଏକବାର ନିର୍ଜନ । କାରଣ ଖୋଜିବାକୁ ପଡ଼ିଲା ନାହିଁ । ଏ ବର୍ଷର ମେ ମାସ ଯେପରି ମେଦିନୀ ଭିତରେ ପଶିଯିବାକୁ ଚାହେଁ । ପୋଖରୀ ଗାଡ଼ିଆରୁ ପାଣି ଶୁଖିଗଲାଣି କୋଉଦିନୁ । ଗାଁ ଗହଳରେ ଜଳକଷ୍ଟ ଆରମ୍ଭ ହେଲାଣି । କାହାର କାହାର କୂଅରେ ପାଣି ନାହିଁ । ସରକାର ବର୍ଷେ ହେବ ଯୋଉ ଦୁଇଟା ନଳକୂଅ ବସାଇଥିଲେ ସେଥିରୁ ଗୋଟିଏ ବିଗିଡ଼ି ଯାଇଛି, ଆଉ ଗୋଟିଏ ସେଇ ଅଞ୍ଚଳରେ ସାହା ଭରଷା ।

 

ଉଦୁଉଦିଆ ଦି’ପହରଟାରେ ଦିନେ ଆସି ମୋ ଅଫିସରେ ପହଞ୍ଚି ଡାକ୍ତରବାବୁ କହିଲେ ଯେ ପିଇବା ପାଣିର ବ୍ୟବସ୍ଥା ନକଲେ ପାଣି ଟୋପାଏ ନପାଇ ଗାଈ ଗୋରୁ ଛେଳି ମଇଁଷି ମରିଯିବେ, ମଣିଷ ବି ହୁଏତ ମରିଯିବେ । ଏବେ ଦୁଇ କୋଶ ଯିବାକୁ ହେଉଛି ପାଣି କଳସୀଏ ଆଣିବା ପାଇଁ ।

 

ମୁଁ ତାଙ୍କୁ କଥା ଦେଇଥିଲି ଦିନେ ଯାଇ ଗାଁଗୁଡ଼ାକ ଅବସ୍ଥା ଦେଖିଆସିବା ପାଇଁ । ସେଇ କଥା ରକ୍ଷା କରିବା ଲାଗି ଆଜିର ଏ ଅଭିଯାନ । ଘରୁ ବାହାରିଲାବେଳେ ଭିଜା ଖସ୍‍ଖସ୍ ଦେଇ କୋଠରୀ ଭିତରକୁ ଆସୁଥିବା ସୁବାସିତ ଶୀତଳ ପବନ ଛାଡ଼ି ଝାଳନାଳ ହୋଇ ଗସ୍ତରେ ନଯିବା ଲାଗି ଅନୁନୟ କରିଥିଲେ ଅଫିସ୍‍ର ବଡ଼ବାବୁ ଏବଂ ଏପରିକି ମୋର ସହଧର୍ମିଣୀ ମଧ୍ୟ । କିନ୍ତୁ କଥା ଦେଇ କଥା ନ ରଖିବାଠାରୁ ଅପୁରୁଷ ପଣିଆ ଆଉ କିଛି ନାହିଁ ବୋଲି ମୋର ଧାରଣା । ସେଥିପାଇଁ ମେ ମାସର ମଧ୍ୟ୍ୟାହ୍ନରେ ଗାଁ ଗହଳର ଲୋକମାନେ କିଭଳି କଷ୍ଟ ପାଉଛନ୍ତି ତାହା ସ୍ଵଚକ୍ଷୁରେ ଦେଖିଆସିବା ପାଇଁ ବାହାରିଥିଲି ଏକା ଏକା ଗସ୍ତରେ ।

 

ମୁଁ ନୂଆପଡ଼ା ଓ ଖଡ଼ିଆଳ ଅଞ୍ଚଳରେ ଦାୟିତ୍ଵ ନବାଦିନୁ ଶପଥ କରିଥିଲି ଯେ ଯାହା ପାରେ କରିବି, ଆଉ କିଛି ନହେଲେ ବି ଲୋକମାନେ ଉପକୃତ ହେବେ, ହୁଏତ ଉପରିସ୍ଥଙ୍କ ଦୃଷ୍ଟିକୁ ବି ଆସିପାରେ ।

 

ନୂଆପଡ଼ାରୁ ସାତକୋଶ ହେବ ସେଇ ଗାଁ–କୁମରପଲ୍ଲୀ । ଜନଗଣନା ରିପୋର୍ଟ ଅନୁସାରେ ପଚିଶିଟି ଆଦିବାସୀ ପରିବାରଙ୍କ ବାସସ୍ଥାନ ସେଠାରେ । ଇନସପେକ୍ଟରଙ୍କ ରିପୋର୍ଟ ଅନୁସାରେ ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଦୁଇଟି ନଳକୂଅ ଅଛି । ପିଲା ପଢ଼ିବାଲାଗି ଆସୁ ନଥିବାରୁ ବିଦ୍ୟାଳୟ ନିୟମିତ ଖୋଲେ ନାହିଁ କି ଶିକ୍ଷକ ସବୁବେଳେ ଗାଁରେ ରହନ୍ତି ନାହିଁ ।

 

ସେଇ ଟାଣୁଆ ଖରାରୁ ନିଜକୁ ରକ୍ଷା କରିବା ଲାଗି ଛତା ଯେ ଯଥେଷ୍ଟ ନୁହେଁ ତାହା ମୁଁ ବୁଝିଗଲିଣି ।

 

ଗୋଟେ ମହୁଲଗଛ ମୂଳରେ ଦଣ୍ଡେ ଛିଡ଼ାହୋଇ ମୁହଁ ପୋଛିଲାବେଳେ ହଠାତ୍ ପାଞ୍ଚବର୍ଷ ତଳର ଗୋଟିଏ ଘଟଣା ମୋର ମନେ ପଡ଼ିଗଲା ।

 

ମୁଁ ସେତେବେଳେ ନବରଙ୍ଗପୁରରେ ତହସିଲଦାର, ମୋ ଅଧୀନରେ ବାସୁଦେବ ପ୍ରଧାନୀ ପିଅନ କାମ କରୁଥାଏ । ବାସୁ ଦିନେ ଦୁଇଦିନ ଛୁଟି ନେଇ ଗାଁକୁ ଗଲେ ଠିକ୍ ସମୟରେ କେବେ ଫେରେ ନାହିଁ ବୋଲି ତା ବିରୁଦ୍ଧରେ ବହୁ ଅଭିଯୋଗ ଶୁଣିବା ପରେ ମୁଁ ତାକୁ ତଲବ କରି ରୋକଠୋକ୍ ଜଣେଇ ଦେଲି ଯେ, ସେ ଯେବେ ଇଚ୍ଛା ସେବେ ଛୁଟି ନେଇ ଘରକୁ ଯାଇ ପାରିବ ନାହିଁ । ଚାକିରିର ଗୋଟିଏ ଶୃଙ୍ଖଳା ଅଛି । ନିୟମ କାନୁନ୍ ଅଛି । ସମସ୍ତେ ତାହା ମାନିବାକୁ ବାଧ୍ୟ । ସେ ଯଦି ଚାକିରି ଚାହେଁ ଶୃଙ୍ଖଳା ମାନି କାମ କରିବା ଉଚିତ୍; ଯଦି ଗାଁରେ ରହି ଘର ବିଷୟ ବୁଝାବୁଝି କରିବାକୁ ଇଚ୍ଛା କରେ ଇସ୍ତଫା ଦେଇ ଘରେ ରହିବା ଭଲ ।

 

ବାସୁଦେବ ସେଦିନ ଦୋଷ ସ୍ଵୀକାର କରିବାକୁ କିଛି ସମୟ ଦବାପାଇଁ ନିବେଦନ କରିଥିଲା । ମନ ସ୍ଥିର କରିବା ଲାଗି ମୁଁ ତାକୁ ତିନିଦିନ ସମୟ ଦେଇଥିଲି । କିନ୍ତୁ ସେଇ ତିନିଦିନ ପୂରିବା ଆଗରୁ ସେ ପୁଣି ଆସି ଛୁଟି ଚାହିଁଲା । ମୁଁ ନୂଆ ହୋଇ ଯାଇଥିଲି, ତେଣୁ ଅନ୍ୟ କର୍ମଚାରୀମାନଙ୍କ ଆଗରେ ମୁଁ ଯେ ଜଣେ କଡ଼ା ଅଫିସର ଏହା ପ୍ରମାଣ କରିଦେବା ପାଇଁ ବାସୁଦେବକୁ ସ୍ପଷ୍ଟ ଭାବରେ ଜଣେଇଦେଲି ଯେ, ତା’ର ଛୁଟି ମଂଜୁର ହେବ ନାହିଁ । ଆଉ ଯଦି ସେ ଆଦେଶ ନ ମାନି କାର୍ଯ୍ୟରୁ ଅନୁପସ୍ଥିତ ରହେ, ସେ ବରଖାସ୍ତ ହେବା ନିଶ୍ଚିତ ।

 

ବାସୁଦେବ ମୋ ଆଦେଶ ଶିରୋଧାର୍ଯ୍ୟ କରି ସେଥର ଘରକୁ ଆଉ ଗଲାନାହିଁ; କିନ୍ତୁ ଠିକ୍ ତିରିଶି ତାରିଖ ଦିନ ଚାକିରିରୁ ଇସ୍ତଫା ଦେଇଦେଲା । ତା’ର ଇସ୍ତଫା ଗ୍ରହଣ ନ କରି ମୁଁ ତାକୁ ଚାକିରିରୁ ଅନ୍ତର କରିଦେଲି । ତା’ପରେ ତାକୁ ଆଉ ଦେଖିନାହିଁ । କିନ୍ତୁ ସେଇ ଦିନୁ ଜଣେ କଡ଼ା ଅଫିସର ଭାବରେ ମୋତେ କର୍ମଚାରୀମାନେ ଭୟ କରିବାକୁ ଲାଗିଲେ ଓ ମୋର ଅହଂକାର ମଧ୍ୟ ବଢ଼ିଗଲା ।

 

ବାସୁଦେବ ଜାଗାରେ ଯେଉଁ ଲୋକ କାମ କରୁଛି ସେ ମୋ ସହିତ ଆସିବା ପାଇଁ ବାହାରି ଥିଲା, ମୁଁ କିନ୍ତୁ ମନା କଲି । ଏକା ଏକା ଗସ୍ତରେ ଗଲେ ମୋ ଗସ୍ତଖବର କେହି ରଖିବେ ନାହିଁ ଓ ପ୍ରକୃତ ଅବସ୍ଥା ମୁଁ ଜାଣିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏହା ଥିଲା ଗସ୍ତରେ ଏକା ଆସିବାର ଉଦ୍ଦେଶ୍ୟ ।

 

ବାସୁଦେବ ପ୍ରଧାନୀ କାହିଁକି ମନେ ପଡ଼ିଲା ମୁଁ କହିପାରିବି ନାହିଁ । ସେ ହୁଏତ ବେକାର ବୁଲୁଥିବ କିମ୍ବା ରାୟପୁର କି ଭିଲାଇକୁ ପଳାଇ ଯାଇଥିବ କାମଧନ୍ଦା କରିବ ପାଇଁ । ସେପରି ଲୋକଦ୍ଵାରା ଯେ ଚାଷ କି ଚାକିରି ହେବ ନାହିଁ ଏହି ଧାରଣା ମୋ ମନରେ ଦୃଢ଼ ହୋଇ ସାରିଥିଲା-। ମୁଁ କାହିଁକି କେଜାଣି ମନେ କରୁଥିଲି ଯେ ଏପରି ଲୋକ ସମାଜର ଶତ୍ରୁ । ଏମାନେ ବାପା ମା’ ଭାଇ ଭଉଣୀର ଉପରେ ଚିରଦିନ ଦାୟିତ୍ଵ ଲଦିଦେଇ ବୁଲିବା ପାଇଁ ଭଲ ପାଆନ୍ତି-। ମୁଁ ଯେ ତାର ଇସ୍ତଫା ଗ୍ରହଣ ନ କରି ତାକୁ ଚାକିରିରୁ ଅନ୍ତର କରିଦେଇଥିଲି ଏଥିପାଇଁ ଆଉଥରେ ନିଜ ନିଷ୍ପତ୍ତିର ପ୍ରଂଶସା କଲି । ବାସୁ ପରି ଲୋକକୁ ଆହୁରି କଠୋର ଦଣ୍ଡ ଦିଆଯିବା ଉଚିତ୍ । ସରକାରୀ ଚାକିରି କରି ପ୍ରତିମାସ ଦଶଦିନ ଗାଁରେ କଟାଉଥିବା ଲୋକମାନେ ସମାଜ ବା ସରକାର କାହାର ଅନୁଗତ ନୁହଁନ୍ତି କି କାହାର କାମ ଠିକ୍ ଭାବରେ କରନ୍ତି ନାହିଁ । ଏମାନେ ବାସୁଦେବ ପରି ସମାଜର ଶତ୍ରୁ-। ଏପରି ଲୋକଙ୍କ ସଂଖ୍ୟା କମୁନାହିଁ ବରଂ ବଢ଼ିବାରେ ଲାଗିଛି, କିନ୍ତୁ ମୁଁ ଏପରି ଏକ ବ୍ୟକ୍ତିକୁ ପ୍ରୋତ୍ସାହନ ନ ଦେଇ ବହିଷ୍କାର କରିଥିବାରୁ ମୋ ଭାବମୂର୍ତ୍ତି ବି ବଢ଼ିଛି ।

 

କୁମରପଲ୍ଲୀ ପହଞ୍ଚିବା ଆଗରୁ ଗୋଟେ ଶୁଖିଲା ନାଳ ପାରି ହେଲି । ଏଇ ନାଳରେ ବର୍ଷାଦିନେ ବନ୍ୟା ହୋଇ ଯିବା ଆସିବାରେ ପ୍ରତିବନ୍ଧକ ସୃଷ୍ଟି କରେ । ଶୁଖିଲା ନଦୀ ନାଳ ଦେଖିଲେ ବନ୍ଧ୍ୟା ନାରୀର ମୁହଁ ମନେପଡ଼େ । ସେଇ ମୁହଁର ଦୈନ୍ୟ ପରି ଏଇ ନାଳର ରିକ୍ତତା । ନାଳ ଅଛି, ପାଣି ଟୋପାଏ ବି ନାହିଁ । ବର୍ଷର ଚାରି ପାଞ୍ଚ ମାସ ଶୁଖିଲା ରହେ ନାଳର ଶଯ୍ୟା । ଝର ଶୁଖିଯାଏ ।

 

ଅଳ୍ପ ଦୂରରେ ଗୋଟେ ମୁଣ୍ଡିଆ । ତାକୁ ଲାଗି ଆଉ ଗୋଟେ । ଦୁଇ ମୁଣ୍ଡିଆର ମଝିଦେଇ ନାଳର ଗତିପଥ ।

 

ହଠାତ୍ ମୋ ମନକୁ ଗୋଟେ ଚିନ୍ତା ଆସିଲା । ଦୁଇ ମୁଣ୍ଡିଆକୁ ସଂଯୁକ୍ତ କରି ଯଦି ଗୋଟେ ବନ୍ଧ ଦିଆଯାଇ ପାରନ୍ତା ତ’ ବର୍ଷା ଦିନର ବଳକା ପାଣି ଠୁଳ କରାଯାଇ ପାରନ୍ତା ଓ ତାହା ପରେ କୃଷି ଓ ଅନ୍ୟ କାର୍ଯ୍ୟରେ ଲାଗନ୍ତା । ଆହୁରି କୋଶେ ବାଟ ଚାଲି ମୁଣ୍ଡିଆ ପାଖକୁ ଯିବାପାଇଁ ସମୟ ନଥିଲା ବା ଇଚ୍ଛା ନଥିଲା । ଆଉ ଦିନେ ଆସିଲେ ଚଳିବ । ତା’ପରେ ଏ କାମ ମୋର ନୁହେଁ, ଜଳସେଚନ ବିଭାଗର । ସେଇ ବିଭାଗର ଇଂଜିନିୟର ଆସି ସର୍ଭେ କରିବା କଥା । ସରକାରଙ୍କ ବେତନ ଭୋଗୀ ଅଫିସର ମୁଁ, ସରକାର ନୁହେଁ । ଆଉ ମୁଁ କହିଲେ ତ ବନ୍ଧଟେ ନିର୍ମାଣ ହୋଇଯିବ ନାହିଁ । ସରକାର ଉପରେ ଅଛନ୍ତି । ତାଙ୍କ ସୁଦୃଷ୍ଟି ନ ପଡ଼ିଲେ କିଛି ହୋଇପାରିବ ନାହିଁ-

 

କୁମରପଲ୍ଲୀରେ ପହଞ୍ଚିଲା ବେଳକୁ ଦୁଇଟା ପାଖାପାଖି । ଗାଁ ଦାଣ୍ଡ ନିର୍ଜନ, ଏପରିକି ଗୋରୁ ମହିଷାଦି ଗୃହପାଳିତ ପଶୁ ବି ଆଖି ଆଗରେ ପଡ଼ିଲେ ନାହିଁ । ପ୍ରାଥମିକ ବିଦ୍ୟାଳୟ ଘର ପିଣ୍ଡା ଉପରକୁ ଉଠିଲି, ଶିକ୍ଷକ କି ଛାତ୍ର କେହି ନ ଥିଲେ । ସେଇ ଘର ବ୍ୟବହାର ହେଉଥିବାର କୌଣସି ଲକ୍ଷଣ ଦେଖିଲି ନାହିଁ, ବରଂ ପରିତ୍ୟକ୍ତ ଭାବରେ ପଡ଼ିଥିବାର ସବୁ ଚିହ୍ନ ବିଦ୍ୟମାନ ।

 

ତଥାପି ଛପର ତଳେ ଠିଆହୋଇ ଝାଳ ପୋଛିଲି ଏବଂ କାହାରି ସହିତ ଦେଖାହୋଇଯାଇ ପାରେ ଏହି ଆଶାରେ ଅପେକ୍ଷା କରିବାକୁ ଲାଗିଲି । ଅଳ୍ପ ସମୟ ପରେ ଜଣେ ନଙ୍ଗଳା ପିଲା ଦୃଷ୍ଟିରେ ପଡ଼ିଲା । ଦଶ ଏଗାର ବର୍ଷର ହେବ ବୋଧହୁଏ । ତାକୁ ହାତଠାରି ଡାକିଲି-। ସେ ମୋ ଚେହେରା ଦେଖି ଭୟରେ ପଳାଇ ଯାଉଥିଲା କିନ୍ତୁ ମୁଁ ଦୌଡ଼ିଯାଇ ତା ହାତ ଧରି ପକାଇ କହିଲି; ଡରୁଛ କାହିଁକି ? ମୁଁ ତହସିଲଦାର ବାବୁ: ଗାଁ ଲୋକଙ୍କୁ ଖବର ଦେ ଏଇ ସ୍କୁଲକୁ ଆସନ୍ତୁ ।

 

ସେ ଚାଲିଗଲା ।

 

କାଳେ କହିବ କି ନାହିଁ ଏକ ସନ୍ଦେହ ମନରୁ ଦୂର କରି ଜଣେ ଜଣେ ଗ୍ରାମବାସୀ ଯେତେବେଳେ ପହଞ୍ଚିବାକୁ ଲାଗିଲେ, ମୁଁ ଆଶ୍ଵସ୍ତ ହେଲି । ସେଇ ପିଲାଟାକୁ ପୁରସ୍କୃତ କରିବା ଲାଗି ଇଚ୍ଛା ହେଲା, କିନ୍ତୁ ସେମାନଙ୍କ ମେଳରେ ତାକୁ ଆଉ ଦେଖିଲି ନାହିଁ ।

 

ସମସ୍ତେ ଆଦିବାସୀ । ଦେହ ଶୀର୍ଣ୍ଣ । ଅଣ୍ଟାରେ ଦୁଇ ହାତର ଖଣ୍ଡେ ଖଣ୍ଡେ ଲୁଗା । ଆଖିରେ ସ୍ଵପ୍ନ ନାହିଁ, କେବଳ ନିଭି ଯାଉଥିବା ନିଆଁ ପରି ଧିକ୍ ଧିକ୍ କରୁଥାଏ ଟିକେ ମଳିନ ଉଜ୍ଜ୍ୱଳତା । କେତେବେଳେ ଜୀବନର ଭାର ସହି ନ ପାରି ଦପ୍‍କିନା ନିଭିଯିବ କିଏ କହିବ !

 

ସଜନା ଟାଙ୍ଗି କହିଲା; ଘରଛାଡ଼ି ଅଧେଲୋକ ପଳେଇ ଗଲେଣି ରାୟପୁର, ଭିଲାଇ । ଆଉ ଅଧେ ମାଟି କାମୁଡ଼ି ପଡ଼ି ରହିଛନ୍ତି । ଏମାନଙ୍କ ଦେହରେ ଶକ୍ତି ନାହିଁ ବିଦେଶ ଯିବା ପାଇଁ । ବଞ୍ଚିବାର ନିଶା ବି ଶେଷ ହୋଇ ଆସୁଛି । ଅଧିକାଂଶ ଅକର୍ମଣ୍ୟ ।

 

ଚଳୁଛ କିପରି ? –ମୁଁ ପଚାରି ଦେଲି ।

 

କାମଧନ୍ଦା ସବୁଦିନ ମିଳେ ନାହିଁ । ଦିନେ ମିଳିଲେ ଦୁଇଦିନ ନାହିଁ । ପାଖ ଗାଁଗୁଡ଼ାକର ଅବସ୍ଥା ବି ଏମିତି । ପାଣି ନାହିଁ କୂଅ ପୋଖରୀରେ । ଗୋଟେ ନଳକୂଅ ଉପରେ ତିନିଟା ଗାଁର ଲୋକ ନିର୍ଭର କରନ୍ତି ।

 

ତା ମୁହଁର ଅସଂଲଗ୍ନ କଥାରୁ ଏତିକି ସଂଗ୍ରହ କରି ମୁଁ ମନକୁମନ କହିଲି; ଏମାନଙ୍କୁ କଅଣ କହିବି, କଅଣ କଅଣ କହି ଆଶ୍ଵାସନା ଦେବି, କଅଣ କହିଲେ ବଞ୍ଚିବା ଲାଗି ସାହସ କରିବେ ସେମାନେ !

 

ମୋ ମନ କଥା ମନରେ ରହିଲା ।

 

ଜଣେ କହିଲେ; ଏମିତି ଚାଲିଲେ ଦିନ ପନ୍ଦରଟାରେ ସବୁ ମରିଯିବେ ।

 

ତିରୋଟ ସମୟରେ ଚଳିବା ପାଇଁ ପ୍ରାୟ ସମସ୍ତେ ଛେଳି ମେଣ୍ଢା ଗୋରୁ ଗାଈ ଯାହା ରଖିଥିଲେ ବିକ୍ରି କରି ସାରିଛନ୍ତି । ଜଣେ ଦୁଇଜଣ ପାରଙ୍ଗମ କାମଧନ୍ଦାର ଆଶ୍ରୟ ପାଇଁ ଦୂରକୁ ଚାଲିଯାଆନ୍ତି ।

 

ମୁଁ କହିଲି; ରେସନ ଦୋକାନ ହରତ୍‍ପଲ୍ଲୀରେ ଅଛି । ଡାକ୍ତରବାବୁଙ୍କ ଗାଁରେ । ଚାଉଳ, ମାଟିତେଲ ସେଠାରେ ମିଳେ ।

 

ଜଣେ କହିଲା; ହାତରେ ପଇସା ନାହିଁ, ରୋଜଗାର ନାହିଁ ।

 

ଡାକ୍ତରବାବୁ ଯାହା କହିଥିଲେ ସତ । ମରଣ ମୁହଁ । ଏଇ ଲୋକମାନଙ୍କର ଦାୟିତ୍ଵ କାହାର ? ସମାଜର ନା ସରକାରର । ଏଇ ପ୍ରଶ୍ନର ଉତ୍ତର ସହଜ ଭାବରେ କିଏ ଯେପରି ମୋ କାନ ପାଖରେ କହି ଦେଇଗଲା–ବୋଧହୁଏ କାହାର ନୁହେଁ, ନୋହିଲେ ଏମାନଙ୍କୁ ଛାଡ଼ିଦିଆ ହୋଇଥାଆନ୍ତା ଖାଲିହାତରେ ଭାଗ୍ୟ ସହିତ ଲଢ଼ିବା ପାଇଁ ?

 

ମନଟା ବିଷଣ୍ଣ ହୋଇଗଲା । ମୋ ହାତରେ କ୍ଷମତା ନାହିଁ, କେବଳ ସରକାରଙ୍କୁ ରିପୋର୍ଟ ପଠାଇବାର ଅଧିକାର ଅଛି । ସେଇ ରିପୋର୍ଟ ବି ସିଧାସଳଖ ଭୁବନେଶ୍ଵର ଯିବ ନାହିଁ । ରାଜସ୍ଵ କମିଶନରଙ୍କ ନିକଟକୁ ଯିବ ନାହିଁ; ମୁଁ ଲେଖିବି ସବକଲେକ୍ଟରଙ୍କୁ, ସେ ଲେଖିବେ ଜିଲ୍ଲାପାଳଙ୍କୁ, ସେ ଲେଖିବେ ଯେଉଁ ବିଭାଗର କାମ ସେଇ ବିଭାଗକୁ । ଉତ୍ତର ଆସିପାରେ ନଆସି ପାରେ । ଯଦି ଆସେ ସେତେବେଳକୁ ଏମାନେ ହୁଏତ ନଥିବେ ।

 

ଏଇ ଚାଳିଶ ବର୍ଷ ଧରି ଯୋଜନା ଚାଲିଛି । ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି-। ସେଥିରୁ କୁମରପଲ୍ଲୀ ଗାଁରେ କେତେ ଖର୍ଚ୍ଚ ହୋଇଛି ତା’ର ହିସାବ ହୁଏ ତ ସରକାରୀ ଖାତାରୁ ମିଳିବ, କିନ୍ତୁ ଗାଁଟା ସାରା ବୁଲି ଆସି ଗୋଟେ ଅବ୍ୟବହୃତ ପ୍ରାଥମିକ ବିଦ୍ୟାଳୟ ଓ ଦୁଇଟା ନଳକୂପ ବ୍ୟତୀତ ଆଉ କିଛି ଆଖିରେ ପଡ଼ିବ ନାହିଁ । ପୁଣି ସେଥିରୁ ଗୋଟେ ଅଚଳ-। ଛଅ ମାସ ଭିତରେ କାଗଜପତ୍ରରେ କେତେ ସରକାରୀ କର୍ମଚାରୀ ଗସ୍ତରେ ଆସି ଉପରିସ୍ଥଙ୍କ ପାଖକୁ ବିବରଣୀ ପଠାଇ ଗସ୍ତ ଖର୍ଚ୍ଚ ବି ନେଇଥିବେ । କିନ୍ତୁ ନଳକୂଅ ଛଅ ମାସ ହେଲା ଅଚଳ ପଡ଼ିଛି-

 

ଭୀଷଣ ଶୋଷ କରୁଥିଲା ମୋତେ । ଅନ୍ୟ ନଳକୂଅରୁ କଳସୀଏ ପାଣି ମୁହଁ ହାତ ଧୋଇବା ଓ ପିଇବା ଲାଗି ଆଣି ଦେଲା ସଜନା ଟାଙ୍ଗି ।

 

ସେ କହିଲା: ଏଇ ଗୋଟିଏ ନଳକୂଅରୁ ତିନିଟା ଗାଁର ଲୋକେ ପାଣି ନିଅନ୍ତି । ସବୁବେଳେ ପାଣି ଉଠୁଛି । ସେଥିପାଇଁ ପାଣି ଖସି ଗଲାଣି ତଳକୁ । ଦେଖୁନ କିପରି ଗୋଳିଆ ଦିଶୁଛି ପାଣି… ।

 

ସେମାନଙ୍କର ଦୁଃଖର କାହାଣୀ ନଶୁଣିଲେ, ଦୁର୍ଦ୍ଦଶା ନ ଦେଖିଲେ ଏତେ ଅଭାବ ଓ ଯନ୍ତ୍ରଣା ଯେ ମଣିଷ ସହିପାରେ ଏହା ବିଶ୍ଵାସ କରିହୁଏ ନାହିଁ । ପଖାଳ କଂସାଏ ଦିନକୁ ମିଳେ ନାହିଁ-। ଯୋଉଦିନ ମିଳେ ଲୁଣ, ଲଙ୍କାମରିଚ ହେଲେ ଯଥେଷ୍ଟ । ଫସଲ ଅମଳ ହେବା ଦିନରେ ପ୍ରତିଦିନ ପେଟ ପୁରାଇ ଖାଇବାକୁ ମିଳେ । ଶାଗ, ଲାଉ, କନ୍ଦମୂଳ, ସାରୁ ବି ସେତେବେଳେ ମିଳେ ଖାଇବା ପାଇଁ । ଅଧିକାଂଶକୁ ରାତିରେ ଦେଖାଯାଏ ନାହିଁ । କ୍ରମାଗତ ଭାବରେ ଅଖାଦ୍ୟ ବା ଅଳ୍ପ ଖାଇବା ଓ ଖାଦ୍ୟସାର ଅଭାବରୁ ସେମାନେ ଅନ୍ଧାରକଣା, ଯକ୍ଷ୍ମାରେ, ପେଟରୋଗରେ ପ୍ରତିବର୍ଷ ମରନ୍ତି କିଛି ଲୋକ । ଡାକ୍ତରଖାନା ନଉପଡ଼ା ଓ ଖଡ଼ିଆଳରେ, ଡାକ୍ତର ଦେଖାଇବା ପାଇଁ ହାତରେ ପଇସା ନାହିଁ କି ଔଷଧ କିଣିବା ଲାଗି ବଳନାହିଁ । ବିନା ଚିକିତ୍ସାରେ ରୋଗ ସହ ଲଢ଼ିବା ବିନା ହତିଆରରେ ବାଘ ସହ ଲଢ଼ିବା ପରି ।

 

ଜମି ଅନ୍ୟମାନଙ୍କ ହାତରେ । ଆଦିବାସୀଙ୍କ ମଧ୍ୟରୁ ଅଳ୍ପ କେତେଜଣ ନାମ ମାତ୍ର ଚାଷୀ ଓ ଆଉ ସବୁ ଦିନମଜୁରିଆ ।

 

–ନାଳରେ ପାଣି କେବେ ଆସେରେ ଟାଙ୍ଗି ?

 

–ବର୍ଷା ଦିନରେ ବାବୁ । ପୁଷମାସ ଯାଏ ପାଣି ଚାଲେ, ତାପରେ ଶୁଖିଯାଏ ।

 

ମାଆର ସ୍ତନରୁ କ୍ଷୀର ଶୁଖି ଗଲେ ଶିଶୁର ସବୁ ଆଶା ମଉଳିଯାଏ ।

 

ଏଇ ଗାଁ ଓ ପାଖ ଆଖର ପଚିଶିଟା ଗାଁର ଲୋକଙ୍କର ଏଇ ଶୁଖା ନଳା ମା ପରି ।

 

ଶୁଖା ନଳାର ଦୁଇକୂଳ ପୂଣନ୍ତ କରି ପାଣି ବହିଲେ ସେମାନଙ୍କ ମୁହଁରେ ସରସତା ଫୁଟେ ।

 

ମୁଁ ଫେରିବା ଲାଗି ସୂଚନା ଦେଲି ।

 

ସଜନା ଟାଙ୍ଗି କହିଲା–ସାଧୁବାବା ଗୋଟେ ବଡ଼ କାମ କରୁଛି, ନ ଦେଖି ଚାଲିଯିବ ?

 

ମୁଁ କହିଲି –ସାଧୁବାବା କିଏ ? କଅଣ ଯଜ୍ଞ ହେଉଛି ?

 

ସେ କହିଲା–ପାଞ୍ଚ ବରଷ ତଳେ ସେ ସାଧୁ ହୋଇଗଲା । ନିଜର କଥା ଭୁଲି ସମସ୍ତଙ୍କର କଥା ବୁଝୁଛି ସେଇଦିନୁ । କୋଶେ ବାଟ, ଠିକ୍ ସେଇ ମୁଣ୍ଡିଆ ତଳେ ତାର ଆଶ୍ରମ । ଯିବ ବାବୁ ?

 

ଜାଣିବା ପାଇଁ ଇଚ୍ଛା ହେଲା, କିନ୍ତୁ କ୍ଳାନ୍ତ ଲାଗୁଥାଏ ଖରାରେ ବୁଲି ବୁଲି । ତଥାପି ସଙ୍ଗେ ସଙ୍ଗେ କହିଲି–ଯଜ୍ଞ କରୁଛି ସାଧୁ ବର୍ଷା ପାଇଁ । ଚାନ୍ଦା ଭେଦା ସଂଗ୍ରହ ହୋଇଥିବ ।

 

ସଜନା ଟାଙ୍ଗି କହିଲା–ନା ନା, ଯଜ୍ଞ ନୁହେଁ ବାବୁ । ସେ ଗୋଟେ ବଡ଼କାମ କରୁଛି । ପଧାନ କୁହେ ଲୋକଟା ପାଗଳ ହୋଇଯାଇଛି… ।

 

ମୋର ଆଗ୍ରହ ହେଲା ସାଧୁକୁ ଦେଖିବା ପାଇଁ । ଯଜ୍ଞ ନକରି ଆଉ କଅଣ ବଡ଼ କାମ କରୁଛି ନିଜେ ସ୍ଵଚକ୍ଷୁରେ ଦେଖିଆସିବା ପାଇଁ ।

 

ଏଇ ସାଧୁ ସନ୍ନ୍ୟାସୀମାନଙ୍କୁ ମୋର ଡର । ସାମାଜରେ ଆଦର୍ଶ, ଆଧ୍ୟାତ୍ମିକତା ପ୍ରତିଷ୍ଠା କରିବାଲାଗି ସେମାନେ ଘର ଛାଡ଼ନ୍ତି, ସଂସାର ତ୍ୟାଗକରି ସନ୍ନ୍ୟାସୀ ହୁଅନ୍ତି, ମାୟା ଓ ମୋହ ଛାଡ଼ି ବୈରାଗୀ ହୁଅନ୍ତି । କିନ୍ତୁ ଅଳ୍ପ ଦିନ ପରେ ମାତାଜୀଙ୍କ ସାନିଧ୍ୟ ପାଇ, ଭୋଗରାଗ ଖାଇ, ଚେହେରା ସୁନ୍ଦର କରି ସମାଜରେ ଆଦର୍ଶ ଓ ଆଧ୍ୟାତ୍ମିକତା ନାମରେ କୁସଂସ୍କାର ଓ ଅନ୍ଧବିଶ୍ଵାସ ପ୍ରସାର କରନ୍ତି-

 

ଏ ସାଧୁ ସେହି ଧାତୁର ନା ଅନ୍ୟ ଧାତୁର ଦେଖି ଆସିବା ପାଇଁ ଇଚ୍ଛା ହେଲା । ସରଳ, ନୀରିହ ଲୋକଙ୍କୁ ଠକି ଭଣ୍ଡି ଯଦି ମଉଜମଜଲିସ୍ କରୁଥାଏ, ଆଇନ୍ ହାତରେ ଯେପରି ଧରାପଡ଼େ ତାହା ଦେଖିବା ବି ମୋ କାର୍ଯ୍ୟର ଭିତରେ ।

 

ସଜନା ଟାଙ୍ଗି, ଧନୁ ସିଂ, ହରି ଟିକ୍ତା ପ୍ରଭୃତି ମୋ ସହିତ ଚାଲିଲେ ।

 

ବେଳ ଚାରିଟା ବାଜି ସାରିଥାଏ । ସେତେବେଳକୁ ବାଟ କଢ଼ାଇ ମୋତେ ନେଇ ଯିବା ବେଳେ ସାଧୁବାବାଙ୍କ ସଂପର୍କରେ ଆହୁରି କେତେକଥା କହିଲା ସଜନା ଟାଙ୍ଗି । ସେ କୁଆଡ଼େ ଘରସଂସାର ସବୁ ଛାଡ଼ି ଲୋକମାନଙ୍କର ସେବା କରିବା ପାଇଁ ରହିଯାଇଛନ୍ତି ଏଠାରେ । ଏ ଅଞ୍ଚଳରେ ମରୁଡ଼ି ବର୍ଷ ବର୍ଷ ଧରି କ୍ରମାଗତ ଭାବରେ ଲାଗିରହିଥିବାରୁ ତାର ପ୍ରତିକାର ଚିନ୍ତାକରି ସେ କେଉଁ କାମ ହାତକୁ ନେଇଛନ୍ତି ଆରମ୍ଭରେ ତାହା ଦୁଃସାଧ୍ୟ ମନେ ହେଉଥିଲେ ବି ଏବେ ଲାଗୁଛି ଯେ ଦିନେ ହୁଏତ ସ୍ଵପ୍ନ ସତ୍ୟରେ ପରିଣତ ହେବ ।

 

ସେଠାରେ ପହଁଚି ମୁଁ ଯାହା ଦେଖିଲି ସେଥିରେ ମୁଁ ମଧ୍ୟ ଅନୁଭବ କଲି ଯେ ସାମାନ୍ୟ ଜଣେ ସାଧୁର ଅସାମାନ୍ୟ ନିଷ୍ଠା ଓ ସାହସ ନଥିଲେ ଏପରି ବିଶାଳ କାର୍ଯ୍ୟ ଯେ ଜନସହଯୋଗ ଓ ସମବାୟିକ ଉଦ୍ୟମଦ୍ଵାରା ସଫଳ ହୋଇପାରେ ଏହା ଭାବିବା କଷ୍ଟକର । ଅସମ୍ଭବକୁ ସମ୍ଭବ କରେ ଇଚ୍ଛାଶକ୍ତି, ସଂକଳ୍ପ ଏବଂ ନିଷ୍ଠାପର ଉଦ୍ୟମ ।

 

ମୁଁ ଆସିବାବେଳେ ଏ ଅଞ୍ଚଳର ସ୍ଥାୟୀ ସମସ୍ୟାର ସମାଧାନ ସଂପର୍କରେ ଯାହା ଭାବୁଥିଲି ତାହା ବାସ୍ତବରେ ରୂପାନ୍ତରିତ ହେଉଥିବାର ଦେଖିଲି । ଦୁଇ ମୁଣ୍ଡିଆକୁ ସଂଯୁକ୍ତ କରି ନାଳର ପାଣିକୁ ଅଟକାଇ ରଖିବା ପାଇଁ ବନ୍ଧ କାର୍ଯ୍ୟ ପ୍ରାୟ ତିନିଭାଗ ସରିଲାଣି । ଚାରିବର୍ଷର ସମବେତ ଉଦ୍ୟମର ଫଳ ଇଏ । ସରକାରୀ ସାହାଯ୍ୟ ମିଳୁନାହିଁ, ସରକାରୀ ଅଫିସର ଆସିନାହାଁନ୍ତି । କିନ୍ତୁ ସ୍ଥାନୀୟ ଅଧିବାସୀମାନଙ୍କୁ ଏକଜୁଟ କରି ସେମାନଙ୍କ ସମବେତ ଉଦ୍ୟମଦ୍ଵାରା ଯେଉଁ କାର୍ଯ୍ୟ କରୁଛନ୍ତି ତାହା ସତରେ ମହାନ । ମଜୁରୀ ନନେଇ ଯୋଉମାନେ କାମ କରନ୍ତି ସେମାନଙ୍କୁ ବହୁତ ଖାଇବାକୁ ଦିଆଯାଏ । ଘରଖର୍ଚ୍ଚ ପାଇଁ ଟଙ୍କାଟିଏ ।

 

ସଜନା ଟାଙ୍ଗି ଓ ଅନ୍ୟମାନଙ୍କ ସହିତ ସବୁ ବୁଲି ଦେଖିଲି । ସାଧୁବାବାଙ୍କ ପ୍ରତି ସ୍ଵତଃ ମୋ ମନରେ ଶ୍ରଦ୍ଧା ଏବଂ ସମ୍ମାନ ଜାତ ହେଲା । ମହାଭାରତରେ ଗଙ୍ଗାବତରଣର କାହାଣୀ ପଢ଼ିଥିଲି । ଆହୁରି ବି ପଢ଼ିଥିଲି ଯେ ସଗରବଂଶ ପାତାଳ ଭିତରେ ପାଣି ଟୋପାଏ ନପାଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲା ବେଳେ କିପରି ସେଇ ବଂଶର ଯୋଗ୍ୟ ସନ୍ତାନ ଭଗୀରଥ ନିଜର ତପସ୍ୟାଦ୍ଵାରା ସ୍ଵର୍ଗରୁ କେବଳ ଗଙ୍ଗାକୁ ମର୍ତ୍ତ୍ୟରେ ଅବତରଣ କରାଇ ନଥିଲେ; ତାଙ୍କର ଅଦମ୍ୟ କର୍ମନିଷ୍ଠା, ତ୍ୟାଗ ଓ ତପସ୍ୟା ବଳରେ ସେ ଗଙ୍ଗାକୁ ମହାସାଗର ପର୍ଯ୍ୟନ୍ତ ବାଟ କଢ଼ାଇ ନେଇ ଆସିଥିଲେ । ଗଙ୍ଗା ଆସିବାଦ୍ଵାରା ସ୍ଵର୍ଗର ସଗର ବଂଶ ଉଦ୍ଧାର ପାଇଥିଲେ । ଏବେ ବି ସେହି ପୁଣ୍ୟ ଦିବସ ପାଳିତ ହୁଏ ମାଘ ସଂକ୍ରାନ୍ତି ଦିନ । କପିଳ ମୁନି ତପସ୍ୟା କରିଥିବା ସ୍ଥାନରେ ଏବେ ବି ଲକ୍ଷ ଲକ୍ଷ ଜନସାଧାରଣ ଏକତ୍ର ହୋଇ ଗଙ୍ଗାରେ ସ୍ନାନ ଓ ତର୍ପଣ କରନ୍ତି ପୁଣ୍ୟ ଅର୍ଜନ କରିବା ପାଇଁ । ଭାଗିରଥୀ ଓ ସାଗରର ସଂଗମସ୍ଥଳରେ ଅନୁଷ୍ଠିତ ହେଉଥିବା ଗଙ୍ଗା ସାଗର ମେଳା ପ୍ରତିବର୍ଷ ଆକର୍ଷଣ କରେ ଭାରତର ଅଗଣିତ ଧର୍ମପିପାସୁ ଜନସାଧାରଣଙ୍କୁ ।

 

କିନ୍ତୁ ଭାଗିରଥଙ୍କର ତ୍ୟାଗ, ତପସ୍ୟା ଓ ସାଧନାର ସୂକ୍ଷ୍ମତତ୍ତ୍ଵ କେହି ସ୍ମରଣ କରନ୍ତିନି ଆଜି । ଗୋଟିଏ ନଦୀକୁ ହିମାଳୟର ଉପରୁ ସମୁଦ୍ରଯାଏ ଯିଏ ନେଇ ଆସିଲେ ତା ପଛରେ କେବଳ ନିଜ ବଂଶଧରମାନଙ୍କ ଉଦ୍ଧାର କରିବାର ସ୍ଵପ୍ନ ନଥିଲା, ଚିରକାଳ ଏଇ ଭୂଖଣ୍ଡକୁ ଶସ୍ୟଶ୍ୟାମଳା କରି ଜଳକଷ୍ଟ ଦୂରକରିବା ଥିଲା ଭଗିରଥୀଙ୍କ ଆହୁରି ବଡ଼ ସ୍ଵପ୍ନ ।

 

ହଠାତ୍ ମୁଁ କହି ପକାଇଲି–ଯାହାଙ୍କ ତପସ୍ୟା ବଳରେ ଏହି ମହାନ କାର୍ଯ୍ୟ ସମ୍ଭବ ହେବାକୁ ଯାଉଛି ତାଙ୍କୁ ପ୍ରଣାମ ନକରି ଚାଲିଯିବି ?

 

ସଜନା ଟାଙ୍ଗି କହିଲା; ସାଧୁବାବା ନୂଆପଡ଼ା ଯାଇଥିଲେ, ଫେରୁଥିବେ । ହୁଏତ ଆସି ପହଞ୍ଚିଯିବେ ଏଇନେ ।

 

ବେଶି ସମୟ ଅପେକ୍ଷା କରିବାକୁ ପଡ଼ିଲା ନାହିଁ ।

 

ମୁଁ ଓ ଅନ୍ୟମାନେ ତାଙ୍କ ଛୋଟ କୁଡ଼ିଆ ଆଗରେ ଥିବା ବଡ଼ ଆମ୍ବଗଛ ମୂଳେ ଅସ୍ତାୟମାନ ସୂର୍ଯ୍ୟର ଶୋଭା ଦେଖୁଥିବା ବେଳେ ସାଧୁବାବା ଆସି ପହଞ୍ଚିଯିବାରୁ ଆନନ୍ଦ ଉତ୍ସବ ଖେଳିଗଲା ସମସ୍ତଙ୍କ ଭିତରେ । ସୁଇଚ୍ ଟିପିଲେ ବିଜୁଳି ଶକ୍ତି ସରବରାହ ହୋଇ ଯେପରି ଆଲୋକିତ କରେ ଅନ୍ଧାରକୁ; ସେହିପରି ସାଧୁବାବାଙ୍କ ସାନ୍ନିଧ୍ୟ ପାଇ ଜୀବନ ସହିତ ପ୍ରତି ମୁହୂର୍ତ୍ତରେ ଲଢ଼ୁଥିବା ସେଇ ଅଧା ନଙ୍ଗଳା ଆଦିବାସୀଙ୍କ ଭିତରେ ଆଶା ଓ ସମ୍ଭାବନାର ଯେଉଁ ଉନ୍ମାଦନା ଖେଳିଗଲା ତାହା ଅବିସ୍ମରଣୀୟ ।

 

ସାଧୁବାବାଙ୍କୁ କୋଉଠି ଦେଖିବାପରି ମନେ ହେଲା । ଲମ୍ବି ଯାଇଥିବା ଦାଢ଼ି ଭିତରେ ଲୁଚିଯାଇଥିବା ମୁହଁଟିର ଉଦ୍ଭାସିତ ହେଲା ପ୍ରସନ୍ନତା ।

 

ମୋତେ ନମସ୍କାର କରି ସେ କହିଲେ–ଆସୁ ଆସୁ ଡେରି ହୋଇଗଲା । ଆପଣ ଆଶ୍ରମରେ ପାଦ ଦେଇ ମୋତେ ଧନ୍ୟ କରିଛନ୍ତି । ଆପଣଙ୍କ ଆଦେଶ ନମାନି ଚାଲି ଆସିଥିଲି, ଆଜି ଆପଣଙ୍କ ଶୁଭାଗମନଦ୍ଵାରା ସେଇ ଶୋଚନା ଦୂର ହେଲା ।

 

ଅବାକ୍ ବିସ୍ମୟରେ ଅଭିଭୂତ ମୁଁ ଛୋଟ ହୋଇ ଯାଉଥିଲି, ମୋର ଅହଙ୍କାର ଭାଙ୍ଗି ପିଅନ ଚାକିରିରୁ ଇସ୍ତଫା ଦେଇ ଚାଲିଆସିଥିବା ବାସୁଦେବ ପ୍ରଧାନୀର ପାଞ୍ଚଫୁଟ୍ ତିନିଇଞ୍ଚ ଉଚ୍ଚତାର ଅତି ସାଧାରଣ ମଣିଷଟିର ଉଚ୍ଚତା ବଢ଼ୁଥିଲା ବାଉଁଶ ଗଛପରି ଉପରକୁ ଉପରକୁ ।

 

ସାଧୁବାବା କହିଲେ–ଆଜି ଆପଣ ମୋର ଅତିଥି । ପ୍ରସାଦ ନଖାଇ ଚାଲିଯାଇ ପାରିବେ ନାହିଁ ।

 

ମୁଁ ମଥାନତ କରି କହିଲି–ଆପତ୍ତି ନାହିଁ । କିନ୍ତୁ ମୋ ମନ ଘାଣ୍ଟି ହେଉଛି ଅନୁତାପରେ-

 

ସାଧୁବାବା କହିଲେ–ମୁଁ ଛୁଟିନେଇ ଗାଁ ଗହଳରେ କାମ କରୁଥିଲି । ଆପଣ ମୋତେ ଚାକିରିରୁ ଅନ୍ତର କରିନଥିଲେ ଏମାନଙ୍କ ଉପକାରରେ ଲାଗିପାରି ନଥାନ୍ତି । ଅନିଷ୍ଟ ନୁହେଁ, ଆପଣ ମୋର ଯେଉଁ ଉପକାର କରିଛନ୍ତି ସେଥିପାଇଁ ମୁଁ ଚିରକାଳ କୃତଜ୍ଞ ।

☆☆☆

 

ଆକାଶକୁ ସିଡ଼ି

 

ସେଇ ଗୋଟିଏ ରାଗ, ଗୋଟିଏ ରାଗିଣୀର ଗୀତ ଶୁଣିବା ଯେପରି ଭଲ ଲାଗେନି, ରାଗିଣୀକୁ ସେହିପରି ଜଣେ ପୁରୁଷର ନିୟମିତ ସାନ୍ନିଧ୍ୟ ପ୍ରାଣକୁ ରୋମାଞ୍ଚିତ ବା ପୁଲକିତ କରେ ନାହିଁ । ସବୁ ଦେହସୁହା ହୋଇଯାଏ; ପୁରୁଣା ପୁରୁଣା ଲାଗେ । ମଣିଷର ମନଟି ଇମିତି ଯେ ନିତ୍ୟ ନୂତନ ପାଇଁ ତା’ ପ୍ରାଣରେ ଉତ୍କଣ୍ଠା ଜାଗେ ସଦାବେଳେ । ପୁରୁଣା ହୋଇଗଲେ ପ୍ରତ୍ୟାଶା କମିଯାଏ, ଯାହା ଅନିଶ୍ଚିତ, ନୂତନ ଓ ଅପ୍ରତ୍ୟାଶିତ ତାହା ଯଦି ହାତ ପାହାନ୍ତରେ ମିଳେ ମନ ଅଭିଭୂତ ହୁଏ; ପ୍ରାଣ ସବୁ ପାଇବାର ସ୍ଵାଦ ଆହରଣ କରେ । ସେଥିପାଇଁ ରାଗିଣୀର ସ୍ପୃହା ଓ ଆବେଗ କମିଗଲାଣି, ସ୍ଵାମୀ ସହିତ ଏକତ୍ର ରହି ରହି ଜୀବନରେ ଅପ୍ରତ୍ୟାଶିତକୁ ପାଇବାର ମୋହ ତୁଟିଗଲାଣି । ଅନୁରାଗର ଫେରିବା ସମୟ ସୁନିର୍ଦ୍ଦିଷ୍ଟ, ତାର ଆସିବା ସୁନିଶ୍ଚିତ ହୋଇ ରହିଛି, ତେଣୁ ରାଗିଣୀ ଆଉ ସ୍ଵାମୀ ପାଇଁ ଅପେକ୍ଷା କରିବାରେ ଆନନ୍ଦ ପାଏନି; ଫାଟକ ପାଖରେ ଛିଡ଼ାହୋଇ ହାତଘଡ଼ିର ସମୟ ଦେଖେନି; ଘରେ ଆରାମ କୁର୍ସିରେ ବସି ଗୋଡ଼ ଲମ୍ବେଇ ମେଗାଜିନ୍ ପଢ଼େ ସେତେବେଳେ । ଅନୁରାଗ ଘର ଭିତରକୁ ପ୍ରବେଶ କରିବାର ଶବ୍ଦ ଶୁଣି ମଧ୍ୟ କିଛି ନ ଶୁଣିବା ପରି ସେ ବସିରହେ ଗୋଟିଏ ସ୍ଥାନରେ,ଏକ ଲୟରେ ! ଉଠିଯାଇ ପାଛୋଟି ଆଣେନି ତାଙ୍କୁ, ଜାମାର ବୋତାମ ଖୋଲିଦେଇ ତାକୁ ଚା’ ଟେବୁଲକୁ ନିମନ୍ତ୍ରଣ କରିବା ଲାଗି ମନ ଭିତରେ ଆଗ୍ରହ ଅନୁଭବ କରେନି । ସେ ଜାଣି ଗଲାଣି ଯେ ସେ ଥାଉ ବା ନଥାଉ ଅନୁରାଗ ନିଶ୍ଚୟ ଆସିବ, ଜୋତା ଜାମା ଖୋଲି ହାତ ମୁହଁ ଧୋଇ ଚା’ ପିଇବା ପାଇଁ ଆସି ବସିବ ନିର୍ଦ୍ଦିଷ୍ଟ ସ୍ଥାନରେ ଏବଂ ଚା’ ଜଳଖିଆ ଖାଇସାରି କହିବ କ୍ଲବ୍ କିମ୍ବା ସିନେମା ଯିବା କଥା । କେବେ କେବେ କୌଣସି ବନ୍ଧୁ ଘରକୁ ବି ବୁଲି ଯାଆନ୍ତି ସେମାନେ । ସବୁ ଏକପ୍ରକାର ଦେହଘସା ହୋଇଗଲଣି । ଗୋଟିଏ ତିଅଣ ସବୁଦିନ ଖାଇଲେ ଯେପରି ବିସ୍ଵାଦ ଲାଗେ ଧରାବନ୍ଧା ରୁଟିନ୍ ଜୀବନ ସେହିପରି ସ୍ଵାଦହୀନ, ଆକର୍ଷଣହୀନ । ତା’ପରେ ସେ ବି.ଏ.,ଏମ୍.ଏ.ପାସ୍ କରିଛି ଅନୁରାଗ ପରି । ପୁରୁଷର ଗୋଲାମ ହୋଇ ଘର ଚଳେଇବା ଲାଗି ସନ୍ଧି କରିନି ସେ ।

 

ରାଗିଣୀର ସ୍ଵଭାବରେ ପରିବର୍ତ୍ତନ ଲକ୍ଷ୍ୟକରି ସେଦିନ ଅନୁରାଗ କହିଲା; ଇମିତି ଚିଡ଼ିଚିଡ଼ି ହେଉଛ କାହିଁକି ? ଭଲ ଲାଗୁନି ତ ମୋ ପାଇଁ ଅପେକ୍ଷା ନକରି ଚା’ ପିଇନବ, ସିନେମା ଚାଲିଯିବ, କୌଣସି ବନ୍ଧୁ ଘରୁ ବୁଲିଆସିବ । ରାଗିଣୀ କୌଣସି ଉତ୍ତର ନଦେଇ ଦୁମ୍‍ଦୁମ୍ କରି ଚାଲିଯାଇଥିଲା କୋଠରୀ ଭିତରୁ । ଭଲ ହୋଇଛି ଯେ ଅନୁରାଗ ତା’ର ଅନୁଭବ ଜାଣିପାରିଛି । ସବୁ କଥାରେ ତା’ର ସ୍ଵାତନ୍ତ୍ର୍ୟ ଥାଇପାରେ ଏହା ସେ ବୁଝିବା ଉଚିତ୍ । ବେଦୀ ଉପରେ ବାହାଘର ବେଳେ ବାଧ୍ୟ ହୋଇ ଏକ ମନ, ଏକ ହୃଦୟ ହୋଇ ଏକା ସାଙ୍ଗରେ ସୁଖରେ ଓ ଦୁଃଖରେ ଚାଲିବା ଲାଗି ଯେଉଁ ଶପଥ ଦିଆଯାଏ ତାହା କେଡ଼େ ଅର୍ଥହୀନ ଓ ଅବାନ୍ତର ତାହା ବୁଝେ ରାଗିଣୀ; ଅଥଚ ଅନୁରାଗ କିପରି ତାହା ବୁଝିପାରେନା ସେ ଆଶ୍ଚର୍ଯ୍ୟ ହୁଏ । ଅବିଭାଜ୍ୟ ଆନୁଗତ୍ୟର ଦିନ ଶେଷ ହୋଇ ଯାଇଛି ନାରୀ ଜାଗରଣ ଆସିବା ପରେ । ପୁରୁଷ ତ କେବେ ନିଜର ଅନୁଗତ୍ୟ ପ୍ରମାଣ କରିନି ଇତିହାସରେ; ବରଂ ନାରୀକୁ ସମ୍ଭୋଗର ପ୍ରତୀକ କରି ନିଜକୁ ସୁଖୀ କରିବା ପାଇଁ ଚେଷ୍ଟା କରିଛି ।

 

ଅନୁରାଗ ଆସିବାର ଶବ୍ଦ ଶୁଣିଲା ରାଗିଣୀ; କିନ୍ତୁ ଫିଲ୍ମଫେଆର ପତ୍ରିକାଟା ମୁହଁ ଆଗରୁ ଉଠେଇ ନନେଇ କିଛି ନ ଜାଣିଲା ପରି ବସିରହିଲା ଚୌକିରେ । ଅନୁରାଗ ସ୍କୁଟର ରଖିଲା ଏବଂ ଭିତରକୁ ଆସି ଯୋତା ଖୋଲି ଶୋଇବା ଘରକୁ ଗଲା । ବସିବା ଘରେ ରାଗିଣୀ ପତ୍ରିକା ପଢ଼ିବାର ଛଳନା କରି ଅନୁରାଗକୁ ଦେଖି ମଧ୍ୟ ନଦେଖିଲା ପରି ବସି ରହିଲା । ଅନୁରାଗ ଜାମା ପେଣ୍ଟ୍ ଖୋଲିଲା ଏବଂ ତଉଲିଆ ଧରି ବାଥରୁମ୍ ଭିତରକୁ ପଶିଗଲା । ଏଇ ତା’ର ପ୍ରତିଦିନର ଅଭ୍ୟାସ । ଅଫିସରୁ ଫେରିଲେ ଯୋତା ଖୋଲି, ସ୍ଲିପର୍ ପାଦରେ ଗଳେଇ, ଜାମା ପେଣ୍ଟ୍ ଖୋଲି ସେ ସ୍ନାନ କରେ । ତା’ପରେ ଧୂଆଲୁଗା ପିନ୍ଧି ଫ୍ରେସ୍ ହୋଇଆସେ ଦକ୍ଷିଣମୁହାଁ ବାରନ୍ଦାକୁ । ସେଇଟା ଚା’ ପିଇବାର ସ୍ଥାନ । ସନ୍ଧ୍ୟାବେଳେ ଗଳ୍ପଗୁଜବ କରିବାର ସ୍ଥାନ ମଧ୍ୟ ସେଇଟା । ଆଜି କୌଣସି ବ୍ୟତିକ୍ରମ ହେଲାନି । ସେ କିନ୍ତୁ ବସିବାକ୍ଷଣି ଚା’ ନେଇ ରାଗିଣୀ ଆସିଲା ନାହିଁ, ଆସିଲା ଚାକର ।

 

ଏତେବେଳେ ଅନୁରାଗ ଲକ୍ଷ୍ୟ କଲା ଯେ ଚା’ ଜଳଖିଆ ଖାଇବା ପାଇଁ ପ୍ରସ୍ତୁତ ହୋଇ ଆସିଥିଲେ ବି ରାଗିଣୀ ଏଯାଏ ସ୍ନାନ ପ୍ରସାଧନ କରିନାହିଁ । ସେ ଚା’ ନ ପିଇ ବସିବା ଘରକୁ ଗଲା ଏବଂ ରାଗିଣୀକୁ କହିଲା; ଆଜି ଅନ୍ୟମନସ୍କ ଦେଖୁଚି ଯେ ତୁମକୁ… ବ୍ୟାପାର କଅଣ, ଦେହମନ ଭଲ ଅଛି ତ ?

 

ରାଗିଣୀ ଛିଞ୍ଚାଡ଼ିଲା ପରି କହିଲା; ମୋର ଦେହ ମନ ଭଲଥିଲେ କେତେ ନଥିଲେ କେତେ, ସେଥିରେ ତୁମର ଯାଏ ଆସେନି ନିଶ୍ଚୟ । ତୁମ ଦରକାରବେଳେ ଭୋଗ କରି ପାରିଲେ ତୁମେ ନିଶ୍ଚିନ୍ତ… ।

 

ଅନୁରାଗ ସ୍ତବ୍‍ଧ ହୋଇଗଲା ସ୍ତ୍ରୀର କଥା ଶୁଣି । ଏଇ ପ୍ରଥମ ସେ ଶୁଣିଲା ଏପରି ତୀବ୍ର ଶାଣିତ କଥା ସ୍ତ୍ରୀ ମୁହଁରୁ । ଅଫିସ୍ ଗଲାବେଳେ ଭଲ ଅବସ୍ଥାରେ ଦେଖି ଯାଇଥିଲା । ଅଫିସ୍ ଯିବା ଓ ଅଫିସରୁ ଫେରିବା ମଧ୍ୟରେ ହୁଏତ ଏପରି କିଛି ଘଟିଚି ଯାହା ଉତ୍‍କ୍ଷିପ୍ତ କରିଛି ରାଗିଣୀକୁ-। ତା’ ସ୍ଵରରେ ଅଭିମାନ ନୁହଁ ଅଭିଯୋଗର ସ୍ଵର ସୁସ୍ପଷ୍ଟ । ଅନୁରାଗ ଯାଇ ପାଖରେ ବସିଲା ସ୍ତ୍ରୀର-। ରାଗିଣୀର ଗୋଟେ ହାତ ଉଠେଇ ନେବାପାଇଁ ହାତ ବଢ଼ାଇଲା ସେ । ରାଗିଣୀ ତାହା ସ୍ଵାଗତ ନ କରି ଉଠି ବସିଲା ଏବଂ ରାଗିବା ପରି ଭଙ୍ଗୀକରି ଚାଲିଗଲା ବାଥ୍‍ରୁମ୍‍କୁ ।

 

ଚା’ ଥଣ୍ଡା ହୋଇଯିବ ନ ପିଇଲେ । ଅନୁରାଗ ଅନନ୍ୟୋପାୟ ହୋଇ ଚା’ ପିଇଲା; କିନ୍ତୁ ଜଳଖିଆ ଖାଇଲା ନାହିଁ । ସ୍ତ୍ରୀ ଫ୍ରେସ୍ ହୋଇ ଆସିଲା ପରେ ଏକତ୍ର ବସି ଜଳଖିଆ ଖାଇବା ପାଇଁ ସ୍ଥିର କରି ଚାକରକୁ କହିଲା ସେସବୁ ଉଠେଇ ନେବାଲାଗି ।

 

ପ୍ରତିଦିନ ପନ୍ଦର କୋଡ଼ିଏ ମିନିଟ୍ ସମୟ ନିଏ ରାଗିଣୀ, ଆଜି କିନ୍ତୁ ଅଧଘଣ୍ଟାଏ ସମୟ ତାକୁ କୁଳେଇଲା ନାହିଁ । ସେ ଆସିବାବେଳକୁ ଅନୁରାଗ ବଗିଚାରେ ବୁଲୁଥିଲା ।

 

ରାଗିଣୀ ତାକୁ ଶୁଣେଇ ଶୁଣେଇ କହିଲା ଯେ ସେ ବସି ବସି ବୋର୍ ହେଉଛି । ରନ୍ଧାବଢ଼ା ଓ ଘରକାମ କରିବା ପାଇଁ ସେ ବାହା ହୋଇନି, ପ୍ରତ୍ୟେକ ବିଷୟରେ ପରମୁଖାପେକ୍ଷୀ ନ ହୋଇ ସ୍ଵାବଲମ୍ବୀ ହେବାକୁ ଚାହେଁ ସେ । ଚାକିରି କରିବା ପାଇଁ କେତେଟା ଜାଗାକୁ ଦରଖାସ୍ତ ମଧ୍ୟ ପଠାଇ ସାରିଛି ଏ ଭିତରେ ।

 

ଅନୁରାଗ ତାର ପ୍ରସ୍ତାବ ଶୁଣି ଅନ୍ୟ ମତ ଦେଇପାରେ ବୋଲି ଭାବିଥିଲା ରାଗିଣୀ । କିନ୍ତୁ ସେପରି କିଛି ହେଲାନାହିଁ; ବରଂ ସେ କହିଲା ଏହା ଉତ୍ତମ ପ୍ରସ୍ତାବ ଏବଂ ତାର କୌଣସି ଆପତ୍ତି ନାହିଁ ।

 

ରାଗିଣୀ ଭାବି ନଥିଲା ଯେ ଅନୁରାଗ ଏତେ ଶୀଘ୍ର ଓ ଏଡ଼େ ସହଜରେ ରାଜି ହୋଇଯିବ । ଏହାପରେ ଦୁହିଁଙ୍କ ମଧ୍ୟରେ ସଂଘର୍ଷ ନୁହେଁ ସହଯୋଗର ସୂତ୍ର ଆହୁରି ଗତିଶୀଳ ହେବାର କଥା । ସେ କଥା ହେଲା ନାହିଁ । ପ୍ରତିଦିନ କୌଣସି ନା କୌଣସି କାରଣରୁ ରାଗିଣୀର ସ୍ଵାମୀ ସହିତ କଳି ହେବାକୁ ଲାଗିଲା ଏବଂ ତୁଚ୍ଛା କଥାନେଇ ଦୁହେଁ ଦୁହିଁଙ୍କୁ ବିରୋଧ କରିବାକୁ ଲାଗିଲେ ।

 

ରାଗିଣୀର ଭାଗ୍ୟ ଭଲ, ଅଳ୍ପଦିନ ପରେ ସେ ଗୋଟିଏ ପ୍ରାଇଭେଟ୍ କମ୍ପାନୀରେ ଭଲ ଚାକିରିଟିଏ ପାଇଗଲା । ମାସକୁ ଦରମା ପନ୍ଦରଶହ । ପ୍ରଥମ ମାସର ଦରମା ପାଇ ରାଗିଣୀ କେବଳ ଖୁସି ହେଲା ନାହିଁ, ସେ ଅନୁଭବ କଲା ଯେ ସେ ଆତ୍ମନିର୍ଭରଶୀଳା । ଆଉ ହାତ ପତେଇ ମାଗିବାକୁ ପଡ଼ିବ ନାହିଁ ଅନୁରାଗ ଆଗରେ । ସେ ନିଜ ନାମରେ ଗୋଟେ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲିଲା ଏବଂ ପାଞ୍ଚଶହ ଟଙ୍କା ପାଖରେ ରଖି ଆଉ ସବୁ ଟଙ୍କା ନିଜ ଆକାଉଣ୍ଟ୍ ରେ ଜମା କରିଦେଲା । ବଜାରକୁ ଯାଇ ଗୋଟେ ଭଲ କୋଟା ଶାଢ଼ି ଓ ତା’ ସାଙ୍ଗକୁ ମ୍ୟାଚିଂ ବ୍ଲାଉଜ୍ କିଣିଲା । ଆଉ ଗୋଟେ ଦୁଇଟା ପ୍ରସାଧନ ସାମଗ୍ରୀ ମଧ୍ୟ କିଣିଲା ନିଜପାଇଁ । ଏହାପରେ ବି ହାତରେ କିଛି ଟଙ୍କା ରହିଲା ।

 

ଅନୁରାଗ ଜାଣିଲା ଯେ ଦରମା ପାଇ ସ୍ତ୍ରୀ ନୂଆ ଶାଢ଼ି କିଣିଛି; କିନ୍ତୁ ସେ ତାକୁ ଏ ବିଷୟରେ ଆଉ ପଚାରିଲା ନାହିଁ । ସେ ଭାବୁଥିଲା ଯେ ସେ ଯେପରି ପହିଲା ଦିନ ଦରମା ଟଙ୍କା ଆଣି ସ୍ତ୍ରୀ ହାତରେ ଟେକିଦେଇ ରାଗିଣୀ ସେହିପରି ତା’ ହାତକୁ ପ୍ରଥମ ଦରମା ଟଙ୍କା ଟେକିଦେଇ କହିବ–ଏଇ ମୋର ପ୍ରଥମ ଦରମା, ତମେ ନିଅ… । କିନ୍ତୁ ସେପରି କିଛି ନ ହେବାରୁ ସେ କ୍ଷୁଣ୍ଣ ହେଲା ମନେ ମନେ । ସ୍ତ୍ରୀ ଚାକିରି କରୁ ଏହା ତା’ର ଇଚ୍ଛା ନ ଥିଲା । କିନ୍ତୁ ଚାକିରି କରିବା ବିପକ୍ଷରେ ମଧ୍ୟ ନଥିଲା । ତେଣୁ ରାଗିଣୀ ଚାକିରି କରିବା ପରେ ଘରର ଅବସ୍ଥା ଯେ ଆହୁରି ସ୍ଵଚ୍ଛଳ ହେବ, ଦୁହେଁ କିଛି ସମୟ ସଞ୍ଚୟ କଲେ ଚନ୍ଦ୍ରଶେଖରପୁରରେ ହାଉସିଂବୋର୍ଡ଼ର ଗୋଟେ ଫ୍ଲାଟ୍ କିଣି ପାରିବେ ଓ ଆଉ ଭଡ଼ାଘରେ ରହିବାକୁ ପଡ଼ିବ ନାହିଁ ଏଇ ପ୍ଲାନ୍ ମନେ ମନେ ପ୍ରସ୍ତୁତ କରି ରଖିଥିଲା ସେ । ତା’ର ଉପାର୍ଜନ ଘର ଚଳେଇବା ଲାଗି ଯଥେଷ୍ଟ ଥିଲେ ବି ଘର ତୋଳିବା ବା କିଣିବା ଲାଗି ଯଥେଷ୍ଟ ନଥିଲା ।

 

ପ୍ରଥମେ ପ୍ରଥମେ ସେ ରାଗିଣୀକୁ ସ୍କୁଟର୍ ପଛରେ ବସେଇ ଶହୀଦ ନଗରରେ ଥିବା କମ୍ପାନୀ ଅଫିସ୍ ଆଗରେ ଛାଡ଼ିଦେଇ ଆସୁଥିଲା । କିନ୍ତୁ ଦୁଇ ସପ୍ତାହ ପରେ ଏହାର ପ୍ରୟୋଜନ ଆଉ ରହିଲା ନାହିଁ । ରାଗିଣୀର ବସ୍ ଯେତେବେଳେ ଜାଣିଲେ ସେ ତାଙ୍କ ପରିବାର ବାପୁଜୀ ନଗରରେ ରହୁଛି ସେତେବେଳେ ଅନୁରାଗକୁ ଆଉ କଷ୍ଟ କରିବାକୁ ବାରଣ କରି ନିଜ ଗାଡ଼ିରେ ନେଇଯିବା ପାଇଁ ପ୍ରସ୍ତାବ କଲେ । ଅନୁରାଗ ଅମଙ୍ଗ ହେଉଥିଲା; କିନ୍ତୁ ଏକା କଥାରେ ରାଗିଣୀ ରାଜି ହୋଇଗଲା ବରଂ ସେ ସ୍ଵାମୀକୁ ଶୁଣେଇ ଶୁଣେଇ କହିଲା: ଭିଡ଼ ରାସ୍ତାରେ ବେଶୀ ସ୍କୁଟର ଚଳାଇବା ଉଚିତ୍ ନୁହେଁ । ଜନପଥ, ଶହୀଦନଗର ଓ ବାଣୀବିହାର ଛକ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ହୁଏ ଅଫିସ୍ ଖୋଲିବା ସମୟରେ । ଅନୁରାଗର ଅଫିସ୍ ଆଠତାଲା କୋଠାରେ । ତେଣୁ ସେ ଅଯଥା ରିକ୍‍ସା ନବା ଉଚିତ୍ ନୁହେଁ, ପେଟ୍ରୋଲ୍ ଖର୍ଚ୍ଚ ମଧ୍ୟ କମ୍ ହେବ । ଅଗତ୍ୟା ଇଚ୍ଛା ନ ଥିଲେ ବି ସ୍ତ୍ରୀକୁ ସନ୍ତୁଷ୍ଟ କରିବା ଲାଗି ତା’ କଥାରେ ରାଜିହେଲା ଏବଂ ସେଇ ଦିନଠାରୁ ରାଗିଣୀ ପ୍ରତିଦିନ ବସ୍ ସମରେନ୍ଦ୍ର ପଟ୍ଟନାୟକଙ୍କ ସହିତ ତାଙ୍କ ଗାଡ଼ିରେ ଯିବା ଆସିବା କରିବାକୁ ଲାଗିଲା ।

 

ଅନୁରାଗ କାମସାରି ଫେରିବାବେଳକୁ ଛଅଟା ବାଜିଯାଉଥିଲା, ଏବେ ବି ସେ ଠିକ୍ ପୂର୍ବପରି ଆସୁଛି । ରାଗିଣୀ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରୁଥିବାରୁ ତାକୁ ଅଫିସରେ ଅଧିକ ସମୟ ରହିବାକୁ ପଡ଼ୁଥିଲା । ଅନୁରାଗର ଦଶଟାରୁ ପାଞ୍ଚଟା ଅଫିସ୍, ରାଗିଣୀର ଅଫିସ୍ ସାଢ଼େ ନଅରୁ ସାଢ଼େ ପାଞ୍ଚ । କିନ୍ତୁ ଅନୁରାଗ ପ୍ରାୟ ଛଅଟା ବେଳକୁ ଫେରେ, ଅଥଚ ରାଗିଣୀ ଫେରୁ ଫେରୁ ସାଢ଼େ ଛଅ ସାତ ହୋଇଯାଏ । ରାଗିଣୀ ସ୍ଵାମୀକୁ ଶୁଣେଇ ଶୁଣେଇ କହେ ଯେ ତା’ର କାମ ଅନେକ, ଦାୟିତ୍ଵ ବହୁତ ବେଶୀ । କମ୍ପାନୀ ଅଫିସରେ ବସ୍ ସର୍ବେସର୍ବା । ତାଙ୍କୁ ଖୁସି କରି ପାରିଲେ ଫାଷ୍ଟ୍ ପ୍ରମୋସନଟା ଛଅମାସ ମଧ୍ୟରେ ପାଇଯିବ । ଇଏତ ସରକାରୀ ଚାକିରି ନୁହେଁ ଯେ ସିନିଅରିଟି ଜଗି ଚଳିବାକୁ ହେବ ! ଧୂଆମୂଳା ଅଧୂଆମୂଳା ସମାନ ବିବେଚିତ ହେବେ ! କମ୍ପାନୀ ଅଫିସରେ ସେଇ ନିୟମ ଲାଗୁ ହୁଏ ନାହିଁ । ଏଠାରେ ସତକୁସତ ସବୁ ସ୍ଵତ୍ତ୍ଵ ବ୍ୟକ୍ତିଗତ ଓ ସଂରକ୍ଷିତ ।

 

ସନ୍ଧ୍ୟାବେଳେ ବାରନ୍ଦାରେ ସ୍ତ୍ରୀ ସହିତ ବସି ଚା’ ଜଳଖିଆ ଖାଇବା ଅନୁରାଗର ଅଭ୍ୟାସରେ ପଡ଼ିଯାଇଥିଲା । ଏବେ ଆଉ ତାହା ସମ୍ଭବ ହେଉନି । କେତେଦିନ ସେ ଅପେକ୍ଷା କଲା ରାଗିଣୀର ଫେରିବା ପର୍ଯ୍ୟନ୍ତ । କିନ୍ତୁ କ୍ରମଶଃ ଅଫିସରେ ରହିବା ସମୟ ଦୀର୍ଘତର ହେବାରୁ ସେ ଅପେକ୍ଷା ନକରି ଖାଇନେଲା । ଦିନେ ଦିନେ ଆହୁରି ରାତି କରି ଫେରେ ରାଗିଣୀ, ସେଦିନ ଆଉ ରାତିରେ ଖାଏ ନାହିଁ । ସ୍ଵାମୀକୁ ଶୁଣେଇ ଶୁଣେଇ କହେ ଯେ କମ୍ପାନୀ ଅଫିସରେ ଖାଲି ଚାକିରି କଲେ ଚଳିବ ନାହିଁ ସାମାଜିକ ହେବାକୁ ହେବ । ବୋର୍ଡ଼ ମିଟିଂ ଥିଲେ କିମ୍ଵା ବାହାରୁ ବଡ଼ କର୍ତ୍ତା କେହି ଆସିଲେ ସେମାନଙ୍କ ସମ୍ମାନାର୍ଥେ ହୋଟେଲରେ ଭୋଜି ଦେବାକୁ ହେବ । ବଡ଼ ବଡ଼ ସରକାରୀ ଅଫିସରଙ୍କୁ ହାତରେ ରଖିବା ଲାଗି ମଝିରେ ମଝିରେ କକଟେଲ ପାର୍ଟିର ଆୟୋଜନ କରାଯାଏ । ସେ ଜନସମ୍ପର୍କ ଦାୟିତ୍ଵରେ ଥିବାରୁ ଏଇ କାମଗୁଡ଼ା ବାଧ୍ୟ ହୋଇ ତାକୁ କରିବାକୁ ପଡ଼େ । ସେ କାମରେ ହେଳା କରେନି ବୋଲି କେବଳ ବସ୍‍ ନୁହଁନ୍ତି, ଏମ୍.ଡି. ମଧ୍ୟ ସନ୍ତୁଷ୍ଟ । ଏମ୍.ଡି ସେପ୍ଟେମ୍ଵର ଓ ଅକ୍ଟୋବର ଓ ଦୁଇମାସ ଗସ୍ତରେ ଯିବାର ଅଛି । ଯଦି ଭାଗ୍ୟରେ ଥାଏ ସେ ମଧ୍ୟ ତାଙ୍କ ସହିତ ଯିବ ।

 

ଅନୁରାଗ ସବୁ ଶୁଣେ; କିନ୍ତୁ କିଛି କହେନାହିଁ । ପ୍ରଥମେ ପ୍ରଥମେ ସେ ଭାବୁଥିଲା । ଯେ ଚାକିରି କଲେ ଏସବୁ ଚଳିବ ନାହିଁ, ଉଦାର ମନରେ ସବୁ ଗ୍ରହଣକରି ନେବାକୁ ପଡ଼ିବ । ଏକଥା ସେ ଜାଣେ ଯେ ବିନା ମୂଲ୍ୟରେ କିଛି ମିଳେନାହିଁ, ସବୁପାଇଁ ମୂଲ୍ୟ ଦେବାକୁ ହୁଏ । ରାଗିଣୀର ଆଗରେ ଯେଉଁ ନୂତନ ସିଡ଼ି ରହିଛି ସେଥିରେ ପାହାଚ ଅତିକ୍ରମ କରି ଉପରକୁ ଉଠିବା ନିଜର ଶକ୍ତି, ସାମର୍ଥ୍ୟ ଓ ଗ୍ରହଣଶୀଳତା ଉପରେ ନିର୍ଭର କରେ । ଯିଏ ଉଠି ନ ପାରେ ସେ ତଳେ ରହିଯାଏ । ରାଗିଣୀ ନିର୍ଣ୍ଣୟ କରିଛି ସେ ତଳେ ନ ରହି ଉପରକୁ ଉଠିବ । ଉପରେ ପ୍ରଚୁର ସମ୍ଭାବନା । ସେଥିପାଇଁ ସେ କ୍ୟାରିଅର ତିଆରି କରିବାକୁ ଚାହେଁ । ବାଟରେ ଥିବା ପ୍ରତିବନ୍ଧକଗୁଡ଼ାକୁ ଗୋଇଠା ମାରି ଆଡ଼େଇ ଦେବାକୁ ଚାହେଁ । ମୂଲ୍ୟ ନ ଦେଇ କେହି କିଛି ଅର୍ଜନ କରିନାହିଁ, ସେ ତା’ ହେଲେ ମୂଲ୍ୟ ଦେବାକୁ ପଛେଇଯିବ କାହିଁକି ?

 

ଅନୁରାଗର ସମୟ ଦୀର୍ଘ ହେବାକୁ ଲାଗିଲା । ସେ ଘରକୁ ଫେରି ଏକା ଏକା ସମୟ କାଟିଲା ଏବଂ କ୍ରମଶଃ ଏକ ଅଶ୍ଵସ୍ତିକର ଉଦାସୀନତା ତାକୁ ଗ୍ରାସ କରିବାକୁ ଲାଗିଲା । ବାହାଘରର ପ୍ରଥମ ତିନିବର୍ଷ ବେଶ୍ ସୁଖରେ କଟିଯାଇଥିଲା । ସାରା ଜୀବନଟା ଏହିପରି ସୁଖ ଶାନ୍ତିରେ କଟାଇଦବ ବୋଲି ଭାବିଥିଲା ସେ । କିନ୍ତୁ ତା’ର ଅଜ୍ଞାତରେ କିଏ ଯେପରି କୋଠରୀ ଭିତରେ ପାଚେରୀ ତିଆରି କରିବାରେ ଲାଗିଛି ଏବଂ ତା’ର କୋଠରୀ ଭିତରେ ପୃଥିବୀର ସବୁ ଶୂନ୍ୟତା ଠୁଳ ହେବାକୁ ଆରମ୍ଭ କରିଛି !

 

ସେଇ ଗୋଟିଏ ଶୋଇବା ଘରେ, ଗୋଟିଏ ଖଟରେ ଶୁଅନ୍ତି ଦୁହେଁ । ଉଭୟ ଉଭୟଙ୍କର ନିଃଶ୍ଵାସ ବେଶ୍ ଶୁଣିପାରନ୍ତି । କିନ୍ତୁ ଜଣକର ଛାତି ତଳର ସ୍ପନ୍ଦନ ଆଉ ଜଣକୁ ଶୁଣାଯାଏ ନାହିଁ । ଦୁହିଁଙ୍କ ମଧ୍ୟରେ ଚାରିଇଞ୍ଚର ବ୍ୟବଧାନ, ତଥାପି ମନେହୁଏ ଗୋଟିଏ କଂକ୍ରିଟର ପାଚେରୀ ଦୁହିଁଙ୍କୁ ଅଲଗା କରି ଦେଇଛି ପରସ୍ପରଠାରୁ । ଏଇ ଅଲଗା ହୋଇଯିବାର ବିଚ୍ଛିନ୍ନତାବୋଧ ତାକୁ ନିପୀଡ଼ିତ କରେ, ତା’ ମନ ଗ୍ଲାନିରେ ପୂରିଯାଏ ଏବଂ ମ୍ରିୟମାଣ ହୁଏ ।

 

ରାଗିଣୀ ବିଦେଶ ଯିବା ପକ୍କା ହୋଇଗଲା ଏବଂ ସେ ପାସପୋର୍ଟ ଓ ଅନ୍ୟାନ୍ୟ ପ୍ରସ୍ତୁତି ପାଇଁ ବ୍ୟସ୍ତ ରହିଲା । ପାସପୋର୍ଟ ପାଇବାରେ ବିଳମ୍ଵ ହେବାରୁ ଏବଂ ବସ୍‍ କଲିକତା ଯାଉଥିବାରୁ ସେ ତାଙ୍କ ସହିତ ଦୁଇଦିନ ପାଇଁ କଲିକତା ଯିବାଲାଗି ସ୍ଥିରହେଲା । ବସ୍ ଏ.ସି. କ୍ଲାସରେ ଯାଅନ୍ତି, ସେ ଫାଷ୍ଟକ୍ଲାସରେ ଯିବାକଥା କମ୍ପାନୀ ନିୟମ ଅନୁସାରେ । କିନ୍ତୁ ଷ୍ଟେସନକୁ ସ୍ତ୍ରୀକୁ ଛାଡ଼ିବାକୁ ଆସି ଅନୁରାଗ ଦେଖିଲେ ଯେ ଦୁହିଁଙ୍କର ରିଜର୍ଭେସନ ଏ.ସି. ରେ ଗୋଟିଏ କୁପେରେ ହୋଇଛି । ଅନୁରାଗ ହଠାତ୍ ଚିଡ଼ିଯାଇ କହିଲେ–ତୁମେ ଏ.ସିରେ ଯିବାକଥା ମତେ ଲୁଚାଇଥିଲ କାହିଁକି… ମୁଁ ତ ତୁମ ଯିବାରେ ବାଧ୍ୟ ଦେଉ ନଥିଲି ? ରାଗିଣୀ ବି ରାଗିଯାଇ ଉତ୍ତର ଦେଲା–ସେ ଯଦି କମ୍ପାନୀ ପଇସାରେ ଏ.ସିରେ ଯାଏ ତା’ ହେଲେ ତାକୁ ଦୋଷ ନ ଦେଇ ବରଂ ଅଭିନନ୍ଦନ ଜଣେଇବାର କଥା । ଆଉ ସେ ଅନୁରାଗର ବଚସ୍କର ଭୃତ୍ୟ ନୁହେଁ ଯେ ସବୁକଥା ତାକୁ କହିବାକୁ ହେବ, କିଛି କରିବା ପୂର୍ବରୁ ତା’ର ଅନୁମତି ନବାକୁ ପଡ଼ିବ ।

 

ରାଗିଣୀ କଲିକତାରୁ ତା ପାଇଁ ଗୋଟେ ସିଗାରେଟ କେସ ଆଣିଥିଲା ଏବଂ ସ୍ଵାମୀକୁ ଉପହାର ଦେଇ କହିଲା: କେମିତି ହୋଇଛି… ଅନୁରାଗ ପ୍ରଥମେ ଅବାକ୍ ହୋଇଗଲା ତା’ ପ୍ରତି ରାଗିଣୀର ବ୍ୟବହାରରେ ପରିବର୍ତ୍ତନ ଦେଖି ଏବଂ ପରେ ପରେ କଅଣ ଭାବି କହିଲା–ଭଲ ହୋଇଛି ଯେ... କିନ୍ତୁ ମୁଁ ସିଗାରେଟ ଖିଆ ଛାଡ଼ି ଦେଇଛି ।

 

ରାଗିଣୀ ଛିଡ଼ା ହୋଇ ରହିଲା କିଛିକ୍ଷଣ, ତା’ ମୁହଁରୁ ବାକ୍‍ସ୍ଫୁରଣ ହେଲାନାହିଁ । ସେ ଅନେକ ଦିନ ଆଗରୁ ଲଗେଇଥିଲା ସ୍ଵାମୀ ସହିତ ସିଗାରେଟ୍ ଛାଡ଼ିବା ପାଇଁ । କିନ୍ତୁ ସେଥିରେ କର୍ଣ୍ଣପାତ କରି ନଥିଲେ ଅନୁରାଗ । ଆଜି ସେ ଯେତେବେଳେ ସିଗାରେଟ୍ କେସ୍ ଉପହାର ଦବାକୁ ଗଲା ସେତେବେଳେ ଶୁଣିଲା ଯେ ସେ ଆଉ ସିଗାରେଟ୍ ଖାଏ ନାହିଁ । ଆଶ୍ଚର୍ଯ୍ୟର ବିଷୟ ଏହି ଯେ ସେ କେବେ ସିଗାରେଟ ଛାଡ଼ିଲା ଏକା ଘରେ ଥାଇ ମଧ୍ୟ ଆଦୌ ଜାଣିପାରଲା ନାହିଁ ରାଗିଣୀ । ଏତେବଡ଼ ସିଦ୍ଧାନ୍ତ ନେବା ପୂର୍ବରୁ ଘୁଣାକ୍ଷରରେ ବି ତାକୁ କହିଲା ନାହିଁ ଅନୁରାଗ ।

 

ସିଗାରେଟ୍ କେସ୍‍ଟା ସ୍ତ୍ରୀ ହାତକୁ ଫେରେଇ ଦେଇ କହିଲା ଅନୁରାଗ–ରଖିଦିଅ

 

ଆଉ କାହାର ଦରକାରରେ ଆସିପାରେ…. ।

 

ବସ୍ ବି ସିଗାରେଟ ଖାଆନ୍ତୁ ଏଇକଥା ହଠାତ୍ ମନେ ପଡ଼ିଯିବାରୁ ସଂକୁଚିତ ହୋଇଗଲା ରାଗିଣୀ । ସେ କିନ୍ତୁ ସିଗାରେଟ୍ କେସ୍‍ଟା ସ୍ଵାମୀପାଇଁ ଆଣିଥିଲା ବସ୍ ପାଇଁ ନୁହେଁ ।

 

ଆଜିକାଲି ଅଫିସରୁ ଫେରିବାକୁ ଡେରିହୁଏ । ଦିନେ ଦିନେ ସାତଟା, ଆଠଟା, ସାଢ଼େ ଆଠଟା ହୋଇଯାଏ । ଯେଉଁଦିନ ପାର୍ଟିଥାଏ ସେଦିନ କଥା ଅଲଗା । ରାତ୍ରି ଭୋଜନ ସାରି ଫେରିବା ବେଳକୁ ସାଢ଼େ ଦଶ ବା ଏଗାର । ବେଶୀ ରାତିରେ ଫେରିଲେ ଅନୁରାଗ ସହିତ ଆଉ ଦେଖା ହୁଏନି, ପରସ୍ପରକୁ ଶୁଣେଇ ଶୁଣେଇ କଥା କହିବାକୁ କେହି ସୁଯୋଗ ପାଆନ୍ତିନି । କବାଟ ଖୋଲାଥାଏ, ଲୁଗା ବଦଳାଇ ଚୁପ୍‍ଚାପ୍‍ ବିଛଣାରେ ଶୋଇପଡ଼େ ରାଗିଣୀ । ଏତେ ପାଖରେ ଥାଇ ଦୂର ହୋଇଯାଏ ଅନୁରାଗ ।

 

ବିଦେଶୀ ଭ୍ରମଣରେ ଯିବାର ଦିନଟା ଯେତିକି ପାଖେଇ ଆସିଲା ରାଗିଣୀର ବ୍ୟସ୍ତତା ସହିତ ଉତ୍‍ଫୁଲ୍ଲତା ସେତିକି ବଢ଼ିବାକୁ ଲାଗିଲା । କେତେଜଣଙ୍କ ଭାଗ୍ୟରେ ଜୁଟେ ଏ ସୁଯୋଗ ? ସେ ଚାକିରି କରିବାର ବର୍ଷେ ପୂରିନାହିଁ ବିଦେଶକୁ ଯିବାର ସୁଯୋଗ ଆସିଗଲା ହାତକୁ । ପୁଣି ଏମ୍.ଡି.ଙ୍କ ସାଙ୍ଗରେ । ଫେରି ଆସିଲେ ସେ ଆଉ ସାଧାରଣ କର୍ମଚାରୀ ହୋଇ ରହିବ ନାହିଁ । ପ୍ରମୋସନ ପାଇବ ସେ । ବସ୍ ତାକୁ ଏହାର ସୂଚନା ଆଗକୁ ଦେଇ ସାରିଲେଣି ।

 

ମନେ ମନେ ନିଜର ପ୍ରସନ୍ନତାରେ ପୂର୍ଣ୍ଣ ହୋଇଥାଏ ରାଗିଣୀ । ସେ ଆଉ ପରାଧିନ ନୁହେଁ, ସ୍ଵାମୀର ହାତଟେକାକୁ ଅପେକ୍ଷା କରି ନିଜର ଅକ୍ଷମତା, ଅସାମର୍ଥ୍ୟ ନେଇ ସେ ଆଉ ବିବ୍ରତ ନୁହେଁ । ସ୍ଵାମୀପରି ସେ ବି ଉପାର୍ଜନ କରେ, ବରଂ ବେଶୀ ତା’ର ସ୍ଵତନ୍ତ୍ରତା ଅଛି, ଭିନ୍ନ ଭାବରେ ବଞ୍ଚିବାର ଅଧିକାର ଅଛି । ଜୀବନଟା ରୁଟିନ୍ ହୋଇଗଲେ ବଞ୍ଚିବାର ମୋହ ବା ଆକର୍ଷଣ ନଥାଏ । ନଦୀ କ’ଣ ଗୋଟିଏ ଧାରରେ ବହେ ? ପ୍ରତିବର୍ଷ, ପ୍ରତି ଋତୁରେ ଶଯ୍ୟା ପରିବର୍ତ୍ତନ କରୁଥିବା ନଦୀର ଗତି ଓ ପ୍ରକୃତିରେ ପ୍ରେରଣାର ଉତ୍ସ ପାଏ ରାଗିଣୀ । ଏକାପରି; ସକାଳୁ ରାତିଯାଏ ଗୋଟିଏ ପ୍ରକାର ଜୀବନ ଏବେ ସରସ ହୋଇ ଉଠୁଛି । ସେ ନୂଆ କରି ନିଜର ଆଲୋକ ଓ ଛାଇରେ ବଞ୍ଚିବାକୁ ଆରମ୍ଭ କରିଛି ।

 

ଭୁବନେଶ୍ଵରରୁ ପ୍ଲେନ୍ ଧରି ସେ ଯିବ ଦିଲ୍ଲୀ ଏବଂ ସେଠାରୁ ଜର୍ମାନୀର ଫ୍ରାଙ୍କ୍‍ଫର୍ଟ । ତା’ପରେ ଗୋଟି ଗୋଟି କରି ଅନ୍ୟ ସ୍ଥାନ ।

 

ସବୁ ସଜ କରି ସାରିଛି ସେ । ଆଉ ଗୋଟେ ରାତି ତା’ ହାତରେ । ଏଇ ଗୋଟିଏ ରାତିକୁ ମଧୁର ରଖିଲେ କେମିତି ହୁଅନ୍ତା ! ରାଗିଣୀର ମନରେ ହଠାତ୍ ଅନୁକମ୍ପା ଜାତ ହେଲା । ହାୟ ! ସେ ନିଜର କେରିଅର ତିଆରି କରିବାକୁ ଯାଇ ସ୍ଵାମୀକୁ ଭଲ ଭାବରେ ଚାହିଁବାର ସୁଯୋଗ ବି ପାଇନି । ସ୍ଵାବଲମ୍ଵୀ ହେବାର ଓ ନିଜର ବ୍ୟକ୍ତିତ୍ଵର ପ୍ରସାର କରିବାର ବ୍ୟସ୍ତତା ମଧ୍ୟରେ ସେ ସମୟ ପାଇନି ଅନୁରାଗର କଣ୍ଠଲଗ୍ନା ହେବାପାଇଁ । ଏ ଭିତରେ ଛଅମାସ ଅତିବାହିତ ହୋଇ ଯାଇଛି । ଛି, ଛି, ଅନୁରାଗ କ’ଣ ଭାବୁଥିବ । ସୁଖରେ ଓ ଦୁଖରେ ଏକତ୍ର ସ୍ଵାମୀ ସ୍ତ୍ରୀଭାବେ ରହିବାଲାଗି, ଏକତ୍ର ବଞ୍ଚିବାଲାଗି ଓ ଜୀବନ ସଂଗ୍ରାମ ଏକତ୍ର କରିବା ଲାଗି ଯେଉଁ ଶପଥ ଦୁହେଁ ନେଇଥିଲେ ତାହା ଅଦରକାରୀ ହୋଇଗଲା ଏଇ କେତେ ମାସ ଭିତରେ । ତା’ ମନରେ ଉଙ୍କି ମାରିଲା ଗୋଟିଏ ପ୍ରଶ୍ନ–ସେ ଭୁଲ କରୁ ନାହିଁ ତ, ନିଜର କ୍ୟାରିଅର ତିଆରି କରିବାକୁ ଯାଇ ସେ ସ୍ଵାମୀ ସ୍ତ୍ରୀ ମଧୁର ବିଶ୍ଵାସଟିକୁ ଭାଙ୍ଗି ଦେଉନି ତ ?

 

ଅନୁରାଗ ପାଇଁ ସମ୍ଵେଦନା ଜାତ ହେଲା ଅନ୍ତସାରରେ । ସେ ଭାବିଲେ ଯେ ହୁଏତ ସେ ଅବହେଳା କରିଛି ସ୍ଵାମୀକୁ । ଏହାର ସଂଶୋଧନ କରି ନ ପାରିଲେ ଅବଶୋଷ ରହିଯିବ ଚିରଦିନ ।

 

ସେଦିନ ମଧ୍ୟାହ୍ନରେ ଅଫିସରୁ ଫେରି ଆସିଲା ରାଗିଣୀ । କାଲି ବିଦେଶ ଯାତ୍ରାର ଦିନ ।

 

ସେ ଘରକୁ ଫେରିବା ବାଟରେ କେତେ ଗୋଛା ରଜନୀଗନ୍ଧା ଓ ରକ୍ତ ଗୋଲାପ ଫୁଲ ଦୋକାନରୁ କିଣି ଆଣିଲା । ଚାକରଦ୍ଵାରା ବସିବା ଘର, ଶୋଇବା ଘର, ଧୂଆପୋଛା କରି ସଜାଇ ଦେଲା । ଶୋଇବା ଘରେ ରଜନୀଗନ୍ଧାର ଓ ବସିବା ଘରେ ଗୋଲାପର ସୁବାସ ମହମହ କରିବାକୁ ଲାଗିଲା । ସନ୍ଧ୍ୟା ହେବା ପୂର୍ବରୁ ଧୂପ ଜାଳି ଦେଲା ପ୍ରତ୍ୟେକ କୋଠରୀରେ । ଏହାପରେ ପ୍ରାୟ ଘଣ୍ଟାଏ ସମୟ ନେଲା ନିଜକୁ ଅପରୂପ କରି ସଜାଇବା ପାଇଁ ସବୁ ଶେଷ କରି ବାରନ୍ଦାରେ ଆସି ବସିବା ବେଳକୁ ସଂଧ୍ୟା ଉତ୍ତୀର୍ଣ୍ଣ ହୋଇ ସାରିଥିଲା । ହାତଘଡ଼ିକୁ ଚାହିଁ ଚମକି ପଡ଼ିଲା ରାଗିଣୀ । ସାତଟା ବାଜିଲାଣି ଅଥଚ ଏଯାଏଁ ଫେରିନି ଅନୁରାଗ । ମନରେ ଉତ୍କଣ୍ଠା ଲାଗିଲା ତାର । ସେ ଆଉ ବସି ରହିପାରିଲା ନାହିଁ । ଅନୁରାଗକୁ ଚା’ ଜଳଖିଆ ନିଜ ହାତରେ ଖୁଆଇବା ଲାଗି ଯୋଉ ସରଞ୍ଜାମ ପ୍ରସ୍ତୁତ କରି ରଖିଥିଲା । ତାହା ପଡ଼ି ରହିଲା । ଶୋଇବା ଘରର ସୁବାସର ମଧୁରତା ତାକୁ ଆବିଷ୍ଟ କରି ରଖିଲା କିଛି ସମୟ । ଆଜି ପୁଣି ଥରେ ମନେ ପଡ଼ିଲା ଅନୁରାଗ ସହିତ ସେଇ ପ୍ରଥମ ଅବିସ୍ମରଣୀୟ ମଧୁଯାମିନୀର କଥା । ଏଯାଏ ସେ କିପରି ତାହା ଯାଇଥିଲା ଆଶ୍ଚର୍ଯ୍ୟ ହେଲା ରାଗିଣୀ । ଅନୁରାଗ ଯେ ଅନେକ କଷ୍ଟ ପାଇଥିବ ଏ ଭିତରେ ସେ ଅନୁଭବ କଲା ପ୍ରତିକ୍ଷଣରେ । ଆଜି ସବୁ ଭୁଲ୍ ସଂଶୋଧନ କରିନବ ସେ । ବିଦେଶ ଯିବା ପୂର୍ବରୁ ପୁଣି ଥରେ ସ୍ଵାମୀ ପାଖରେ ସମର୍ପଣ କରିଯିବ ନିଜକୁ । ଯେତେବେଳେ ସେ ତାର ସ୍ଵାମୀ, ଇହକାଳ ଓ ପରକାଳ ସାଥୀ ।

 

ଅନୁରାଗ ଫେରିବା ସମୟ ଉତ୍ତୀର୍ଣ୍ଣ ହୋଇଗଲେ ବି ଫାଟକ ଆଗରେ ସ୍କୁଟର ଆସିବାର ଶବ୍ଦ ଶୁଣାଗଲାନି ।

 

ରାଗିଣୀ ବ୍ୟସ୍ତ ଭାବରେ ଭିତର ବାହାର ହେବାକୁ ଲାଗିଲା ।

 

ଅନୁରାଗର ନିର୍ମଳ ସରଳ ମୁହଁଟି ଭାସିଆସିଲା ତା’ମାନସ ପଟରେ । ତା’ ମୁହଁରେ ଅବହେଳାର ଛାପ ଲାଗି ରହିଥିବାପରି ଅନୁଭବ କଲା ରାଗିଣୀ । ଆଗେ ସେ ସ୍ଵାମୀର ଜାମାରେ ବୋତାମ ଲଗାଇବାଠାରୁ ଆରମ୍ଭ କରି ତାର ଖାଇବା ପିଇବା ସବୁର ଯତ୍ନ ନେଉଥିଲା । ତା’ ଅଲକ୍ଷରେ ଅନୁରାଗର ଦେହ ଶୀର୍ଣ୍ଣ ହୋଇଯାଇଛି । ମନ ବି କ୍ଷୁଣ୍ଣ ହୋଇଥିବ ହୁଏତ । କିନ୍ତୁ ସେ ଅଲଗା ହୋଇ ଯାଇନି ତା’ଠାରୁ । ତାର ସାନ୍ନିଧ୍ୟ ବିନିମୟରେ ସେ ଯଦି ସିଡ଼ି ଉପରକୁ ଉଠେ ସେଥିରେ କ୍ଷତି କଅଣ ଥାଇପାରେ ତାହା ଏବେ ବି ବୁଝି ପାରେନି ରାଗିଣୀ । ଏହାଦ୍ଵାରା କାହିଁକି ଅପମାନିତ ବା ଅବହେଳିତ ମନେ କରିବ ଅନୁରାଗ ତାହା ମଧ୍ୟ ଅସ୍ପଷ୍ଟ ହୋଇ ରହିଛି ତା’ ପାଖରେ । କିନ୍ତୁ ଗୋଟିଏ ବିଷୟ ତାକୁ ଅସ୍ଥିର କରିବାକୁ ଲାଗିଲା ଯେ ସେ ଚାକିରି କରିବାପରେ ସ୍ଵାଭିମାନ ଓ ଅହଙ୍କାରର ବଶବର୍ତ୍ତୀ ହୋଇ ତା’ଠାରୁ ଅନୁରାଗ ଯେତିକି ସ୍ନେହ ପ୍ରୀତି ପ୍ରାପ୍ୟ ସେତକ ସେ ଦେଇ ନାହିଁ, ଯେଉଁ ସମୟ ଓ ସାନ୍ନିଧ୍ୟ ଦେଇ ସେ ସ୍ଵାମୀକୁ ଖୁସି କରିପାରିଥାଅନ୍ତା ତାହା ସେ କରି ନାହିଁ ।

 

ଆଠଟା ବାଜିବା ପ୍ରାୟ ।

 

ଉତ୍କଣ୍ଠା ବଢ଼ିବାରେ ଲାଗିଛି ରାଗିଣୀର ।

 

ସ୍କୁଟର ଗୋଟେ ଆସିବାର ସହିତ ହେଡ଼୍ ଲାଇଟ୍ ଆଲୋକ ଭାସି ଆସିଲା ଦୂରରୁ । ଅନୁରାଗ ନିଶ୍ଚୟ । ନିଜେ ଫାଟକ ପାଖକୁ ଚାଲି ଆସିଲା ଫାଟକ ଖୋଲିବା ଲାଗି ।

 

ସେ ପୁଣି ଆଉ ଥରେ ନୂଆ କରି ଆରମ୍ଭ କରିବ ଜୀବନ । ଅନୁରାଗକୁ ସ୍ଵାଗତ କରି’ ତା ଜାମାର ବୋତାମ ଖୋଲିଦବ, ତା’ ସହିତ ବାରନ୍ଦାରେ ବସି ଚା’ ଜଳଖିଆ ଖାଇବ ଏବଂ ଦୁହିଁଙ୍କ ମଧ୍ୟରେ ଉଠିଥିବା ପାଚେରୀ ଭାଙ୍ଗି ଦେଇ ଅନ୍ତରଙ୍ଗ ହେବାକୁ ଚେଷ୍ଟା କରିବ ।

 

ସ୍କୁଟର ଛିଡ଼ା ହେଲା, କିନ୍ତୁ ଆରୋହୀ ଅନୁରାଗ ନୁହେଁ ଆଉ ଜଣେ ।

 

ଛାତିରୁ ଅତଡ଼ା ଖସିଲା ରାଗିଣୀର ।

 

ଆପଣ ମିସେସ୍ ମହାନ୍ତି ?

 

ଡରି ଡରି ରାଗିଣୀ କହିଲା: ହଁ… ।

 

: ଆସନ୍ତା ଆଉ ଡେରି କରନ୍ତୁ ନାହିଁ…ଅନୁରାଗ ବାବୁ ସ୍କୁଟର ଦୁର୍ଘଟଣାରେ ଗୁରୁତରଭାବେ ଆହତ ହୋଇ ବଡ଼ ଡାକ୍ତରଖାନାରେ… ।

☆☆☆

 

ନୂଆ ମଣିଷର ମନ

 

ସମସ୍ତେ କହିଲେ, ସାଧୁ ପାଗଳ ହୋଇଗଲା । ଅନେକ ଆହା ଆହା ବି କଲେ । ପିଲାମାନେ ଦାଣ୍ଡରେ ତାକୁ ଚାଲିଯାଉଥିବାର ଦେଖିଲେ ଖତେଇ ହେଇ ପଛେ ପଛେ ଗୋଡ଼େଇଲେ । କେହି ଦୁଷ୍ଟ ପିଲା ବି ଟେକା ଖଣ୍ଡେ ଫିଙ୍ଗିଦେଲା ତା ଉପରକୁ । ସାଧୁ କିନ୍ତୁ ଦବି ଗଲାନି, ପଛକୁ ଫେରି ସେମାନଙ୍କ ଆଡ଼କୁ କଟକଟ କରି ଅନାଇଲା । ସେ ଚାଲିଲା, ନିତି ଚାଲେ; ତା’ କାମରେ ଶିଥିଳତା ଦେଖାଗଲାନି ।

 

ଯେତିକି ହେବା କଥା, ସେତିକି ବରଷା ହେଉନାହିଁ ଦୁଇ ବରଷ ହେଲା । ଜମି ସବୁ ପଡ଼ିଆ ପଡ଼ିଛି । ଚାରିଆଡ଼େ ହାହାକାର, ହା ହୁତାଶ । ଲୋକମାନେ ଭିକ ମାଗି, ଅନ୍ନଛତ୍ରରେ ଖାଇ କେତେଦିନ ବଞ୍ଚିବେ ? ପାରିଲା ପାରିଲା ମରଦଗୁଡ଼ାକ ହାତ ପତାଇ ମାଗିବେ କେତେଦିନ ? କାମ ଧନ୍ଦା ନାହିଁ, ନିଜର ଜମି ପରି ଅନ୍ୟର ଜମି ବି ଉଠିଆ ହୋଇପାରୁନାହିଁ । କାମ ନାହିଁ, ମୂଲ ଲଗାଇବ କିଏ ?

 

ସାଧୁର କିନ୍ତୁ ଏଥିକୁ ପରୁଆ ନାହିଁ । ସେ ଶୂନ୍ୟକୁ ଚାହେଁ, ତା’ପରେ ମା’ ବସୁନ୍ଧରାକୁ ଅନାଏ । ଉପରେ ମେଘ ମାଳ ମାଳ, ଖାଲି ଶୁଖିଲା… ବରଷା ନାହିଁ । ଇଦ୍ରଦେବତା ରାଗ କରିଛନ୍ତି ଲୋକମାନଙ୍କ ଉପରେ । ନୋହିଲେ ସବୁ ବରଷ ପାଣି ବରଷେ…ବିଲବାଡ଼ି ଧୋଇ ହୋଇଯାଏ ବଢ଼ି ପାଣିରେ, ଅଥଚ ଏଇ ଦୁଇ ବରଷ ହେଲା ବିଲବାଡ଼ି ଶୁଖି ଆଁ କରିଛି ପାଣି ଟୋପେ ଟୋପେ ଶୋଷିନେବା ପାଇଁ । ଅକାଳ ପଡ଼ିଲେ ଏପରି ହୁଏ । ଅଧର୍ମ ବଢ଼ିଲେ ପ୍ରକୃତି ବି ବୃଷ୍ଟି କରେ ନାହିଁ, ଫୁଲ ଫୁଟାଏ ନାହିଁ, ନଦୀ ଶୁଖିଯାଏ, ବିଲବାଡ଼ି ପଡ଼ିଆ ପଡ଼େ ।

 

ପ୍ରକୃତି ସାଙ୍ଗରେ ଲଢ଼ିବାକୁ କାହାର ବଳ ଅଛି ଦେହରେ ? କିନ୍ତୁ ସାଧୁ ଦୃଢ଼ପ୍ରତିଜ୍ଞ । ସେ ହାରିଯିବ ନାହିଁ, ଶେଷ ନିଶ୍ଵାସ ଯାଏ ଲଢ଼ିଯିବ । କେବେହେଲେ ନ ବରଷି ଯିବ କୁଆଡ଼େ ଇଦ୍ରଦେବତା ? ସେଇ ପାଣିକୁ ସେ ଠୁଳ କରିବ, ମାଟି ଭିତରୁ ମା’ର ସ୍ତନରୁ କ୍ଷୀର ଝରିଲା ପରି ଯେଉଁ ପାଣି ଛପି ରହିଛି, ତାକୁ ବାହାର କରିବ । ସେଇ ପାଣି ପିଇ ସେ ବଞ୍ଚିବ । ପାଞ୍ଚଜଣଙ୍କୁ ବଞ୍ଚାଇବ । ଏଇ କଥାଟା ମନକୁ ଆସିଲା ଦିନୁ ସେ ଗାଆଁର ଦଶଜଣଙ୍କ ସହିତ ଭାଗବତ ଘରେ ପରାମର୍ଶ କରିଥିଲା । କିନ୍ତୁ ସଭିଏଁ ତା କଥାକୁ ପାଗଳାମି ବୋଲି ଉଡ଼େଇଦେଲେ, ଲୋକେ ତା’ କଥାକୁ ଯେତିକି ଏଡ଼ିଗଲେ ବା ଉଡ଼ାଇ ଦେଲେ, ତା’ ମୁଣ୍ଡରେ ଜିଦ୍ ସେତିକି ବେଶୀ ହେଲା । ସେ କାହାରି ଆଡ଼କୁ ଅନିଶା ନକରି ସ୍ଥିର କଲା ନିଜ ବଳରେ ଛିଡ଼ା ହେବା ପାଇଁ । ଦୁଇଟା ହାତ ନିକମା ନୁହେଁ, ହାତୀର ବଳ ଅଛି ଦେହରେ । କୋଡ଼ି ନେଇ ସେ ବାହାରିଗଲା ଗୋହିରୀକୁ, ସେଇଠି ନିଜ ବିଲ ମଝିରେ କୂଆ ଖୋଳିବା ଆରମ୍ଭ କରିଦେଲା । ଫୁଲ ଚନ୍ଦନ ଦେଇ, ଶଙ୍ଖ ବଜାଇ ଶୁଭ ଦେଲାନି; କେବଳ ମା’ ବସୁନ୍ଧରାରୁ ମାଟି ମୁଠେ ହାତରେ ଟେକି ଚୁମା ଖାଇ ପୁଣି ପକାଇ ଦେଲା ଭୂଇଁ ଉପରେ । ତା’ପରେ ଦମ୍‍ଦମ୍ ହୋଇ ବସାଇଲା କୋଡ଼ି, ଫାଳ ଫାଳ ମାଟି ଓଲଟି ପଡ଼ିଲା ମାଡ଼ରେ, ଖିଲ୍ ଖିଲ୍ କରି ହସି ଉଠିଲା ସାଧୁ ସାହାଣୀ ।

 

ସେଇଦିନୁ ସକାଳ ହେଲେ ଦୁଇପ୍ରହର ଯାଏ ନିତି ଯାଏ କୋଡ଼ି ନେଇ, ମାଟି କାଟେ । ଗହରୀ ହେଲାରୁ ଗଇଁତି ବି ନେଲା ।

 

ଯେତେବେଳେ ଯାହା କାମ ପାଇଁ ସୁବିଧା କାମରେ ଲଗାଇଲା । ମାସେ ହେଲା କାମ କଲାଣି, ଦଶଫୁଟ ଗଭୀର କରି ସାରିଲାଣି ତା’ ମେହେନତ ଦେଖି, ଏକଜିଦିଆ ପଣ ଦେଖି ଲୋକେ ହସିଲେ । ଆହା ଆହା କରି କହିଲେ–ସାଧୁ ସାହାଣୀଟା ପାଗଳ ହୋଇଗଲା । ବରଷା ନ ହେଲାରୁ ବିଲବାଡ଼ିରେ ଫସଲ ନ ଦେଖି ଆଉ ସମ୍ଭାଳି ପାରିଲା ନାହିଁ ମଥାଟା ଖରାପ ହୋଇଗଲା-

 

ଦୁଇପହର ଖରାବେଳେ ସାଧୁକୁ ଦେଖିଲେ, ଦଣ୍ଡେ ଛିଡ଼ା ହୋଇଯାଇ ଲୋକେ ଅନାନ୍ତି ତା ଆଡ଼କୁ ସେ କିନ୍ତୁ ଅନାଏ ନାହିଁ । କେବଳ ବେଶୀ ଥକ୍କା ଲାଗିଲେ ଗଇଁତି ମାରିବା ସଙ୍ଗେ ସଙ୍ଗେ କ’ଣ ସବୁ ଗୀତ ବୋଲେ, ବୁଝି ହୁଏନା ।

 

ସାଧୁ ସାହାଣୀର ମାଇପ, ମରଦ ପାଇଁ ମାନସିକ କରିଥିଲା ଗାଁ ବାସେଳୀଙ୍କ ପାଖରେ-। ଭଲ ହୋଇଗଲେ ଗୋଟିଏ କଳା ମେଣ୍ଢା ବଳି ଦବ, ପାଞ୍ଚଫେଣା ପାଚିଲା ପାଟକପୁରା କଦଳୀ ଭୋଗ ଲଗାଇବ, ଖଣ୍ଡେ କଳା ଝିମିରୀ ଶାଢ଼ିରେ ବାସେଳୀଙ୍କ ଖୋଲା ଦେହକୁ ଢାଙ୍କିଦେବ-। ସେ ଯାହା ସଞ୍ଚିଥିଲା, ବାପଘରୁ ସୁନା, ରୁପା ଗହଣା ଦି’ଖଣ୍ଡ ଆଣିଥିଲା, ସେଇ ସବୁ ବିକି ଚଳେଇ ଆଣିଲା ଏ ଯାଏଁ, ଆଉ ପାରୁନାହିଁ । କାଲି କଂସା ଖଣ୍ଡେ ବିକି ଚାଉଳ ଆଣିଥିଲା, ଆଉ ପାଞ୍ଚଦିନ ଗଲେ ତାହା ବି ସରିଯିବ ।

 

କାମରୁ ଫେରିଲାବେଳେ ସାଧୁ ପୋଖରୀର ଗୋଳିଆ ପାଣିରେ ଦେହ ଭିଜାଇ ଘରକୁ ଫେରେ । ମାଇପ ବାଢ଼ିଦେଲେ ମୁହଁ ନ ଫିଟାଇ ଭକଭକ କରି ତୋରାଣୀ ମନ୍ଦାକ ଆଗ ପିଇଦେଇ ହସି ହସି କହେ : ତୋ ହାତରେ ଅମୃତ ଅଛି ଲୋ ରାଧିକା !

 

ରାଧିକା ଲାଜରେ ମୁହଁ ବୁଲାଏ । ଏଇ ମଣିଷଟା ଯେ ପାଗଳ, ଏହା ବିଶ୍ଵାସ କରିବା ପାଇଁ ମନ ହୁଏନା; କିନ୍ତୁ ଭଲ ହୋଇଥିଲେ ତା ଆକଟ ଶୁଣନ୍ତା, ଗାଁ’ର ଦଶଜଣଙ୍କ ଉପଦେଶ ତ ମାନନ୍ତା । ସମସ୍ତେ ପାଗଳ ବୋଲି ଆହା ଆହା କରୁ ନଥାନ୍ତେ, ପିଲାଗୁଡ଼ାକ ଗୋଡ଼ି ଫୋପାଡ଼ନ୍ତେ ନାହିଁ । ଆଖିରେ ପାଣି ଆସେ ରାଧିକାର ।

 

ସେ ଆଉ ମନ୍ଦିର ତୋରାଣି କଂସାରେ ଢାଳି ଦେଇ କହେ–‘ସଂସାର କଥା ଟିକିଏ ବୁଝିଲୁନି !’

 

ଲୁଣ ସହିତ ଲଙ୍କା ଖଣ୍ଡିଏ କଳରେ ଜାକି କହେ ସାଧୁ–ସଂସାର ମୋ କଥା ବୁଝିଲେ, ମୁଁ ତା କଥା ବୁଝିବି ଲୋ ରାଧିକା ।

 

ବୋକା ବୋକା ଆଖି କରି ତା’ ଆଡ଼କୁ ବିକଳ ହୋଇ ଅନାଏ ରାଧିକା । ପାଗଳ ହୋଇନଥିଲେ ଏପରି କହନ୍ତା ? ରୋଷଘର ଭିତରକୁ ପଶିଯାଇ କାନ୍ଦେ ଫୁଲିଫୁଲି

 

ସବୁ କରମ ।

 

କରମକୁ ଏଡ଼ିଯିବା ସାଧ୍ୟ କାହାର ?

 

କିନ୍ତୁ ସାଧୁ ସାହାଣୀ ବେଳେବେଳେ ଭଲ ମଣିଷ ପରି କହେ–ଏଇ କରମ ଫରମ ମୁଁ ବିଶ୍ଵାସ କରେନା ଲୋ ରାଧିକା । ମୋ କରମ ମୋ ହାତ ମୁଠାରେ, ମୋ ଦେହର ବଳରେ । ମୁଁ ନକଲେ ମୋ ହାତ ପୂରାଇ କେହି କରିଦେବ ନାହିଁ ।

 

ସବୁଦିନ କେହି ଦେବେ ନାହିଁ ବୋଲି ନିଜ ଉପରେ ଭରସା ରଖେ ସାଧୁ । ହାତ ଯୋଡ଼ିକରି ଏତେ ବଳ ଥାଉଁ ଥାଉଁ ଭିକ ମାଗିବ, ଅନ୍ନଛତ୍ରକୁ ଯାଇ ଖେଚେଡ଼ି ଖାଇବ–ଛି ଛି ।

 

ଦୁଇଦିନ ହେଲା ଦେହଟା ଭଲ ନଥିଲା ଜରଜର ଲାଗୁଥିଲା । କିନ୍ତୁ ଘରେ ବସି ରହିଲା ନାହିଁ ସାଧୁ ସାହାଣୀ ।

 

ଦଶଫୁଟ ଗଭୀର ସେହି କୂଅ ଭିତରେ ବସି ବସି ହାଇମାରେ । ଆକାଶ ଉପରକୁ ଚାହିଁ ହସି ଦେଇ କହେ–ଏଥର ବରଷିଲେ ଏଇ ଭିତରେ ବାନ୍ଧି ରଖିବି ଯେ !

 

ଆଉ ପନ୍ଦର ଫୁଟ ଖୋଳିଲେ ପାଣି ବାହାରିବ । ମା’ର ଥନରୁ କ୍ଷୀର ଝରିଲା ପରି ମା’ ବସୁନ୍ଧରାର ଥନରୁ ପାଣି ବାହାରିବ । ସେଇ ପାଣିକୁ ତେଣ୍ଡା ଲଗାଇ ଉପରକୁ ଉଠାଇ ବିଲରେ ମଡ଼ାଇବ ସାହାଣୀ । ବରଷା ସିନା ସମୟରେ ହବ ନାହିଁ, ଏକାବେଳକେ ନ ହୋଇଯିବ କୁଆଡ଼େ-? ଯେତେବେଳେ ବରଷିବ ବରଷୁ, ସେ ପରୁଆ କରିବ ନହିଁ । ତା’ କୂଅ ଭିତରେ ଆଠ ଦଶଫୁଟ ପାଣି ରହିଲେ ଜମିରେ ଦୁଇଟା ଫସଲ କରିବ । ଏଇ ପଡ଼ିଆ ଜମିରେ ସୁନା ଫଳିବ-। ସେତେବେଳେ ଗାଁ’ରେ ଆଉ ଦଶଜଣ ତାହାର ଦେଖାଶିଖା କାମରେ ଲାଗିବେ, ତାକୁ ପାଗଳ ନ କହି କୋଡ଼ି ଧରି କୂଅ ଖୋଳିବେ ।

 

ନୂଆ ହୋଇ ଖୋଳୁଥିବା କୂଅର ପନ୍ଦର ଫୁଟ ତଳେ ଗାମୁଛା ପାରି ଶୋଇ ପଡ଼ିଲା ସାଧୁ ସାହାଣୀ । ଜର ଜର ଲାଗୁଥିଲା । ଗଇଁତି ମାରିବା ପାଇଁ ବଳ ପାଉ ନଥିଲା ବାହୁରେ ।

 

ଦୁଇଦିନ ପରେ ବେଶ୍ ଭଲ ହୋଇଗଲା ସାଧୁ ସାହାଣୀ । ଔଷଧ ଖାଇନାହିଁ; ଦେହରେ, ପାଦରେ ଭଲକରି ସୋରିଷ ଦେଲ ମାଲିସ୍ କରି ପୁରୁଣା ଗାଈ ଘିଅରେ ଫୁଟା ହୋଇଥିବା ପଞ୍ଚାଙ୍ଗ ଖାଇ ଦେଇ ଫୁର୍ତ୍ତି ପୁଣି ଫେରି ପାଇଲା ଦେହରେ ।

 

ରାଧିକା ଅଳି କଲା, କାମକୁ ନ ଯାଇ ଆଉ ଦୁଇଦିନ ବସି ରହିବା ପାଇଁ । ତା’ ଆଡ଼କୁ ନ ଅନାଇ ଗଇଁତିଟା କାନ୍ଧ ଉପରେ ରଖୁ ରଖୁ କହିଲା ସେ–ଅଳସୁଆ ହୋଇ ବସି ରହିବ କହୁଛୁ । ଅୟସ କଲେ ସମୟ ବସି ରହେନା ଲୋ ରାଧିକା । କାମ କଲେ କରମ ତିଆରି ହୁଏ । କରମ ନକଲେ ଧରମ ନଷ୍ଟ । ଆଉ ତୁ ମତେ ବସି ରହିବା ପାଇଁ କହୁଛୁ ?

 

ତା’ ପାଖକୁ ଲାଗି ଆସି କହିଲା ରାଧିକା–ମୋ ସାନକୁହା ମାନ, ଆଉ ଦିନେ ବସିଯାଅ ଘରେ । ଆରାମ କର ଟିକିଏ, ବଳ ଆସୁ ବାହୁରେ ।

 

ହସି ଦେଇ କହିଲା ସାହାଣୀ–ଆରାମ ହାରାମ ଲୋ ରାଧିକା । ମୋ ବାହୁରେ ବଳ ଅଛି । କାମ ନ କଲେ ଅଳସୁଆ ଲାଗିବ, ମନର ଫୁର୍ତ୍ତି ମରିଯିବ ।

 

ତା’ପରେ ଘର ଭିତରୁ ବାହାରି ଯାଉଁ ଯାଉଁ ଫେରି ଆସି ରାଧିକାର ଓଠଟିକୁ ଟେକି ଧରି କହିଲା–ରାଗିବୁନି, ତୋ କଥା ଶୁଣିଲିନି ବୋଲି । ମାଇପମାନଙ୍କର ଶରଧା ପାଇଲେ ମରଦଗୁଡ଼ାକ ମାଇଚିଆ ହୋଇଯାଆନ୍ତି ।

 

ରାଧିକା ସ୍ଵାମୀର କାନ୍ଧ ଉପରେ ହାତ ବୁଲାଇ ଆଣି କହିଲା: ବାସେଳୀ ଭଲରେ ରଖନ୍ତୁ, ଦିହ–ମୁଣ୍ଡ ଭଲରେ ରହୁ ।

 

ଆଉ ତେର ଫୁଟ ହୋଇଗଲେ ଭକଭକ କରି ପାଣି ଝର ଫୁଟିବ, ତୋତେ ନେଇଯିବି ସେଦିନ–ଗାଧୋଇ ଆସିବୁ ନୂଆ ପାଣିରେ । ହସ ହସ ମୁହଁରେ ତା’ ଆଡ଼କୁ ଅନାଇ କହିଲା ରାଧିକା–ଆଗ ବାହାରୁ !

 

ଅଲବତ ବାହାରିବ । ମାଆର ସ୍ତନରେ କ୍ଷୀର ନାହିଁ ଭାବୁଛୁ !

 

ରାଧିକା କିଛି କହିଲାନାହିଁ । ଶୂନ୍ୟକୋଳକୁ ଚାହିଁ ମନଟା ବାହୁନି ଉଠିଲା କରୁଣତାରେ-

 

ସାଧୁ ସାହାଣୀ ଦିନକୁ ଚଉଦ ଘଣ୍ଟା ମେହେନତ କରି ମାଟି ହାଣିଲା । ମାଟି ଉଠାଇ କୂଅକୁ ଗହୀର କଲା । ବାଉଁଶ ସିଡ଼ି ଗୋଟେ ପକାଇଲା, ତଳୁ ଉପରକୁ, ଉଠିବା ଓ ଓହ୍ଲାଇବା ପାଇଁ ରାଧିକା ବି ପାଞ୍ଚ ସାତ ଦିନ ହେଲା ଆସିଲାଣି ସ୍ଵାମୀକୁ ସାହାଯ୍ୟ କରିବା ପାଇଁ ।

 

ସେଦିନ ସ୍ଵାମୀ, ସ୍ତ୍ରୀ ଆଉ ଖାଇବାକୁ ଗଲେ ନାହିଁ । ମୁଢ଼ି ଗଣ୍ଡିଏ ଗାମୁଛାରେ ବାନ୍ଧି ଆଣିଥିଲା ରାଧିକା । ସେଇତକ ଖାଇ ଲୋଟାରୁ ପାଣି ପିଇଲେ ଦୁହେଁ । ମନଟା ଉଚ୍ଛନ୍ନ ହଉଥାଏ ସାହାଣୀର । ପାଣି ଝର ପାଖ ହେଲାଣି ଓଦା ହେଲାଣି ମାଟି ଥରେ ଥରେ ପାଣି ବି ଉପରକୁ ଉଠିଲାଣି । ଝରର ଅସଲ ଧାରାଟି ପାଇଗଲେ ଝପକି ଉଠିବ ପାଣି ସୁଅ । ସାଧୁ ସାହାଣୀ ହାତ ତାଳି ଦେଇ ହରିବୋଲ କହି ନାଚିବ । ରାଧିକା ହୁଳହୁଳି ଦେଇ ପାଣି ସୁଅର ସ୍ଵାଗତ କରିବ । ତା’ପରେ ଆହୁରି ଖୋଳିବ ପାଣି ସୁଅକୁ ବାନ୍ଧି ରଖିବା ପାଇଁ । ତେଣ୍ଡା ଲଗାଇବ ଉପରକୁ ପାଣି ଉଠାଇବା ପାଇଁ । ଧାନ ଫସଲ ସିନା ହେଲା ନାହିଁ, ମାଣେ ଜମିରେ ଗହମ ଚାଷ କରିବ । ସୋରିଷ ବି କିଛି ବୁଣି ଦେବ ହିଡ଼ ଉପରେ ।

 

ବୋଝରେ ମାଟି ଭର୍ତ୍ତି କରି ମଥା ଉପରେ ରଖି ତଳୁ ଉପରକୁ ଉଠୁଥିଲା ରାଧିକା ବାଉଁଶ ସିଡ଼ି ଉପର ଦେଇ । ତଳେ ସାଧୁ ସାହାଣୀ ଗଇଁତି ମାରୁଥିଲା, ଆଉ କଟାମାଟିକୁ ଆଡ଼େଇଦେଇ ଗୀତ ବୋଲୁଥିଲା । ସେ ଗୀତର ଅର୍ଥ ତାକୁ ବଳ ଦେଉଥିଲା, ସାହସ ଦେଉଥିଲା । କପାଳ ଉପରୁ ଝାଳ ପୋଛି ସେ ବେଳେବେଳେ ପାଟିକରି କହୁଥିଲା… ଏଇ ହାତ ଜଗନ୍ନାଥ—କରମ ତୋର...ହାତରେ ମୋର !

 

ଉଠିଯିବା ବେଳେ ହଠାତ୍ ପାଦ ଖସିଯାଇ ମୁହଁ ମାଡ଼ି ତଳେ ଦୁମ୍ ହୋଇ ପଡ଼ିଗଲା ରାଧିକା । ଆଉ ତା ଉପରେ ଢାଳି ହୋଇଗଲା ବୋଝ ଭର୍ତ୍ତି ମାଟି । ସେ ବେଦନାରେ ଚିତ୍କାର କରି ଉଠିଲା…ଉଃ ମାଆଲୋ….

 

ଗଇଁତିରେ ଶେଷ ମାଡ଼ ସହି ନ ପାରି ମାଟି ଫଟାଇ ଫୁଟି ଉଠିଲା ଉଜ୍ଜ୍ଵଳ, ଉଚ୍ଛସିତ ଜଳଧାରା ଉପରକୁ ଉଠିବା ପାଇଁ ।

 

ସେଇ ଜଳଧାର ପରି ତରଳ ସରଳ ହସରେ ଫୁଲି ଉଠିବା ଆଗରୁ ରାଧିକାକୁ କୋଳ ଉପରକୁ ଉଠାଇ ନେଇ ବ୍ୟାକୁଳ ନୟନରେ ତା’ ମୁହଁ ଉପରକୁ ଅନାଇ ରହିଲା ସାଧୁ ସାହାଣୀ ।

 

ଆଖି ମୁଦିଥିଲା ରାଧିକା ….ଚେତା ନଥିଲା ଦେହରେ ।

 

ତା’ ମୁହଁ ଉପରେ ମାଟି ଭିତରୁ ଉଛୁଳି ଉଠୁଥିବା ପାଣି ଆଞ୍ଜୁଳାଏ ଛିଞ୍ଚି ଦେଇ ଗାମୁଛାରେ ପଙ୍ଖା କରି କହିଲା ସାଧୁ ସାହାଣୀ….ଉଠୁ, ବସି ଥରେ ଚାହାଁ ରାଧିକା… ପାଣିରେ ଝର ଛୁଟିଛି । ଏତେ ଦିନର ସପନ ସଫଳ ହୋଇଛି ।

 

ରାଧିକା ଯନ୍ତ୍ରଣାରେ କାତର ହୋଇ କହୁଥିଲା–ମୋତେ ସେଇ ପାଣିରୁ ଟୋପେ ଦିଅ… ତଣ୍ଟି ଶୁଖିଯାଉଛି ।

 

ସେଇ ଗୋଳିଆ ପାଣିରୁ ଟୋପେ ଆଣି ତା ପାଟି ଭିତରେ ଢାଳି ଦେଇ କହିଲା ସାହାଣୀ “… ଏ ଖାଲି ପାଣି ନୁହେଁ ଲୋ ରାଧିକା, ମାଆର କ୍ଷୀର । ଏଥର ଆମେ ଆଉ ବରଷା ନ ହେଲେ ଆକାଶକୁ ଚାହିଁ କପାଳ ଉପରେ କର ମାରିବା ନାହିଁ । ବାହୁର ବଳ ଦେଇ ପାଣି ଉଠାଇ ଫସଲ କରିବା ।

 

ରାଧିକା ଦେହ ମୁଣ୍ଡକୁ ଆଉଁଷି ଦେଇ ତାକୁ କାନ୍ଧ ଉପରେ ପକାଇ ଧୀରେ ଧୀରେ ଅଥଚ ନିଶ୍ଚିତ ପଦରେ ଉପରକୁ ଉଠିଲା ସାଧୁ ସାହାଣୀ ।

☆☆☆

 

ଭୋକ

 

ଅନୁରାଗ ଅପେକ୍ଷା କରୁଥିଲା ।

 

ସମୟ ସାମାନ୍ୟ ଉତ୍ତୀର୍ଣ୍ଣ ହୋଇଯାଇଥିଲା । ତଥାପି ମନରେ ଆଶା ଥିଲା ସେ ନିଶ୍ଚୟ ଆସିବ, ନିରାଶ କରିବନାହିଁ ।

 

ବାହାରେ ଝିପିଝିପି ବର୍ଷା ହେଉଥିଲା ଟିକିଏ ଆଗରୁ । ବର୍ଷା ବନ୍ଦ ହୋଇଗଲାଣି । ସଡକ ଉପରେ ଗାଡ଼ି, ରିକ୍‍ସା ଏବଂ ପଥଚାରୀମାନେ ପୁନର୍ବାର ଦ୍ଵିଗୁଣ ବେଗରେ ଚାଲିବାକୁ ଆରମ୍ଭ କଲେଣି ।

 

ଆଉ କାହାକୁ ଏପରି ଆଗ୍ରହର ସହିତ ଅପେକ୍ଷା କରି ନଥିଲା ଅନୁରାଗ ।

 

ଗୋଟିଏ ରିକ୍‍ସା ଆସି ଫାଟକ ପାଖରେ ଛିଡ଼ାହେଲା ।

 

ସ୍ଥାନଟା ଟିକିଏ ଅନ୍ଧାରିଆ ଥିଲା, ତଥାପି ଜୟାକୁ ସେ ରିକ୍‍ସାରୁ ଓହ୍ଲାଉଥିବାର ସହଜରେ ଦେଖିପାରି ପାହାଚ ତଳକୁ ଓହ୍ଲାଇ ଆସିଲା ପାଛୋଟି ନବାପାଇଁ ।

 

ଜୟା ଗୋଟିଏ ଛିଟ ଶାଢ଼ି ପିନ୍ଧିଥିଲା, ହାତରେ ଏକ ଭାନିଟି ବ୍ୟାଗ୍ ଓହଳାଇଥିଲା । ସିନ୍ଥିରେ ସିନ୍ଦୂର ନଥିଲେ ବି କୁଙ୍କୁମର ସରୁ ଟିପାଟିଏ ଚକ୍ ଚକ୍ କରୁଥିଲା କପାଳର କେନ୍ଦ୍ର ବିନ୍ଦୁରେ-

 

ଜୟା ନମସ୍କାର ଜଣାଇ କହିଲା–ବହୁତ ବେଳୁ ଅପେକ୍ଷା କଲଣି ନା ?

ଅନୁରାଗ କହିଲା–ତୁମେ ନ ଆସି ଠକିଦବ ବୋଲି ଭୟ କରୁଥିଲି ।

–ସେମିତି କେବେ କରିଛି ?

–ନା । ତଥାପି ମଣିଷର ମନ ତ ସବୁଦିନ ଏକାପରି ରହେନାହିଁ ।

–ମୁଁ ମାନୁଛି, ମନ ବି ବଦଳେ; କିନ୍ତୁ ମୋ କ୍ଷେତ୍ରରେ ଏହା ଘଟିବ ବୋଲି ତୁମେ କାହିଁକି କଳ୍ପନା କରୁଥିଲ ଯେ ?

ପଥରୁ ବରଣକରି ଭିତରକୁ ପାଛୋଟି ନେଲାବେଳେ ଅନୁରାଗ କହିଲା–ତୁମର କ୍ଷୁଦ୍ରଗଳ୍ପ ସାହିତ୍ୟ ଏକାଡେମୀଦ୍ଵାରା ପୁରସ୍କୃତ ହେଲା ପରେ ତୁମ ପାଖକୁ ବହୁତ ଲୋକ ଆସୁଥିବେ !

ସୋଫା ଉପରେ ବସୁ ବସୁ କହିଲା ଜୟା–ହିଂସା ହେଉଚି ?

–ନା, ସେମାନେ ଆସନ୍ତୁ, କିନ୍ତୁ ମୋ ଆସିବା ତ ତୁମେ ବନ୍ଦ କରି ଦେଇନାହଁ ।

ଏଥର ସିରିୟସ୍ ହୋଇ କହିଲା ଜୟା–ସମସ୍ତେ ମୋ ଦୁଆରକୁ ଆସନ୍ତି ଅଭିନନ୍ଦନ ଜଣାଇବା ନାମରେ ମୋର ଟିକେ ସାନ୍ନିଧ୍ୟ ପାଇବା ପାଇଁ । ମୁଁ କିନ୍ତୁ ତୁମ ପାଖକୁ ଆସେ ତୁମର ସାନ୍ନିଧ୍ୟ କାମନା କରି ।

 

ଏଥର ଅନୁରାଗର ମୁହଁଟା ଉଜ୍ଜ୍ୱଳ ଦେଖାଗଲା । ଏଯାଏଁ ଯେଉଁ ଅଭାବ ଥିଲା, ତାହା ଘୁଞ୍ଚିଗଲା । ସେ ନିଜକୁ ଉତ୍‍ଫୁଲ୍ଲ, ଉତ୍ସାହିତ ମନେକଲା ।

 

–ଆସିଲାବେଳେ ପାଖରେ କେହି ନଥିଲେ ?

 

ପଚାରିଲା ଅନୁରାଗ ।

 

–ଥିଲେ । ସବୁବେଳେ ରହିବେ । ହେଲେ ମୋର ବି ପ୍ରୟୋଜନ ଅଛି । ମୁଁ ବି ମଣିଷ ।

 

–ବଡ଼ ହେଲେ ନିଜର ପ୍ରୟୋଜନ ଅପେକ୍ଷା ଅନ୍ୟମାନଙ୍କର ପ୍ରୟୋଜନଟା ଅନେକ ସମୟରେ ବଡ଼ ଦିଶେ ଜୟା !

 

–ଦିଶୁ ଅନ୍ୟମାନଙ୍କୁ, ମୋତେ ଦିଶିବ ନାହିଁ । ବଡ଼ ହୁଏ ବା ଛୋଟ ହୁଏ, ମୁଁ ଯାହା ଭଲ ଭାବିବି କେହି ବାଧା ଦେଇ ପାରିବେ ନାହିଁ ।

 

–ଏ କାମଟା ଭଲ କାମ ବୋଲି କିପରି ଜାଣିଲ ?

 

–ଭଲଲାଗେ ବୋଲି ।

 

–ଅନେକ ଜିନିଷ ଭଲଲାଗେ, ଅଥଚ ଭଲ ନୁହେଁ ।

 

–ନ ହୋଇପାରେ, ମୁଁ ତର୍କ କରୁନି; କିନ୍ତୁ ଭଲ ନ ହେଲେ ବି ଯଦି ମୋତେ ଭଲଲାଗେ, ଅନ୍ୟର ସେଥିରେ ମୁଣ୍ଡବ୍ୟାଥା ହବ କାହିଁକି ?

 

–ହବନି ? ତୁମେ ମୋ ପାଖକୁ ଆସିଲ, ଅଥଚ ସେମାନଙ୍କ ପାଇଁ ସମୟ ଦେଲନାହିଁ ।

 

–ସମୟ ଜଣକ ପାଇଁ ଦିଆଯାଏ । ଅନ୍ୟମାନେ ସମୟ ପାଇଁ ଅପେକ୍ଷା କରନ୍ତି, ସମୟ କିନ୍ତୁ ଅପେକ୍ଷା କରେନାହିଁ ।

 

–ଅସମୟ ବି ଅଛି ତ !

 

–ଅଛି । କିନ୍ତୁ ତୁମ ପାଇଁ ନୁହଁ ?

 

–କେହି ଯଦି ମନା କରିଥାନ୍ତା ଆସିବା ପାଇଁ ?

 

–ମୁଁ ମନା ମାନିନଥାନ୍ତି ।

 

ଏଥର ଅନୁରାଗ ସତରେ ଜୟା ପାଖକୁ ଉଠି ଆସି କହିଲା–ତୁମେ ଅସାଧାରଣ ।

 

–ତୁମେ ବି ଅନନ୍ୟ ।

 

–ମୋ ଯୋଗୁଁ ?

 

–ହଁ ।

 

–କିପରି ?

 

–ଅସାଧାରଣ ହିଁ ଅନନ୍ୟ ପାଖରେ ରହିପାରେ ।

 

–ଦୁହେଁ ଖିଲ୍ ଖିଲ୍ କରି ହସିଉଠିଲେ ।

 

–ଟିକିଏ ପରେ ପଚାରିଲା ଜୟା–ତୁମେ ଲେଖାଲେଖି ଛାଡ଼ିଦେଲ ?

 

–ଲେଖିପାରୁନି ।

 

–କାହିଁକି ?

 

–ମନ ଲାଗୁନି ।

 

–ମନଟାକୁ ଲଗାମ୍ ଦେଇ କଣ୍ଟ୍ରୋଲ୍ କରି ଶିଖ ।

 

–ଲଗାମ ଦେଲେ ମୁହଁ ମାଡ଼ି ପଡ଼ିରହିବ ।

 

–କେବଳ ଲଗାମହୀନ ହୋଇ ଉଡ଼ି ବୁଲିବାପାଇଁ ଚାହଁ, ନା ?

 

–ନା । ତୁମର ପର ଅଛି, ତୁମେ ସିନା ଉଡ଼ିବ; ମୁଁ ପାରିବି କେଉଁଠି ?

 

ଟିକିଏ ହସି କହିଲା ଜୟା–ତଥାପି ମୋ ବିଷୟରେ ନିଶ୍ଚିତ ନୁହଁ ତୁମେ । ମୁଁ ଆଗରୁ କହିଛି ତୁମକୁ ଦେଖିଲେ ଉତ୍ସାହିତ ହୁଏ, ତୁମର ସାନ୍ନିଧ୍ୟ ପ୍ରେରଣା ଦିଏ…

 

–ଖାଲି ସେତିକି ?

 

–ଆହୁରି ଶୁଣିବା ପାଇଁ ମନହେଉଛି… ?

 

–ଶୁଣିବା ପାଇଁ ଭଲଲାଗେ ।

 

–ପରେ ଶୁଣିବ । ବର୍ତ୍ତମାନ କିଛି ଖାଇବା–ପିଇବାର ବ୍ୟବସ୍ଥା କର । ଭୋକ କରୁଚି ।

 

ସେକଥା ଭୁଲିଯାଇଥିଲା ଅନୁରାଗ । ରେସ୍ତୋରାଁରୁ ଫିସ୍ ଫ୍ରାଇ, ଚିକେନ୍ ରୋଷ୍ଟ୍, ବ୍ରେଡ଼୍ ଏଣ୍ଡ୍ ବଟର୍ ଏବଂ କଷ୍ଟାର୍ଡ଼ ପୁଡ଼ିଂ ଆଣିବା ପାଇଁ ଅର୍ଡ଼ର ପଠାଇ ଦେଇ ଆସି ଜୟା ପାଖରେ ବସି ତାର ଡାହାଣ ହାତଟି ଏପାଖ ସେପାଖ କଲା । ମନକୁମନ କହିଲା–ଏଇ ସାଧରଣ ନରମ ହାତ ଖଣ୍ଡକର ଅସାଧାରଣ କୃତିତ୍ଵ ।

 

ଜୟା ସହିତ ଅନୁରାଗର ବନ୍ଧୁତ୍ଵ ଏଇ ପାଞ୍ଚ ବର୍ଷର । ତା ପୂର୍ବରୁ ଦୁହେଁ ଯେ ପରସ୍ପରର ଅପରିଚିତ ଥିଲେ, ତା ବି ନୁହେଁ । ପିଲାଦିନର ପରିଚୟରେ ସ୍ଵୀକୃତି ନ ଥିଲା । ପାଞ୍ଚବର୍ଷର ପରିଚୟଦ୍ଵାରା ଜୟା ସମସ୍ତଙ୍କୁ ପଛରେ ପକାଇ ତା ସହିତ କେବଳ ଆଗକୁ ଆସିଛି । ସେମାନଙ୍କର ଯାତ୍ରା ସୀମିତ ନୁହେଁ, କେଉଁଠି ଶେଷ ହୋଇଯିବାର ଲକ୍ଷ୍ୟ ବା ଆଶଙ୍କା ବି ନାହିଁ । ଅସରନ୍ତି ଯାତ୍ରାପଥରେ ଉଭୟେ ଏକାସାଙ୍ଗରେ ଯାତ୍ରା କରିବେ । ପରସ୍ପରର ଶ୍ରାନ୍ତି ଅପନୋଦନ କରି ଶାନ୍ତି ସ୍ଥାପନ କରିବେ । ପରସ୍ପରର ସର୍ବାଙ୍ଗରେ ଜମିଥିବା ଝାଳ, ଧୂଳି ଓ ମଳିକୁ ପୋଛିବେ ଏବଂ ଆବଶ୍ୟକ ହେଲେ ଭିନ୍ନ ମତ ପୋଷଣ କରି ବି ପରସ୍ପର ମଧ୍ୟରେ ଅଖଣ୍ଡ ସଂହତି ଓ ସମନ୍ଵୟ ରକ୍ଷା କରିବେ ।

 

ଜୟା ଅନେକ କଥା କହିପାରେ, ଅନୁରାଗ ସ୍ଵଭାବତଃ ସ୍ଵଳ୍ପଭାଷୀ; କିନ୍ତୁ ଏହା ଯେପରି ଭୟଙ୍କର ପରିପୂରକ, ବିରୋଧୀ ନୁହେଁ ।

 

ଅନୁରାଗ ଏ ସହରକୁ ବଦଳି ହୋଇ ଆସିଲାବେଳେ ଭାବିଥିଲା ଜୟା ହୁଏତ ଦଶଜଣଙ୍କ ପରି ସ୍ଵାଗତ କରିବ; କିନ୍ତୁ ତାର ଭୁଲ ଭାଙ୍ଗି ଜୟାର ଚିଠି ଆସିଲା–ତୁମର ଏ ବଦଳି ବିଧିପ୍ରେରିତ । ମୋଠାରୁ ଆଉ କିଏ ଏଥିରେ ବେଶୀ ଖୁସି ଏହା ମୁଁ ସ୍ଵୀକାର କରିବି ନାହିଁ ।

 

ମନଟା କୁଣ୍ଢେମୋଟ ହୋଇଯାଇଥିଲା ଅନୁରାଗର । ଭଲସ୍ଥାନ ଛାଡ଼ି ଗୋଟିଏ ଛୋଟ ସ୍ଥାନକୁ ଆସିଥିବାର ମାନସିକ ଅବସାଦ ହୂର ହୋଇଗଲା କ୍ଷଣକରେ । ସେ ଆସି ପହଞ୍ଚି ଟେଲିଫୋନ୍ କରି ଜୟାକୁ ଜଣାଇଲା–

 

–ମନେରଖିଚ ?

 

–ଏ କଥା ପଚାରି ପାରୁଚ ? ଉତ୍ତର ଦେଲା ଜୟା ।

 

–ନା ଏମିତି ପଚାରିଦେଲି ।

 

–ଏମିତି ପଚାରନ୍ତିନି ।

 

–ରାଗିଗଲ ?

 

–ସକାଳୁ ରଗାଇଲେ ରାଗିବିନି ?

 

–କେବେ ଦେଖାହବ ?

 

–ଆଜି ଆସ ।

 

–ମୁଁ ଯିବି ନା ତୁମେ ଆସିବ ?

 

–ଯିମିତି କହିବ ।

 

–ତମେ ଆସ ।

 

–ବରଂ ନୂଆ ହୋଇ ଆସିଛ, ଆଜି ତୁମେ ଆସ, ଖାଇବାବେଳକୁ ମୁଁ ବାଟ ଚାହିଁ ବସିଥିବି ।

 

–ଯିବି ।

 

–ନିଶ୍ଚୟ ।

 

–ହଁ ନିଶ୍ଚୟ ।

 

ତା’ପରେ ଅନୁରାଗ ତାଙ୍କ ଘରକୁ ଯାଇଥିଲା । ଭାତ, ପାଞ୍ଚ ପ୍ରକାର ତରକାରି ସହିତ ଗରମ ଇଲିସି ମାଛ ଭଜା ଖାଇ ଜୟାର ପ୍ରଶଂସାରେ ପଞ୍ଚମୁଖ ହୋଇଉଠିଲା । ଖାଇଲାବେଳେ ସେଦିନ ଜୟା ପଚାରିଥିଲା–ମୋ କଥା ମନେପଡ଼ୁଥିଲା ?

 

ସେ ଉତ୍ତର ଦେଇଥିଲା–ତୁମ କଥା ଭୁଲିଯିବି ଆଶଙ୍କା କରୁଥିଲ ? ତୁମ କଥା ଯେଉଁଦିନ ଭୁଲିଯିବି, ସେ’ଦିନ ଆସିବା ପାଇଁ ବହୁତ ବିଳମ୍ଵ ଅଛି ।

 

ଜୟା ରାଗିଗଲା ଏଇ ଅଲକ୍ଷଣା କଥା ଶୁଣି ।

 

ଟେବୁଲ ଉପରେ ଖାଦ୍ୟ ପରଷି ଦେଇଗଲା ଚାକର ।

 

ଜୟାକୁ ବସାଇ ତା ସାମ୍ନାରେ ବସିଲା ସେ ନିଜେ । ମାଛଭଜାରୁ ଖଣ୍ଡେ ପାଟିରେ ଜାକି ଜୟା କାନ୍ଧରୁ ଖସିପଡ଼ୁଥିବା ଆବରଣକୁ ସଜାଡ଼ିଦେଇ କହିଲା–ନିଶ୍ଚିନ୍ତରେ ଥାଅ । ଭଲ ଲାଗୁଛି ?

 

–ତୁମେ ଛୁଇଁଦେଲ । ଏଥର ସବୁ ଭଲଲାଗିବ ।

 

–ବିହ୍ଵଳ ଚିତ୍ତରେ ଚାହିଁରହିଲା ଅନୁରାଗ ।

 

ସକାଳର ମଲ୍ଲୀଫୁଲ ପରି ପୁଲକିତ ଦିଶୁଥିଲା ଜୟା ।

 

ଜୟା ସୁସାହିତ୍ୟିକା, ପ୍ରଖ୍ୟାତ ଗଳ୍ପଲେଖିକା । ତାର କ୍ଷୁଦ୍ରଗଳ୍ପ ଏବେ ଉଚ୍ଚ ପ୍ରଶଂସିତ ଏବଂ ସାହିତ୍ୟ ଆକାଡେମୀ ମଧ୍ୟ ତାହା ସ୍ଵୀକାର କରି ତାକୁ ଶ୍ରେଷ୍ଠ ଗଳ୍ପ ପାଇଁ ବାର୍ଷିକ ପୁରସ୍କାର ଦେଇଛନ୍ତି । ଏତେ ବଡ଼ ଜଣେ ଲେଖିକା ଯେ ତାର ବାନ୍ଧବୀ ଏଥିପାଇଁ ଗର୍ବ ହୁଏ ମନରେ ଅନୁରାଗର । ସେ ସିନା ଲେଖିପାରୁନାହିଁ, ତାର ନିକଟତମ ଆଉ ଜଣେ ଏତେ ଲେଖିପାରୁଛି ତ ! ଅନୁରାଗ ଯେଉଁଦିନ ସାହିତ୍ୟ ଏକାଡେମୀର ପୁରସ୍କାର କଥା ପ୍ରଥମେ ଆଞ୍ଚଳିକ ସମ୍ଵାଦରୁ ଶୁଣିଲେ, ନିଜେ ଦୁଇ ଇଞ୍ଚ ଅଧିକ ଉଚ୍ଚ ହୋଇଯିବାପରି ଅନୁଭବ କଲା ଏବଂ ସଙ୍ଗେ ସଙ୍ଗେ ପଚିଶ ଟଙ୍କାର ମିଠା କିଣିଆଣି ପାଖ ପଡ଼ୋଶୀମାନଙ୍କର ପିଲାମାନଙ୍କ ମଧ୍ୟରେ ବିତରଣ କଲା । ଜଣେ ପ୍ରୌଢ଼ା ସ୍ନେହଶୀଳ ଭଦ୍ରମହିଳା ଆସି ପଚାରିଲେ: ମିଠେଇ ବାଣ୍ଟୁଛ ଯେ….ବାହାହବ ଏଥର ?

 

ହସିଦେଇ କହିଥିଲା ଅନୁରାଗ–ସେ ସମୟ ଆଉ ନାହିଁ ଭାଉଜ !

 

ଅନୁରାଗ ସମୟ ଅନୁସାରେ ବିବାହ କରିପାରିଲା ନାହିଁ । ତେଣେ ଜୟା ବିବାହ ପରେ ଚେଷ୍ଟାକରି ମଧ୍ୟ ବୈବାହିକ ଜୀବନରେ ଜୟୀ ହୋଇପାରିଲା ନାହିଁ । ସାହିତ୍ୟ ସୂତ୍ରରେ ଦିହିଁଙ୍କ ମଧ୍ୟରେ ବନ୍ଧୁତ୍ଵର ଆରମ୍ଭ, କିନ୍ତୁ ଏବେ ତାହା ସାହିତ୍ୟର ଚାରିସୀମାକୁ ଅତିକ୍ରମ କରି ଜୀବନକୁ ସବୁଆଡ଼ୁ ଆବୋରି ରଖିଛି । ବନ୍ଧୁତ୍ଵର ସ୍ଵାଦ ଏତେ ବେଶୀ ବୋଲି କ୍ଷୟଶୀଳ ଶରୀରରେ ଏଇ ପ୍ରଥମ ଜାଣିଲା ଅନୁରାଗ । ଜୟା ବି କମ୍ ଖୁସି ହୁଏ ତାକୁ ଦେଖିଲେ ! ତାର ବାନ୍ଧବୀ ବୋଲି ସେ ଗର୍ବ କରେ, ଗୌରବ ବୋଲି କହେ । ଲୁଚାଛପା ନୁହେଁ, ସେଦିନ ରବିବାସରୀୟ ସାହିତ୍ୟ ସଭାରେ ଦମ୍ଭ ସହିତ ଘୋଷଣା କରିଦେଲା–ଅନୁରାଗ ମୋର କେବଳ ଜଣେ ବନ୍ଧୁ ନୁହନ୍ତି, ମୁଁ ତାଙ୍କର ଅନୁରାଗିଣୀ । ସେ ମୋତେ ଉତ୍ସାହ ଦିଅନ୍ତି, ଅନୁପ୍ରାଣିତ କରନ୍ତି । ତାଙ୍କ ସହିତ ଅନ୍ୟ କାହାର ତୁଳନା ହୋଇପାରେନା ।

 

ସମସ୍ତେ ଆବାକ୍ ହୋଇ ଶୁଣୁଥିଲେ ଏହି ଅପ୍ରିୟ ସତ୍ୟର ପ୍ରକାଶିତ ବିବରଣ ।

 

ଚିକେନ୍ ରୋଷ୍ଟରୁ ଟିକେ ପାଟିରେ ପୂରାଇ କହିଲା ଜୟା–ତୁମେ ଏତେ ଦିନ ମନେପକାଉନଥିଲ କାହିଁକି ?

 

–ବ୍ୟସ୍ତ ଥିଲି ।

 

–ଏତେ ବ୍ୟସ୍ତ ଯେ ଆସି ନପାରିଲେ ବି ଫୋନ୍‍ କରିବାପାଇଁ ମଧ୍ୟ ଭୁଲିଗଲ ?

 

–ଫୋନ୍ରେ ଟ୍ୟାପ୍ ହୁଏ ଆଜିକାଲି । ସବୁ କଥା କହିହୁଏନା ।

 

–ମୁଁ ଭୟ କରେନା । ଟ୍ୟାପ୍ ହେଉ । ଯାହା କୁହାଯାଏନା, ତାହା ଶୁଣିବାର ଆଶଙ୍କା କରିବା ବି ବୃଥା ।

 

–ତଥାପି ଏକ୍ସଚେଞ୍ଜର ଲେଡି ଅପରେଟର ଖୁବ୍‍ କରିତ୍‍କର୍ମା ।

 

–ତମ ପଛରେ ବି ଦିନାକେତେ ଗୋଡ଼େଇଥିଲା ।

 

–ହିଂସା ହେଲାନି ? ହସି ହସି କହିଲା ଅନୁରାଗ ।

 

–ମୁହଁ ଗମ୍ଭୀର କରିଦେଲା ଜୟା ।

 

–କାହିଁକି ନହେବ ? ମୁଁ ତମ ପଛେ ପଛେ ଗୋଡ଼ାଉଛି, ଆଉ ତମେ ଅନ୍ୟର ଅନୁସରଣ କରିବ–ବାଃରେ !

 

–ମୁଁ ତ ଗୋଡ଼ଉନି !

 

–ଗୋଡ଼େଇ ଥାଅନ୍ତ ମୁଁ ନଥିଲେ ।

 

–ମାନୁଛି । ଏବେ ଭଲକରି ଖାଅ ତ ଟିକେ, ପରେ ନହେଲେ କହିବ ଭୋକରେ ଫେରାଇଦେଲି ବୋଲି ।

 

ଅନୁରାଗ ଉପରେ ଝଲକାଏ ଅନୁରଞ୍ଜିତ ଚାହାଣି ଲେପିଦେଇ କହିଲା ଜୟା–ଖାଲି ଖାଇଲେ କି ଭୋକ ମରେ ?

 

ଜୟାର ହାତକୁ ଖେଳାଉଥିଲାବେଳେ ଏଇ ଭୋକର ପରଶ ପାଇଥିଲା ଅନୁରାଗ । କୋମଳ, ରକ୍ତିମ ହାତ ଭିତରେ ଏତେ ଉତ୍ତାପ ଠୁଳ ହୋଇଥାଏ, ଏହା ସେ ଜାଣିନଥିଲା ।

 

ଅନୁରାଗ ଜୟା ମୁହଁକୁ ଚାହିଁଲା । ଟିକିଏ ରହିଯାଇ କହିଲା–ତୁମେ ଆଜି ବେଶ୍ ସୁନ୍ଦର ଦିଶୁଛ ।

 

–କଥାର ମୋଡ଼ ଭାଙ୍ଗିବା ପାଇଁ ଚେଷ୍ଟାକରୁଛ ନା ?

 

ସିଧାସଳଖ ପଚାରିଦେଲା ଜୟା ।

 

ଲାଜେଇ ଗଲା ଅନୁରାଗ । ସେ ଏଇ କଥା ବାରମ୍ବାର ଏଡ଼ିଯାଇଛି ଅତୀତରେ, ଆଜି ବି ଚାହୁଁଥିଲା ଏଡ଼ିଯିବା ପାଇଁ । ବାନ୍ଧବୀର ବନ୍ଧନ ଅବାରିତ, ଅକୁଣ୍ଠିତ ହୃଦୟର ସୁରଭିବୋଳା ଶତ ସୁରଭିଛୁଆଁ ଫୁଲମାଳ । ସେଠାରେ ସଂପୂର୍ଣ୍ଣତା… ସନ୍ତୋଷ ।

 

ତାକୁ କ୍ଷୟ କରିଦେବ ଅନୁରାଗ ?

 

ଜୟା କହିଲା–ମୁଁ ଗୋଟେ ସିଧା ପ୍ରଶ୍ନ ପଚାରୁଛି । ତାହାର ଗୋଟେ ସିଧା ଉତ୍ତର ପ୍ରତ୍ୟାଶା କରେ ଅନୁ !

 

–ପରେ ଶୁଣିଲେ ହବନି ?

 

–ନା, ଆଜି ଏଇକ୍ଷଣି ଶୁଣିବା ପାଇଁ ଚାହେଁ ।

 

–କିଛି ସମୟ ଭାବିଲା ଅନୁରାଗ ।

 

ଜୟା ଏପରି ଜିଦ୍ କରେ । କଲିକତାର ଏକ ସାହିତ୍ୟ ସମ୍ମିଳନୀରେ ତାକୁ ପ୍ରଥମ ବକ୍ତାଭାବରେ ସ୍ଥାନ ନଦେଇ ତା ନାମ ପଛକୁ ରଖିବାରୁ ଜୟା ତୀବ୍ର ପ୍ରତିବାଦ କରି କହିଥିଲେ–ଅନୁରାଗବାବୁ ପ୍ରଥମେ ନ କହିଲେ, ମୁଁ ମଧ୍ୟ ପ୍ରଥମେ ଗଳ୍ପ ପଢ଼ିବାପାଇଁ ପ୍ରସ୍ତୁତ ନୁହେଁ ।

 

କେତେକଙ୍କ କାନକୁ ଟିକିଏ ଅପ୍ରୀତିକର ଶୁଣାଯାଇଥିଲା କଥାଟା । କିନ୍ତୁ କହିଦେଇ ଚୁପ୍ ହୋଇ ବସି ନରହି ତାକୁ କାର୍ଯ୍ୟରେ ପରିଣତ କରିବାପାଇଁ ପ୍ରବଳ ଉଦ୍ୟମ ମଧ୍ୟ କରିଥିଲା ସେ ।

 

ଆଜି ସେହି ଜୟା ତା ପାଖରୁ ପ୍ରତିଶ୍ରୁତି ଚାହେଁ ।

 

‘ପ୍ରତିଶ୍ରୁତିର ପ୍ରତିଲିପି ଲେଖିକା ହୋଇ ବି ଏଯାଏଁ ପଢ଼ିପାରିଲା ନାହିଁ ଜୟା । ଭାବୁଭାବୁ ଗୁଣୁଗୁଣୁ ହୋଇ ମନକୁମନ କହିଲା ଅନୁରାଗ । ତା’ପରେ ଅନ୍ତରର ସମସ୍ତ ଅନୁଭୂତିକୁ ଆହୁରି ମଧୁର ଓ ଆନନ୍ଦସିକ୍ତ କରିବାପାଇଁ ସେ କହିଲେ–ତୁମ ସହିତ ମୁଁ ଏକମତ ।

 

ଜୟା ଖାଇବା ଶେଷ ନକରି ଉଠି ଆସି ଅନୁରାଗର କାନ୍ଧ ଉପରେ ନଇଁପଡ଼ି ତାର କାନ ପାଖରେ କହିଲା–ଭଲପାଅ, ଅନ୍ତର ନିଃଶେଷ କରି କେବଳ ଭଲପାଅ ଅନୁ ?

 

ଆଉ ଖାଇପାରିଲା ନାହିଁ ଅନୁରାଗ । ତାର ପେଟ ପୂରିଯାଇଥିଲା ।

☆☆☆

 

Unknown

ଅସତର୍କ ମୁହୂର୍ତ୍ତ

 

ପରାଶରକୁ ଦେଖିଲେ କୌଣସି କାରଣ ନଥାଇ ବି କାଳେ କଅଣ ପଚାରି ଦେବ ବୋଲି ଶଙ୍କା ହୁଏ କୃଷ୍ଣାର ମନରେ । ବାହା ହେବାର ଚାରି ବର୍ଷ ଅତୀତ ହୋଇ ଯାଇଥିଲେ ବି ଏଇ ଆଶଙ୍କା ଯାଉ ନାହିଁ ମନରୁ, ବରଂ ମନ ଭିତରେ ଶଙ୍କା ସୃଷ୍ଟି କରେ । ପରାଶର ଦିନେହେଲେ ତାକୁ ସନ୍ଦେହ କଲାଭଳି କୌଣସି କଥା କହି ନାହିଁ କି କୌଣସି ଆଚରଣ ଦେଖାଇ ନାହିଁ । ତା’ ଆଗରେ ସେ ଫୁଟିଥିବା ଫୁଲ ପରି ନିର୍ମଳ । ତାକୁ ଦେଖିଲେ ଯେ କୌଣସି ବ୍ୟକ୍ତିର ମନରେ ସରସତା ଜାତ ହୁଏ । ସଦା ପ୍ରସନ୍ନ ମୁହଁର ଦିପ୍ତ ଆପେ ଆପେ ଛୁଏଁ ମନକୁ । ତା’ ଓଠ ଉପରେ ଝୁଲୁଥିବା ହସ ଟିକକ ସଂକ୍ରାମକ, ତା’ ସମ୍ପର୍କରେ ଯିଏ ଆସେ ତାକୁ ସେଥିରୁ ଯେପରି ଭାଗ ଦିଏ ପରାଶର । ଏପରି ସ୍ଵାମୀ ପାଇବା ଯେ ଦୁର୍ଲଭ ଏହା ମନରେ ପ୍ରାୟ ସ୍ଥିର କରି ନେଇଚି କୃଷ୍ଣା; କିନ୍ତୁ ପରାଶରକୁ ବାହା ହୋଇ ସେ ଯେତିକି ସୁଖରେ ରହିବା କଥା ତାହା ହୋଇନାହିଁ, ମନ ଯେମିତି ସ୍ଥିର ଓ ଶାନ୍ତ ହବା କଥା, ତାହା ବି ହୋଇନାହିଁ । କାହିଁକି ଯେ ଏପରି ହେଲା ସେ ବୁଝିପାରେ ନାହିଁ-। ପରାଶର ତା ପାଖକୁ ଆସିବାବେଳେ ସଦାପ୍ରସନ୍ନ, ପ୍ରସ୍ଫୁଟିତ ଫୁଲ ପରି ମୁକୁଳିତ-। ତା’ର ହୃଦୟର ଦ୍ଵାର ଯେପରି କୃଷ୍ଣା ପାଇଁ ସର୍ବଦା ଉନ୍ମୁକ୍ତ, ତାର ପ୍ରବେଶପଥ ଅବାରିତ, ସେ କୃଷ୍ଣାକୁ ଆଦର କରିବା ବେଳେ ବନ୍ୟାପରି ଲୋଟିପଡ଼ି କୁହେ, ଜୀବନର ସବୁ ଯନ୍ତ୍ରଣା ଧୋଇ ହୋଇଯାଏ ପ୍ରେମର ବିନିମୟରେ, ସବୁ ଆଶା ବହ୍ନିମାନ୍ ହୋଇ ଶକ୍ତି ସଞ୍ଚାର କରେ ହୃଦୟରେ, ଶଙ୍କା ବା ଆଶଙ୍କା ନାହିଁ, କେବଳ ଜୀବନର ଜୁଆରରେ ଭାସିଯିବାର ଆନନ୍ଦ । ପରାଶର କୁହେ ଯେ ଜୀବନକୁ ବିଶ୍ଵାସ କରି ଶିଖିଲେ, ଅବିଶ୍ଵାସର ପ୍ରଶ୍ନ ଉଠେ ନାହିଁ । ଆଉ ଭଲପାଇବା-? ତା’ର ଭାଷାରେ ଭଲପାଇବା ଗୋଟିଏ ଉନ୍ମୁକ୍ତ କବିତା ପରି, ଏଥିରେ ଗୋପନୀୟ ବୋଲି କିଛି ରହି ନପାରେ, ସଙ୍କେତର ଏଥିରେ ସ୍ଥାନ ନାହିଁ, ଏହା ସଦା ପବିତ୍ର ।

 

ଏଇ ଭଲ ପାଇବାର କଥା ସେ ଯେତେବେଳେ ଉଠାଏ ସେତିକିବେଳେ ସଙ୍କୁଚିତ ହୋଇଯାଏ କୃଷ୍ଣା । ଛାତି ତଳର ସ୍ପନ୍ଦନ ଦ୍ରୁତତର ହୁଏ । ଛାତିଟା ଧଡ଼ପଡ଼ କରେ, ସେତେବେଳେ ନିଜ ହୃତ୍‍ପିଣ୍ଡର ଶବ୍ଦ ନିଜ କାନକୁ କେବଳ ଶୁଣାଯାଏ ନାହିଁ, ଆଉ କେହି ଯଦି କାନ ଡେରନ୍ତା ତାହେଲେ ବୋଧହୁଏ ସେ ବି ଶୁଣିବାକୁ ପାଆନ୍ତା । ସେଥିପାଇଁ କୃଷ୍ଣା ପରାଶରର ବାହୁବନ୍ଧନ ଭିତରକୁ ଆସି ପୁଣି ଅସ୍ଥିର ହୋଇ ମୁକୁଳି ଯିବା ପାଇଁ ସୁଯୋଗ ଖୋଜେ ଏବଂ ଟିକେ ସୁଯୋଗ ପାଇଲେ ଖସି ଯାଇ ନିଜର ଆଶଙ୍କାକୁ ଗୋପନ କରି ରଖିବାକୁ ଯାଇ କୁହେ: ତୁମେ ବଡ଼ ଦୃଷ୍ଟ ହୋଇ ଯାଉଛ… ଦିନକୁଦିନ ପିଲାଳିଆମି ବଢ଼ୁଛି ଯେପରି । ପରାଶର ସବୁ ରହସ୍ୟ ଜାଣିଯିବା ପରି କୁହେ: ମୁଁ ଜାଣେ ଯେ ତୁମେ କାହିଁକି ନିକଟକୁ ଆସି ଦୂରେଇ ଯାଉଛ ! ସେଇ କଥା ଶୁଣି ପଳେଇଯାଏ କୃଷ୍ଣା, ଭୟରେ ସର୍ବାଙ୍ଗ ଶିଥିଳ ହୋଇ ଆସେ, ପାଦ ଟଳମଳ ହୁଏ, ମଥାଟା ବୁଲାଇଦିଏ । ସେ ପଡ଼ିଯିବା ଆଗରୁ ତାକୁ ଧରି ନେଇ ତାହାରି କାନ ପାଖରେ କୁହେ ପରାଶର–ମୁଁ ଯାହା ଜାଣେ କହିବି ? କିଛି କହି ନ ପାରି ମୂକ ପରି ରହିଯାଏ କୃଷ୍ଣା । ସେ କୁହେ–ମୌନମ୍ ସମ୍ମତି ଲକ୍ଷଣଂ । ମୌନ ରହି ସମ୍ମତି ଜଣାଇବା ନାରୀର ଭୂଷଣ । ଶୁଣ ତାହାଲେ… । ଛାତି ତଳର ସ୍ପନ୍ଦନ କାନ୍ଥ ଘଣ୍ଟାର ଟିକ୍‍ଟିକ୍ ଶବ୍ଦଠାରୁ ଆହୁରି ସ୍ପଷ୍ଟ ହୋଇଯାଏ । କାଳେ ପରାଶର ସେଇ ଶବ୍ଦ ଶୁଣି ପାରିବ ବା ତା’ର ନାଡ଼ିର ଗତି ଜାଣି ପାରିବ ସେଇ ଭୟରେ ମୁହଁ ତଳକୁ କରି ନିସ୍ପନ୍ଦ ଭାବରେ ପଡ଼ିରହେ କୃଷ୍ଣା । ତାକୁ ନିବିଡ଼ ଭାବରେ ଆଲିଙ୍ଗନ କରି କୁହେ ପରାଶର: ତୁମେ ହିଁ ତୁମର ପ୍ରକାଶ, ତୁମର ବିକଳ୍ପ ହୋଇ ପାରେ ନା ।

 

ପରାଶରକୁ ବାହାହବା ପୂର୍ବରୁ ସେ ତାକୁ ଦେଖି ନଥିଲା କି ଜାଣି ନଥିଲା । ଦିନେ ହଠାତ୍ ଭାଇ ଆସି କହିଲେ ପରାଶରର କଥା ଏବଂ ସଙ୍ଗେ ସଙ୍ଗେ ପ୍ରସ୍ତାବ କଲେ କୃଷ୍ଣା ସହିତ ତାର ବିବାହ । ଘରେ ଆଉ କାହାରି କିଛି ଆପତ୍ତି ନ କରିବାର କଥା, ସୁପାତ୍ର କହିଲେ ଯାହା ବୁଝାଏ ପରାଶର ସେୟା । ପ୍ରବୀଣ ପାଖରୁ ଅନେକ ପ୍ରତିଶ୍ରୁତି ପାଇଥାଏ ବୋଲି ଆଉ କାହାରି ଉପରେ ପ୍ରତ୍ୟୟ ହଉ ନ ଥାଏ ତାର । ପ୍ରବୀଣ ତାକୁ ପ୍ରାଣସଙ୍ଗିନୀ କରିବା ପାଇଁ କୌଣସି ସର୍ତ୍ତ ରଖି ନଥିଲା । କେବଳ ଉଭୟ ଉଭୟଙ୍କର ପରିପୂରକ । ‘ମୋ କଥାରେ ବିଶ୍ଵାସ କର; ମୁଁ କେବଳ ଏକାନ୍ତ ଭାବେ ତୁମର ।’ ତାର କଥାକୁ ବିଶ୍ଵାସ କରିଥିଲା କୃଷ୍ଣା । ଆଇସ୍କ୍ରିମ ବା ଭଲ ହୋଟେଲରେ ଡିନର ଖୁଆଇବା ନିମନ୍ତେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ପ୍ରବୀଣ ତାହା ପୂର୍ଣ୍ଣ କରିଥିଲେ ବି ନବବଧୂର ବେଶରେ ସଜାଇବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂର୍ଣ୍ଣ କରିବାର କୌଣସି ସଙ୍କଳ୍ପ ତା ଆଖିରେ ନ ଦେଖି, ପରାଶର ସହିତ ବିବାହ ପ୍ରସ୍ତାବରେ ରାଜି ହୋଇଯାଇଥିଲା କୃଷ୍ଣା । ପ୍ରବୀଣ ଯେତିକିରେ ରହିଲା ସେତିକିରେ ତାକୁ ଛାଡ଼ି ଦେଇ ଯେଉଁଦିନ ପରାଶର ଘରକୁ ନବବଧୂ ହୋଇ ଯିବ ବୋଲି ସମ୍ମତି ଜଣାଇଦେଲା ସେଦିନ ବର୍ଷା ବାଦଲ ହେଲା ନାହିଁ, ଝଡ଼ଝଞ୍ଜା ବହିଲା ନାହିଁ ବା ମହୋଦଧିର ଜଳ ସ୍ଥଳଭାଗ ଉପରକୁ ମାଡ଼ି ଆସିଲା ନାହିଁ । ଅନ୍ୟାନ୍ୟ ଅନେକ ଗତାନୁଗତିକ ଘଟଣା ପରି ଇଏ ବି ଥିଲା ଗୋଟିଏ ଘଟଣା; କିନ୍ତୁ ଏପରି ଏକ ସଧାରଣ ଘଟଣାକୁ ଅସାଧାରଣ କରିବା ପାଇଁ ପରାଶର ଦିନେ ତାକୁ ଦେଖିବା ପାଇଁ ଚାଲିଆସି କହିଲା–ବିବାହ ନକରି ମଧ୍ୟ ସ୍ଵାମୀ ସ୍ତ୍ରୀ ହେବାରେ ବାଧା ନାହିଁ; କିନ୍ତୁ ବିବାହଟା ତ ସାଧାରଣ ଘଟଣା ନୁହେଁ, ରୋମାଞ୍ଚ ଥରେ ଆସେ ଜୀବନରେ । ସମୟ ହଠାତ୍ ସମ୍ଭାବନାରେ ଢେଉ ତୋଳି କୁହେଁ, ମୁଁ ଆସିଛି, ମୁଁ ପାଖରେ ଅଛି । ସମ୍ଭାବନା ନଥିବା ଜୀବନଟା ଦୈନ୍ୟର । ସେଥିପାଇଁ ସମ୍ଭାବନାକୁ ଶୋଷଣ କରିବା ପାଇଁ ମୁଁ ଚାହେଁ ବିବାହ, ଦ୍ଵିଧା ନାହିଁ, ଦ୍ଵନ୍ଦ୍ଵ ନାହିଁ । ଆଉ ତୁମେ ?

 

ସେଦିନ ସେହି ପ୍ରଶ୍ନଟି ଶୁଣି ଚମକି ପଡ଼ିଥଲା କୃଷ୍ଣା । ଚମକି ପଡ଼ିବା ଭଳି ପ୍ରଶ୍ନଟିଏ । ଦ୍ଵିଧାହୀନ ଦ୍ଵନ୍ଦ୍ଵହୀନ ଚିତ୍ତରେ ସେ ପରାଶରକୁ ଗ୍ରହଣ କରିବ କି ନାହିଁ ତାହା ହିଁ ଥିଲା ତାର ପ୍ରଶ୍ନ । ହୁଏତ ପ୍ରବୀଣ ସହିତ ତାର ଗୋପନ ସମ୍ପର୍କ ବିଷୟରେ ସେ ସବୁ ଜାଣେ, ନୋହିଲେ ଏଇ ପ୍ରଶ୍ନ ଉଠାନ୍ତା ବା କାହିଁକି ? ସେଥିପାଇଁ ପ୍ରବୀଣ ଏଇ ଘରର ବନ୍ଧୁ ହୋଇ ଆସୁଥିବାର ଶୁଣି ସେଦିନ ଡରି ଡରି ଅନ୍ୟ ପ୍ରସଙ୍ଗକୁ ଚାଲିଯାଇଥିଲା କୃଷ୍ଣା, ଆଜି ଯେପରି ଡରି ଡରି ସେ ପରାଶରକୁ କହିଲା–ତୁମର ସାଙ୍ଗ ଆସୁ କି ନ ଆସୁ, ଯାହାକୁ କହିବ ତାକୁ ସଙ୍ଖୋଳି ନବା ମୋର କର୍ତ୍ତବ୍ୟ । ମୁଁ ମନା କରିବି କାହିଁକି ?

 

କିନ୍ତୁ ମନା ନ କରିବାର ପ୍ରଶ୍ନବାଚକ ଉତ୍ତରଟିରେ ମନା କରିବାର ଏତେ ଅର୍ଥ ଥାଇପାରେ ବୋଲି କୌଣସି ଅର୍ଥାନ୍ତର ନକରି ପରାଶର କହିଲା–ପ୍ରବୀଣ ମୋର ବାଲ୍ୟବନ୍ଧୁ । ଷୋହଳ ବର୍ଷ ପର୍ଯ୍ୟନ୍ତ ଏକା ସ୍କୁଲରେ ପଢ଼ୁଛୁ, ଏକା ମଇଦାନରେ ଖେଳିଛୁ । ତାକୁ ମନା କରି ପାରିବି ନାହିଁ, ତୁମର ହୁଏତ ଟିକେ ଅସୁବିଧା ହୋଇପାରେ, କିନ୍ତୁ ମୁଁ ନାଚାର, ନିରୂପାୟ । ମୋର ଯଦି ଟିକେ ଅସୁବିଧା ହୁଏ ମୁଁ କିଛି ମନେ କରିବି ନାହିଁ; କିନ୍ତୁ ପ୍ରବୀଣର କିଛି ଅସୁବିଧା ନ ହୁଏ ଯେପରି । ଏତିକି ପାରିବନି ?

 

କାହିଁକି ଯେ ସବୁବେଳେ ଉତ୍ତର ଦେଇପାରୁନଥିବା ପ୍ରଶ୍ନଗୁଡ଼ାକ ପଚାରେ ପରାଶର ତାହା ବୁଝିପାରେ ନାହିଁ କୃଷ୍ଣା । ସେ ହୁଏତ ତା ସମ୍ପର୍କରେ ଏପରି କିଛି ଜାଣେ ଯାହା ଅନ୍ୟ କେହି ଜାଣି ନଥାନ୍ତି ଏବଂ ସେ ଜାଣି ସୁଦ୍ଧା କିଛି ନ ଜାଣିବାର ଭଙ୍ଗୀ କରେ କାଳେ ସେଇ ନଜାଣିବା କଥାଟି ଜାଣି ଯାଇଛି ବୋଲି ସଂଶୟ ହୁଏ କୃଷ୍ଣାର ମନରେ । ସେଥିପାଇଁ ଡାକ ପିଅନ ଚିଠି ନେଇ ଆସିଲେ ପରାଶର ଚିଠିନବା ପାଇଁ ଉଠି ବସିବା ଆଗରୁ ଦୂରୁ ଦୂରୁ ଛାତିରେ ତା ହାତରୁ ଚିଠି ନେଇ ହାତଲେଖାଗୁଡ଼ାକ ପଲକରେ ଦେଖି ନେଇ ତାପରେ ନିଶ୍ଚିନ୍ତ ହୋଇ ଚିଠିଗୁଡ଼ା ପରାଶର ହାତକୁ ବଢ଼େଇ ଦେଇ କୁହେ–ଏତେ ଗୁଡ଼ା ଚିଠି ସବୁ କିନ୍ତୁ ତୁମର । ମୋ ପାଖକୁ ଖଣ୍ଡେ ଚିଠି ଲେଖିବା ପାଇଁ ଲୋକ ନାହାନ୍ତି ।

 

ପରାଶର ସବ୍‍ଜାନତା ପରି ବିସ୍ମୟ ସୃଷ୍ଟି କରି କୁହେ–ଲୋକ ନିଶ୍ଚୟ ଅଛନ୍ତି କୃଷ୍ଣା; କିନ୍ତୁ ଚିଠି ଲେଖିବା ପାଇଁ ହୁଏତ ସମୟ ହୋଇ ନ ଥିବ… ।

 

କୃଷ୍ଣା ଚମକି ପଡ଼େ । ମୁହୂର୍ତ୍ତେ ଶେତା ପଡ଼ିଯାଏ ତାର ମୁହଁ । ନିଜକୁ ସଜାଡ଼ି ନବାର ଚେଷ୍ଟା କରି ଛାତି ତଳେ ଧଡ଼ପଡ଼ ହଉଥିବା ଉଦବେଗକୁ ଲୁଚାଇ ରଖିବାକୁ ଯାଇ ଶୁଖିଲା ମୁଁହରେ କୁହେ–ସମୟ ଅନେକ ଅଛି; କିନ୍ତୁ ଲୋକ ନାହାଁନ୍ତି ।

 

କଥା ବଢ଼ାଏ ନାହିଁ ପରାଶର । କୃଷ୍ଣା ଯାହା କୁହେ ତାହା ଯେପରି ଗ୍ରହଣ ଯୋଗ୍ୟ, ନିରାଟ ନିଛକ ସତକଥା । ପରାଶରର ପାଖରେ କୃଷ୍ଣା ଯେପରି ଗ୍ରହଣୀୟ ତାର କଥା ବି ସେହିପରି ଗ୍ରହଣଯୋଗ୍ୟ; କିନ୍ତୁ କଲେଜରେ ବିଜ୍ଞାନ ପଢ଼ାଉଥିବା ଲୋକଟି ଯେ ବୋକା ତାହା ମନେ ହୁଏନି କୃଷ୍ଣାର । ସେଥିପାଇଁ ଦିନେ ଦିନେ ପରାଶରର ଆଖି ଉପରେ ଆଖି ରଖି କୁହେ, ତୁମ ଦୃଷ୍ଟିରେ ଏତେ ଗଭୀରତା ଅଛି ଯେ ମୁଁ ଥଳକୂଳ ପାଉନାହିଁ । ଉପରେ ଦେଖିବାକୁ ତୁମେ ଜଣେ ସାଧାରଣ ମଣିଷ, କିନ୍ତୁ ଭିତରେ ତୁମର ଅସାଧାରଣତ୍ଵର ଦୀପ୍ତି ମୋତେ ବେଳେ ବେଳେ ଭୀତ କରେ ।

 

ପରାଶର କୁହେ: ମୋତେ ଭୟ କରିବ କାହିଁକି, ମୁଁ ବାଘ ନାଁ ଭାଲୁ ? ଆଉ ବାଘ ବା ଭାଲୁ ହେଲେ ବି ଭୟ କାହିଁକି କରିବ ? ମଣିଷ ନିର୍ଭୟ ନ ହେଲେ ମଣିଷତ୍ଵ ରହେ ନାହିଁ ବୋଲି କହିଛନ୍ତି ବିବେକାନନ୍ଦ । ତୁମେ ନିର୍ଭୟ ହୁଅ, ମନକୁ ସ୍ଥିର କର ।

 

ଉତ୍ତର ଦେଇ ନପାରି ପରାଶରର ରହସ୍ୟବୃତ୍ତ ବ୍ୟକ୍ତିତ୍ଵ ଆଗରେ ମୁଣ୍ଡ ନୁଆଁଇ ଦେଇ ଚା’ ଆଣିବା ପାଇଁ ଚାଲିଯାଏ କୃଷ୍ଣା; କିନ୍ତୁ ଆଜି କଥାଟାକୁ ଏଡ଼ିଦେଇ ସେ ଆଉ ଚା’ ଆଣିବା ପାଇଁ ଚାଲିଯାଇ ପାରିଲା ନାହିଁ । ପରାଶର ବାରମ୍ଵାର ତାହାରି ମୁହଁରୁ ଏକ ସରଳ ଉତ୍ତର ଜିଜ୍ଞାସା କରୁଥିଲା । ସେ କହିଲା, ପ୍ରବୀଣ ସହିତ ପନ୍ଦର ବର୍ଷପରେ ଏକା ସାଙ୍ଗରେ ରହିବାର ସୁଯୋଗ ମିଳିବ । ଏଇ ଦୀର୍ଘ ପନ୍ଦର ବର୍ଷର ବ୍ୟବଧାନ ଆମ ମଧ୍ୟରେ କୃତ୍ରିମ ଦୂରତ୍ଵ ସୃଷ୍ଟି କରିଛି ସତ୍ୟ, କିନ୍ତୁ ସେ ଦିଲ୍ଲୀରେ ଏବଂ ମୁଁ କଟକରେ ରହି ମଧ୍ୟ କୌଣସି ଦୂରତ୍ଵ ଅନୁଭବ କରି ନାହିଁ । ପାଞ୍ଚବର୍ଷ ତଳେ ଥରେ ପାଞ୍ଚ ମିନିଟ୍ ପାଇଁ ଦମ୍‍ଦମ୍ ଏଆରପୋର୍ଟରେ ଦେଖା ହୋଇଥିଲା, ତା’ ଆଗରୁ ଆଉ ତିନି ବର୍ଷ ତଳେ ବମ୍ଵେର ଗୋଟେ ଲିଟାରେରୀ ଓ୍ଵାର୍କସପରେ ତା’ ସହିତ ତିନିଦିନ କଟାଇଥିଲି ଏକା ସାଙ୍ଗରେ । ଆଉ ଦେଖା ହୋଇନି । ଦିଲ୍ଲୀ ଦୂର ନୁହେଁ, କିନ୍ତୁ ମୁଁ ଦିଲ୍ଲୀରେ ପହଞ୍ଚିବା ବେଳକୁ ସେ ଅନ୍ୟତ୍ର କାର୍ଯ୍ୟରତ ବା ସେ କଟକ ଆସିବା ବେଳେ ମୁଁ ଅନ୍ୟତ୍ର କାର୍ଯ୍ୟ ବ୍ୟସ୍ତ । ତେବେ ଗୋଟିଏ କଥା ସତ; ଦୁହେଁ ଦୁହିଁଙ୍କୁ ନଦେଖି ମଧ୍ୟ ଅନେକ ଦେଖିଛୁ, ଅନେକ ଶୁଣିଛୁ ।

 

ପରାଶର ପୁଣି କୃଷ୍ଣା ଆଗରେ ରହସ୍ୟ ହୋଇ ରହିଯାଏ ।

 

ଏତେ ଯଦି ଦେଖାଶୁଣା ଉଭୟଙ୍କ ମଧ୍ୟରେ ତାକୁ କହିବାର ପ୍ରୟୋଜନ ବା କଅଣ ? ସେ ଅନେକଙ୍କୁ ଥଟ୍ଟାକରେ, ପ୍ରବୀଣକୁ ମଧ୍ୟ କରିବ । ପ୍ରବୀଣର ବିଶେଷତ୍ଵଟିକ ସେ ତା ହେଲେ ଏଡ଼େ ଗମ୍ଭୀର ଭାବରେ କୁହେ କାହିଁକି ? କୃଷ୍ଣାର ମନେହୁଏ ଯେପରି ପ୍ରବୀଣ ଏବଂ ତା ମଧ୍ୟରେ ଥିବା ଅତୀତର ଗୋପନ ସମ୍ପର୍କ ସମ୍ବନ୍ଧରେ ସେ କିଛି ଜାଣେ, ହୁଏତ ଛିନ୍ନସୂତ୍ରକୁ ପୁଣି ସଂଯୋଗ କରିବାର ପ୍ରଚେଷ୍ଟା କରି ସେ ସଫଳ ବି ହୋଇପାରେ । ଯଦି ପରାଶର ଅତୀତର ପାଉଁଶ ତଳୁ ଅଗ୍ନିର ସନ୍ଧାନ କରିବାରେ ସଫଳ ହୁଏ ତା ହେଲେ କଅଣ କରିବ କୃଷ୍ଣା ? ନିଜକୁ ପ୍ରଶ୍ନଟା ପଚାରି ଦେଇ ପରାଶରଆଡ଼କୁ ଅନାଇ ଦିଏ, ପରାଶର ପଚାରେ କ’ଣ କହିବ କୁହ, ମୁଁ କିନ୍ତୁ ପ୍ରବୀଣ ପାଖକୁ ଟେଲିଗ୍ରାମ୍ କରି ଦେଇଛି ଆସିବା ପାଇଁ ।

 

ପ୍ରବୀଣର ନାମଟା ପରାଶର ମୁହଁରୁ ଶୁଣିଲେ ଚମକିପଡ଼େ କୃଷ୍ଣା । ସର୍ବାଙ୍ଗ ଶିଥିଳ ହୋଇଆସେ । ଗୋଟେ ଅଜଣା ଭୟ ତାକୁ ଥରାଇ ଦିଏ । ପରାଶର କଅଣ ଜାଣେ ସବୁ… ? ଏଇ ପ୍ରଶ୍ନଟା ମନକୁ ଅଥୟ କରେ, ଉତ୍କଣ୍ଠା ବଢ଼ାଏ । ତଥାପି ପରାଶର ମୁହଁରୁ ସେ ଟେଲିଗ୍ରାମ୍ ପଠାଇ ଥିବାର ଶୁଣି ଆଶ୍ଵସ୍ତିରେ ଦଣ୍ଡେ ରହିଯାଏ କୃଷ୍ଣା । ପ୍ରବୀଣେ ନାମକୁ ଶୁଣିଲେ ସେ ଯେପରି ଚଞ୍ଚଳ ହୋଇ ଉଠେ, ସର୍ବାଙ୍ଗରେ ଏକ ପୁଲକ ସଞ୍ଚରି ଯାଏ ସଂଗୋପନରେ । ପରାଶର ପାଖକୁ ନିଜର ଭାବକୁ ଲୁଚାଇ ରଖିବା ପାଇଁ କୁହେ କୃଷ୍ଣା–ମୋତେ ପଚାରି ତା ପରେ ଟେଲିଗ୍ରାମ୍ କରିଥିଲେ ହୋଇ ନଥାନ୍ତା, ସୁବିଧା ଅସୁବିଧା ଅଛି, ମୁଁ କେତେ ଦିନ ବାପାଙ୍କ ପାଖକୁ ଯିବି ବୋଲି ଭାବିଥିଲି । ପରାଶର କୁହେ–ନିଶ୍ଚୟ ଯିବ; କିନ୍ତୁ ଟିକେ ପରେ । ମୁଁ ଯେତେବେଳେ ଟେଲିଗ୍ରାମଟା ପଠାଇ ସାରିଛି ସେ ନିଶ୍ଚୟ ଆସି ପହଞ୍ଚିଯିବ । ଏଇ ସହରକୁ ଆସୁଛି ଯେତେବେଳେ ଆମ ସହିତ ନରହି ହୋଟେଲରେ ରହିବ ପ୍ରବୀଣ ।

 

ସେଇ ନାମଟା ବହୁ ଦିନରୁ ପୋଛିଦେବା ପାଇଁ ଚେଷ୍ଟା କରି ମଧ୍ୟ ପାରି ନଥିଲା କୃଷ୍ଣା । ବାହାର ଦୁନିଆରେ ପ୍ରବୀଣ ତାର କେହି ନୁହେଁ, ତା ସହିତ ତାର ପରିଚୟ ନାହିଁ, କିନ୍ତୁ ଅନ୍ତର ଭିତରେ ସେ ଜାଗା ମାଡ଼ି ବସିଛି ଅନ୍ତଃସ୍ଥଳକୁ ଆଲୋକିତ କରି । ତାକୁ ଭୁଲିଯିବା ପାଇଁ କଅଣ କମ୍ ଚେଷ୍ଟା କରିଛି କୃଷ୍ଣା; କିନ୍ତୁ ଯେତିକି ଭୁଲିଯିବା ପାଇଁ ଚେଷ୍ଟା କରିଛି ସେତିକି ତାର ସ୍ମୃତି ସଜାଗ ହୋଇ ଉଠିଛି ମନ ଭିତରେ । ସ୍ଵାମୀ ପାଖରେ ଥାଇ ମଧ୍ୟ କେବେ କିପରି ଉନ୍ମନା ହୋଇଗଲେ ସେ ଯେଉଁ ପୁଲକ ଅନୁଭବ କରେ ତାହା ବାସ୍ତବ ନ ହେଲେ ମଧ୍ୟ ପ୍ରବୀଣର, ଏହା କଅଣ ଅସ୍ଵୀକାର କରି ପାରିବ ? ପ୍ରବୀଣ ଭଲ ପାଇବା ପ୍ରଥମ ପରାଗ ବୋଲି, ଶିହରଣର ପ୍ରଥମ ଶିତ୍କାର ତୋଳି ଅପସରି ଯାଇଥିଲା ତା ପଥରୁ । ତାକୁ ବାନ୍ଧି ରଖିବା ପାଇଁ ସାଧ୍ୟ ନ ଥିଲା କୃଷ୍ଣାର । ସେ ପୁରୁଷ । ସେ ଯେତେବେଳେ ତାକୁ ଗୋଟେଇ ନେଇ ପାରିଲା ନାହିଁ । ନାରୀ ହୋଇ ପୁରୁଷର ସେହି କାମଟା ସେ କରି ପାରନ୍ତା କିପରି ?

 

ତଥାପି କୃଷ୍ଣାର ଅନୁତାପ ହୁଏ ଯେ ସେ କିଛି କରିପାରିଲା ନାହିଁ । ତା ଆଡ଼କୁ ପ୍ରସ୍ତାବ ଯାଇଥିଲେ ହୁଏତ ପ୍ରବୀଣ ଆଗେଇ ଆସି ଥାଆନ୍ତା । ଜଣେ ଜଣେ ପୁରୁଷ ଅଛନ୍ତି ଯେଉଁମାନେ ନାରୀ ମୁହଁରୁ ଶୁଣିବା ପାଇଁ ଚାହାନ୍ତି । ନିଜେ କେବେ ନିଜକଥା କହିପାରନ୍ତି ନାହିଁ । ହୁଏତ ପ୍ରବୀଣ ସେହିପରି ଜଣେ ।

 

ପରାଶର କୃଷ୍ଣା ପାଖରେ ବସିପଡ଼ି ପଚାରେ–ପ୍ରବୀଣକୁ ତୁମେ କେବେ ଦେଖିନ କୃଷ୍ଣା-। ଯେତେବେଳେ ଦେଖିବ ଜାଣିବ ସେ କେତେ ସୁନ୍ଦର, କେତେ ଭଦ୍ର । ବାହାରଟି ଯେପରି ଅନ୍ତରଟି ମଧ୍ୟ ସେହିପରି ସଦାବେଳେ ନିର୍ମଳ ।

 

କୃଷ୍ଣା ଅସହିଷ୍ଣୁ ହୋଇ କୁହେ–ହଁ ମ, ଅନେକ ଦେଖିଛି, ତୁମ ଆଖିରେ ଖରାପ ତ କେହି ନୁହେଁ । ପ୍ରବୀଣ ପାଇଁ ଯେପରି ତୁମେ ବ୍ୟାକୁଳ ହଉଛ, ମୋର ତ ମନେହୁଏ ସେ ପୁରୁଷ ନ ହୋଇ ନାରୀ ହୋଇଥିଲେ ତୁମେ ତାଙ୍କୁହିଁ ବାହା ହୋଇଥାଆନ୍ତ ।

 

ସେ ପୁରୁଷ, କିନ୍ତୁ ତାର ହୃଦୟ ନାରୀର ହୃଦୟ ପରି । ସ୍ପର୍ଶକାତର ଏବଂ ଭାବପ୍ରବଣ । ଅନୁରାଗ ରଞ୍ଜିତ ଅନ୍ତଃସ୍ଥଳ ।

 

ତା’ପରେ ପରାଶର ଚା’ କପେ କରିବା ପାଇଁ କହି କୃଷ୍ଣାକୁ କହେ ପିଲାଦିନର କଥା । ଖରାବେଳେ ହେଡ଼୍‍ମାଷ୍ଟରଙ୍କ ବଗିଚାକୁ ପିଜୁଳି ଚୋରି କରିବାଠାରୁ ସ୍କୁଲର ବାର୍ଷିକ ଉତ୍ସବରେ ସବୁ ପୁରସ୍କାରକୁ ଫାଷ୍ଟ ସେକେଣ୍ଡ ହୋଇ ଦୁହେଁ ପାଇବା ପର୍ଯ୍ୟନ୍ତ ସବୁ କଥା ବର୍ଣ୍ଣନା କରେ । ସେ କୁହେ: ମୁଁ ଯେପରି ସେ ବି ସେପରି । ଦେଖିବାକୁ ସିନା ତଫାତ୍, କିନ୍ତୁ ମନରେ ଧ୍ୟାନରେ ଆମେ ଏକାପରି । ଆମର ଚୁକ୍ତି ହୋଇଥିଲା ଯେ ମୁଁ ସବୁ ବିଷୟରେ ଫାଷ୍ଟ୍ ହେବି ନାହିଁ, ଭାଗ କରି ଦୁହେଁ ଫାଷ୍ଟ୍ ହେବା ତେଣୁ ଜାଣି ଜାଣି ମୁଁ ଅଙ୍କରେ ଫାଷ୍ଟ୍ ହବା ପାଇଁ ସବୁ ପ୍ରଶ୍ନର ନିର୍ଭୁଲ ଉତ୍ତର ଦେଇ, ଇଂରାଜୀରେ ଗୋଟେ ପ୍ରଶ୍ନର ଉତ୍ତର ଛାଡ଼ିଯାଏ, ଆଉ ସେ ବି ଠିକ୍ ସେହିପରି କରେ ଅପସ୍‍ନାଲରେ ସବୁ ଉତ୍ତର କରି ଭୂଗୋଳରେ ଗୋଟେ ପ୍ରଶ୍ନ ଛାଡ଼ିଯାଏ । ଗୋଟେ ଗୋଟେ ବିଷୟରେ ମୁଁ ଫାଷ୍ଟ୍ ତ ଅନ୍ୟଟିରେ ସେ । ଗୋଟେ ପରୀକ୍ଷାରେ ମୁଁ ସେକେଣ୍ଡ୍ ତ ଅନ୍ୟଟିରେ ସେ ସେକେଣ୍ଡ୍ ମୁଁ ଫାଷ୍ଟ୍ ।

 

କେବେ ଭୁଲ ହୋଇନି ଭାଗ ବାଣ୍ଟିବାରେ ? ପଚାରିଦିଏ କୃଷ୍ଣା ।

 

ପରାଶର ଉତ୍‍ଫୁଲ୍ଲିତ ହୋଇ କୁହେ–ନା, ନା, କେବେ ଭୁଲ୍ ହୋଇ ନାହିଁ, ଏବଂ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ଯେ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଦୁହେଁ ବ୍ରେକେଟେଡ୍ ଫାଷ୍ଟ ହୋଇଥିଲୁ ଓଡ଼ିଶାରେ । ତା’ପରେ ତା’ ବାପାଙ୍କ ବଦଳି ହେବା ଯୋଗୁଁ ନିରୂପାୟ ହୋଇ ସେ ପଢ଼ିଲା ବମ୍ଵେରେ ଏବଂ ମୁଁ ପଢ଼ିଲି କଟକରେ । ମଝିରେ ଆଉ ଦେଖା ସାକ୍ଷାତ ନାହିଁ, କେବଳ ପତ୍ରାଳାପ । ଅବଶ୍ୟ ସେ ପ୍ରତି ଚାରିମାସକୁ ଯେପରି ଗୋଟେ ଫଟୋ ପଠାଉଥାଏ, ମୁଁ ବି ସେପରି କରୁଥାଏ । ଦୁହେଁ ଦୁହିଁଙ୍କର ଶାରୀରିକ ଅଭିବୃଦ୍ଧିକୁ ଫଟୋରୁ ଦେଖୁ । ଚାକିରି କରିବା ପରେ ଯାଇ ହେଲା ମୁହାଁମୁହିଁ ଦେଖାସାକ୍ଷାତ ।

 

ଅଭିଭୂତ ହୋଇଯାଏ କୃଷ୍ଣା ।

 

ପ୍ରବୀଣ ପରାଶରଠାରୁ ବିଚ୍ଛିନ୍ନ ହୋଇଯିବା ପରେ ତା’ ସହିତ ତାର ସଂଯୋଗ ଆରମ୍ଭ ହୁଏ ବମ୍ଵେର ଆର୍ଟ କଲେଜରେ ପଢ଼ିବା ବେଳେ । ପ୍ରଥମ ପରିଚୟରୁ ପ୍ରଥମ ଚାରିବର୍ଷ କୃଷ୍ଣା ପଢ଼ିଥିଲା ଆର୍ଟ କଲେଜରେ । ଏଇ ଚାରିବର୍ଷ ଚାରିଶହ ବର୍ଷର ସ୍ପୁର୍ତ୍ତି ଆଣି ଦେଇଥିଲା ତାର ଦେହରେ ଓ ମନରେ ।

 

ପରାଶର ପାଖରେ ପ୍ରବୀଣ ସହିତ ତାର ପରିଚୟ ଆଉ ଗୋପନ ନ ରଖି କହି ଦବାକୁ ଇଚ୍ଛା ହୁଏ କୃଷ୍ଣାର । ପରେ ଯଦି ଜାଣିବ ପରାଶର ଯେ ସେମାନଙ୍କର ପରିଚୟ ବହୁ ପୂର୍ବର ତାହେଲେ ସନ୍ଦେହ ବି କରିପାରେ; କିନ୍ତୁ କୃଷ୍ଣା କିଛି କହି ପାରେ ନାହିଁ ନିର୍ଦ୍ଦିଷ୍ଟ ଭାବରେ, ବରଂ ଥରେ ଅନିଶ୍ଚୟତା ସୃଷ୍ଟି କରିବା ପାଇଁ କହିଲା–ଇଏ କୋଉ ପ୍ରବୀଣ କଥା କହୁଛ ? ପରାଶର ଉତ୍ତର ଦେଲା–ପ୍ରବୀଣ କେବଳ ଜଣେ, ଦୁଇଜଣ ହୋଇ ପାରନ୍ତି ନାହିଁ । ତାକୁ ତୁମେ ଚିହ୍ନିବ ନାହିଁ-। ତୁମର ଚିହ୍ନା ପ୍ରବୀଣ ହୁଏତ ଅନ୍ୟ କେହି, ଏ ପ୍ରବୀଣ ନୁହେଁ । ଚୁପ୍ ହୋଇଯାଏ କୃଷ୍ଣା, କିନ୍ତୁ ମନକୁମନ ଆହୁରି ଶୁଣିବା ଉତ୍କଣ୍ଠିତ ହୋଇ ଅପେକ୍ଷା କରେ ।

 

ପରାଶର କୁହେ–ସେ ଆସୁ ତାପରେ ଦେଖିବ କିଭଳି ଜମିବ, ରାତି ଦିନ ମଧ୍ୟରେ ଫରକ ରହିବ ନାହିଁ ତାର ସାନ୍ନିଧ୍ୟ ମନେ ରଖିବା ଭଳି, ତାର ବନ୍ଧୁତ୍ଵ ଅନୁପମ । କୃଷ୍ଣା ପୁଲକିତ ହୁଏ-

 

ଚାରିବର୍ଷ ହବ ଏଇ କଥା କେତେଥର ଶୁଣିଥିବ ସେ ପରାଶର ପାଖରୁ । କିନ୍ତୁ ସବୁଥର ଶୁଣିବାବେଳେ ଏପରି ଏକ ଅଦ୍ଭୁତ ଆବେଶ ଏବଂ ଉତ୍କଣ୍ଠା ତାକୁ ଆଚ୍ଛନ୍ନ କରି ରଖେ ଯେ ସେ କେବଳ ଅଭିଭୂତ ହୋଇ ଶୁଣେ । ଅନେକ ବର୍ଷ ହେଲା ପ୍ରବୀଣ ସହିତ ତାର ସାକ୍ଷାତ ହୋଇନାହିଁ, ସେ ହୁଏତ ତାକୁ ଭୁଲି ବି ଯାଇପାରେ; କିନ୍ତୁ କୃଷ୍ଣା ତାକୁ ଭୁଲି ପାରୁନାହିଁ । ବିବାହିତ ଜୀବନରେ ସ୍ଵାମୀ ହିଁ ସର୍ବସ୍ଵ ଏବଂ ସେ କେବଳ ସଂସାରରେ ସର୍ବମୟକର୍ତ୍ତା ବୋଲି ଶୁଣି ଆସିଛି । ସେଥି ସକାଶେ ପରାଶରକୁ ସର୍ବସ୍ଵ ସମର୍ପଣ କରି ଭଲ ପାଇବାକୁ ଚେଷ୍ଟା ମଧ୍ୟ କରିଛି; କିନ୍ତୁ ତା ସହିତ ମିଳିତ ହବାର ନିବିଡ଼ତମ ମୁହୂର୍ତ୍ତରେ ବ୍ୟାକୁଳ ହୃଦୟରେ ବିସ୍ଫୋରଣ ଘଟାଇ ମନେପଡ଼େ ପ୍ରବୀଣ-। ଶତଚେଷ୍ଟା କରି ମଧ୍ୟ ତାର ଉପସ୍ଥିତିକୁ ସେତେବେଳେ ଦୂରେଇ ଦେଇ ପାରେ ନାହିଁ-। ବରଂ ପରାଶର ଭିତରେ ସେ ପ୍ରବୀଣକୁ ଫେରି ପାଇ ବିହ୍ଵଳ ହୋଇଯାଏ ।

 

ନିଜର ଏହି ମୁହୂର୍ତ୍ତଟିକୁ ଖୁବ୍‍ ଭୟ କରେ କୃଷ୍ଣା । ସେଇ ମୁହୂର୍ତ୍ତଟିକୁ ଯେତେ ଚେଷ୍ଟା କରି ମଧ୍ୟ ସେ ଘୁଞ୍ଚେଇ ଦେଇ ପାରେ ନାହିଁ । ଅସତର୍କ ମୁହୂର୍ତ୍ତ ଦେଖି ପ୍ରବୀଣ ପ୍ରବେଶ କରେ ତାର ଅନୁଭବରେ, ଅନ୍ତଃସ୍ଥଳରେ । ସେଥିପାଇଁ ଆଜିକୁ ଚାରି ବର୍ଷ ହେବ ପ୍ରବୀଣଠାରୁ ନିଜକୁ ଦୂରେଇ ନବା ପାଇଁ ଆପ୍ରାଣ ଚେଷ୍ଟା କରିଛି କୃଷ୍ଣା । ପରାଶର ମୁହଁରୁ ତାର ନାମ ଶୁଣି ଚମକିଛି ଯେତିକି ସେଇ ନାମକୁ ମନରୁ ପାଶୋରି ପକାଇବା ପାଇଁ ସେତିକି ନିଗୃହୀତ କରିଛି ନିଜକୁ । କାଳେ ପରାଶର ଦିନେ ସନ୍ଦେହ କରିପାରେ ବୋଲି ମନଜ୍ଞାନରେ ତାକୁ ପ୍ରବୀଣର କଥା ଦିନେ ହେଲେ କହି ନାହିଁ । ତଥାପି ଭୟ ହୁଏ କୃଷ୍ଣାର । ମିଳନର ସେଇ ନିବିଡ଼ତମ ମୁହୂର୍ତ୍ତରେ ଯଦି ପରାଶର କାନଦେଇ ଶୁଣେ ଛାତି ତଳର ନାମ ଗୀତି, ସେ ହୁଏତ ନିଜର ନାମ ନ ଶୁଣି କେବଳ ପ୍ରବୀଣର ନାମ ଶୁଣିବ । କର୍ତ୍ତବ୍ୟନିଷ୍ଠ ଅନୁଗତ ସହଧର୍ମିଣୀ ଭାବରେ ତାକୁ ଖୁବ୍‍ ଭଲପାଏ ପରାଶର । ତା ପ୍ରତି କୋଉ ସାହସରେ ବିଶ୍ଵାସଘାତକତା କରିବ ସେ ? ପତି ପରମ ଦେବତା ବୋଲି ସେଦିନ ଶାଶୁ କହୁଥିଲେ । ଦେବତା କି ନାହିଁ ସେ କହି ପାରିବ ନାହିଁ, କିନ୍ତୁ ସ୍ଵାମୀ ଯେ ପରମ ଓ ନିକଟତମ ବନ୍ଧୁ ଏହା ନିର୍ବିବାଦରେ କହିପାରିବ । ସ୍ଵାମୀ ଓ ସ୍ତ୍ରୀକୁ ନେଇ ସଂସାର । ଦୁହିଁଙ୍କର ସହଯୋଗରେ ଦୁହିଁଙ୍କର ସମୃଦ୍ଧି ଏବଂ ସମାଜର ପୂର୍ଣ୍ଣତା । ଏଥିପାଇଁ ଦୁଇବର୍ଷ ହବ ଅନେକ ବାରବ୍ରତ ପାଳନ କରୁଛି କୃଷ୍ଣା । ମନ ପବିତ୍ର ନ ହେଲେ କୁଆଡ଼େ ଦେହ ପବିତ୍ର ହୁଏନାହିଁ । ମନ ହିଁ ଶେଷରେ ଦେହର ପ୍ରତିବିମ୍ବିତ ହୁଏ । ମନ ଯଦି ଶୁଦ୍ଧ ନହୁଏ ଦେହ ଅଶୁଦ୍ଧ ହୋଇଯିବ । ସେଥିପାଇଁ ମନକୁ ଏକନିଷ୍ଠ କରିବା ପାଇଁ ସେ ସାବିତ୍ରୀ ବ୍ରତ କରେ, ସଂସାରକୁ ଶ୍ରୀମନ୍ତ କରିବା ପାଇଁ ପାଳନ କରେ ସୁଦଶା ବ୍ରତ । ଏହାଛଡ଼ା ଶାଶୁଙ୍କ ସହିତ ମିଶି ଦୁହେଁ ନିର୍ଜଳା ଉପବାସ କରନ୍ତି ଜନ୍ମାଷ୍ଟମୀ ରାତ୍ରି ଏବଂ ମହାଷ୍ଟମୀ ଦିନ । ଶାଶୁ କୁହନ୍ତି, ପତିକୁ ପାଇବା ପାଇଁ କେତେ ତପସ୍ୟା କରିଥିଲେ ପାର୍ବତୀ, ତୁ ଏତିକି ପାରିବୁ ନାହିଁ । କୃଷ୍ଣା ବାରବ୍ରତ ପାଳନ କରି ଚେଷ୍ଟା କରେ ଲଗାମଛଡ଼ା ମନକୁ ସଂଯତ କରିବା ପାଇଁ ।

 

ପ୍ରବୀଣ ଆସି ପହଞ୍ଚିଲେ ତାକୁ କିଭଳି ସମ୍ବର୍ଦ୍ଧନା କରିବ କୃଷ୍ଣା ? ସେ ଯଦି ହସିଦେଇ କୁହେ : ଆରେ ପରାଶର, ତୁ କୃଷ୍ଣାକୁ ବାହା ହୋଇଛୁ ! ମୋତେ କହିନାହୁଁ ଆଜିଯାଏ ? ପରାଶର ଯଦି କୁହେ : ତୁ କୃଷ୍ଣାକୁ ଚିହ୍ନିଛୁ ପ୍ରବୀଣ ? କାହିଁ କୃଷ୍ଣା ତ ଦିନେହେଲେ ଏକଥା କହିନାହିଁ ମୋତେ ! ସେତେବେଳେ ପ୍ରବୀଣକୁ ଆଖିର ଇସାରାରେ ଚୁପ୍‍ କରିଦେବ କୃଷ୍ଣା । ଯାହା ଅତୀତ ତାକୁ ବର୍ତ୍ତମାନକୁ ଆଣି ଲାଭନାହିଁ, ତାକୁ ଅତୀତରେ ନୀରବରେ ପଡ଼ି ରହିବାକୁ ଦେବା ଉତ୍ତମ; କିନ୍ତୁ ପ୍ରବୀଣ ଯଦି ଦୁଃଖପାଏ ମନରେ ? ସେ ଯଦି ଆହତ ହୁଏ ହୃଦୟରେ ?

 

କିଂକର୍ତ୍ତବ୍ୟବିମୂଢ଼ ହୋଇ ପରାଶରକୁ କୁହେ କୃଷ୍ଣା–ମୁଁ ହୁଏତ ଭୁଲିଯିବି, ମୋତେ ମନେ ପକେଇଦବ କଅଣ କହିବାକୁ ହବ ତୁମ ବନ୍ଧୁ ଆସିଲେ । ଆଉ ମନେଥାଏ ଯେପରି, ସେ ଆସିବ, ଦିନଟା ସାବିତ୍ରୀ ବ୍ରତ । ମୋର ଉପବାସ, ମୋତେ ବାଧ୍ୟ ନକର ଯେପରି ଖାଇ ବସିବା ପାଇଁ ।

 

ପରାଶର ମୁର୍‍କିନା ହସିଦେଇ କୁହେ–ପ୍ରବୀଣ ଆଗରେ ତୁମରି ସତୀସାଧ୍ଵୀ ରୂପଟି ଆହୁରି ନିର୍ମଳ ହୋଇଯିବ ।

 

କୃଷ୍ଣା ପରାଶରକୁ ନିରସ୍ତ୍ର କରିବାକୁ ଯାଇ କୁହେ–ମୋ ବିଷୟରେ ଏତେ ମୁଣ୍ଡବ୍ୟଥା କାହିଁକି ? ମୋତେ ମୋ କାମ କରିବାକୁ ଦିଅ ।

 

ପରାଶର କୃଷ୍ଣାର ମୁହଁ ଉପରେ ଅନୁରାଗର ଦୀପ୍ତି ଦେଖି ମୁଗ୍‍ଧ ହୁଏ । ପରାଶର ଭାବେ ଯେ ଏପରି ସହଧର୍ମିଣୀ ସହଜରେ ହୁଏତ କାହାକୁ ମିଳୁ ନ ଥିବ । କୃଷ୍ଣାର ଅନୁଗତ୍ୟ ଏବଂ ଅନୁରାଗ ତାକୁ ମୋହିତ କରେ । ସେ ପ୍ରବୀଣକୁ ଆଉଥରେ ମନେ ପକାଇ ଦେଇ କୁହେ–ପ୍ରବୀଣ ଏଯାଏ କିନ୍ତୁ ଅବିବାହିତ; ତାର ଦୀର୍ଘଜୀବନ କାମନା କରି କେହି ସାବିତ୍ରୀ ବ୍ରତ କରୁ ନଥିବେ; କିନ୍ତୁ ଆମେ ଦୁହେଁ ତାର ଦୀର୍ଘଜୀବନ କାମନା କରିବା ।

 

କୃଷ୍ଣା ବିଚଳିତ ହୁଏ ପରାଶରର କଥା ଶୁଣି । ହଠାତ୍ ତାର ନିଶ୍ଚଳ ପ୍ରଶାନ୍ତ ମନଟାରେ ବିକ୍ଷୋଭ ଜାତ ହୁଏ । ସେ ନିଜର ସତ ବିରୋଧ ସତ୍ତ୍ଵେ ମନେମନେ କୁହେ, ହଁ, ସତେ ତ, କେବଳ ପରାଶର ନୁହେଁ, ପ୍ରବୀଣ ବି ଦୀର୍ଘାୟୁ ହେଉ, ସେ ବି ନିରାମୟ ହେଉ ।

 

ପରାଶର କଅଣ ଲକ୍ଷ୍ୟ କରେ କେଜାଣି, ସଜାଗ ହୋଇ ରୁହେ; ତୁମେ ଇମିତି ଅନ୍ୟମନସ୍କ ହୋଇଗଲ ଯେ… । କଅଣ ଭାବୁଛ ଏତେ…. ?

 

କୃଷ୍ଣା ନିଜକୁ ଆୟତ କରିନେଇ କୁହେ; ସାବିତ୍ରୀ ବ୍ରତ କେବଳ ଜଣଙ୍କ ପାଇଁ କରାଯାଏ, ଏଇ ସରଳ ସତ୍ୟଟା ତୁମକୁ ବୁଝାଇବାକୁ ହେବ ।

 

ପରାଶର କୁହେ; ତୁମେ ସାବିତ୍ରୀ ବ୍ରତ କର ମୋର ଆପତ୍ତି ନାହିଁ; କିନ୍ତୁ ପ୍ରବୀଣର ଅସୁବିଧା ନ ହୁଏ ଯେପରି ।

 

କୃଷ୍ଣା ନିଜକୁ ପ୍ରବୀଣଠାରୁ ମୁକ୍ତ କରିବାକୁ କୁହେ; ଆଉ କାହା କଥା ଶୁଣିବାକୁ ବେଳ ମୋର ନାହିଁ, ତୁମ କଥା ଟିକେ କୁହ, ନିରୋଳାରେ ମୋତେ ତୁମ କଥା ଟିକେ ଭାବିବାକୁ ଦିଅ ।

 

ପରାଶର ପ୍ରତିବାଦ ନ କରି କୃଷ୍ଣାର ଆଦର ପାଇବା ପାଇଁ ମୁହଁ ନୁଆଁଏ ।

 

କୃଷ୍ଣାର ବିଭକ୍ତ ହୃଦୟ ପୁଣି ଯୋଡ଼ି ହୋଇଯାଏ, ତାର ହୃତ୍‍ପିଣ୍ଡର ସ୍ପନନ୍ଦ ପୁଣି ପରାଶରର ସଂଗୀତ ଗାନ କରିବାକୁ ଆରମ୍ଭ କରେ ।

 

ଦୁଇଦିନ ପରେ ପ୍ରବୀଣ ଆସି ପହଞ୍ଚେ କଟକରେ । ଷ୍ଟେସନକୁ ଯାଇ ତାକୁ ନେଇ ଆସେ ପରାଶର । ଦୁଇବନ୍ଧୁଙ୍କର ମିଳନ ଦୃଶ୍ୟ ସତରେ ଅପୂର୍ବ ! କୃଷ୍ଣାକୁ ଚିହ୍ନାଇ ଦେଇ କୁହେ ପରାଶର; କୃଷ୍ଣା କଥା ତ ଆଗରୁ ଏତେ କହିଛି ଯେ, ଏବେ ଆଖିରେ ଦେଖି ନେ’ । ପ୍ରବୀଣ କୌଣସି ଭାବପ୍ରବଣତା ନ ଦେଖାଇ ନିର୍ଲିପ୍ତ ପରି ନମସ୍କାର କରି କୁହେ; ତୁ ତାଙ୍କ ବିଷୟରେ ଏତେ କହିଛୁ ଯେ ତାଙ୍କୁ ପରିଚୟ କରାଇ ଦେଇ ନଥିଲେ ବି ଚିହ୍ନିପାରି ଥାନ୍ତି ।

 

କୃଷ୍ଣା ହଠାତ୍ ଦୁଇ ପାଖରେ ଜଳୁଥିବା ମହମବତୀ ପରି ଜଳିବାକୁ ଆରମ୍ଭ କଲା । ପ୍ରତି ନମସ୍କାର କରିବା ପାଇଁ ଭୁଲି ଯାଇଛି ବୋଲି ଅନୁଶୋଚନା କରି ନିଜକୁ ଶାସନ କରେ; କିନ୍ତୁ ନିଜ ଅନ୍ତର ଭିତରେ ଯେଉଁ ଫୁଲଝରି ଜଳି ଉଠେ ତାର ଶୋଭା ଦେଖି ସେ ବିସ୍ମୟ ବିମୂଢ଼ ହୋଇଯାଏ । କୃଷ୍ଣା ଭଗବାନଙ୍କୁ ଅଶେଷ ଧନ୍ୟବାଦ ଜଣାଏ ମନେମନେ । ଯାହାହେଉ, ତାର ପ୍ରାର୍ଥନା ପୂର୍ଣ୍ଣ କରି ଲଜ୍ଜା ନିବାରଣ କରିଛନ୍ତି ପ୍ରଭୁ । ଦ୍ରୌପଦୀ ପରି ତାକୁ ବି ରକ୍ଷା କରିଛନ୍ତି ଶେଷ ମୁହୂର୍ତ୍ତରେ । ପ୍ରବୀଣ ତାକୁ ଚିହ୍ନେ ବୋଲି ଆଗୁଆ ହୋଇ କିଛି କହି ନାହିଁ । ହୁଏତ ସେ ବି ଚାହୁଁଥିବ ଅତୀତକୁ ଗୋପନ କରି ରଖିବା ପାଇଁ ।

 

ପ୍ରବୀଣ ଆଉଥରେ ଅନାଏ କୃଷ୍ଣା । ତା ମୁହଁରେ ନିର୍ଲିପ୍ତ ନିର୍ମଳତା ଦେଖି ସେ କୁହେ; ଲଜ୍ଜା କରିବେ ନାହିଁ, ଏ ଘରେ ଆପଣଙ୍କର କିଛି ଅସୁବିଧା ନ ହୁଏ ଯେପରି ।

 

ପ୍ରବୀଣ କୁହେ; ନା, ନା, ପରାଶର ମୋର ବାଲ୍ୟବନ୍ଧୁ, ସବୁଥିରେ ମୁଁ ତା ସହିତ ଭାଗ ବସାଇ ଅଛି ପିଲାଦିନୁ, ଆଜି ମୋର ଭାଗ ଛାଡ଼ି ଦେବି ନାହିଁ ।

 

କୃଷ୍ଣା ପ୍ରବୀଣର କଥା ଶୁଣି ଲଜ୍ଜାରେ କାହିଁକି ଲାଲ ପଡ଼ିଗଲା ନିଜେ ବି ଜାଣି ପାରିଲା ନାହିଁ । ଯେପରି ଅଗ୍ନ୍ୟୁତ୍ପାତ ହେଉଥିଲା କେଉଁ ଆଗ୍ନେୟଗିରିରୁ । ତରଳ ଲାଭାର ସ୍ରୋତ ତାର ଶିରାପ୍ରଶିରାରେ ପ୍ରବାହିତ ହବାର ଦୁର୍ଦ୍ଦମନୀୟ ଆବେଗକୁ ସେ ଅଙ୍ଗେ ସଙ୍ଗେ ଅନୁଭବ କରୁଥିଲା କେବଳ ।

 

କିନ୍ତୁ କୃଷ୍ଣା ଇଚ୍ଛାକରି ଟିକେ ଦୂରେଇ ରହିଲା ପ୍ରବୀଣ ପାଖରୁ । ବହୁ ବର୍ଷ ତଳର ଅନେକ ସ୍ମୃତି ଢେଉ ଭାଙ୍ଗିଲା ଆସି ମନରେ; ତଥାପି ନିଜକୁ ସମ୍ଭାଳି ନେବା ପାଇଁ ପ୍ରସ୍ତୁତ କରୁଥାଏ ସେ । ଏଇ ମନକୁ ତାର ଖୁବ୍ ଭୟ । ହଠାତ୍ ନଦୀର ଅଦିନ ବନ୍ୟାପରି ତାହା କୂଳ ଲଂଘି ଭାଙ୍ଗିରୁଜି ଦିଏ ଅନେକ କିଛି । ସେଇ ମନ କାଳେ ଅମାନିଆ ହୋଇ ଉଠିବ । ସେଥିପାଇଁ ନିଜକୁ ସତର୍କ ଏବଂ ଶାସନ କରେ କୃଷ୍ଣା । ସେଦିନ ରାତ୍ରି ଖିଆ ସାରିବା ବେଳକୁ କିଏ କେଉଁଠି ଶୋଇବ ସେହି ବିଷୟ ଉତ୍‍ଥାପନ କରି କହିଲା ପରାଶର–ଗରମ ଆଉ ଗୁଳୁଗୁଳି ଯୋଗୁଁ ଘର ଭିତରେ ଅତିଷ୍ଠ ଲାଗୁଚି । ତା’ପରେ ବହୁକାଳ ପରେ ଦୁଇବନ୍ଧୁ ଏକତ୍ର ହୋଇଛୁ; ବାଲକୋନିରେ ଶୋଇଲେ ହୁଅନ୍ତା ନି ?

 

କୃଷ୍ଣା କିଛି କହିଲା ନାହିଁ । ତାର ନାମ ମଧ୍ୟ ଉଠୁନାହିଁ ଯେତେବେଳେ ସେ କାହିଁକି କହିବ ଉପରେ ପଡ଼ି; କିନ୍ତୁ ପ୍ରବୀଣ ବୋଧହୁଏ ତାର ମନର କଥା ଜାଣି ପାରି କହିଲା–ମୁଁ ଶୋଇବି ବାଲକୋନିରେ, ଯେତେ ସମୟ ଇଚ୍ଛା ଗଳ୍ପ କରି ତୁ କୋଠରୀ ଭିତରେ ଶୋଇପାରୁ । ତୋ’ କୋଠରୀ ତ ଦକ୍ଷିଣ ମୁହାଁ, ଅସୁବିଧା ହେବ ନାହିଁ । ପରାଶର କଅଣ କହିବ ଶୁଣିବା ପାଇଁ ଉଦ୍‍ଗ୍ରୀବ ହୋଇ ଅପେକ୍ଷା କଲା କୃଷ୍ଣା । ପରାଶର କିନ୍ତୁ ପ୍ରସ୍ତାବ ଦେଲା ଯେ, ତିନୋଟିଯାକ ଖଟ ବାଲକୋନିରେ ପଡ଼ିଲେ ଭଲ ହୁଅନ୍ତା, ସମସ୍ତେ ଏକତ୍ର ହେବାର ଅନୁଭବଟା ଅବିଚ୍ଛେଦ୍ୟ ହୋଇ ରୁହନ୍ତା । ପ୍ରବୀଣ ଏହାର ସପକ୍ଷରେ ବା ବିପକ୍ଷରେ ମତ ନ ଦେଇ ନୀରବ ରହିବା ଦେଖି କୃଷ୍ଣାର ଛାତି ତଳର ସ୍ପନ୍ଦନ ଆହୁରି ଦୃତତର ହେଲା । ଟିକେ ଆଗରୁ ସେ କହିଥିବାର ବେଶ୍‍ ମନେ ଅଛି କୃଷ୍ଣାର ଯେ ପାଠ ପଢ଼ିବା ବେଳେ ଦୁଇବନ୍ଧୁ ଯାହା ପାଉଥିଲେ ସାଙ୍ଗ ହୋଇ ଭାଗ ବସାଉଥିଲେ ସେଥିରେ । ପ୍ରବୀଣ କିପରି ସବୁ ଜାଣି ବି ନିର୍ବିକାର ଚିତ୍ତରେ ଏକଥା କହି ପାରିଲା ତାହା ଭାବିବାକ୍ଷଣି ସେ ଯେ ଆଶ୍ଚର୍ଯ୍ୟ ହେଲା ତାହା ନୁହେଁ, ପ୍ରବୀଣ ତାକୁ ଯେ ଶୁଣାଇବା ଉଦ୍ଦେଶ୍ୟରେ ଏହା କହିଲା ଏଇ କଥାଟା ବାରମ୍ବାର ମନେ ହେଲା ତାର । ଏହା ମନେହବା କ୍ଷଣି ମନକୁ ପ୍ରଶ୍ନ କଲା ସେ, ପ୍ରବୀଣ ତାହେଲେ ତା ଭାଗ ଛାଡ଼ିନାହିଁ, ସେ ତାକୁ ଭୁଲିନାହିଁ ।

 

ସେଥିପାଇଁ ବୋଧହୁଏ ସେ ଆଉ ବିବାହ କଲା ନାହିଁ । ନିଜକୁ ଅପରାଧୀ ମନେ କଲା କୃଷ୍ଣା । ପ୍ରବୀଣ ଯେ ତା ପାଇଁ ଏତେ ତ୍ୟାଗ କରି ନିଜର ସବୁ ସୁଖକୁ ଜଳାଞ୍ଜଳି ଦେବ ଏହା ସେ କଳ୍ପନା ବି କରି ନଥିଲା । ହଠାତ୍‍ ପ୍ରବୀଣ ପାଇଁ ସହାନୁଭୂତିରେ ତା’ ମନଟି ପୂର୍ଣ୍ଣ ହୋଇ ଉଠିଲା ଏବଂ ପରାଶର ଯେ ତା ତୁଳନାରେ କିଛି ତ୍ୟାଗ ନ କରି ମଧ୍ୟ ତାର ସାନ୍ନିଧ୍ୟ ଏବଂ ପ୍ରଣୟ ପାଇ ପାରିଛି ଏହା ସେ ମନରେ ସ୍ଥିର କରିନେଲା ।

 

ହୁଏତ ତିନୋଟି ଖଟ ପଡ଼ିଥାଆନ୍ତା ବାଲକୋନିରେ; କିନ୍ତୁ ଶେଷ ମୁହୂର୍ତ୍ତରେ ତାହା ଆଉ ହେଲା ନାହିଁ । ପରାଶରର କୋଠରୀରୁ ତା ବାହାଘର ବେଳର ଖଟଟାକୁ ଆଉ ଉଠାଇ ଆଣି ବାଲକୋନିରେ ପକେଇବା ସମ୍ଭବ ହେଲା ନାହିଁ, ସେଥିପାଇଁ ଏତେ ସ୍ଥାନ ନଥିଲା ଏବଂ ତା ପରେ କୃଷ୍ଣା ପାଇଁ ଆଉ ଅଲଗା ଖଟ ନଥିଲା । ତେଣୁ ନିଜର କୋଠରୀରେ ଶୋଇବା ପାଇଁ ସୁଯୋଗ ପାଇ ବର୍ତ୍ତିଗଲା କୃଷ୍ଣା ଏବଂ ପୁଣି ଆଉ ଥରେ ଭଗବାନ ତାକୁ ସମ୍ଭବ୍ୟ ଅସତର୍କ ମୁହୂର୍ତ୍ତର ବିପର୍ଯ୍ୟୟରୁ ରକ୍ଷାକଲେ ବୋଲି ସେ ତାଙ୍କୁ ଅଶେଷ ଧନ୍ୟବାଦ ଦେଲା । ପରାଶର ବହୁତ ରାତି ପର୍ଯ୍ୟନ୍ତ ଗପ କଲା ପ୍ରବୀଣ ସହିତ ଏବଂ ସେ ଶୋଇବା ଘରକୁ ଫେରିବା ବେଳକୁ ଶୋଇ ପଡ଼ିଥିଲା କୃଷ୍ଣା ।

 

ଗତ ସାତଦିନ ଧରି ଗୁଳୁଗୁଳି ହେଉଥିଲେ ମଧ୍ୟ ସେହି ରାତିରେ ପୁଣି ପବନ ବହିବାକୁ ଆରମ୍ଭ କଲା । ସେଥିପାଇଁ ଏଇ ସାତଦିନ ଧରି ଭଲ ଭାବରେ ଶୋଇପାରି ନଥିବାର କ୍ଳାନ୍ତିକୁ ଏକାଥରେ ଅପନୋଦନ କରିବା ପାଇଁ ପୋଷା କୁକୁର ଭଳି ପରାଶର ତଳ ବାରଣ୍ଡାରେ ଶୋଇଗଲା ନିଶ୍ଚିନ୍ତରେ ।

 

ରାତି କେତେ ହେବ କହିବା ମୁସ୍କିଲ୍, ହଠାତ୍ କାହାର ଶବ୍ଦ ଶୁଣି ନିଦ ଭାଙ୍ଗିଗଲା କୃଷ୍ଣାର । ତାର ଛାତି ଉପରେ କିଏ ଯେପରି ନରମ ଆଙ୍ଗୁଳି ଛୁଆଁଇ ଦେଇଛି । ପରାଶର ଏବେ ବି ନିଶ୍ଚିନ୍ତରେ ନିଘୋଡ଼ ନିଦରେ ଶୋଇଥିବାର ଦେଖି ତାର ଆପାଦମସ୍ତକ ଶିହରି ଉଠିଲା ସେଇ ପରଶରେ, ସର୍ବାଙ୍ଗରେ ଯେପରି ଉଷୁମ ସ୍ରୋତ ପ୍ରବାହିତ ହୋଇଗଲା । ଛାତିତଳେ ସ୍ପନ୍ଦନ ଦ୍ରୁତତର ହେଲା ଏବଂ କାଳେ ପ୍ରବୀଣ ତା ପାଖକୁ ଆସି ତାକୁ ଛୁଇଁ ଦେଇ ଚାଲି ଯାଇଛି ବୋଲି ଭାବିବାକ୍ଷଣି ସେ ଆତଙ୍କରେ ଶିହରି ଉଠିଲା । ପରାଶର ଯଦି ଦେଖିନିଏ, କଅଣ ହେବ ତାର ? ଭୟରେ ଅବଶ ହୋଇ ଆସିଲା ଦେହ । ପୂର୍ବ ମୁହୂର୍ତ୍ତର ପୁଲକ ଜାଗାରେ ଦେଖାଦେଲା ଆଶଙ୍କା ଜନିତ ଉଦବେଗ । ସତର୍କ ଦୃଷ୍ଟି ଦେଇ ଦେଖିନେଲା କୃଷ୍ଣା, ହାତ ବୁଲାଇ ଆଣିଲା ପରାଶରର ଛାତି ଉପରେ, ବାଥ୍‍ରୁମ୍‍କୁ ଯାଇ ଫେରି ଆସିଲା, ତଥାପି ପରାଶରର ନିଦ ଭାଙ୍ଗିଲା ନାହିଁ ଏବଂ ତାକୁ ନିଶ୍ଚିନ୍ତରେ ଶୋଇଥିବାର ଦେଖି ସାହସ ପାଇଲା କୃଷ୍ଣା । ସେ ଖଟ ଉପରେ ଶାନ୍ତ ଭାବରେ ବସି ରହିଲା ।

 

କଅଣ ଗୋଟିଏ ଶବ୍ଦ ହେଲା ଯେପରି । ଯେପରି ତା ଉପରେ ଆଙ୍ଗୁଳି ଛୁଆଁଇ ଦେଇଥିବା ଲୋକଟି ଫେରି ଯାଉଥିବାର ଶବ୍ଦ । ଛାତି ଉପରେ ବାଉଳା ପବନଟା ପଶି କୁତ୍‍କୁତ୍ କରି ଆସିଲା । ଶିରଶିରେଇ ଉଠିଲା କୃଷ୍ଣା ।

 

ପ୍ରବୀଣର ସାହସ ଦେଖି ସେ ଚକିତ ହୋଇଗଲା ଏବେ ତା’ ପାଇଁ ସେ ଏତେ ତ୍ୟାଗକରି ମଧ୍ୟ ଆଜିଯାଏ ଅପେକ୍ଷା କରିଥିବା ଯୋଗୁ ତା’ ମନଟି ସମବେଦନାରେ ଅବନତ ହୋଇଗଲା । ସେ ଧୀରେ ଧୀରେ ବିଛଣାରୁ ଉଠି ସତର୍କତାର ସହିତ ପ୍ରବୀଣ ଶୋଇଥିବା ବାଲକୋନିଆଡ଼କୁ ଚାଲିଲା । ବେଶୀ ଗରମ ପଡ଼ୁଥିଲା ବୋଲି କବାଟ ବନ୍ଦ ନକରି ଖୋଲା ରଖିଥିଲେ ସେମାନେ । ପ୍ରବୀଣର ବାଲକୋନିଟା ଠିକ୍ ବିପରୀତ ଦିଗରେ ଏବଂ ସେଠାରୁ ଶୋଇବା ଘରକୁ ଦୃଷ୍ଟି ନ ପଡ଼ିବାର କଥା । ସେଥିପାଇଁ ସଂଯୋଗ ପଥ ଦେଇ ବାଲକୋନିଆଡ଼କୁ ଦୁରୁ ଦୁରୁ ଛାତିରେ ଚାଲିଲା କୃଷ୍ଣା । ସର୍ବାଙ୍ଗ ଥରୁଥାଏ । ପୁଣି କିଏ ଫିସ୍‍ଫିସ୍ କରି ଅତି ନିକଟରେ କଅଣ କହିଲା ଯେପରି । ସେ ଥମକି ଛିଡ଼ା ହୋଇଗଲା ଏବଂ ଅତି ନିକଟରେ ପ୍ରବୀଣ ଥାଇପାରେ ବୋଲି ମନେକଲା । ତା’ପରେ ହଠାତ୍ କଅଣ ହେଲା କେଜାଣି; ଗୋଟିଏ ମୁହୂର୍ତ୍ତର ଆବେଗରେ ସେ ଆଗେଇ ଗଲା ପ୍ରବୀଣର ଖଟ ପାଖକୁ । ସେ ଯାଇ ଛିଡ଼ା ହୋଇ ଶୋଇଥିବା ପ୍ରବୀଣକୁ ଦେଖିଲା ମୁହୂର୍ତ୍ତେ । ପ୍ରବୀଣ ଚାହିଁଥିଲା କି ଶୋଇଥିଲା ନିଦରେ କିଛି ଜାଣି ନପାରି ନଇଁ ପଡ଼ିଲା ଟିକେ । ତା ପରେ କାଳେ ପରାଶର ଯଦି ଦେଖିନିଏ ସେଇ ଭୟରେ ଛିଡ଼ା ହୋଇପଡ଼ି ପୁଣି ଫେରିବା ବେଳକୁ ପଣତଟା ଟାଣି ହୋଇଗଲା । ପ୍ରବୀଣ ହାତରେ ତାର ପଣତର ଶେଷାଂଶ ରହି ଯାଇଥିବାର ଅନୁମାନ କରିବାକ୍ଷଣି ସେ ବିହ୍ଵଳ ହୋଇଗଲା ଏବଂ ତାର ସର୍ବାଙ୍ଗରେ ବିସ୍ଫୋରଣ ହେଲା ଯେପରି । ମୁହୂର୍ତ୍ତେ ଛିଡ଼ା ହବାପରେ କାଳେ ପରାଶର ଉଠିପଡ଼ି ପାରେ ବୋଲି ଆଶଙ୍କା କରିବାକ୍ଷଣି ଆତଙ୍କରେ ପୁଣି ଝାଳେଇଗଲା ସେ । ତା ପରେ ଲୁଗା କାନିଟାକୁ ପ୍ରବୀଣ ହାତରୁ ଛଡ଼ାଇ ନେବା ପାଇଁ ହାତ ବଢ଼ାଇବାକ୍ଷଣି ସେ ଦେଖିଲା ଯେ ପ୍ରବୀଣ ନୁହେଁ ଲୁଗାକାନିଟା ଖଟରେ ଥିବା ଗୋଟିଏ କଣ୍ଟାରେ ଲାଗି ଅଟକି ଯାଇଛି । ପ୍ରବୀଣ ଗଭୀର ନିଦ୍ରାରେ ଶୋଇଥିଲା ନିଶ୍ଚିନ୍ତ ମନରେ ।

 

ନିଜକୁ ଶତ ଧିକ୍କାର ଦେଇ ଭଗବାନ ଅପ୍ରତ୍ୟାଶିତ ଭାବରେ ତାକୁ ପୁଣି ରକ୍ଷା କରିଥିବାରୁ ତାଙ୍କୁ ଶତଶତ କୃତଜ୍ଞତା ଜଣାଇ ଫେରି ଆସିବା ବେଳକୁ ପରାଶର ଉଠି ବସିଥିବାର ଦେଖି ଭୂତ ଦେଖିବା ପରି ଭୟରେ ଥରି ଉଠିଲା କୃଷ୍ଣା ।

 

କିନ୍ତୁ ପରାଶର ତାକୁ କେବଳ କହିଲା–ମଶା କାମୁଡ଼ୁଥିବ, ପ୍ରବୀଣର ଖଟରେ ମଶାରୀଟା ପକେଇ ଦେଇ ଆସ ତ ।

 

କୃଷ୍ଣାର ଆଖିରେ ଲୁହ ଜକେଇ ଆସିଲା । ଦ୍ରୌପଦୀକୁ ବି ଏଭଳି ରକ୍ଷା କରି ନଥିବେ ଶ୍ରୀକୃଷ୍ଣ । ମନର ଅସତର୍କ ମୁହୂର୍ତ୍ତର କବଳରୁ ତାକୁ ରକ୍ଷା କରିଥିବାରୁ ସେ ଯେ କୃତଜ୍ଞ ଏହା ପ୍ରକାଶ କରିବାର ସୁଯୋଗ ନପାଇ ସେଇ ଲୁହକୁ ପରାଶର ହାତରେ ଉପହାର ଦେବାପାଇଁ ବ୍ୟାକୁଳ ହୋଇ କହିଲା–ମୁଁ ଯେ ଶୋଇ ନପାରି ଛଟପଟ ହେଉଛି ତୁମେ କଅଣ କିଛି ଜାଣୁନ… ମୋ ପ୍ରତି ତୁମର କଅଣ କିଛି କର୍ତ୍ତବ୍ୟ ନାହିଁ ?

 

ବିସ୍ମୟବିମୂଢ଼ ପରାଶର ସ୍ତ୍ରୀକୁ ଛାତି ଉପରକୁ ଆଉଜାଇ ନେଇ କହିଲା–ନା, ଥାଉ, ତୁମକୁ କାହିଁ ଯିବାକୁ ହବନାହିଁ, ମୋର ବାକି ସମୟତକ ସବୁ ତୁମର ।

 

କୃଷ୍ଣା କିନ୍ତୁ କେବଳ କାନ୍ଦୁଥିଲା ।

☆☆☆

 

ଈଶ୍ଵର ଦାୟୀ

 

ମଣିଷ ଏଇ ପୃଥିବୀରେ ଭୂମିଷ୍ଠ ହେଲା ଦିନୁ ଜନ୍ମ ଓ ମୃତ୍ୟୁର ଲୀଳା ଦେଖି ଆସୁଚି । ତଥାପି କେହି ଜନ୍ମିଲେ ଏତେ ଆନନ୍ଦ ଓ ମରିଗଲେ ଏତେ ଦୁଃଖ କାହିଁକି ? ଜନ୍ମିଲେ ଯେ ମରିବାକୁ ହୁଏ ଏଇ ସତ୍ୟ ପ୍ରତ୍ୟକ୍ଷ କରି ମଧ୍ୟ ମଣିଷ ବୁଝୁନାହିଁ, କାହିଁକି ମଲା, କେତେ ବୟସରେ ମଲା ପ୍ରଭୃତି ବିଭିନ୍ନ କାରଣ ଖୋଜିବାରେ ଲାଗିଛି । ଏଇଟା ବୋଧହୁଏ ସଭ୍ୟ ମଣିଷର ସଂକେତ । ସେ ସବୁ କିଛିର କାରଣ ଜାଣିବା ଦରକାର । ଭଗବାନ ଏ ସୃଷ୍ଟିର ସର୍ବେସର୍ବା । କିନ୍ତୁ ଏଇ ବିଶ୍ଵାସ ଏ ଯାଏ ପରୀକ୍ଷିତ ହୋଇନାହିଁ ବୋଲି ପ୍ରଶ୍ନ ପଚାରି ଚାଲିଛି ମଣିଷ, ଅନୁସନ୍ଧାନ କରୁଛି କାରଣର । ଯେଉଁଦିନ ବିଶ୍ଵାସ ସତ୍ୟ ବୋଲି ପ୍ରମାଣିତ ହୋଇଯିବ ସେଦିନ ଆଉ ଏତେ ଅନ୍ଧବିଶ୍ଵାସ ରହିବ ନାହିଁ, ସବୁ ଧର୍ମ, ସଂପ୍ରଦାୟ ଓ ଦର୍ଶନ ଏକ ହୋଇଯିବ । ମଣିଷର ସହିବା ସେଦିନ ଆଉ ସୀମା ଭିତରେ ରହିବ ନାହିଁ । ତଥାପି ମୋତେ ଦିଆଯାଇଥିବା ଦାୟିତ୍ଵ ତୁଲାଇବାକୁ ପଡ଼ିବ । ଜନ୍ମ ଓ ମୃତ୍ୟୁର ରହସ୍ୟ ଉଦ୍‍ଘାଟନ କରିବାଲାଗି ପ୍ରଶାସନ ଅଣ୍ଟାଭିଡ଼ି ବାହାରିଚି । ମୁଁ ମାଧ୍ୟମ ମାତ୍ର । ମୋ ଜରିଆରେ ସରକାର ବାହାଦୂର ଜାଣିବାକୁ ଚାହାନ୍ତି କଳାହାଣ୍ଡି ଜିଲ୍ଲାର ଲୋକସଂଖ୍ୟା କାହିଁକି ହ୍ରାସ ପାଉଛି, ସେଠାରେ ଅପମୃତ୍ୟୁ ଏତେ ସଂଖ୍ୟାରେ ହୁଏ କାହିଁକି ? ବଞ୍ଚିବାର ଉପାଦାନ ସେଠାରେ ଦୁର୍ଲଭ ହେବାର କାରଣ କ’ଣ, ଇତ୍ୟାଦି । ମୁଁ ସରକାରଙ୍କ ନୌକର, ସରକାରଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ମୋର ନାହିଁ । କିନ୍ତୁ ସରକାର ମୋତେ ଯାହା ଇଚ୍ଛା ସେଇ ପ୍ରଶ୍ନ ପଚାରିପାରିବେ । ଉତ୍ତର ଦେବା ଉପରେ ମୋର ଯୋଗ୍ୟତା, ସ୍ଥିତି ଓ ପଦୋନ୍ନତି ନିର୍ଭର କରେ ।

 

ପ୍ରଶାସନିକ ସେବାରେ ମୁଁ ଯୋଗ ଦେବାରେ କୋଡ଼ିଏ ବର୍ଷ ହୋଇଗଲା । କୋଡ଼ିଏ ବର୍ଷ ମୋ ପାଇଁ ସୁଖର ସମୟ । ପଦପଦବୀ ମଣ୍ଡନକରି କ୍ଷମତାର ପ୍ରୟୋଗ ଓ ଅପ୍ରୟୋଗ କରିବାର ଅନେକ ସୁଯୋଗ ମିଳିଛି । ଆହୁରି ବି ମିଳିବ । ତେଣୁ ମୋ ପକ୍ଷରେ ଓ ମୋ ପରିବାର ପକ୍ଷରେ ମୋର ପଦବୀଟାର ଗୋଟେ ବଡ଼ ମହତ୍ତ୍ଵ ଅଛି ।

 

କଳାହାଣ୍ଡିରେ ଗରିବ ଲୋକମାନେ ଖାଦ୍ୟାଭାବରୁ ମରୁଥିବାର ଅଭିଯୋଗ ବିଧାନସଭାରେ ଯେଉଁ ଉତ୍ତେଜନା ଓ ହଟ୍ଟଗୋଳ ସୃଷ୍ଟିର କାରଣ ହୋଇଥିଲା ସରକାର ବାଧ୍ୟ ହୋଇ ସେଥିର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରି ପ୍ରତିକାରର ବ୍ୟବସ୍ଥା ଅବଲମ୍ବନ କରିବେ ବୋଲି ଘୋଷଣା କରିଥିଲେ । ସେହି ପ୍ରତିଶ୍ରୁତି ପାଳନ କରିବା ଉଦ୍ଦେଶ୍ୟରେ କଳାହାଣ୍ଡି ଯାଇ ସରଜମିନ ତଦନ୍ତ କରି ଘଟଣାର ସତ୍ୟାସତ୍ୟ ଉପରେ ଏକ ରିପୋର୍ଟ ଦେବାଲାଗି ଏକ ସରକାରୀ ଆଦେଶ ପାଇବା ପରେ ମୁଁ ପ୍ରସ୍ତୁତ ହେଲି ଯିବା ପାଇଁ । ଯିବା ପୂର୍ବରୁ ଖାଦ୍ୟ ବିଭାଗର ସଚିବ ଓ ମନ୍ତ୍ରୀ ମୋତେ ଡାକି ପଠାଇ କେତେକ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ମନ୍ତ୍ରୀ ମହାଶୟ ମୋତେ ବୁଝାଇ ଦେଇଥିଲେ ଯେ ସରକାର ସତ୍ୟର ସାମନା କରିବାକୁ ଭୟ କରନ୍ତି ନାହିଁ, ବରଂ ପ୍ରକୃତ ସତ୍ୟ ଉଦଘାଟିତ ହେଲେ ପ୍ରତିକାର କରିବା ସହଜ ହେବ । ସେ ଆହୁରି ବି କଥା ଛଳରେ କହିଲେ ଯେ ମଣିଷ ଅମର ହେବା ଲାଗି ଜନ୍ମେ ନାହିଁ, ମୃତ୍ୟୁ ଜନ୍ମ ପରି ସ୍ଵାଭାବିକ, ତେଣୁ ତାକୁ ଦିନେ ନା ଦିନେ ମରିବାକୁ ହୁଏ । ତେଣୁ ମୃତ୍ୟୁ ବା ମୃତ୍ୟୁର କାରଣ ବଡ଼ ନୁହେଁ, ବଞ୍ଚି ରହିବା ହିଁ ବଡ଼ କଥା । ଲୋକମାନଙ୍କୁ ବଞ୍ଚିବା ଲାଗି ସରକାର ସାହାଯ୍ୟ କରିବେ । ସରକାର ସ୍ପଷ୍ଟ ଭାବରେ ଘୋଷଣା କରି ସାରିଛନ୍ତି ଯେ ଅନାହାରରେ କାହାକୁ ମରିବାକୁ ଦିଆଯିବ ନାହିଁ, ରିପୋର୍ଟ ଲେଖିଲା ବେଳେ ଏହା ଯେପରି ମୁଁ ମନେ ରଖେ ତା’ ଉପରେ ଗୁରୁତ୍ଵ ଦେଲେ ମନ୍ତ୍ରୀ ।

 

ଭବାନୀପାଟଣାରେ ମୁଁ ପହଞ୍ଚିଲା ବେଳକୁ ମୁହଁସଂଜ ।

 

ପ୍ରଶାସନିକ ସେବାରେ ଯୋଗ ଦେବାପରେ ମୁଁ କାମ କରିଥିଲି ଏଇ ଜିଲ୍ଲାରେ, ତା’ପରେ ଆଉ ଆସିନି । ଏବେ ମୁଁ ପୁଣି ଦ୍ଵିତୀୟଥର ଆସିଛି ଏ ଜିଲ୍ଲାକୁ । ଏଇ ଦୀର୍ଘ ବ୍ୟବଧାନ କିଛି କମ୍ ନୁହେଁ । ଅନେକ ପରିବର୍ତ୍ତନ ଆଖିରେ ପଡ଼ିବ ବୋଲି ଭାବିଥିଲି ଆସିବା ବେଳେ । କିନ୍ତୁ ମୁଁ ସାଧାରଣ ଲୋକମାନଙ୍କୁ ଯେଉଁ ଅବସ୍ଥାରେ ସେତେବେଳେ ଦେଖିଥିଲି ସେମାନଙ୍କ ଅବସ୍ଥାରେ ସେପରି କିଛି ଆଖିଦୃଶିଆ ପରିବର୍ତ୍ତନ ହୋଇ ନ ଥିବା ଦେଖି ଆଶ୍ଚର୍ଯ୍ୟ ହେଲି । ସେଇ ଖାଲି ପାଦ, ଖାଲି ଦେହ, ଅଣ୍ଟା ଚାରି ପାଖରେ ବେଢ଼ି ଆସିଥିବା ମଇଳା ଗାମୁଛା,… ନୁଖୁରା ଦେହ… ଅଭିବ୍ୟକ୍ତି ହୀନ ଆଖି, ଉଦାସ ଦୃଷ୍ଟି… ।

 

ଗାଡ଼ିରୁ ଓହ୍ଲାଇପଡ଼ ପାଦରେ ଚାଲିଲି ମୁଁ । ଡ୍ରାଇଭରକୁ କହିଲି ସର୍କିଟ୍ ହାଉସ୍ ଚାଲିଯିବା ପାଇଁ ।

 

ରାସ୍ତାକଡ଼ରେ ଚା’ ଜଳଖିଆ ଦୋକାନ ଚୁଲିରୁ ଧୂଆଁ ଉଠୁଥାଏ ଉପରକୁ । କରେଇରେ ତେଲ ଫୁଟୁଥିଲା ବରା ଛାଣିବା ପାଇଁ । ଚାରିପାଞ୍ଚ ଜଣ ବାବୁ ଅପେକ୍ଷା କରୁଥିଲେ ଗରମ ବରା ଖାଇବା ପାଇଁ । ନାକରେ ବାଜିଲା ସେଇ ବାସ୍ନା । ଭିକ ନଥିଲେ ବି ଭୋକ ଲାଗିଲା ପରି ଅନୁଭବ କଲି ମୁଁ । ଏତେ ବର୍ଷେ ବ୍ୟବଧାନ ପରେ ଆସୁଚି ନ, ତେଣୁ କେହି ଚିହ୍ନିବାର ଭୟ ନାହିଁ । ସଂକୋଚ ଲାଗୁଥିଲେ ବି ଦୋକାନ ଆଗରେ ଛିଡ଼ାହେଲି । ମୁଁ କମିଶନର୍ । ମୋତେ କେହି ଚିହ୍ନି ନ ପାରିବାରୁ ଖୁସି ହେଲି । ଅନ୍ୟ ସମୟରେ ଚିହ୍ନିବାରେ ଡେରି ହୋଇଥିଲେ ମୁଁ ବିରକ୍ତ ହୋଇଥା’ନ୍ତି ।

 

କାଠ ଫାଳେ ପକାଇ ଦିଆଯାଇଛି ଦୁଇମୁଣ୍ଡ ପଥର ଉପରେ । ସେଇଟା ବେଞ୍ଚ୍‍ । ଜଣେ ବାବୁ ଉଠି ପଡ଼ିଲେ କହିଲେ–ବସନ୍ତୁ… ।

 

ଦୋକାନୀ ମୋ’ ମୁହଁକୁ ଅନେଇଲା ।

 

ମୁଁ କହିଲି–ଦୁଇଟା ବରା, କପେ ଚା’ ।

 

ବାବୁମାନେ ଆଗେ ବରାଖାଇ ଚାଲିଗଲେ । ସେମାନେ ଚାଲିଯିବା ପରେ ସେ ପାଖର ଦୃଶ୍ୟଟି ଆଖିରେ ପଡ଼ିଲା । ଦୁଇଟି ପିଲା ଛିଡ଼ା ହୋଇଥିଲେ । ଜଣଙ୍କର ବୟସ ବାର ତେର, ଆଉ ଜଣଙ୍କର ସାତ ଆଠ ମଧ୍ୟରେ । ସେମାନଙ୍କ ଚାହାଣିରେ ଦାଉ ଦାଉ ଜଳୁଥିବା ଭୋକ ।

 

ମୁଁ ପଚାରିଲି–ଘର କୋଉଠି ?

 

ଗାଁରେ….

 

କୋଉ ଗାଁ ?

 

ଟସରପଲ୍ଲୀ…

 

କେତେଦୂର ?

 

ଦିନକର ବାଟ…

 

କାହା ସାଙ୍ଗରେ ଆସିଛ ?

 

ଆପେ ଆପେ…

 

କାହିଁକି ?

 

ଖାଇବାକୁ ମା’ ଦେଇ ପାରିଲାନି ଯେ, ସେ ବି ମରିଗଲା…

 

ଆଃ… ! ମୋ ମୁହଁରୁ ଆପେ ଆପେ ବାହାରିଗଲା ।

 

–କୋଉଠି ରହୁଛ ?

 

–କାଇଁ ନାହିଁ ବାବୁ ।

 

–ଖାଇବ ?

 

ଏ ଯାଏ ବଡ଼ କଥା କହୁଥିଲା ଏବେ କିନ୍ତୁ ଦୁହେଁ ଏକା ସାଙ୍ଗରେ ମୁଣ୍ଡ ହଲାଇଲେ । ମୋତେ ଦେବା ଆଗରୁ ସେମାନଙ୍କୁ ଚାରିଟି ବରା ଦେବା ପାଇଁ ଦୋକାନୀକୁ କହିଲି ମୁଁ ।

 

–ଏମିତି କେତେ ଜଣଙ୍କୁ ଦେବ ବାବୁ ? ଏମାନଙ୍କର ସଂଖ୍ୟା ଅନେକ । ଗାଁ ଗଣ୍ଡା ଛାଡ଼ି ସହରକୁ ଚାଲି ଆସିଛନ୍ତି କାମ ପାଇଁ, ଖାଦ୍ୟ ପାଇଁ । ବାବୁମାନଙ୍କ କଥା ଛାଡ଼, ଏଠାରେ ବି ଅନ୍ୟମାନଙ୍କର ଅବସ୍ଥା ଭଲ ନାହିଁ ।

 

–ଏଠାରୁ ପୁଣି କୁଆଡ଼େ ଯିବେ ?

 

–ରାୟପୁର, ରାଉରକେଲା, ଭିଲାଇ… ।

 

–ତମ ଘର କୋଉଠି ।

 

–ଟିଟିଲାଗଡ଼ରେ

 

ବରା ଖାଇ ପାଣି ପିଇ ସାଷ୍ଟାଙ୍ଗ ହେଲା ପରି ଦିଶିଲେ ପିଲା ଦୁଇଟା । ବଡ଼ର ହାତରେ ପାଞ୍ଚ ଟଙ୍କା ଦେଇ କହିଲି–ସାବଧାନରେ ରଖ… ଭୋକ କଲେ ମୁଢ଼ି ଚୁଡ଼ା ଖାଇବ…। ସେ ଦୁହେଁ ଅଭିଭୂତ ହୋଇପଡ଼ିଲା ପରି ଚାହିଁଲେ ମୋ ମୁହଁକୁ… ମୋ’ଠାରୁ ବୟସରେ ଅନେକ ସାନ...ନ ହେଲେ ବୋଧହୁଏ ଆଶୀର୍ବାଦ କରିଥାନ୍ତେ... ।

 

ମୁଁ ଆଉ ବରା ଖାଇଲି ନାହିଁ, ସେ ଦୁଇଟା ବି ସେମାନଙ୍କୁ ଦେଲି । ଖାଲି ଚା’ ଗିଲାସେ ପିଇଲି ।

 

ପଇସା ଦେଇ ଆଗକୁ ଯିବାବେଳେ କେହି ନଶୁଣିବା ପରି କହିଲା–ସରକାରଙ୍କୁ ଟିକେ କୁହ ବାବୁ… ଲୋକଗୁଡ଼ା ନ ହେଲେ ପୋକ ମାଛି ପରି ମରିଯିବେ… ।

 

–ସରକାର କାହାକୁ ଅନାହରରେ ମରିବାକୁ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି… ଜାଣିଥିବେ ।

 

–ଖାଇବାକୁ ନ ମିଳିଲେ ଲୋକ ଆପେ ଆପେ ମରିଯିବେ...ସରକାରଙ୍କ ଅନୁମତି ଦରକାର ହେବ ନାହିଁ ।

 

–କହିବି… ନିଶ୍ଚୟ କହିବି ।

 

ତାକୁ ଆଶ୍ଵସ୍ତ କରିବା ଲାଗି କହିଲି ମୁଁ । ମୁଁ ଯେ ସରକାରଙ୍କ ଲୋକ ତାହା ତା’ ପାଖରେ କହିବା ପାଇଁ କାହିଁକି କେଜାଣି ସାହସ ହେଲା ନାହିଁ ।

 

ପାଦ ବଢ଼ାଇବା ଆଗରୁ ପଚାରିଲି; ଯୋଉ ଗୁଣ୍ଡଦୁଧରେ ଚା’ ତିଆରି କଲ କୋଉଠୁ ପାଇଲ ?

 

–ଆଜ୍ଞା ମିଛ କହିବି ନାହିଁ, ମିଛ କହି ଯୁଧିଷ୍ଠିର ନର୍କ ଦର୍ଶନ କରିଥିଲେ… ବିଡିଓ ବାବୁଙ୍କ ଲୋକ ପ୍ରତି ମାସ ଦେଇଯାଏ…. ବଜାର ଅପେକ୍ଷା ଦର କମ୍… ଗୁଣ ଭଲ… ।

 

ଆଉ କିଛି ଶୁଣିବା ପାଇଁ ଅପେକ୍ଷା ନ କରି ମୁଁ ଦ୍ରୁତ ପାଦରେ ଆଗେଇ ଚାଲିଲି ସର୍କିଟ ହାଉସ୍ ଅଭିମୁଖରେ ।

 

କେହି ଜଣେ ମହାନ୍ ବିପ୍ଳବୀ କହିଥିଲେ ଯେ ଯେଉଁ ଜାତି ପାଇଁ ସ୍ଵପ୍ନ ଦେଖେନି, ସେ ଜାତି ବିପ୍ଳବ କରି ଜାଣେନି । ଏହା ବ୍ୟକ୍ତି ପ୍ରତି ପ୍ରଯୁଜ୍ୟ । ସ୍ଵପ୍ନ ଦେଖନ୍ତିନି ସମସ୍ତେ । ସ୍ଵପ୍ନ କ’ଣ ଜାଣନ୍ତି ନାହିଁ କଳାହାଣ୍ଡିର ଲୋକମାନେ । ସ୍ଵପ୍ନ ଦେଖିବା ପାଇଁ ରାତି ନାହିଁ ସେମାନଙ୍କ ପାଖରେ । ଶୋଇପଡ଼ିଲେ ଏକ ନିଦରେ ରାତି ସରିଯାଏ । ସକାଳର ସୂର୍ଯ୍ୟୋଦୟ ତ ସବୁଦିନ ପରି ନିର୍ଣ୍ଣୟ ଭାବରେ ଅନାଏ ସେମାନଙ୍କୁ ବଳି ପାଇଁ ଅପେକ୍ଷା କରୁଥିବା ପଶୁକୁ ଘାତକ ଅନାଇବା ପରି । ପ୍ରତିଦିନ ବଳି ପଡ଼ନ୍ତି କେତେ ଲୋକ, ମାଟିରେ ମିଶିଯାଏ କେତେ ଭାଗ୍ୟ ଓ ଭବିଷ୍ୟତ ।

 

ସର୍କିଟ୍ ହାଉସରେ ମୋ ପାଇଁ ଭବ୍ୟ ଆୟୋଜନ କରିଥିଲେ ଅଧିନସ୍ଥ ଅଫିସର ବୃନ୍ଦ । ମୋ ସମ୍ମାନର୍ଥେ ଛୋଟକାଟର ଭୋଜି ଆୟୋଜନ କରିଥିଲେ । ଦେଶୀ ମୁର୍ଗିର ମାଂସ ତରକାରୀ ସହିତ ପୁରି, ପଲାଉ, ମାଛଭଜା, ପୋଟଳରସା, ଦହି ବାଇଗଣ, ମାଛମୁଣ୍ଡ ପଡ଼ିଥିବା ଘାଣ୍ଟ, ଆଳୁଦମ୍, ଅଣ୍ଡା କସା, ବାସୁମତୀ ଚାଉଳର କ୍ଷୀରି, ଆପେଲ୍ ଓ ଅଙ୍ଗୁର । ଭୋଜନ କରିବା ପୂର୍ବରୁ ଅବଶ୍ୟ ଭଜା କାଜୁ ବାଦାମ ସହିତ ବିଲାତି ହୁଇସ୍କିର ବ୍ୟବସ୍ଥା ମଧ୍ୟ ଥିଲା ।

 

ମୋତେ କେମିତି ଅଡ଼ୁଆ ଅଡ଼ୁଆ ଲାଗୁଥିଲା, କେଜାଣି କାହିଁକି ଦୁଇ ପେଗ୍ ହୁଇସ୍କି ପାନ କରିବା ପରେ ମଧ୍ୟ ଭୋକ ଲାଗିଲା ନାହିଁ କି ମନଟା ଉଚ୍ଚକିତ ହେଲା ନାହିଁ । ତଥାପି ଅଫିସରମାନେ ବଳେଇ ବଳେଇ ଅନେକ କିଛି ଖୁଆଇ ଦେଲେ । ରାତିରେ ଶୋଇବାକୁ ଗଲା ବେଳକୁ ଦୁଇଟା ବାଜି ଯାଇଥିଲା ।

 

ମୋ ମନରୁ କାହିଁକି ବିପ୍ଳବ କଥାଟା ଯାଉ ନ ଥିଲା । ସେ ପିଲା ଦୁଇଟାଙ୍କ ମୁହଁ ବାରମ୍ବାର ମନେ ପଡ଼ୁଥିଲା ଏବଂ ସର୍କିଟ୍ ହାଉସକୁ ଆସିଥିଲେ ସେମାନଙ୍କୁ ବହୁତ କିଛି ଖୁଆଇଥାନ୍ତି ବୋଲି ମନକୁମନ କହୁଥିଲି । ସୁଯୋଗଟା ହାତଛଡ଼ା ହୋଇଗଲା ବୋଲି ନିଜକୁ ନିନ୍ଦିଲି । ବହୁତ ଖାଦ୍ୟ ବଳି ଯାଇଥିଲା । ମାତ୍ର ଦଶଜଣଙ୍କ ପାଇଁ ରାନ୍ଧିଥିଲେ ସେମାନେ; ପନ୍ଦର ଜଣ ଖାଇବା ପରେ ବି ଆହୁରି ପାଞ୍ଚ ସାତ ଜଣଙ୍କ ପାଇଁ ଖାଦ୍ୟ ବଳକା ଥିଲା । ସେ ସବୁ ଫିଙ୍ଗି ନ ଦେଇ ଯତ୍ନର ସହିତ ରଖି ଦେବା ପାଇଁ କହିଥିଲି ମୁଁ । କାଳେ ଯଦି ସେମାନଙ୍କ ସହିତ ଭେଟ ହୋଇଯାଏ… ।

 

ରାତିରେ ଆସନ୍ତା କାଲି ଗସ୍ତର କାର୍ଯ୍ୟସୂଚୀ ମୋଟାମୋଟି ଭାବରେ ତିଆରି ସରିଥିଲା-। ଭବାନୀପାଟଣାରୁ ପ୍ରାତଃଭୋଜନ ସାରି ନଅଟା ବେଳକୁ ବାହାରିବା ପାଇଁ ସ୍ଥିର ହୋଇଥିଲା-। ନଉପଡ଼ା ବ୍ଲକର ଅବସ୍ଥା ଶୋଚନୀୟ ବୋଲି ବିଧାନସଭାରେ କହିଥିଲେ ସଭ୍ୟମାନେ । ତେଣୁ ଆଉ କୌଣସି ସ୍ଥାନକୁ ନ ଯାଇ ନଉପଡ଼ା ବ୍ଲକକୁ ଯିବା ପାଇଁ ମୁ ମଧ୍ୟ ନିଶ୍ଚୟ କରିଥିଲି । କୌଣସି ନିର୍ଦ୍ଦିଷ୍ଟ ଗ୍ରାମର ନାମ କହି ନ ଥିଲି ଜିଲ୍ଲା ଅଫିସରମାନଙ୍କୁ । ଯିବାବେଳେ ଯୋଉଠି ଇଚ୍ଛା ହେବ ସେଇଠି ଅଟକିବା ପାଇଁ ଯୋଜନା କରିଥିଲି ମୁଁ । ଏହାଦ୍ଵାରା ଅଚାନକ ପରିଦର୍ଶନର ସୁବିଧା ମିଳିବ । ପ୍ରକୃତ ଅବସ୍ଥା ଜଣା ପଡ଼ିବ । ସମ୍ବାଦପତ୍ର ପାଇଁ ମସଲା ପାଇବେ ସାମ୍ବାଦିକମାନେ-। ଏଠାରେ କହି ରଖେ ଯେ ଦୟାକରି ସେମାନେ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ରାତ୍ରି ଭୋଜନରେ ଯୋଗ ଦେଇଥିଲେ ଏବଂ ମୋ ଆଗମନର ଉଦ୍ଦେଶ୍ୟ ଜାଣିବା ପରେ ସେମାନେ ସରକାରଙ୍କ ସିଦ୍ଧାନ୍ତରେ ଉଚ୍ଚ ପ୍ରଶଂସା ନ କରି ଏହି ତଦନ୍ତ ନିଷ୍ପକ୍ଷ ହେବ ଯେ ଏଥିରେ ଏମାନଙ୍କର ତିଳେମାତ୍ର ସନ୍ଦେହ ନ ଥିବା ଜଣାଇ ଦେଇଥିଲେ ।

 

ବାହାରୁ ବାହାରୁ କିନ୍ତୁ ଦଶ ବାଜିଗଲା । ରାମ ଦୟାଲ ହରକିଷନ ଲାଲ୍ ଜିଲାର ସବୁଠାରୁ ବଡ଼ ଚାଉଳ ବ୍ୟବସାୟୀ । ସ୍ଥାନୀୟ ଏମ.ଏଲ.ଏ. ଜୀବନ ଗୋସ୍ଵାମୀଙ୍କର ଅନ୍ତରଙ୍ଗ ବନ୍ଧୁ ସେ । ସେ ହଠାତ୍ ମୋତେ ପ୍ରାତଃଭୋଜନ ପାଇଁ ଆମନ୍ତ୍ରଣ କଲେ । ହରକିଷନ୍ ଲାଲଙ୍କ ଘରେ ପହଞ୍ଚିବା ପରେ ଜାଣିଲି ଯେ ମୁଁ ଜୀବନ ବାବୁଙ୍କ ଅତିଥି ନୁହେଁ, ମୁଁ ରାମ ଦୟାଲ ହରକିଷନ ଲାଲଙ୍କ ଅତିଥି । ବିଧାୟକ କହିଲେ ଏଥିରେ କିଛି ଯାଏ ଆସେନା… ହରକିଷନଜୀ ଦୟାର ଅବତାର… ମରୁଡ଼ିଗ୍ରସ୍ଥ ତିନିଟା ଗ୍ରାମର ପ୍ରାୟ ଚାରିଶହ ଲୋକଙ୍କୁ ଦୈନିକ ଓଳିଏ ଖେଚେଡ଼ି ଦେବାର ବ୍ୟବସ୍ଥା କରିଛନ୍ତି ସେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫପାଣ୍ଠିକୁ ଲକ୍ଷେ ଟଙ୍କା ଦାନ କରିଛନ୍ତି । ମରୁଡ଼ିଗ୍ରସ୍ଥ ଅଞ୍ଚଳରେ ମାଗଣାରେ ଖାଦ୍ୟ ବିତରଣ କରିବା ପାଇଁ କଲେକ୍ଟରଙ୍କୁ ଦଶ କୁଇଣ୍ଟାଲ୍ ଚାଉଳ ଦେଇଛନ୍ତି ।

 

ମୋର ଭାଗ୍ୟ ଭଲ ଯେ ରାତିର ପ୍ରଚୁର ଆହାର ହଜମ ହୋଇ ସାରିଥିଲା । ହରକିଷନ ଲାଲଙ୍କ ଆୟୋଜନକୁ ପ୍ରଶଂସା ନ କରି ରହି ପାରିଲି ନାହିଁ । କଚୋଡ଼ି ମୁଁ ଭଲ ପାଏ ବୋଲି ସେ କେମିତି ଜାଣିଲେ କେଜାଣି ହିଙ୍ଗୁ ପକା ଗରମ ଗରମ କଚୋଡ଼ି, ବୁଟଡାଲି, ଆଳୁଦମ୍ ପୋଟଳଭଜା, ଆଚାର ସହିତ ଭଲ ବସାଦହି, ବାଦାମ ପେସ୍ତା ପଡ଼ିଥିବା ସୁଜିର ହାଲୁଆ, ବଡ଼ ବଡ଼ ରାଜଭୋଗ ଓ ଗୋଲାପଜାମୁ ପରଶି ଅତି ବିନୟର ସହିତ କହିଲେ–ଏଇଟା ଭୁବନେଶ୍ଵର କି କଟକ ନୁହେଁ ଜହୁର…ଭବାନୀପାଟଣା…କିଛି ମିଳେନି…. ଯାହା ପାଇଲି ସେତିକି ବ୍ୟବସ୍ଥା କରିଛି । ଟିକେ ସମୟ ପାଇଥିଲେ ରାୟପୁର ଗାଡ଼ି ପଠେଇ ଆଉ କିଛି ମଗାଇ ନେଇଥାନ୍ତି… ।

 

ମୁଁ ତାଙ୍କୁ ଆଗେ ଧନ୍ୟବାଦ ଦେଇ ବାହାରିଗଲା ବେଳେ ବିଧାୟକ ମୋତେ ଚୁପ୍‍ଚୁପ୍ କହିଲେ–ଚାଉଳ ନାମରେ ଖୁଦ ଓ କୁଣ୍ଡା ବିକ୍ରି କରୁଛନ୍ତି ବୋଲି ୟାଙ୍କ ନାମରେ ଅଭିଯୋଗ କରୁଛନ୍ତି କେତେକ ଦୁଷ୍ଟଲୋକ । ସେମାନେ ବିରୋଧୀ ଦଳର ନିଶ୍ଚୟ । ବିରୋଧ କରିବା ନାମରେ ବିରୋଧ କରିବା ଛଡ଼ା ଅନ୍ୟ ମହତ ଉଦ୍ଦେଶ୍ୟ ନାହିଁ ସେମାନଙ୍କର । ଅଥଚ ଗତ ମ୍ୟୁନିସିପାଲିଟି ନିର୍ବାଚନରେ ସେମାନଙ୍କୁ ଯଥେଷ୍ଟ ସାହାଯ୍ୟ କରିଥିଲେ ହରକିଷନ ଲାଲଜୀ । ଆପଣ ଭୁଲି ନ ଯାଆନ୍ତି ଯେପରି… ତା’ପରେ ତାଙ୍କରି ଦୟାରୁ ଆମ ଦଳର ପାଣ୍ଠି ଅଭାବ ହୁଏତ ନାହିଁ ।

 

ମୁଁ ସବୁ ବୁଝିଯିବା ପରି ମଥା ହଲାଇଲି ।

 

ତାଙ୍କ ଘରୁ ଫେରିଯିବା ବେଳେ ରାସ୍ତାରେ ହୋଟେଲ୍ କଡ଼ରେ ପଡ଼ିଥିବା ଗତକାଲିର ଉଚ୍ଛିଷ୍ଟରୁ ଭାଗ ନେବା ପାଇଁ ଗୋଟେ କୁକୁର ସହିତ ଦୁଇ ଜଣ ପିଲା କଳି କରୁଥିବାର ଦେଖି ମନକୁମନ କହିଲି ଯେ ଏଇ ଦୁଇଜଣ ବୋଧହୁଏ କାଲି ସଂଧ୍ୟାର ସେଇ ଦୁଇଜଣ ଅନାଥ, ନିରାଶ୍ରୟ ପିଲା ହୋଇଥିବେ । କିନ୍ତୁ ବାହାରିବାର ସମୟ ଉତ୍ତୀର୍ଣ୍ଣ ହୋଇ ଯାଇଥାଏ ବୋଲି ଗାଡ଼ି ଜୋରରେ ଚାଲୁଥିଲା । ମୁଁ ସେମାନଙ୍କୁ କିଛି କହିବାର ସୁବର୍ଣ୍ଣ ସୁଯୋଗ ଉପଯୋଗ କରି ପାରିଲି ନାହିଁ । ଯଦି ପରେ ଦେଖାହୁଏ ସେମାନଙ୍କ ପାଇଁ କିଛି ବ୍ୟବସ୍ଥା କରିବା ପାଇଁ ରାମଦୟାଲ ହରକିଷନ ଲାଲଙ୍କୁ କହିବା ଲାଗି ମନେ ମନେ ସ୍ଥିର କରିନେଲି ।

 

ଭବାନୀପାଟଣାରୁ ନଉପଡ଼ା ଯିବାବେଳେ ଆଖିରେ ପଡ଼ିଲା ଆରକନି ପଟ ଓ ମାଳର ସେଇ ମନୋରମ ଦୃଶ୍ୟ । ସଡ଼କର ଦୁଇ ପାଖରେ ଅରଣ୍ୟର ଶ୍ରୀହୀନ ରୂପ । କାର୍ତ୍ତିକ ମାସ । ବିଲର ଖୁବ୍ ଧାନକ୍ଷେତ କିନ୍ତୁ ଆଖିରେ ପଡ଼ିଲା ନାହିଁ । ବର୍ଷା ଅଭାବରୁ ଫସଲ ନଷ୍ଟ ହୋଇ ଯାଇଛି-। ମାଟି ଫାଟି ଚାହିଁ ରହିଛି ଆକାଶକୁ ତୃଷାର୍ତ୍ତ ମଣିଷ ପାଣିର ପ୍ରତୀକ୍ଷା କରିବା ପରି ।

 

ଗୋଟିଏ ଗାଁ ମୁଣ୍ଡ ଦେଇ ଗଲାବେଳେ ଜିଲ୍ଲା ଅଧିକାରୀ କହିଲେ ସାର୍ ଦେଖିବା ହୁଅନ୍ତୁ… ଏଇ ଗାଁରେ ପାଞ୍ଚଟା ନଳକୂଅ ଗତ ବର୍ଷରୁ କାମ କରୁଛି । ଗାଁ ଲୋକେ ଆଉ ପାଣି ମାଠିଆଏ ଆଣିବା ପାଇଁ ପାଞ୍ଚ କିଲୋମିଟର ଯାଉ ନାହାନ୍ତି ।

 

ଗାଡ଼ି ଛିଡ଼ା କରିବାକୁ ମୁଁ କହିଲି ।

 

ଜିଲ୍ଲା ଅଧିକାରୀଙ୍କ କଥା ସତ । ଗତବର୍ଷ ପାଞ୍ଚଟି ନଳକୂପ ବସାଯାଉଥିଲା ଏଇ ଗାଁରେ-। କିନ୍ତୁ ଗାଁ ଲୋକେ କହିଲେ ଯେ, ଚାରିଟା ଅଚଳ ହୋଇଯାଇଛି ଛଅମାସ ହେଲା-। ଆଉ ଗୋଟାକରୁ କେବଳ କାଦୁଅ ପାଣି ବାହାରୁଛି… ତଥାପି ସେଇ ପାଣି ପିଉଛନ୍ତି ସେମାନେ-। ଅନ୍ୟ ଉପାୟ ନାହିଁ ।

 

ଜିଲ୍ଲା ଅଧିକାରୀଙ୍କୁ ଖରାପ ଲାଗିଲା ସେମାନଙ୍କର ସ୍ପଷ୍ଟବାଦିତା ଦେଖି । ଯେଉଁ ଲୋକଟା ଏଇ ସତକଥାଗୁଡ଼ାକ କହିଗଲା ତା’ ଉପରେ ଏକ କଡ଼ା ଦୃଷ୍ଟି ନିକ୍ଷେପ କଲେ । ବାକ୍‍ସିଦ୍ଧ ଋଷି ହୋଇଥିଲେ ତାକୁ ଭସ୍ମ କରି ଦେଇଥାଆନ୍ତେ ଅବା । ମୁଁ କିନ୍ତୁ ପରିବେଶକୁ ଟିକେ ହାଲୁକା କରିଦେବା ପାଇଁ କହିଲି–ଆପଣ ସାତଦିନ ମଧ୍ୟରେ ଏସବୁ ମରାମତି କରାଇ ଦିଅନ୍ତୁ । ସେ କିନ୍ତୁ କହିଲେ ନଳକୂପ ମରାମତି କରିବା ପାଇଁ ଉପଯୁକ୍ତ ଲୋକ ନାହାନ୍ତି ଜିଲ୍ଲାରେ । ସେଇ କଟକ ବା ଭୁବନେଶ୍ଵରରୁ ଲୋକ ଆସିଲେ ଯାଇ ଏ କାମ ହେବ । ସେ ଶୀଘ୍ର ମରାମତି କରିବା ପାଇଁ ଅବଶ୍ୟ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଲେ ।

 

ରାସ୍ତାରେ ଯିବାବେଳେ ଆଖିରେ ପଡ଼ୁଥିଲା ଶୁଖି ଯାଇଥିବା ଫସଲ ଓ ଫଟାମାଟିର ଦୃଶ୍ୟ । ମା’ର ସ୍ତନରୁ କ୍ଷୀର ଶୁଖିଗଲେ ଶିଶୁ ଯେପରି ଶୁଖିଯାଏ ସେହିପରୁ ପଡ଼ିଲା ଶସ୍ୟ ଶିଖିଯାଇଥିବାର ଦୃଶ୍ୟ ସର୍ବତ୍ର । ଯେଉଁ ଲୋକମାନଙ୍କୁ ରାସ୍ତାରେ ଯିବାବେଳେ ଛିନ୍ନମୂଳ ଉଦାବସ୍ତୁ ପରି ଗାଁ ଛାଡ଼ି ଆୟ ଉପାୟ ଉଦ୍ଦେଶ୍ୟରେ ଦୂରଦୂରାନ୍ତରକୁ ଚାଲି ଚାଲି ଯାଉଥିବାର ଦେଖିଲି, ଗାଡ଼ି ଅଟକାଇ ସେମାନଙ୍କ ମଧ୍ୟରୁ କେତେକଙ୍କର ବୟାନ ମଧ୍ୟ ଶୁଣିଲି । ନକୁଳ ନାୟକ କହିଲା ଯେ ତା’ ମା’ ମରିଗଲା, ପୋଡ଼ି ନ ପାରିବାରୁ ତା’ ସ୍ତ୍ରୀ ତାକୁ ଛାଡ଼ି କୁଆଡ଼େ ପଳାଇଲା । ଗାଁରେ ରହିବାର ଆଉ କୌଣସି ଆକର୍ଷଣ ରହିଲା ନାହିଁ । ମରି ନ ପାରି ସେ ଆହାର ସନ୍ଧାନରେ ଯାଉଛି ସହରକୁ । ଶାଗୁଆ ସିଂ କହିଲା, ଘରେ ଯାହା ଥିଲା ସେ ସବୁ ବିକ୍ରି କରି ଏ ଯାଏ ଚଳିଲା । ଆଉ ବିକିବାକୁ କିଛି ନାହିଁ । ଝିଅଟାକୁ ଏଗାର ବର୍ଷ ଚାଲିଛି । ଖାଇବାକୁ ନ ପାଇ କଣ୍ଟା ହୋଇ ଗଲାଣି । କିଛି ଟଙ୍କା ପାଇଲେ ତାକୁ ବିକିଦେବ ସେ । ଝିଅ କାମଧନ୍ଦା କରି ବଞ୍ଚିଯିବ ।

 

ମୋ ମନଟା ବିଦ୍ରୋହୀ ହୋଇ ଉଠୁଥିବାର ଉତ୍ତେଜନା ଅନୁଭବ କରୁଥିଲି ମୁଁ । ସେଇ ସ୍ଵପ୍ନ ବିଷୟ ମନେ ପଡ଼ିଲା ମୋର । ଗୋଟିଏ ସମୃଦ୍ଧ ସମାଜର ସ୍ଵପ୍ନ ଦେଖିଥିଲି ମୁଁ ପାଠପଢ଼ିଲା ବେଳେ । ଏବେ ତ ଦେଶ ସ୍ଵାଧିନ । କିନ୍ତୁ ସକାଳର ଶିଶିର ବିନ୍ଦୁ ସୂର୍ଯ୍ୟର ପ୍ରଖର ତେଜରେ ଶୁଖିଯିବା ପରି ଶୁଖିଯାଇଛି କେଉଁଦିନୁ । ବେଳେବେଳେ ମନେ ପଡ଼ିଲେ ବିଦ୍ରୋହ କରିବାକୁ ଇଚ୍ଛା ହୁଏ, କିନ୍ତୁ ପର ମୁହୂର୍ତ୍ତରେ ମନେ ପଡ଼ିଯାଏ ଯେ, ମୋର ହାତପାଦ ବନ୍ଧା ପଡ଼ିଛି । ପ୍ରଶାସନିକ ସେବାରେ ରହିବାର ଗୌରବ ମନକୁ ବୁଝାଇ ଦେଇଛି ଯେ, ଏଇ ଦାୟିତ୍ଵ ମଧ୍ୟ ଭଲ ଏକ ଅଭାବଗ୍ରସ୍ଥ ଅନୁନ୍ନତ ଜୀବନ ଆଦୌ ସ୍ପୃହଣୀୟ ନୁହେଁ । ତଥାପି ବେଳେବେଳେ ଅନୁଭବ କରେ ଛାତ୍ରାବସ୍ଥାରେ ଥିବା ନୂଆକିଛି କରିବାର ସେଇ ଉତ୍ତେଜନା । ସେତେବେଳେ ଦୁଃସାହସିକ ଅଭିଯାନ କରିବାକୁ ଭୟ ଲାଗୁ ନଥିଲା, ଏବେ ତ କିଛି କାମ କରିବା ଆଗରୁ ଭାବିବାକୁ ହୁଏ କେତେଥର ।

 

ଜମାଦାର ପଲ୍ଲୀରେ ଶାରୀର ଘର ଭିତରକୁ ପଶି ମୋର ଆଖି ଖୋଲିଲା । ତାର ବୟସ ଚାଳିଶ ପାଖାପାଖି, ତଥାପି ଦିଶୁଥାଏ ପଚାଶ ପଞ୍ଚାବନ ପେ ପରି । ଚୁଲି ଜାଳି ହାଣ୍ଡିରେ କ’ଣ ଫୁଟାଉଥିଲା ସେ । ମୁଁ ନଇଁପଡ଼ି ହାଣ୍ଡି ଭିତରକୁ ଚାହିଁଲି । ସେ କହିଲା, “ଆଉ ତ କିଛି ନାହିଁ ବାବୁ… ଗଛର ଚେର ଖଣ୍ଡେ ଆଣିଥିଲି ଯେ ଵସେଇଛି । ଶିଝିଲେ ଆହାର କରିବି… ଚାରି ପାଞ୍ଚ ଦିନ ହେବ ପେଟରେ ଆହାର ପଡ଼ିନି ।’’ ତା ଶାଶୁକୁ ଦେଖି ସତରେ ମୁଁ ଡରିଗଲି । ଫୁଙ୍କି ଦେଲେ ଉଡ଼ିଯିବ । ଅସ୍ଥିକଙ୍କାଳ ସାର । ଦୀପ ନିଭିବ ନିଭିବ ଅବସ୍ଥାରେ । କେତେବେଳେ ଦପ୍ କରି ନିଭିଯିବ କହି ହେବନି । ସୁନା ବଣିଆ, ମଥୁରା, ସିଧୁ, କାଣୀ ଗଉଡ଼ୁଣି ଏମାନଙ୍କ ନାମ ବିଧାନସଭାରେ ଉଠୁଥିଲା । ଏମାନେ ଅନହାରରେ ମରିଯାଇଥିବାର ଅଭିଯୋଗ ହୋଇଥିଲା । ଗାଁ ଗାଁ ଖୋଜି ଶେଷରେ ଠାବ କଲି । ସୁନା ବଣିକ ବେମାର ଥିଲା, ଔଷଧ କି ପଥି ନ ପାଇ ମରିଗଲା-। ଥୁରା ସିଧୁ ପଚା ମାଉଁସ ଖାଇ ଝାଡା ବାନ୍ତିରେ ମଲା । ଥୁରା ଗଉଡ଼ୁଣୀ ଅଥର୍ବ, ଧିରେ ଧୀରେ ମରିଗଲା ଆହାରର ଯତ୍ନ ନ ପାଇ ।

 

ସତେଇଶିଟି ଗାଁ ବୁଲି ସାରିଲା ବେଳକୁ ସୂର୍ଯ୍ୟଦେବ ଢଳି ପଡ଼ିଲେ ଖୋରାବଳୀ ପର୍ବତ ତଳେ । ମୁଁ ହାତଘଡ଼ିକୁ ଚାହିଁଲି–ପାଞ୍ଚଟା ଚାଳିଶି ମିନିଟ୍ ।

 

ବ୍ଲକ୍ ଅଫିସର କହିଲେ; ବ୍ଲକ୍ ଅଫିସରେ ଟିକେ ବସନ୍ତୁ ସାର୍… ଦିନସାରା ବୁଲି ବୁଲି ଥକିଯିବେଣି… ।

 

ବ୍ଲକ୍ ଅଫିସରେ ସମସ୍ତେ ବସିଲୁ । ଦିନ ସାରା ଯାହା ଯାହା ଦେଖିଲୁ ଯାହା ସବୁ ତଥ୍ୟ ସଂଗ୍ରହ କରିଥିଲୁ ସବୁର ତର୍ଜମା ହେଲା । ବିଧାନସଭାରେ କରାଯାଇଥିବା ଅଭିଯୋଗ ସତ ପ୍ରମାଣିତ ହେଲା । ଅନାହରରେ ବା ଅଖାଦ୍ୟ ଖାଇ କେହି ମରୁଥିବା ଶୁଣି ଏ ଅଞ୍ଚଳର ଆଉ କେହି ଆଶ୍ଚର୍ଯ୍ୟ ହୁଅନ୍ତିନି । ସବୁ ଦେହସୁହା ହୋଇ ଗଲାଣି । କିନ୍ତୁ ମଣିଷ ମରିବା ପୂର୍ବରୁ ଛଟପଟ ହୁଏ, ଶେଷ ନିଶ୍ଵାସ ଛାଡ଼ିବା ପୂର୍ବରୁ ଆଖି ଡୋଳା ଲେଉଟାଇ ଦିଏ… ଏ ସବୁ ବଞ୍ଚିବା ପାଇଁ ଶେଷ ଚେଷ୍ଟାର ସଂକେତ । ଏଠାର ଲୋକମାନେ ଶେଷ ଅବସ୍ଥାକୁ ଆସିଗଲେଣି । ଅଥଚ ଦାବି ପ୍ରତିବାଦର ଶବ୍ଦ ଶୁଣାଯାଉନି… । ଜୀବନ କେଳା ଯାହା କହିଥିଲା ସତ । ଜୀବନ ତ ଯିବ ବୋଲି ଆସେ… ପୂର୍ବଜନ୍ମର ଅର୍ଜିତ ପ୍ରାରବ୍‍ଧ କର୍ମର ଅଠାକାଣ୍ଡିଆରେ ଅଟକି ଥବା ପକ୍ଷୀପରି ବାନ୍ଧିରଖେ ମଣିଷକୁ, ତାର ଭାଗ୍ୟ ଓ ଭବିଷ୍ୟତକୁ ।

 

ନଉପଡ଼ା ବ୍ଲକ୍ ଅଫିସରେ ସଂନ୍ଧ୍ୟାରେ ଚା’ ପାନର କିନ୍ତୁ ସରଳ ବ୍ୟବସ୍ଥା କରିଥିଲେ ବି.ଡି.ଓ । ଗରମ ପକୋଡ଼ି ବ୍ରିଟାନିଆ ବିସ୍କୁଟ୍, ଖୁଆପେଡ଼ା ଆଉ ଲିପଟନ୍ ଗ୍ରିନ ଲେବଲ ଚା । ଖାଉ ଖାଉ ମୁଁ ପ୍ରାୟ ପ୍ଲେଟ୍ ଭର୍ତ୍ତି ପକୋଡ଼ି ଆଉ ପାଞ୍ଚଟା ଖୁଆପେଡ଼ା ଖାଇଗଲି । ଖୁଆପେଡ଼ାର ପ୍ରଶଂସା କଲି । ବି.ଡି.ଓ କହିଲେ ଏଠାରେ ଖାଣ୍ଟି କ୍ଷୀର ମିଳେ ସାର୍… ଗୋଟିଏ ପ୍ୟାକେଟ୍ ଗାଡ଼ିରେ ରଖି ଦେଇଛି ମୁଁ ।

 

ପରମ୍ପରାରେ ପଡ଼ିଗଲେଣି ଏ ସବୁ । ଉଚ୍ଚ ଅଫିସର ଗସ୍ତରେ ଆସିଲେ ଅଧସ୍ତନ ଅଫିସରମାନେ ସେମାନଙ୍କର ସମ୍ମାନ ଓ ମର୍ଜି ଜଗି ସେଇ ଅଞ୍ଚଳରେ ମିଳୁଥିବା ଭଲ ଜିନିଷ କିଛି ଗାଡ଼ି ପଛପଟେ ରଖି ଦିଅନ୍ତି । ଫଳ ମୂଳ, ଘିଅ, ସରୁ ଚାଉଳ, ଭଜା ମୁଗ, ମହୁ, ଝୁଣା, ମୁର୍ଗୀ ଓ ମାଛ ପ୍ରଭୃତି ଏ ପ୍ରଣାଳୀରେ ଆସେ । କିନ୍ତୁ ଭବାନୀପାଟଣାରୁ ଫେରି ଦେଖିଲି ଯେ ମରୁଡ଼ି ଗ୍ରସ୍ଥ ଅଞ୍ଚଳ ହେଲେ ମଧ୍ୟ ନଉପଡ଼ା ଅଞ୍ଚଳରେ ଏବେ ବି ଖାଣ୍ଟି ଗୁଆଘିଅ, ଭଲ ସରୁଚାଉଳ, ଖୁଆପେଡ଼ାର ଅଭାବ ନାହିଁ ।

 

ସେଦିନ ରାତିରେ ଭବାନୀପାଟଣା ସର୍କିଟ୍ ହାଉସରେ ବିଶ୍ରାମ କରି ତା’ପରଦିନ ଫେରି ଆସିଲି ରାଜଧାନୀର ବ୍ୟସ୍ତତା ଭିତରକୁ । ବହୁତ ତଥ୍ୟ ସଂଗ୍ରହ କରିଥିଲି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ । କାଳେ ଅଫିସରେ ଶାନ୍ତିରେ ବସି ଲେଖି ପାରିବି ନାହିଁ ସେଥିପାଇଁ ଷ୍ଟେନୋକୁ ନେଇ ଚାଲିଗଲି ନନ୍ଦନକାନନ ସାରାଦିନ ସେଠାରେ ରହି ରିପୋର୍ଟ ପ୍ରସ୍ତୁତ କରି ରାତିକୁ ଫେରି ଆସିଲି ବଙ୍ଗଳାକୁ ।

 

ରାତି ପ୍ରାୟ ଏଗାରଟାରେ ଡେପୁଟି ସେକ୍ରେଟାରୀ ଫୋନ୍ କରି କହିଲେ ଯେ ଆସନ୍ତା କାଲି ବିରୋଧୀଦଳ ପକ୍ଷରୁ କଳାହାଣ୍ଡି ସମସ୍ୟା ଉପରେ ଏକ ମୁଲତବୀ ପ୍ରସ୍ତାବ ଆସିବ । ଏହି ପ୍ରସ୍ତାବ ଉପରେ ବିତର୍କର ଉତ୍ତର ଦେବାବେଳେ ମନ୍ତ୍ରୀ ମହୋଦୟ ମୋର ରିପୋର୍ଟ ମଧ୍ୟ ଗୃହରେ ଉପସ୍ଥାପିତ କରିବେ । ରିପୋର୍ଟ ସକାଳ ସାତଟା ସୁଦ୍ଧା ପଠାଇ ଦେବା ଲାଗି ସେ ବିଶେଷ ଅନୁରୋଧ କଲେ ଏବଂ ସୂଚାଇ ଦେଲେ ଯେ ଆଲୋଚନା ସମୟରେ ଅଫିସରସ୍ ଗ୍ୟାଲେରୀରେ ମୁଁ ଯେପରି ଉପସ୍ଥିତ ରହେ ।

 

ସକାଳେ ମନ୍ତ୍ରୀ ଉଆସକୁ ରିପୋର୍ଟ ପଠାଇ ଦେଲି । ଠିକ୍ ଆଠଟାବେଳେ ତାଙ୍କଠାରୁ ଫୋନ୍ ପାଇଲି ମୁଁ । ମନ୍ତ୍ରୀ ମହୋଦୟ ବ୍ୟସ୍ତ ଥିଲା ଭଳି ତାଙ୍କ ସ୍ଵରରୁ ଅନୁମାନ କଲି । ସେ କହିଲେ ଆପଣ ଜଲ୍‍ଦି ଆସନ୍ତୁ… ବଡ଼ ଗୁରୁତ୍ଵପୂର୍ଣ୍ଣ ବିଷୟ ଆଲୋଚନା କରିବାର ଅଛି ।

 

ମୁଁ ସଙ୍ଗେ ସଙ୍ଗେ ବାହାରିଲି ।

 

ମନ୍ତ୍ରୀ ମହୋଦୟ ମୋତେ କହିଲେ, ଏ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ କଲେ ଆମ ସରକାର ଭାଙ୍ଗିଯିବ… କୋଉ ନୈତିକ ବଳରେ ଆମେ ସାଧନା କରିବୁ ସେମାନଙ୍କର । ସେମାନେ କରିଥିବା ସବୁ ଅଭିଯୋଗ ଯେ ସତ୍ୟ ଆପଣ କେବଳ ସେତିକି କହିନାହାନ୍ତି, ଆମ ସରକାରଙ୍କୁ ଅପଦସ୍ଥ କରିବା ପାଇଁ ଆପଣଙ୍କ ରିପୋର୍ଟରେ ଅନେକ ତଥ୍ୟ ରହିଛି ।

 

କିନ୍ତୁ ବିନୟ ସହକାରେ କହିଲି–ସାର୍, କିନ୍ତୁ ସବୁ ଯେ ସତ୍ୟ…

 

ସେ କହିଲେ–ଆପଣ ଯାହା ଲେଖିଛନ୍ତି ସେ ସବୁ ମିଛ ବୋଲି ମୁଁ କହୁନାହିଁ …କିନ୍ତୁ ଆପଣଙ୍କର ମଧ୍ୟ କିଛି ଦାୟିତ୍ଵ ଅଛି… ଆପଣ ରିଲିଫ୍ କମିଶନର… ଆପଣ ଏ ଯାଏ କ’ଣ କରୁଥିଲେ… ଜିଲ୍ଲା ପ୍ରଶାସନ କ’ଣ କରୁଥିଲା… ସବୁ ଦୋଷ ସରକାରଙ୍କର ?

 

ମୁଁ ବୁଝି ପାରିଲି । ଏଇ ରିପୋର୍ଟ ପେଶ୍ କଲେ ମୁଁ ବିପଦର ସମ୍ମୁଖୀନ ହେବି… ।

 

ମୁଁ ଏହା ଆଶା କରି ନ ଥିଲି । ନିରାପଦରେ ନିଶ୍ଚିନ୍ତ ଜୀବନଯାପନ କରିବା ଉଦ୍ଦେଶ୍ୟରେ ପ୍ରଶାସନିକ ସେବାରେ ଯୋଗ ଦିଅନ୍ତି ସମସ୍ତେ । ମୁଁ ସେମାନଙ୍କ ମଧ୍ୟରୁ ଜଣେ । ଧୋଇ ମରୁଡ଼ି ଭୂମିକମ୍ପ ପ୍ରଶାସକମାନଙ୍କର କ୍ୟାରିଅରକୁ ସ୍ପର୍ଶ କରେ ନାହିଁ ।

 

କିନ୍ତୁ ମୁଁ କିଛି କହିବା ପୁର୍ବରୁ ସେ କହିଲେ; ଶେଷ ତିନିପୃଷ୍ଠା ବଦଳାଇ ଦିଅନ୍ତୁ… ଆପଣ ଅଭିଜ୍ଞ ଦକ୍ଷ ଅଫିସର…. କିପରି ବଦଳ କରିବେ ମୋ ଅପେକ୍ଷା ଭଲ ଭାବରେ ଜାଣନ୍ତି ।

 

ତାଙ୍କୁ ଧନ୍ୟବାଦ ଦେଇ ମୁଁ ରାତି ଏଗାରଟା ବେଳକୁ ଆସେମ୍ଲି ଚେମ୍ବରରେ ତାଙ୍କୁ ଭେଟି ମୋର ରିପୋର୍ଟ ଦେବା ପାଇଁ ପ୍ରତିଶୃତି ଦେଲି । ବାରଟାରେ ମୁଲତବୀ ପ୍ରସ୍ତାବର ଆଲୋଚନା ।

 

ମୁଁ ସିଧା ଗଲି ଅଫିସକୁ । ପୁଣି ବ୍ୟସ୍ତ ହୋଇପଡ଼ିଲି କାମରେ ।

 

ଏଗାରଟା ବେଳେ ମନ୍ତ୍ରୀଙ୍କ ହାତକୁ ରିପୋର୍ଟ ବଢ଼ାଇ ଦେଇ କହିଲି–ସବୁଆଡ଼କୁ ଜଗି ରଖି ଲେଖିଚି ସାର୍… ଆପଣ ପଢ଼ନ୍ତୁ … ।

 

ସେ ପଢ଼ି ସାରି ମୁରିକି ହସି ଦେଇ ଧିରେ ଧିରେ କହିଲେ–ଭଲ ହୋଇଛି… ଠିକ୍ ମୁଁ ଯେମିତି ଚାହୁଁ ଥିଲି… ଏଥିପାଇଁ ଆପଣ ସର୍ବ ଭରତୀୟ ସ୍ତରରେ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ଏତେ ଉପରକୁ ଉଠିପାରନ୍ତି… ବିଚକ୍ଷଣ, ମୋର ଅଭିନନ୍ଦନ… ।

 

ମୁଁ କୃତକୃତ୍ୟ ହୋଇଗଲି । ମୋ ତୁଣ୍ଡରୁ ଧନ୍ୟବାଦ ଦେବାପାଇଁ ପଦେ କଥା ବି ବାହାରିଲା ନାହିଁ ।

 

ମୁଲତବୀ ପ୍ରସ୍ତାବର ଆଲୋଚନା ଠିକ୍ ଜିରୋ ଆୱାର ପରେ ଆରମ୍ଭ ହେବ । ମନ୍ତ୍ରୀ ଫାଇଲ ଧରି ବିଶ୍ୱାସର ସହିତ ବିଧାନସଭା ଭିତରକୁ କଲେ । ମୁଁ ଗଲି ଅଫିସରମାନଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ଥିବା ସ୍ଥାନକୁ ।

 

ଆଲୋଚନା ଆରମ୍ଭ କରି ବିରୋଧୀ ଦଳର ନେତାମାନେ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରି ଅନାହରରେ ମରିଥିବା ଜଣକ ପରେ ଜଣକ ଠିକଣା ପ୍ରଦାନ କରି କହିଲେ ଯେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ସବୁ ଜିଲ୍ଲାର ଉନ୍ନତି ସମାନ ଭାବରେ ହେଉ ନାହିଁ । ଆଞ୍ଚଳିକ ବୈଷମ୍ୟ ବଢ଼ିବାରେ ଲାଗିଛି ଓ ଜନସାଧାରଣଙ୍କ ସମସ୍ୟାର ସମାଧାନ ହୋଇପାରୁ ନାହିଁ । ଜିଲ୍ଲା ତଥା ରାଜ୍ୟ ପ୍ରଶାସନର ଶିଥିଳତା ଓ ଦୁର୍ନୀତି ଯୋଗୁ ଲୋକମାନଙ୍କ ପାଖରେ ସରକାରୀ ସାହାଯ୍ୟ ପହଞ୍ଚି ନ ପାରି ବାଟ ମାରଣା ହୋଇଯାଉଛି । ତେଣୁ ଶାସନ କରିବା ଲାଗି ଏ ସରକାର ଯୋଗ୍ୟ ନୁହେଁ ।

 

ଆହୁରି ବିରୋଧୀ ପକ୍ଷର ଓ ଶାସକ ଦଳର କେତେଜଣ ସଭ୍ୟ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ସ୍ଥାନରେ ଦେଖା ଯାଉଥିବା ତ୍ରୁଟିପୂର୍ଣ୍ଣ ପ୍ରଶାସନିକ ନୀତିକୁ ଏପରି ଏକ ମନୁଷ୍ୟକୃତ୍ୟ ସମସ୍ୟାପାଇଁ ଦାୟୀ କରି ସରକାର ସମସ୍ତଙ୍କର ସହଯୋଗ ନେଇ ଏହାର ସମାଧାନ ପାଇଁ ପରାର୍ମଶ ଦେବା ପରେ, ମନ୍ତ୍ରୀ ମହୋଦୟଙ୍କ ପାଳି ପଡ଼ିଲା ସରକାର ନୀତି ବୟାନ କରିବା ପାଇଁ ।

 

ସେ ମହାଶୟ ଅତି ଦକ୍ଷତାର ସହିତ ଗତ ତିନି ବର୍ଷର ଅନାବୃଷ୍ଟି ଜନିତ ପରିସ୍ଥିତିର ବିଶ୍ଳେଷଣ କରି ଏହି ପ୍ରାକୃତିକ ବିପର୍ଯ୍ୟୟର ସାମନା କରିବା ସକାଶେ ସରକାର ଯେତେସବୁ ପଦକ୍ଷେପ ନେଇଛନ୍ତି ସେ ସବୁର ବିଶଦ ବିବରଣୀ ପ୍ରଦାନ କରିଥିଲେ । ମନ୍ତ୍ରୀ ମହୋଦୟ ଅନାହର ମୃତ୍ୟୁ ହୋଇ ନାହିଁ କି ଅନାହାରରେ କାହାରିକୁ ମରିବାକୁ ଦିଆଯିବ ନାହିଁ ବୋଲି ଦୃଢ଼ ସ୍ଵରରେ କହିଲାବେଳେ ବିରୋଧୀ ଦଳର ବହୁ ସଭ୍ୟ ଉଚ୍ଚ ସ୍ଵରରେ ପ୍ରଶ୍ନ କରିବାର ଶୁଣାଗଲା… ତା ହେଲେ ସେମାନେ ମଲେ କିପରି… ? ସେଥିପାଇଁ ଦାୟୀ କିଏ ?

 

ମନ୍ତ୍ରୀ ମହୋଦୟ ଦବି ଯିବାର ପାତ୍ର ନୁହନ୍ତି । ସେ ପୁଣି ଉଠିଲେ… ତାଙ୍କ ଦଳର ସଭ୍ୟମାନଙ୍କର ସମର୍ଥନ ସୂଚକ ଟେବୁଲ୍ ବାଡ଼ିଆ ଧ୍ଵନି ମଧ୍ୟରେ ସେ ଘୋଷଣା କଲେ ଯେ ପୃଷ୍ଟିକର ଖାଦ୍ୟ ଖାଇବା ପାଇଁ, ଅସ୍ଵାସ୍ଥକର ପରିବେଶ ସୃଷ୍ଟି ନ କରିବା ପାଇଁ ସରକାର ଦୂରଦର୍ଶନ ଓ ରେଡ଼ିଓ ମାଧ୍ୟମରେ ବାରମ୍ବାର ଲୋକମାନଙ୍କୁ ସତର୍କ କରାଇ ଦେବା ସତ୍ତ୍ଵେ, ପୃଷ୍ଟିକର ଖାଦ୍ୟ ନ ଖାଇ ଏବଂ ଅଖାଦ୍ୟ ଓ ଅପରିଷ୍କାର ଖାଦ୍ୟ ଖାଇବାଦ୍ଵାରା ରୋଗଗ୍ରସ୍ତ ହୋଇ ଯଦି କେହି ମରେ ତାହା ଯେପରି ଅନାହାର ଜନିତ ମୃତ୍ୟୁ ବୋଲି କୁହାଯାଇ ପାରିବ ନାହିଁ, ସେହିପରି ସରକାର ଯୋଗାଇ ଦେଉଥିବା ମାଗଣା ଔଷଧ ଓ ଚିକିତ୍ସାର ସୁଯୋଗ ନ ନେଇ ଯଦି କେହି ମରେ ସେଥିପାଇଁ ସରକାର ଅବଶ୍ୟ ଦୁଃଖ ପ୍ରକାଶ କରିବା ଛଡ଼ା ସେଥିପାଇଁ ଦାୟୀ ହେବେ ନାହିଁ… ।

 

ଏହି ଅନାହାର ଜନିତ ମୃତ୍ୟୁ ପାଇଁ ତାହାହେଲେ ଦାୟୀ କିଏ ?

 

ପଚାରିଦେଲେ ବିରୋଧୀ ଦଳର ମାନ୍ୟବର ନେତା ।

 

ଗୋଟିଏ ମୁହୂର୍ତ୍ତ ପାଇଁ ସ୍ତବ୍‍ଧ ହୋଇଗଲା ଗୃହ । ସମସ୍ତଙ୍କର ଦୃଷ୍ଟି ମନ୍ତ୍ରୀଙ୍କ ଉପରେ…ସମସ୍ତେ ଉତ୍କୀର୍ଣ୍ଣ ହୋଇ ଅନାଇ ରହିଲେ ମନ୍ତ୍ରୀଙ୍କ ଉତ୍ତର ଶୁଣିଵା ପାଇଁ ।

 

ମୋଆଡ଼େ ଚାହିଁଲେ ମନ୍ତ୍ରୀ ।

 

ମୁଁ ବୁଝି ପାରିଲି । ମୋର ମନେ ପଡ଼ିଗଲା ଯେ ସରକାରଙ୍କ ଇଚ୍ଛା ଉପରେ ବର୍ଷା ନିର୍ଭର କରେ ନାହିଁ । ଅନାବୃଷ୍ଟି ବା ଅତିବୃଷ୍ଟି ଈଶ୍ୱରଙ୍କ ଇଚ୍ଛା ଉପରେ ହିଁ ନିର୍ଭର କରିଥାଏ । ପ୍ରାକୃତିକ ବିପର୍ଯ୍ୟୟ ଈଶ୍ଵରକୃତ ।

 

ମୁଁ ଖଣ୍ଡେ କାଗଜରେ କିଛି ଲେଖି ପିଅନଦ୍ଵାରା ତାଙ୍କ ନିକଟକୁ ପଠାଇଦେଲି । ତାହା ସଙ୍ଗେ ସଙ୍ଗେ ପଢ଼ିଦେଲେ ।

 

କେହି ଜଣେ କହିବାର ଶୁଣାଗଲା–ଦାୟୀ କିଏ । ସେଇ ପ୍ରଶ୍ନ ଗୁଞ୍ଜରି ଉଠିଲା ଅନେକଙ୍କ କଣ୍ଠରେ ।

 

ଆତ୍ମ ବିଶ୍ଵାସର ସହିତ ମନ୍ତ୍ରୀ ଉଠିପଡ଼ି କହିଲେ ଯେ–ପ୍ରକୃତିକୁ ସରକାରଙ୍କ ନିୟନ୍ତ୍ରଣ କରନ୍ତି ନାହିଁ । ତେଣୁ କହିବାକୁ ମୋର ତିଳେ ହେଲେ ଦ୍ଵିଧା ନାହିଁ ଯେ କଳାହାଣ୍ଡିରେ ଯାହା ଘଟିଛି ସେଥିପାଇଁ କେବଳ ଈଶ୍ଵର ହିଁ ଦାୟୀ… ସରକାର ନୁହନ୍ତି… ।

 

ସଭାଗୃହ ସ୍ତବ୍‍ଧ ହୋଇଗଲା ମୁହୂର୍ତ୍ତକ ପାଇଁ ।

 

ପ୍ରବଳ ହଟ୍ଟଗୋଳ ଭିତରେ ମଧ୍ୟାହ୍ନ ଭୋଜନ ପାଇଁ ବିରତି ଘୋଷଣା କଲେ ମାନ୍ୟବର ଅଧ୍ୟକ୍ଷ ।

☆☆☆

 

ଉଚ୍ଚ ପାଚେରୀ

 

ଘରେ ବସି ନ ରହି ସେ ଗୋଟାଏ କାମ ଖୋଜିଲା । ଆଜିକାଲି ଯୁଗରେ ସବୁ ମିଳିବା ସହଜ କିନ୍ତୁ ଚାକିରି ନୁହେଁ । ନିରାଶ ନ ହୋଇ ଟାଇପ୍ ଶିଖିଲା ସୁନନ୍ଦ । ବ୍ୟାଙ୍କରୁ ହଜାରେ ଟଙ୍କା ଋଣ ନେଇ ନିଜର ବ୍ୟବସାୟ ଆରମ୍ଭ କରିଦେଲା ।

 

ପ୍ରଥମେ ଲୋକ ଆସୁ ନଥିଲେ । କ୍ରମଶ ମନିଅର୍ଡର ଫର୍ମ, ଛୁଟି ଦରଖାସ୍ତ, ବା ଚିନି ଓ ଗହମ ପାଇଁ ନିବେଦନ ପତ୍ରଗୁଡ଼ା ଟାଇପ୍ କରୁଥିଲା । ଏବେ ବି ପ୍ରସାର ବଢ଼ିଛି । ସେ ଏତେ କାମ ପାଏ ଯେ ଶେଷ କରିପାରେ ନାହିଁ । ବଳକା କାମ ରବିବାର ଦିନ ଘରେ ବସି କରିନିଏ । ହାଇକୋର୍ଟର ପାଚେରୀକୁ ଲାଗି ଯେଉଁ ଛୋଟ ବରଗଛଟା ଅଛି ତାରି ମୂଳରେ ବସେ ସୁନନ୍ଦ । ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ମଥା ଉପରେ ଖଣ୍ଡେ ଛୋଟ ତିରପାଲ ଟାଣି ଦେଇଛି । ଛୋଟ ଟେବୁଲ୍ ଉପରେ ଟାଇପ୍ ମେସିନ୍ ଓ ଡ୍ରୟାର ତଳେ କାଗଜ, କାରବନ୍, କାଗଜ, ରବର ଓ ଚିଠିପତ୍ର । ଗୋଟେ ପୁରୁଣା କାଠ ଚୌକି, ପାଖରେ ଗୋଟିଏ ବେଞ୍ଚ ।

 

ସୁନନ୍ଦ ଟାଇପ୍ କରୁ କରୁ ମୁଁହରୁ ଝାଳ ପୋଛି ମୁହୂର୍ତ୍ତ ଅବସର ନେଇ ଚାରିଆଡ଼େ ଦେଖିନିଏ । ସେଇ ତାର ପୃଥିବୀ । କିଏ ଜଣେ ହାତ ବଢ଼େଇ ଗୋଟିଏ କାଗଜ ତା’ଆଡ଼କୁ ଆଗେଇ ଦେଇ କୁହେ–ବଡ଼ ଜରୁରୀ ସୁନନ୍ଦ ବାବୁ, ଆଜି ସଂନ୍ଧ୍ୟାସୁଦ୍ଧା ହୋଇଯାଏ ଯେପରି । ହାତ ବଢ଼ାଇ କାଗଜଟା ନିଏ ସେ । ତା’ପରେ ଆଉ ଜଣେ ସାଇକେଲରୁ ଓଲ୍ଲାଇ ପଡ଼ି କୁହେ–ଡେରି ହୋଇଗଲା ଆସିବା ପାଇଁ, କିନ୍ତୁ ଡ୍ରାଫଟ୍ ଠିକ୍ ନ କରି ଆସି କି ଲାଭ ? କାଲି କମିଶନରଙ୍କ ଅଫିସ୍ ଆଗରେ ବିକ୍ଷୋଭ ପରେ ଯେଉଁ ମେମୋରାଣ୍ଡମ୍ ଦିଆଯିବ ଏ ତାହାର ଡ୍ରାଫଟ୍ । ଅନ୍ୟ କାଗଜ ସହ ମିଶି ନ ଯାଏ ଯେପରି ।

 

ସୁନନ୍ଦ ଚାହିଁ ଦେଇ କୁହେ–ଶାସନକଳ ଆରମ୍ଭ ହେଲାଦିନୁ, କେତେ ଆବେଦନ ନିବେଦନ କରିଛି ମଣିଷ । କେହି ଯଦି ସମୟ କରି ସେ ସବୁ ପଢ଼େ, ଦେଖିବାକୁ ପାଇବ ଯେ ସବୁର ଦାବି ଓ ପ୍ରତିବାଦର ଭାଷା ଏକ; ଅର୍ଥ ବି ଏକ । କାଳ ବିତିଗଲେ ବି ମଣିଷର ଦୁଃଖ ସେହିପରି ରହିଯାଇଛି ।

 

କଥା ବଢ଼ାଇବା ପାଇଁ ସୁଯୋଗ ନ ଦେଇ କାମରେ ପୁଣି ମନ ଦିଏ ସୁନନ୍ଦ ।

 

ରିବନ୍‍ଟା ଫିକା ପଡ଼ିଗଲାଣି । ଅକ୍ଷରଗୁଡ଼ାକ ରଙ୍ଗ ଚହଟୁନାହିଁ, ଦାମ୍ ଦିନକୁଦିନ ବଢ଼ୁଛି-। ନୂଆ ରିବନ୍‍ଟିଏ ଲଗାଇ ଦେଇ ପୁରୁଣାଟାକୁ ଟେବୁଲ ତଳେ ପକେଇ ଦେଲା ।

 

ଜଣେ ପିଲା ଆସି କହିଲା–ଆମ ଆସୋସିଏସନର ପ୍ରଥମ ବିବରଣୀ ଏ । ନୂଆ ରିବନ୍ ଲାଗିଚି, ଅକ୍ଷରଗୁଡ଼ାକ ଭଲ ଦିଶିବ । ଆପଣ ଟିକେ ଅନୁଗ୍ରହ କଲେ ହେଲା ।

 

ସୁନନ୍ଦ ସେଇ ପିଲାର କାମଟା ଆଗ ହାତକୁ ନେଇ କହିଲା–ସଂଘ, ସମାଜ, ସଂସଦ….ସବୁର ଚଳଣି ଅର୍ଥ ଗୋଟାଏ, ଅଥଚ ସମସ୍ତଙ୍କର ନାମ ଅଲଗା ଅଲଗା ।

 

ଟାଇପ୍ କରି କରି ଅଙ୍ଗୁଳିଗୁଡ଼ା ଇମିତି ଅଭ୍ୟସ୍ତ ଯେ ଆଖି ଅନ୍ୟଆଡ଼େ ଥିଲେ ବି ଆଙ୍ଗୁଳି ଟିପ ଠିକ୍ ଅକ୍ଷର ଉପରେ ପଡ଼େ । ପ୍ରଥମେ ଭୁଲ୍ ହେଉଥିଲା । ଆଉ ଏବେ ହୁଏ ନାହିଁ ।

 

ତିନିବର୍ଷ ହେଲା ଏଇ ବରଗଛ ତଳେ ଏଇ କାମ କରି ସେଥିରେ ସେ ବେଶ୍ ଦକ୍ଷ ହୋଇ ଯାଇଚି ସୁନନ୍ଦ ।

 

ବର୍ଷା ହେଲେ ଅସୁବିଧା ହୁଏ । ତିରପାଲଟା କେବଳ ବାଆକୁ ବତା, ବର୍ଷାକୁ ଛତା ପରି ପୂରା ରକ୍ଷାକରେ ନାହିଁ । ପାଣି ଛିଟିକି କାଗଜ ବା ମେସିନ୍ ଉପରେ ପଡ଼େ । ସେ ବି ଭିଜେ । ତା ଉପରେ ପାଣି କେତେ ଟୋପା ପଡ଼ିଲେ ଯାଏ ଆସେ ନାହିଁ । କିନ୍ତୁ କାଗଜ ଉପରେ ପଡ଼ିଲେ କ୍ଷତି ହୁଏ । ସେଥିପାଇଁ ସେ ଲୁଗା ଦୋକାନରୁ ଛୋଟବଡ଼ ଅନେକଗୁଡ଼ାଏ ପଲିଥିନ୍ ପ୍ୟାକେଟ୍ ଆଣି ସିଲେଇ କରି କଭରଟିଏ କରିଚି । ବର୍ଷା ହେଲେ ଘୋଡ଼ାଇ ଦିଏ ।

 

ନୂଆହୋଇ ଏଇ କାମକୁ ଜୀବନର ପେଶା ଭାବରେ ବାଛି ନେବା ଆଗରୁ ଯେଉଁ ଘଟଣା ସହିତ ସମ୍ପୃକ୍ତ ତାହା ବାରମ୍ବାର ମନପଡ଼େ ସୁନନ୍ଦର ।

 

ମାଇନର ପଢ଼ୁଥାଏ ଗାଁ ସ୍କୁଲରେ । ମାମୁଁ ଘରକୁ ଯାଇଥିଲା । ମାମୁଁ ତାକୁ ଦିନେ ତାଙ୍କ ଅଫିସକୁ ନେଇ ଯାଇଥିଲେ ଦେଖାଇ ଆଣିବା ପାଇଁ । ଗଦା ଗଦା ଫାଇଲ୍ ଭିତରେ ଗୋଟାଏ ଟେବୁଲକୁ ଆବୋରି କାମ କରୁଥିଲେ କେତେ ଜଣ ରୁଗଣ୍, ମଳିନ କିରାଣୀ । ସେଇ କାଗଜ ଗଦା ଭିତରେ ସେମାନେ ବୋଧେ ଅଣନିଶ୍ଵାସୀ ହୋଇ ଯାଉଥିଲେ । ଗୋଟିଏ ଛୋଟ କୋଠରୀରୁ ଠକ୍ ଠକ୍ ଶବ୍ଦ ଭାସି ଆସୁଥିଲା । ସେ କୌତୂହଳ ଦମନ କରି ନପାରି ଉଙ୍କି ମାରିଲା । ମାମୁଁ ତାକୁ ଭିତରକୁ ନେଇଯାଇ କହିଲେ–ଏଠାରେ ଟାଇପ୍ କରା ହୁଏ । ଏଇ କଳା ମେସିନ୍ ଗୁଡ଼ାକରେ ଅକ୍ଷର ଛାପିବା ପାଇଁ । ସେଦିନ ଚକିତ ହୋଇ ଲକ୍ଷ୍ୟ କରିଥିଲା ସେ ଦୁଇ ଜଣ ବ୍ୟକ୍ତି ଆଙ୍ଗୁଳି ଟିପିବାଦ୍ଵାରା କିପରି ଠକ୍ ଠକ୍ ହୋଇ ଅକ୍ଷରଗୁଡ଼ାକ ଛାପି ହୋଇ ଯାଉଥିଲା କାଗଜ ଉପରେ । ଟାଇପିଷ୍ଟମାନଙ୍କର ସେଇ ଠକ୍ ଠକ୍ ଛାପିବା ଶବ୍ଦରୁ ଗୋଟିଏ ସୂକ୍ଷ୍ମ ସ୍ଵର ବାହାରି ଆସି ତାକୁ ତନ୍ମୟ କରିଥିଲା; ଏବଂ ସେହିଦିନ ମାମୁଁଙ୍କ ସାଙ୍ଗରେ ତାଙ୍କ ଘରକୁ ଫେରିବାବେଳେ ସେ ପ୍ରଥମଥର ପାଇଁ ଅଭିଳାଷ ପୋଷଣ କଲା, ବଡ଼ ହେଲେ ଟାଇପିଷ୍ଟ ହେବା ପାଇଁ । ଆଜିର ସୁନନ୍ଦ ସେଇ ସ୍ଵର ଶୁଣି ଉଲ୍ଲସିତ ହୁଏ । ଆଠ ଘଣ୍ଟା କାମ କରି ବି କ୍ଲାନ୍ତ ହୁଏ ନାହିଁ । ଅକ୍ଷରଗୁଡ଼ାକ ଉପରେ ବାରମ୍ବାର ଆଙ୍ଗୁଳିଗୁଡ଼ାକର ଅବସାଦ ଆସେ ନାହିଁ । ହାରମୋନୋୟମର ରିଡ଼୍ ଉପରେ ଆଙ୍ଗୁଳି ଟିପିଲେ ଯେପରି ଶବ୍ଦ ହୁଏ ତାହା ନିରର୍ଥକ ଓ ଶୁଷ୍କ ନୁହେଁ, ତାର ବି ସ୍ଵର ଅଛି, ସଂଗୀତ ଅଛି ।

 

ସେଥିପାଇଁ କର୍ମ ବ୍ୟସ୍ତତା ବଢ଼ିଲେ ସେ ଖୁସି ହୁଏ । ଟାଇପ କଲା ବେଳେ ଗୁଣୁ ଗୁଣୁ ହୋଇ ଗୀତ ଗାଏ । ଆଙ୍ଗୁଳିଗୁଡ଼ା ଏପରି ଅଭ୍ୟସ୍ତ ହୋଇଗଲେଣି ଯେ ଅନ୍ୟ କେଉଁ ଆଡ଼େ ଅନେଇ ଥିଲେ ବି ଠିକ୍ ଜାଗାରେ ପଡ଼ନ୍ତି ଏବଂ ଛାପିବାରେ ଭୁଲ୍ ହୁଏ ନାହିଁ । କାମ ତ କେବଳ କାମ ନୁହେଁ, ଏହା ଜୀବନର ଏକ ଫଳପ୍ରସୁ ଜୀବନ ଧାରା । ସେଥିପାଇଁ କାମ କରି କ୍ଲାନ୍ତି ନ ପାଇ ଆହୁରି ଆନନ୍ଦ ପାଏ ସୁନନ୍ଦ ।

 

ଗୁଡ଼ାଏ କାଗଜ ଜମିଛି । ଟାଇପ୍ କରିବା ପାଇଁ ସମୟ ଲାଗିବ । ତରତର ହେଉଥିଲା ସୁନନ୍ଦ ।

 

ଦିନକୁ ଦଶ ପନ୍ଦର ଟଙ୍କା ଯାଏ ଆୟ ହୁଏ । ମାସକୁ ଚାରିଶହ ଟଙ୍କା କିଛି ମନ୍ଦ ନୁହେଁ । ଟାଇପ୍ ସରିଗଲା ପରେ, କାରବନ୍ କାଗଜକୁ ଭଲ ଭାବରେ ସାଇତି ରଖି ଟାଇପ୍ କରା କାଗଜକୁ ପିନ୍ ଦ୍ଵାରା ଗୁନ୍ଥି, ସେଇ କଲେଜ ଛାତ୍ର ହାତକୁ ବଢ଼େଇ ଦେଇ କହିଲା–ସୁନନ୍ଦ ତୁମର ଦାବିର ସୁବିଚାର ହେବ ଏଇ ଆଶା କରି ଟାଇପ୍ କରିଛି ।

 

ଛାତ୍ରଟି କହିଲା ଦାବି ପୂରଣ ନ ହେଲେ ଆନ୍ଦୋଳନ ଚାଲିବ । ଆମେ ସେଥିପାଇଁ ପ୍ରସ୍ତୁତ । ସୁନନ୍ଦ ଦୁଇଟା ଧଳା କାଗଜ ଉପରେ କାରବନ୍ କାଗଜ ଲଗାଇ ଟାଇପ୍ ମେସିନରେ ଭର୍ତ୍ତି କରୁଥିଲା ।

 

ସେ କହିଲା ଦାବି ସହିତ ମଧ୍ୟ ସଚେତନ ହୁଅ ।

 

ଛାତ୍ରଟି ତାର ପ୍ରାପ୍ୟ ଦେଇ ଚାଲିଗଲା ।

 

ପାଞ୍ଚଟା ବାଜିବ, ଆହୁରି କେତେଗୁଡ଼ା କାମ ଏ ଯାଏ କରିବା ପାଇଁ ଫୁରୁସତ ପାଇ ନାହିଁ । କୋର୍ଟ କଚେରୀ କାମଗୁଡ଼ା ସାବଧାନ ହୋଇ ନକଲେ ଭୁଲ୍ ଯଦି ରହିଯାଏ ଆହୁରି ସଂକେତରେ ପଡ଼ିଯିବ ଆବେଦନକାରୀ । ସେଥିପାଇଁ ଦରକାର ହେଲେ ରାତିରେ ବସି ନିରୋଳାରେ ଟାଇପ୍ କରେ ଗୁରୁତ୍ଵପୂର୍ଣ୍ଣ କାଗଜଗୁଡ଼ାକୁ । ଗାଁରୁ ଆସି ଅପେକ୍ଷା କରୁଥିଲା ଜଣେ ଲୋକ । ସକାଳୁ ବସିଛି ବରଗଛ ମୂଳେ ।

 

ଖଣ୍ଡେ ମଇଳା ଧୋତି ଛିଣ୍ଡା ଜାମା । ପେଡ଼ିରେ ସାଇତା ହୋଇଥିଲା ବୋଲି ଭାଙ୍ଗରୁ ଜଣାପଡ଼ୁଛି । ମଥାର କେଶ ରୁକ୍ଷ । କପାଳରେ କୁଞ୍ଚିତ ରେଖାର ସୁସ୍ପଷ୍ଟ ଦାଗ । ଖାଲିପାଦ ।

 

ତା’ ଆଡ଼କୁ ନଜର ଦବା ପାଇଁ ସମୟ ପାଇ ନ ଥିଲା ସୁନନ୍ଦ ।

 

ଆଉ ଦୁଇଜଣ ଅପେକ୍ଷା କରିଥିଲେ । ସେମାନଙ୍କର ଟାଇପ୍ କରା କାଗଜ ଦେଇ ବିଦା କରିଦେଲା ସେମାନଙ୍କୁ । ପାଞ୍ଚଟା ବାଜିଗଲା ପରେ କୋର୍ଟ କଚେରୀ ବେଳ ହୋଇଯାଏ । ଭିଡ଼ ଜମିଯାଏ । ଲୋକଗହଳିରେ ଗହଗହ କରୁଥିବା ସ୍ଥାନଟା ହଠାତ୍ ନିର୍ଜନ ହୋଇଯାଏ । ସନ୍ଧ୍ୟା ହେଲେ ଗେଟ୍ ବନ୍ଦ ହୋଇଯାଏ ଏବଂ ପ୍ରହରୀଙ୍କର ବୁଟ୍ ଶବ୍ଦ ବ୍ୟତୀତ ଆଉ କିଛି ଶୁଣା ଯାଏ ନାହିଁ-

 

ସନ୍ଧ୍ୟା ହବ ଆଉ ଟିକେ ପରେ ।

 

ସୁନନ୍ଦ ଟିକେ ଫୁରସତ ପାଇ ସେଇ ଲୋକଟି ଆଡ଼କୁ ଦୃଷ୍ଟି ଦେଲା ।

 

ଭୋକ କଲାଣି । ସେଇ ନଅଟା ବେଳୁ ଭାତ ଦୁଇଟି ଖାଇ ଆସିଥିଲା । ସବୁ ହଜମ ହୋଇ ପେଟ ଖାଁ ଖାଁ କରୁଚି । ଚାହା ଟିକେ ପିଇଲେ ଚଳନ୍ତା । ଚାହା ଦୋକାନରୁ ପିଲାଟିଏ ଡାକି କପେ ଚାହା ପାଇଁ କହିଲା । ତା’ପରେ ପୁଣି କଅଣ ଭାବି ଆଣିବାକୁ ଦୁଇ କପ୍ ଆଣିବାକୁ କହି ବରଗଛ ମୂଳେ ବସିଥିବା ସେଇ ଗାଉଁଲି ଲୋକଟିକୁ ପାଖକୁ ଡାକିଲା ।

 

ସେ ତା ଆଗରେ ଆସି ଛିଡ଼ା ହେବାରୁ ଭଲକରି ତାକୁ ଦେଖିବାର ସୁଯୋଗ ପାଇଲା ସୁନନ୍ଦ ।

 

ଇସ୍ ! ଅବାକ୍ ହୋଇ ସେଇ ଲୋକଟିକୁ ମୁହୂର୍ତ୍ତ ଅନାଇ ରହିଲା ସୁନନ୍ଦ ।

 

ଲୋକଟି ଏଡ଼େ ଜୀର୍ଣ୍ଣଶୀର୍ଣ୍ଣ ଦିଶୁଥିଲା ଯେ ଆଗରୁ ତାହା ସେ ଜାଣି ନ ଥିଲା ।

 

ହାତଯୋଡ଼ି ଛିଡ଼ା ହୋଇଥିଲା ଲୋକଟି ।

 

: ତୁମ ନାମ ?

 

: ଚଇତନ ।

 

: ଘର ?

 

: ଚଉଦକୁଲାଟ ।

 

: କେତେବେଳେ ଆସିଲ ?

 

: ଭୋର୍ ବସରେ ।

 

: କାମ ଶେଷହେଲା ?

 

: ଆରମ୍ଭ ବି ହୋଇନି ।

 

: କାହା କୋର୍ଟରେ ପଡ଼ିଚି ?

 

: ଦରଖାସ୍ତ କରି ନାହିଁ ।

 

: ଅସୁବିଧା କଅଣ ?

 

: ମୋର ଡିହ ଖଣ୍ଡିକ ମହାଜନ ଜୋର ଜବର ଦଖଲ କରି ନେଲା ।

 

: ଆଉ ଜମି ଅଛି । କଅଣ କର ?

 

: ବିବାହ ବ୍ରତ, ପୂଜା ପାର୍ବଣରେ ବାଜା ବଜାଏ । ହାଡ଼ି । ଜମିଜମା ନାହିଁ । କଳାଡ଼ିହ ଖଣ୍ଡେ ବହୁ କଷ୍ଟରେ ବାପ ରଖି ଯାଇଥିଲା ।

 

: ଋଣ କରିଥିଲ ମହାଜନ ପାଖରୁ ?

 

: ନାଁ ।

 

: ତା’ହେଲେ ?

 

ତାଙ୍କ ନୂଆ କୋଠା ତିଆରି ହଉଚି, ତାକୁ ଲାଗି ଏଇ ଜାଗାଟା ମୋର କିଣିନବ ବୋଲି କହିଲା । ଆଉ ତ କିଛି ନାହିଁ । ବାପ ରଖି ଯାଇଥିଲା ଡିହଟା । ବିକି ଦିଅନ୍ତି କିପରି ? ମୋ ଉପରେ ଅଭିଯୋଗ, ମୋ ଵାପା କୁଆଡ଼େ ଦୁଇଶହ ଟଙ୍କା ଉଧାର ନେଇ ଜମି ଖଣ୍ଡକ ଦଶ ବରଶ ତଳେ କିଣିଥିଲା । ଆଉ ପରିଶୋଧ କରି ନାହିଁ । ମରିବା ଆଗରୁ ଏ କଥା ମୁଁ ଜାଣି ନ ଥିଲି । କିନ୍ତୁ, ସେ ଶୁଣିଲେ ନାହିଁ । ପୁରୁଣା କାଗଜରେ ଟିପ ସାହି କାହାର କିଏ ଜାଣେ ?

 

: ମୋକଦ୍ଦମା ଲଢ଼ିବ ?

 

: ନ୍ୟାୟ ପାଇଁ ଆସିଛି ।

 

ଚାହା ଆସିଲା । ନିଜେ କପେ ଚାହା ନେଇ ଆଉ କପେ ଚଇତନକୁ ଦେବାକୁ କହିଲା ସୁନନ୍ଦ ।

 

ଚଇତନ ଜଡ଼ସଡ଼ ହୋଇ କହିଲା–ଜାତିରେ ହାଡ଼ି, ଅଚ୍ଛବ କୋଉ ଭରସାରେ ଆପଣଙ୍କ ଚା’ ଖାଇବି ?

 

ତାକୁ ଆଶ୍ଵାସନା ଦେଇ ସୁନନ୍ଦ କହିଲା–ହାଡ଼ି, କଣ୍ଡରା କିଛି ପଶୁ ନୁହନ୍ତି, ମଣିଷ । ଆଜି ଅଚ୍ଛବ, ସମୟ ସବୁ ବଦଳାଇ ଦେବ । ପୁଣି ନୂଆ କଳେବର ପରି ତମର ନିଜର ଛପିଲା ରୂପଟା ଚହଟି ଉଠିବ ।

 

ଚଇତନ ଚା’ କପଟିକୁ ଉଠାଇ କହିଲା–ଆଉ କିଛି ନାହିଁ ଖାଲି ଟିକେ ଅନୁକମ୍ପା ଲୋଡ଼ା-। ଆପଣମାନଙ୍କର ଦୟା ଆମକୁ ଭରସା ଦିଏ ।

 

ସୁନନ୍ଦ କହିଲା–ନିଜର ଶକ୍ତି ଉପରେ ଭରସା ରଖ ଚଇତନ । ସବୁ ଶକ୍ତିର ମୂଳ ଜନସାଧାରଣ ।

 

–ଆମର ଲୋଡ଼ା ନାହିଁ । ଅଳ୍ପରେ ସନ୍ତୁଷ୍ଟ । ରହିବା ପାଇଁ ଟିକେ ଜାଗା, ଆଉ ପେଟକୁ ବକତରେ ଭାତ… । ରୋଗ ବଇରାଗ ଆମକୁ ସହଜରେ ହୁଏ ନାହିଁ ବାବୁ । ହେଲେ ବି ତାର ମୁକାବିଲା କରିହୁଏ । ପାଞ୍ଚ ଦଶ ଦିନ ଅଚଳ ହୋଇଗଲେ ମଣିଷ ମରିଯାଏ ନାହିଁ ।

 

ସୁନନ୍ଦ ଚା’ କପଟା ରଖି ଦେଇ କହିଲା–ତୁମ ଓକିଲ ସହିତ ପରାମର୍ଶ କରିଚ ?

 

ଚଇତନ କହିଲା–ଏତେ ପଇସା ମୋ ହାତରେ କାହିଁ ଯେ ମୋକଦ୍ଦମା ଲଢ଼ିବି ।

 

ତା’ପରେ ସେଇ ଲାଲ୍ କୋଠାଟିକୁ ଅନାଇ ଆଖି ଉଜ୍ଜ୍ଵଳ କରି କହିଲା–ଏଇ ବଡ଼ ଅଦାଲତରୁ କେତେ ଲୋକ ନ୍ୟାୟ ପାଇଛନ୍ତି । ମୁଁ ପାଇବି ନାହିଁ ବାବୁ ?

 

ସୁନନ୍ଦ କଅଣ ଉତ୍ତର ଦେବ ସହସା ଠିକ୍ କରିପାରିଲା ନାହିଁ । ଟିକେ ରହିଯାଇ କହିଲା–ନ୍ୟାୟ ଏତେ ସହଜରେ ମିଳେ ନାହିଁ ଚଇତନ । ସେଥିପାଇଁ ଅନେକ ପଇସା ଦରକାର ।

 

ଚଇତନ ମଥା ହଲାଇ କହିଲା–ପଇସା ଥିଲେ ଆଉ ଗୋଟାଏ କଳାଡ଼ିହ କିଣି ଦେଇଥାନ୍ତି ମହାଜନଙ୍କୁ ସେଇ ଜମିଖଣ୍ଡିକ ଛାଡ଼ି ଦେଇଥାନ୍ତି । ବାପା ଟଙ୍କା ନେଇଥିଲେ ପ୍ରମାଣ ଦେଉଛନ୍ତି ଯେତେବେଳେ ଋଣ ପରିଶୋଧ ନ କରି ତା ବାପାକୁ ନର୍କକୁ ପଠାନ୍ତି ନାହିଁ ।

 

ଏଇ ଗରିବର ବିଶ୍ଵାସ ଦେଖି ଚମକି ଉଠିଲା ସୁନନ୍ଦ । ନ୍ୟାୟ ଉପରେ ଏତେ ବିଶ୍ଵାସ । ନ୍ୟାୟ ପାଇବା ପାଇଁ ଏଡ଼େ ଆଶା । କିନ୍ତୁ ନ୍ୟାୟ ପାଇବା ପାଇଁ ଅନେକ ବାଟ ଯିବାକୁ ହୁଏ । ମୋହରିର, ପେସାକାର, ଅଦାଲତର ଅର୍ଦ୍ଦଳି, ଓକିଲ ମୁକ୍ତାରଙ୍କ ହାତ ଚିକ୍‍କଣ ନକରି କେହି ଅଦାଲତର ସୀମା ମାଡ଼ିପାରେ ନାହିଁ ।

 

କିନ୍ତୁ, ଏଇ ପଥଟା ଏଡ଼େ ଲମ୍ବ ଯେ ଏବଂ ପିଛଳ ବୋଲି ସେ ଯଦି ଜାଣି ଥାଆନ୍ତି… ।

 

ସୁନନ୍ଦ ବାକି କାମଗୁଡ଼ାକ ଶେଷ କରିବା ପାଇଁ ଖୁବ୍ ଜୋରରେ ଆଙ୍ଗୁଳି ଚଳାଉଥିଲା ।

 

ମୁଗ୍ଧ ହୋଇ ସେଇ ଆଡ଼କୁ ଚାହିଁ ରହିଲା ଚଇତନ ।

 

ସୁନନ୍ଦ ବିଭା ହୋଇ ନାହିଁ ଏ ଯାଏ । ଘରେ ମା, ଭାଇ ଓ ଭଉଣୀ ଅଛନ୍ତି, ଘର ଭଡ଼ା ଅଛି । ସଂସାରର ଖର୍ଚ୍ଚ ପରେ ଯାହା ଅଳ୍ପ ବଞ୍ଚିଯାଏ ସେ ସାଇତିରଖେ । ତାର ସ୍ଵପ୍ନ, ସେ ନିଜର ଗୋଟିଏ ଘର ତୋଳିବ, ବିଭା ହେବ, ଭଉଣୀକୁ ବିଭାଦେବ, ଭାଇକୁ ମଣିଷ କରିବ । ଘର ତୋଳିବା ବା ବିଭା ହେବାର ସ୍ଵପ୍ନଗୁଡ଼ାକ ସେ ଶୋଇ ଶୋଇ ରାତିରେ ଦେଖେ । ଦିନବେଳା ଭାଇର ପାଠ ପଢ଼ିବା ଭଉଣୀର ବିବାହ ବ୍ୟବସ୍ଥା ଓ ମାଆର ଚିକିତ୍ସା ତାକୁ ମୁହାଁମୁହିଁ ଆହ୍ଵାନ କରେ-। ସେ ଆହ୍ଵାନର ମୁକାବିଲା କରିପାରି ନାହିଁ । ପଛକୁ ବି ହଟିଯାଇ ନାହିଁ । ଲଢ଼ୁଛି ।

 

ସୁନନ୍ଦର ଟାଇପ୍ ଶେଷହେବା ବେଳକୁ ଆଉ ଜଣେ ଆସି ପହଞ୍ଚିଗଲା ସ୍ତ୍ରୀ ଲୋକଟିଏ-

 

ଖାଲି ପାଦ । ଦେହରେ କେବଳ ଗୋଟିଏ ଶାଢ଼ି । ହାତ ଖାଲି । ମଥା ନିରାଭରଣ ।

 

ସେ କିଛି ନ କହି ପାଖରେ ବସିଲା ଆାସି ।

 

ଚଇତନ କହିଲା–ଖାଲି ମୋ ଓକିଲବାବୁଙ୍କୁ କହିଦେବ ବାବୁ, ମୋ ଜମି ଖଣ୍ଡକ ଫେରି ପାଇଲେ ମୁଁ ସନ୍ତୁଷ୍ଟ ।

 

ସୁନନ୍ଦ କହିଲା–ଓକିଲ ବାବୁ ତ ବିନା ପଇସାରେ ତୁମ କେସ୍ ଲଢ଼ିବେ ନାହିଁ ଚଇତନ । ମୋହରିର, ପେସ୍କାର, ଅର୍ଦ୍ଦଳି ବି କିଛି କିଛି ନେବେ । ମୁଁ ତମ ଦରଖାସ୍ତ ଇମିତି ଟାଇପ୍ କରିଦେବି, ପଇସା ଦେବାକୁ ପଡ଼ିବ ନାହିଁ ।

 

ଚଇତନ କହିଲା–ଠାକୁରାଣି ପାଖରେ ବଳିଦେବି ବୋଲି ବୋଦା ଗୋଟିଏ ପୋଷିଥିଲି-। ସେ ଆଉ ହେଲେ ନାହିଁ । ପରେ ମାନସିକ ପୂରଣ କରିବି । ବୋଦା ବିକି ପଚାଶ ଟଙ୍କା ଆଣିଛି-। ଏଇତକ ସର୍ବସ୍ଵ । ହବ ନାହିଁ ବାବୁ ?

 

ସୁନନ୍ଦ ସେଇ ନାଲିକୋଠାଆଡ଼କୁ ଅନେଇଲା । ସେ କୋଠାଟି ଆହୁରି ଲମ୍ବ ଆହୁରି ଉଚ୍ଚ ଦିଶୁଥିଲା ।

 

ଚଇତନ ଜିଜ୍ଞାସୁ ନେତ୍ରରେ ଚାହିଁ ରହିଥିଲା ସୁନନ୍ଦଆଡ଼େ ।

 

ପଚାଶ ଟଙ୍କାରେ ହେବ ନାହିଁ ।

 

ମୁଁ କହିବି ଚଇତନ ନିଶ୍ଚୟ କହିବି; ସବୁ ଓକିଲ ସମାନ ନୁହନ୍ତି । ଗରିବଙ୍କ କଥା ବୁଝିବା ପାଇଁ ଲୋକ ଅଛନ୍ତି । କହିଲା ସେ ।

 

କିନ୍ତୁ ଗରିବଙ୍କୁ କଥା କହିଵା ପାଇଁ ଏତେ ବଙ୍କାରାସ୍ତା କାହିଁକି ବାବୁ ? ସାମାନ୍ୟ କଥା, ସତକଥାଟା ମୋ ମୁହଁରୁ ଶୁଣି ହାକିମ ନିଷ୍ପତ୍ତି କରିଦେଲେ ଯେ ମୁଁ ତଣ୍ଡ ସହନ୍ତି ନାହିଁ । ନ୍ୟାୟ ମିଳିଲେ ମୋର କହିବାର କିଛି ରହିବ ନାହିଁ । କହିଲା ଚଇତନ ।

 

କୋର୍ଟ କଚେରୀର ସତ କଥାଗୁଡ଼ାକ ଏତେ ସହଜରେ କହିହୁଏ ନାହିଁ ଚଇତନ ! ସତକଥାକୁ ମିଛ, ଆଉ ମିଛକଥାକୁ ସତ କରିବା ପାଇଁ ଏଇ ବରଗଛ ମୂଳକୁ ଆସିବାକୁ ହୁଏ ।

 

ସୁନନ୍ଦ ଚାହିଁଲା ଚଇତନ ମୁହଁକୁ । ମାଛି ଅନ୍ଧାର କାଗଜଗୁଡ଼ାକ ଛୋଟ କାଠ ବାକ୍ସ ଭିତରେ ଭର୍ତ୍ତି କଲା ସୁନନ୍ଦ ।

 

ବରଗଛ ମୂଳେ ଅନ୍ଧାର ବହଳ ହଉଥିଲା । ଚମଚଟା ଓ ବାଦୁଡ଼ିମାନେ କିଚରମିଚର ଶବ୍ଦ କରି ଗଛ ଡାଳକୁ ଫେରି ଆସୁଥିଲେ ।

 

ଏହି ଅନ୍ଧାର ସହିତ ଅନ୍ୟାୟ ସହି ପଡ଼ି ରହିଥିବା ମଣିଷମାନଙ୍କର ଦୀର୍ଘଶ୍ଵାସକୁ ତୁଳନା କରେ ସୁନନ୍ଦ । ଆଲୋକର ବେଦନା ଅନ୍ଧାରରେ । ବଞ୍ଚିତ ମଣିଷର ଦୁଃଖ ଦୀର୍ଘଶ୍ଵାସରେ କଚେରୀ ହତାର ଚାରିପାଖରେ ନିପୀଡ଼ିତ ଏବଂ ନିଷ୍ପେଷିତ ମଣିଷର ଦୀର୍ଘଶ୍ଵାସଗୁଡ଼ା ଅନ୍ଧାର ପରି ଠୁଳ ହେଉଥିଲେ ବରଗଛର କୋଟର ଭିତରେ । ସେଠାରେ ଆହୁରି ଆହୁରି ଅନ୍ଧାର, ଅମାବାସ୍ୟାର ଅନ୍ଧାର ପରି ଆହୁରି ବହଳ, ଆହୁରି ଭୟଙ୍କର ।

 

ଚଇତନକୁ ପ୍ରବୋଧ ଦେଇ ସେ କହିଲା–ନ୍ୟାୟ ଖାଲି କଥାରେ ମିଳେ ନାହିଁ । ଏଥିପାଇଁ ମୂଲ୍ୟ ଦେବାକୁପଡ଼େ । ଦଶ ପଚିଶ ଖର୍ଚ୍ଚ ହୁଏ ।

 

ଚଇତନ ସ୍ତବ୍‍ଧ ହୋଇ ବସି ରହିଲା ବରଗଛକୁ ଘେରି ତିଆରି ହୋଇଥିବା ସିମେଣ୍ଟ୍ ଚଉତରା ଉପରେ । ତାର ଦେହଟା କ୍ରମଶଃ ଅସ୍ପଷ୍ଟ ହୋଇ ଆସୁଥିଲା ଅନ୍ଧାରରେ ।

 

ମ୍ୟୁନିସିପାଲିଟିର ବିଜୁଳିବତୀ ଏଯାଏ ଜଳି ନାହିଁ । ଲାଇନ୍ ଖରାପ ଅଛି ବୋଧହୁଏ । ସୁନନ୍ଦ ସବୁ ଜିନିଷ ସଜାଡ଼ି ଦେଇ ଚାହା ଦୋକାନୀ ପାଖରେ ମେସିନ୍ ଏବଂ ବାକ୍‍ସଟାକୁ ରଖିଦେଲା ।

 

ସନ୍ଧ୍ୟା ସାତଟା ଔଷଧ ଆଣିବାକୁ ଆଉ ବେଳ ନାହିଁ । ଡାକ୍ତର ଚାଲିଯାଇଥିବେ । ବାଲିକୁଦା ଯାଏ ଯିବା ପାଇଁ ତାକୁ ଅତି କମରେ ଘଣ୍ଟାଏ ଲାଗିବ ।

 

ଚଇତନକୁ ପଚାରିଲା ସେ–ତା’ହେଲେ କାଲି ପୁଣି ଦେଖାହବ ଭାଇ !

 

ତା’ପରେ ପାଦ ବଢ଼ାଇ ପୁଣି ରହିଯାଇ ପଚାରିଲା–ରାତିରେ କୋଉଠି ରହିବ ? କେହି ଚିହ୍ନା ପରିଚୟ ନାହିଁ, ଧର୍ମଶାଳା ଦେଖିନ…. ?

 

ଚଇତନ କହିଲା–କେତେ ପକ୍ଷୀ, ସରିସୃପ ବରଗଛକୁ ଆଶ୍ରୟ କରି ପଡ଼ିରହିଛନ୍ତି ବାବୁ-! ମୋତେ ଇଏ କଣ ଟିକେ ସ୍ଥାନ ଦେବ ନାହିଁ ?

 

ସୁନନ୍ଦ ଚମକିପଡ଼ିଲା । କିନ୍ତୁ କୌଣସି ଉତ୍ତର ଦେଇପାରିଲା ନାହିଁ । ଟିକେ ରହିଯାଇ କହିଲା–ମୁଁ ବାଲିକୁଦାରେ ବଖରାଏ ଭଡ଼ା ଘରେ ରହୁଛି । ପିଣ୍ଡାଟା ଖାଲି ।

 

ଶୋଇବା ପାଇଁ ବାଧା ନାହିଁ ।

 

ଚଇତନ କୃତ୍ୟକୃତ୍ୟ ହୋଇ କହିଲା–ଆପଣଙ୍କ ଏଇ ଦୟା ଟିକକ ମୋର କୋଟିଏ ଟଙ୍କା ସଙ୍ଗେ ସମାନ ବାବୁ । ଆପଣ ଯାଆନ୍ତୁ । ଉଛୁର ହୋଇ ଯାଉଚି । ଘରେ ଅନିସା କରିଥିବେ-

 

ସୁନନ୍ଦ ଏକାବେଳେ ପାଦ ବଢ଼ାଇଲା ।

 

କଚେରୀ ହତା ପାର ହୋଇ ମହାନଦୀ କୂଳ ରାସ୍ତା ଧରିବା ବେଳକୁ ତାର ମନେ ହେଲା ସେ ଏକା ଚାଲୁ ନାହିଁ, ତା ପଛେ ପଛେ ଆଉ ଜଣେ ଚାଲୁଛି ।

 

ଛିଡ଼ା ହୋଇଗଲା ସେ ।

 

ମଳିନ ଦେଖାଯାଉଥିବା ନିରାଭରଣ ସେହି ସ୍ତ୍ରୀ ଲୋକଟି ।

 

ମୋ ପାଖରେ କିଛି କାମ ଅଛି ? ପ୍ରଶ୍ନ କଲା ସୁନନ୍ଦ ।

 

ସେ କିଛି ଉତ୍ତର ଦେଲା ନାହିଁ ।

 

–ମୋ ପଛେ ପଛେ ଆସୁଛ ଯେ ! ପୁଣି ପ୍ରଶ୍ନ କଲା ସୁନନ୍ଦ ।

 

ତା ପରେ ଧୀରେ ଧୀରେ ସେ କହିଲା ମୋତେ ଆଜି ଡାକିଥିଲେ ବାବୁ ।

 

କିଏ ଡାକିଥିଲା । ପଚାରିଲା ସୁନନ୍ଦ ।

 

ହାକିମ ।

 

କାହିଁକି ?

 

ମୋ କଥା ଶୁଣିବା ପାଇଁ ।

 

କହିଲ ?

 

କହିଲି ସବୁ ଶୁଣିଲେ…

 

ତା ହେଲେ ଆଉ ଚିନ୍ତା କଅଣ ?

 

ଶୁଣିଲେ ସିନା ବୁଝିପାରିଲେ ନାହିଁ ।

 

ବୁଝିପାରିଲେ ନାହିଁ ବୋଲି କେମିତି ଜାଣିଲ ?

 

ତାଙ୍କ ମୁହଁରୁ ।

 

ମୁହଁ ଖୋଲି କିଛି କହିଲେ ?

 

ନା, କେବଳ ଶୁଣୁଥିଲେ ।

 

ଚୁପ୍ ହୋଇଗଲା ସୁନନ୍ଦ । ଟିକିଏ ପରେ ପଚାରିଲେ–କଅଣ ଅଭିଯୋଗ… ।

 

ମୋର କାହାରି ବିରୁଦ୍ଧରେ କିଛି ଅଭିଯୋଗ ନାହିଁ ବାବୁ ! ମୋର ଗୋଟିଏ ମାତ୍ର ପ୍ରାର୍ଥନା, ମୋ ସମ୍ପତ୍ତି ମୋତେ ଫେରାଇ ଦିଅ ।

 

କିଏ ନେଇଛି ତୁମର ସମ୍ପତ୍ତି ?

 

ଖାଲି ସମ୍ପତ୍ତି ନୁହେଁ । ଗିରସ୍ତ ମରିଗଲା ପରେ ମୋ କଥା ବୁଝିବ ବୋଲି ଭୁଲେଇ ଭାଲେଇ ରଖିଲା ମୋତେ । ଦଶବରଷ ଭୋଗ କରି ବଳ ବୟସ ଗଲାରୁ ଏବେ ବାହାର କରି ଦେଲା ଘରୁ । ଦଶବରଷ ତା ସାଙ୍ଗରେ ଥିଲି ବୋଲି ମୋ ସମ୍ପତ୍ତି ତାର କିମିତି ହୋଇଯିବ ବାବୁ ?

 

–ନା ହବ ନାହିଁ । ସେ ଲୋକଟା କିଏ, କଅଣ କରେ ?

 

–ଏଇ ଅଦାଲତରେ କିରାଣୀ କାମ କରେ ବାବୁ !

 

–ତୁମେ ମାମଲା କରିଥିଲ ?

 

–କରିଥିଲି ।

 

–କଅଣ ରାୟ ଦେଲେ ?

 

–ମୋର ନୁହେଁ ସବୁ ତାହାରି… ।

 

–ଅପିଲ କର ।

 

–କରିବି, କରିବି ବାବୁ, ତେବେ ଏ ଅଦାଲତରେ ନୁହେଁ, ଆହୁରି ବଡ଼, ବଡ଼ ଅଦାଲତରେ ।

 

–ଆଉ କିଛି କହିବ ?

 

–ପେଟରେ ଦାନା ପଡ଼ିନି ।

 

ଗୋଟିଏ ଟଙ୍କା ତା ହାତକୁ ବଢ଼େଇ ଦେଲା ସୁନନ୍ଦ ।

 

ତାପରେ ଏକ ମୁହାଁ ହୋଇ ସେ ଚାଲିଲା । ପୁରୀଘାଟରୁ ଖରାଦିନିଆ ରାସ୍ତା ଦେଇ ସେ କାଠଯୋଡ଼ି ପାର ହୋଇ ବାଲିକୁଦା ଯିବ । ନଦୀକୂଳରେ ବିଜୁଳିବତୀମାନଙ୍କୁ ପଛରେ ପକାଇ ସେ କାଠଯୋଡ଼ି ଭିତରେ ଲମ୍ବିଯାଇଥିବା ଖରାଦିନିଆ ରାସ୍ତା ଉପରେ ଜୋର ଜୋର ପାଦ ପକାଇଲା ।

 

ଜୀବନ ଏ ଯାଏ ଅଧା ହୋଇ ନାହିଁ । କିନ୍ତୁ ଅନେକ ଅଭିଜ୍ଞତା ଅର୍ଜନ କରୁଛି ସୁନନ୍ଦ । ଟାଇପର ଅକ୍ଷରଗୁଡ଼ିକ ଭିତରେ ଅନେକ ସଜଳ ଦୃଷ୍ଟି ଭାସି ଉଠିଚି ।

 

ଅନେକ ଆବେଦନ, ନିବେଦନ ଟାଇପ୍ କରିଛି ସେ । ଦରଖାସ୍ତ ଦେଇ ଦେଇ ସେ ମଣିଷ ଜାତିଟା ହୁଏତ ଥକିଯିବଣି । ସେ କିନ୍ତୁ ଥକି ନାହିଁ । ସକାଳୁ ସନ୍ଧ୍ୟା ଟାଇପ୍ କରି ଯାଉଛି । ଜୀବିକା ନ ଥିଲେ ଜୀବନ ରହେ ନାହିଁ ।

 

ସୁନନ୍ଦ ଅବସାଦରେ ମୁହଁ ମାଡ଼ି ପଡ଼ିଥିବା ମନଟିକୁ ସଜାଗ ରହିବା ପାଇଁ ନିଜକୁ ନିଜେ କହିଲା–ତୋ ଅପିଲର ଶୁଣାଣି ଏ ଯାଏ ହୋଇ ନାହିଁ, ଅନେକ ସମୟ ବାକି ଅଛି ।

 

ଘରକୁ ଫେରୁ ଫେରୁ ପ୍ରତିଦିନ ଆଠଟା ହୋଇଯାଏ । ଆଜି ଆଉ ଟିକେ ବେଶି ହେଲା-

 

କଳ ପରି ଚାଲିଚି ଜୀବନ ।

 

ସେ ହାତ ମୁହଁ ଧୋଇ ଖିଆପିଆ ଶେଷ କରି ଶୋଇପଡ଼ିଲା ଖଟ ଉପରେ ।

 

ତା’ପରେ ଟାଇପ୍ କରିବା ଶବ୍ଦପରି କେବଳ ଚିହ୍ନା ଶବ୍ଦ ଚାଲି ଆସିଲା କାନକୁ… ।

 

ତାକୁ ସୁଖ ଲାଗୁଥିଲା ଶୁଣିବା ପାଇଁ… ଭଲ ଲାଗୁଥିଲା ଶୋଇ ଶୋଇ ଭାସି ଆସୁଥିବା ଶବ୍ଦର ଅପେକ୍ଷା କରିବା ପାଇଁ ।

 

ସାରାଦିନର ଆୟ ବାରଟଙ୍କା ଚାଳିଶ ପଇସା ସେ ବାକ୍‍ସ ଭିତରେ ରଖି ଦେଇଥିଲା । ଆସନ୍ତା କାଲି ରବିବାର ଛୁଟି । ଆୟ ଉପାୟ କିଛି ହେବ ନାହିଁ । କେବଳ ସେ ବସିକରି କାଠଯୋଡ଼ିର ବାଲିଶେଯ ଉପରେ ଖେଳୁଥିବା ଖରାଦିନର ଖରା ଦେଖି ଆଖିର ତୃଷ୍ଣା ମେଣ୍ଟାଇବ-

 

ତୃଷ୍ଣା ମେଣ୍ଟାଇବା ପାଇଁ କାଠଯୋଡ଼ିର ଏତେ ପାଣି ଯେମିତି ଯଥେଷ୍ଟ ନୁହେଁ ।

 

ଛାଇ ନିଦ ଲାଗି ଆସୁଥିଲା ।

 

ଟାଇପ୍ ମେସିନ୍ ଅକ୍ଷରଗୁଡ଼ାକ ଉପରେ ହାତ ରଖିଲା ସୁନନ୍ଦ ।

 

କାରବନ୍ ଲଗା କାଗଜ ଉପରେ ଠକଠକ୍ ହୋଇ ଟାଇପ୍ ହୋଇଗଲା… ।

 

ହଜୁର ଧର୍ମାବତାର…

 

ମୋର କଳାଡିହ ଖଣ୍ଡକ ଫେରାଇ ଦେବା ପାଇଁ ହୁକୁମ ହେଉ… ।

 

ମୋର ସମ୍ପତ୍ତି ମୋତେ ଫେରାଇ ଦେବା ପାଇଁ ଆଦେଶ ଦିଆଯାଉ… ।

 

ହଜୁର ଧର୍ମାବତାର… ।

 

ହଜୁର ନ୍ୟାୟର ଅଧିକାରୀ…

 

ମୋର ଅପିଲ୍ ଶୁଣାହେଇ… ।

 

ଗୋଟା ଗୋଟା ଅପିଲ୍ ଟାଇପ୍ କରି ଚାଲିଲା ସୁନନ୍ଦ । ଡବଲ୍ ସ୍ପୀଡରେ ହାତ ଚଲାଇଲା । ଟାଇପ୍ କରି ଚାଲିଲା ସୁନନ୍ଦ । ଟାଇପ୍ ହେଉଥିଲା ସହସ୍ର ଦରଖାସ୍ତ ଅପିଲ୍ ଏବଂ ଆବେଦନ । ସେ ଲକ୍ଷ୍ୟ କଲା ଯେ ଅପିଲ୍ କରୁଥିବା ଲୋକମାନଙ୍କର ଧାଡ଼ି ଲମ୍ବ… କୋର୍ଟର ପାଚେରୀ ଡେଇଁ ପାରି ହୋଇ ଲମ୍ବିଯାଇଛି ଆହୁରି ଆଗକୁ ।

 

ସେ ଚାଲିଲା–

 

ଅଦାଲତ କୋଠା ଲମ୍ବି ଯାଇଥିଲା ଆହୁରି ଦୂରକୁ… ।

 

ଆଖି ପାଏନା ଉଚ୍ଚତା ମାପିବା ପାଇଁ ।

 

ସେଇ ଉଚ୍ଚ ଅଦାଲତ ଆଗରେ ସେ ଛିଡ଼ା ହୋଇ ହାତଯୋଡ଼ି କାକୁସ୍ଥ ହୋଇ କହିଲା–ଆମ ଗୁହାରି ଶୁଣିବା ହେଉ ହଜୁର…ପୃଥିବୀର ଅନାଦି କାଳରୁ ଆମେ କେବଳ ସେଇ ଦରଖାସ୍ତ କରି ଆସୁଛି, ତାରିଖ ପଡ଼ୁନାହିଁ…ଶୁଣାଣି ହଉ ନାହିଁ…ରାୟ ବାହାରୁ ନାହିଁ…ଆମେ ଯୁଗ ଯୁଗ ଧରି ଅପେକ୍ଷା କରୁଛେ ହଜୁର…ଛିଡ଼ା ହୋଇ ପାଦ ଥକିଗଲାଣି…ଲେଖି ଲେଖି ହାତରେ ବିଣ୍ଡି ବସି ଗଲାଣି… ।

 

ସୁନନ୍ଦ ଶୋଇ ଶୋଇ ସ୍ଵପ୍ନରେ ଦେଖୁଥିଲା, ସେଇ ନାଲି ଉଚ୍ଚ ଅଦାଲତ କୋଠାଟା ଆହୁରି ଲମ୍ବ, ଆହୁରି ଉଚ୍ଚ ଦେଖାଯାଉଥିଲା, ଆଖି ପାଉ ନ ଥିଲା କଳନା କରିବା ପାଇଁ ।

 

ଚଇତନ, ସେହି ସ୍ତ୍ରୀ ଲୋକଟି ତା’ ପଛରେ ହାତଯୋଡ଼ି ଛିଡ଼ା ହୋଇଥିଲା ଯେମିତି ଜଗନ୍ନାଥଙ୍କ କରୁଣା ଭିକ୍ଷା କରି ଛିଡ଼ା ହୁଅନ୍ତି କେତେ ଜ୍ଞାନୀ, ଗୁଣୀ, ଭକ୍ତ, ଆର୍ତ୍ତ ଓ ଅର୍ଥାର୍ଥୀ ।

☆☆☆

 

ଅନ୍ୟ ଏକ ପୃଥିବୀ

 

ମଥୁରାର ରାତି ପାହେ ପାଞ୍ଚଟାରେ । ଋତୁର ପରିବର୍ତ୍ତନ ହେଲେ ବି ଏହି ସମୟ ପରିବର୍ତ୍ତନ ହୁଏ ନାହିଁ । ପାଞ୍ଚଟା ଆଗରୁ ବରଂ ସେ ଉଠେ, ପାଞ୍ଚଟା ପରେ ନୁହେଁ । ଏଇ ସମୟ ଚେତନାଟି ତା’ଦିହର ଶୋଣିତରେ କିପରି ମିଶିଗଲା କେଜାଣି, ସମୟ ହୋଇଗଲେ କୁଦାମାରି ସେ ବିଛଣାରୁ ଉଠିବସେ । ଶୀତଦିନର ଥଣ୍ଡା ଶେଷ ରାତିରେ ଠୁଳ ହେଲେ, ସେ ଉଷୁମ ଟାଣିବା ପାଇଁ ଶୋଇ ନ ପଡ଼ି ଧଡ଼ପଡ଼ ହୋଇ ଉଠିବସେ । ବେଶି ଲୁଗା ନାହିଁ ଘୋଡ଼ାଇ ହେବା ପାଇଁ । ତା’ପରେ ଭୟ ବି ଅଛି । କାଳେ ଘୋଡ଼ାଘୋଡ଼ି ହୋଇ ଶୋଇପଡ଼ିଲେ ଯଦି ନିଦ ନଭାଙ୍ଗେ, ସକାଳ ହୋଇଯାଏ । ଚାକିରି ଖଣ୍ଡକ ହାତଛଡ଼ା ହୋଇଯିବ । ହୋଟେଲରେ ଅନେକ ଭାଗ୍ୟରୁ ଚାକିରି ଖଣ୍ଡେ ମିଳିଛି । ସେହି ଚାକିରି ଖଣ୍ଡକ ଉପରେ ନିର୍ଭର । ତାହା ହିଁ ବଞ୍ଚିବାର ଅବଲମ୍ବନ ।

 

ଶୋଇବା ଆଗରୁ ବା’ର ବା ଗୋଟେ ବାଜିଯାଏ । ସେ ନିରୁପାୟ ହୋଇ ଜଗି ରହେ ବାବୁମାନଙ୍କର ଫରମାସୀ ଖଟିବା ପାଇଁ । ବଡ଼ ଦେରିରେ ଶୁଅନ୍ତି ସେମାନେ । ଖିଆପିଆ କରି ଶୋଇଲାବେଳକୁ ବାରଟା ବାଜିଯାଏ । ଅନେକ ରାତିରେ ଖାଇବା ପାଇଁ ଆଉ ମନେ ହୁଏ ନାହିଁ । ଭୋକ ଲାଗି ଭୋକ ମରିଯାଏ, ପେଟ ଖାଲି ଆଉଟିପାଉଟି ହୁଏ ସିନା, ଆଉ ଖାଇବାରେ ମନଲାଗେ ନାହିଁ । ଆଖିରେ ନିଦ ଓ ଦେହରେ କ୍ଳାନ୍ତି ଟଳମଳ ହୁଏ । ସେ ଏବଂ ସାଙ୍ଗମାନେ ବସିଯାଆନ୍ତି । ବେଳ ହୁଏନାହିଁ ବସିବସି ଖାଇବା ପାଇଁ । ମୁହଁ ଧୋଇସାରି ସେଇ କୋଠରୀରେ ମସିଣା ଉପରେ ଶୋଇପଡ଼ନ୍ତି ସମସ୍ତେ । ସିଡ଼ି ପାଖର ଦରଜାକୁ ଜଗି ସିଡ଼ି ତଳେ ଶୁଏ ମଥୁରା ।

 

ରାତିଟା କେତେବେଳେ ଶେଷ ହୋଇଯାଏ ସେ ଜାଣିପାରେ ନାହିଁ । ଶେଷ ରାତିର ଶୀତର ନିଦ ଆପେ ଆପେ ଭାଙ୍ଗିଯାଏ । ମଥୁରା ଉଠିବସେ । ସମୟର ସୂଚନା ଦେଇ ଥାନା ଆଗରେ ଝୁଲୁଥିବା ପିତ୍ତଳ ଚକିଟା ଉପରେ ଠଣଠଣ କରି ପାଞ୍ଚଥର ସମୟ ଜଣାଇ ଦେବା ଯେପରି ତାର କାମ । ମଥୁରା ଦିନେ ଦିନେ ବିରକ୍ତ ହୋଇ ମନକୁମନ କୁହେ–ଆଉ ଟିକେ ବିଳମ୍ବରେ ଘଣ୍ଟା ପିଟିଥିଲେ ମହାଭାରତ ଅଶୁଦ୍ଧ ହୋଇ ଯାଆନ୍ତା ନାହିଁ । ହସିଦିଏ ପରକ୍ଷଣରେ । ତା’ପରେ ଗୁଣୁଗୁଣୁ କରେ–ସେ ଶଳାର ବି ନିଦ ହୁଏ ନାହିଁ ପରା, ଏଡ଼େ ଶୀତରେ ।

 

ରାତିଟା ଏତେ ଶୀଘ୍ର ସରିଯାଏ ବୋଲି ସେ ବିକଳ ହୁଏ । ସ୍ଵପ୍ନ ଦେଖିବା ପାଇଁ ବଡ଼ ଇଚ୍ଛା ହୁଏ, କିନ୍ତୁ ସ୍ଵପ୍ନ ଯେପରି ଜାଣିଶୁଣି ତା’ପାଖରୁ ଦୂରେଇ ଯାଏ । ବଡ଼ଲୋକମାନଙ୍କ ପରି ଖାଇବା ପିଇବା ବା ଅଏସ୍ କରିବାର ସୁଯୋଗ କେବେ ପାଇବ ନାହିଁ ବୋଲି ସେମାନଙ୍କର ଅନୁଭୂତିଗୁଡ଼ିକ ସ୍ଵପ୍ନରେ ଅନୁଭବ କରିବା ପାଇଁ ମନ ବଳାଏ । କିନ୍ତୁ, ସ୍ଵପ୍ନ ତା’ ପକ୍ଷରେ ମହାର୍ଘ ହୋଇଯାଏ । ଖାଣ୍ଟି ଗୁଆଘିଅ ପରି ସ୍ଵପ୍ନ ବି ଅମଳିନ ହୋଇଯାଏ ତା ପାଖରେ ।

 

କିଏ ଗୋଟେ ମରିଗଲା ବୋଧହୁଏ । ରାମ ନାମ ସତ୍ୟହେ, ହରି ନାମ ସତ୍ୟହେ, ଡାକି ଡାକି ମାଲଭାଇମାନେ ହୋଟେଲ୍ ଆଗ ରାସ୍ତାରେ ଚାଲିଗଲେ । ସେମାନଙ୍କ ଭିତରୁ ଜଣେ ଖଇ, କଉଡ଼ି, ପଇସା ଫିଙ୍ଗୁଥିଲା । ରାତି ପାହି ନଥିଲେ ବି ସଡ଼କର ଆଲୁଅରେ ରାସ୍ତା ଦେଖି ପାରିଲା ମଥୁରା । ପଛରୁ ଦଉଡ଼ୁଥିଲା ଆଉ ଜଣେ । ସେଇ ଅଧା ପାଗଳ ଭିକାରୀଟିଏ ହବ ବୋଧେ । ସବୁଠାରେ ପ୍ରତିଯୋଗିତା । ମରିବା ପରେ ଯୁଇରେ ଚଢ଼ିବା ପାଇଁ ମଧ୍ୟ ପ୍ରତିଯୋଗିତା କରିବା ପାଇଁ ହୁଏ । ଆଗରେ ଥିବା ଶବମାନଙ୍କର ସତ୍କାର ନ ହେଲା ଯାଏ ପଛରେ ଆସିଥିବା ଶବମାନେ ଅପେକ୍ଷା କରନ୍ତି ।

 

ମଥୁରା ମନକୁମନ କୁହେ ସେ ଶୀଘ୍ର ମରିବ ନାହିଁ । ମରିବା ପାଇଁ ତାର ଫୁରୁସତ ବି ନାହିଁ । ହାତରେ ଏତେ କାମ । ସେ ନ ମଲେ ଆଉ କିଏ କରିବ । ମାଲିକ ମରିବ ଆହୁରି ଡେରିରେ । ଖୁଆଇ ପିଆଇ ସମସ୍ତଙ୍କୁ ପଇସା ଦେଇ ଏମିତି ହାତରେ ରଖିଛି ଯେ ଆଇନ୍ ଭାଙ୍ଗିଲେ ବି ତାର କିଛି ହୁଏ ନାହିଁ । ନୀତିନିୟମଗୁଡ଼ା କପା କାଠି ପରି ମଡ଼ମଡ଼ ହୋଇ ଭାଙ୍ଗି ଯାଆନ୍ତି ପଇସା ଓ ପ୍ରତିପତ୍ତି ଆଗରେ । ଜେଲ୍ ଜୋରିମାନା ଗରିବଙ୍କ ପାଇଁ । ବେକସୁର୍ ଖଲାସ ହେବା ପାଇଁ ସ୍ଥାନ ସଂରକ୍ଷଣ କରିଛନ୍ତି ବଡ଼ଲୋକମାନେ । ମାଲିକ ଉପରେ ଅନେକ ଦରଦ ଥିଲେ ବି ମଥୁରା ଏଥିପାଇଁ ବିରକ୍ତ ହୁଏ ତା’ ଉପରେ । ମୁହଁ ଖୋଲି କିଛି କହିପାରେ ନାହିଁ, ବରଂ ତା’ କାମରେ ସହାୟତା କରି ତାକୁ ଆଉ ଟିକେ ଉସୁକାଇ ଦେବା ପାଇଁ ତା’ଆଦେଶ ପାଳନ କରେ । ବିରକ୍ତ ହେଲେ କଅଣ ହେବ ? ଏଥିରେ କାହାର ଯାଏ ଆସେ । ସେଥିପାଇଁ ବେଳେବେଳେ ବଡ଼ପାଟି କରି କହିବାକୁ ଇଚ୍ଛା ହୁଏ, ‘ବଡ଼ ହୁଅ, ଆହୁରି ବଡ଼, ଆହୁରି… ଶାଳଗଛ ପରି ତାଳ ଗଛ ପରି’ ଯେତିକି ବଡ଼ ହେବ ସେତିକି ତମ ମୁହଁକୁ ଅନାଇ ଦୂବଘାସ ପରି ପଡ଼ି ରହିବ ଏଇ ପୃଥିବୀ । ପୃଥିବୀ ଧନୀ, ପରାକ୍ରମୀକୁ ଭୟ କରେ, ନିୟମର ଉର୍ଦ୍ଧ୍ୱରେ ଆତଯାତ ହେଉଥିବା ଲୋକଙ୍କୁ ସଲାମ ଦିଏ ।

 

ସାରା ପୃଥିବୀର ଦୁଇ ତୃତୀୟାଶଂ ସ୍ଥାନ ଏବଂ ସମ୍ପଦ ଏଇ ଅଳ୍ପ ଲୋକମାନଙ୍କର ଅକ୍ତିଆରରେ । ଏଇ ସଲାମୀ ଭୋଗ କରି କରି, ସଲାମ ନେଇ ନେଇ ସେମାନେ ଇତିହାସରେ ମଧ୍ୟ ନିଜର ସ୍ଥାନ ସଂରକ୍ଷିତ ରଖିବା ପାଇଁ ଆଶା ରଖନ୍ତି । ମଥୁରା ବି ଯଦି ଇମିତି ହୋଇଥାନ୍ତା ! ଗୋଟେ ହୋଟେଲର ମାଲିକ ହେବା ପାଇଁ ତାର ବଳବତୀ ଇଚ୍ଛା ତାକୁ ବେଳେବେଳେ ଅଥୟ କରେ । ମାଲିକ ନ ହେଲେ ଆଉ କିଛି ହେଉ ବା ନହେଉ ମନ ପୁରେଇ ବସି ବସି ପେଟ ପୁରାଇ ଗରମ ମାଉଁସ ସହିତ ଗରମ ଗରମ ଫୁଲୁକା ପୁରି ଖାଆନ୍ତି । ସମସ୍ତେ ଖାଇ ସାରିବା ପାରେ ଡେକେଚି, କଡ଼େଇରେ ପଡ଼ିଥିବା ଅସନା ତରକାରୀ ଏବଂ ଚାକରମାନଙ୍କ ପାଇଁ ସ୍ଵତନ୍ତ୍ର ଭାବେ ରନ୍ଧା ହୋଇଥିବା ବଗଡ଼ା ଗୋଡ଼ିମିଶା ନାଲି ଚାଉଳରୁ ପୁଞ୍ଜିଏ ଖାଇ ଶୋଇ ପଡ଼ନ୍ତା ନାହିଁ ।

 

ମଥୁରା ମୁହଁ, ହାତ ଧୋଇ ଚୁଲି ଲଗାଇ ଦେଇ ପାଣି ଭର୍ତ୍ତିକଲା କୁଣ୍ଡରେ । ସାତଟାକୁ ପାଣି ବନ୍ଦ ହୋଇଯାଏ । ଚାରିଟା କୁଣ୍ଡ ଅଛି ରୋଷଘରେ । ସେଥିରେ ଦିନଯାକର ପାଣି ଜମାକରି ରଖେ ମଥୁରା । ସକାଳେ ସମୟ ହୁଏ ନାହିଁ ବୋଲି ରାତି ଶୋଇବା ଆଗରୁ ଓଳାଇ ଦେଇ ପରିଷ୍କାର କରି ଦେଇଯାଏ ରୋଷଘର, ବାରଣ୍ଡା ଏବଂ କୋଠାଘର । ବାସନଗୁଡ଼ାକ ସାଙ୍ଗମାନଙ୍ଗଦ୍ଵାରା ମାଜି ଘଷି ସାଇତି ରଖେ ଥାକ ଥାକ କରି ।

 

ଏଇ ହୋଟେଲଟାରେ ଆରମ୍ଭ ଦିନରୁ ରହି ଆସିଛି ମଥୁରା । ସେଥିପାଇଁ ହୋଟେଲ୍ ସହିତ ତାର ଗୋଟେ ଏକାତ୍ମତା ଜନ୍ମିଯାଇଛି । ପ୍ରଥମ ଅବସ୍ଥାରେ ପୁରୁଣା ଅସକାର ଘରଟା ଆଉ ନାହିଁ । ନୂଆକୋଠା ତିଆରି ସ୍ଥାନ ନେଇଛି ଆଧୁନିକ ହୋଟେଲକୁ । କେବଳ ନାମଟା ବଦଳି ନାହିଁ-। ମଧୁମଙ୍ଗଳ କହନ୍ତି ନାମଟା ପୁରୁଣା ହେଲେ ବି କିଛି ଯାଏ ଆସେନି ମଥୁରା । ଆଦର୍ଶ ହୋଟେଲର ନାମଟା ଲୋକେ ଜାଣି ଯାଇଛନ୍ତି । ହଠାତ୍ ବଦଳ କରିଦେଲେ ଅସୁବିଧା ହେବନି-! ହୋଟେଲ ରାସ୍ତା ଉପରୁ ବେଶ୍ ଭଲ ଦିଶେ । ରାତିର ଜହ୍ନ ଆଲୁଅରେ ଫୁଟିଲା କଇଁଫୁଲ ପରି କେବଳ ହସିଉଠେ । ସେଇ କୋଠା ସହିତ ମାଲିକର ମନ ବି ବଦଳିଛି । ମାଲଗୋଦାମରେ ଠେଲା ଗାଡ଼ି ଚଳାଇ ଆଉ ରୋଜଗାର ନ କରି ମଧୁମଙ୍ଗଳ ହୋଟେଲର ମାଲିକ ହୋଇ ଯାଇଛନ୍ତି-। ମଥୁରାର ବି ସେମିତି ହୋଟେଲର ମାଲିକ ହୋଇ ଉପରକୁ ଉଠିବାକୁ ମନ ହୁଏ-। ସମସ୍ତଙ୍କୁ ପଛରେ ପକାଇ ଆଗେଇ ଯାଇ ଦୋକାନରେ ଛଣା ହେଇଥିବା ପ୍ରଥମ ଜିଲାପି, ଘରେ ଦୁହାଁ ହେଉଥିବା ପ୍ରଥମ ବାଲତିର ଦୁଧ ଖାଇବା ପାଇଁ ଇଚ୍ଛା ହୁଏ । ମାଆ ଛାତିତଳେ ମୁହଁ ଗୁଞ୍ଜି ଶୋଇବା ପାଇଁ ବି ମନଟା ଛଟପଟ ହୁଏ । ମାଆ ଥିଲାବେଳେ ତାରି ଛାତିତଳେ ଶୋଉଥିଲା ସେ-। ଶୀତଦିନେ ତାକୁ ଶୀତହେବ ବୋଲି ଏମିତି ଛାତି ତଳେ ଜାକି ଧରୁଥିଲା ମଥୁରା ମାଆର ଉଷୁମ ଓ ତା ଦିହର ବାସ୍ନା ଅନୁଭବ କରି ଆରାମ ଓ ନିଶ୍ଚିନ୍ତରେ ଶୋଇ ଯାଉଥିଲା ନିଘୋଡ଼ ନିଦରେ-। ଏଡ଼େ ଆଦରର ସେଇ ମାଆ ଆଉ ନାହିଁ । ତାକୁ ଆଜି ପାରିବାର ଦେଖିଥିଲେ ସେ କେତେ ଖୁସି ହୋଇଥାଆନ୍ତା । ପୁଅର ଅର୍ଜନ ଖାଇବା ପାଇଁ ସେ ଟାକି ବସିଥିଲା, କିନ୍ତୁ ବିଧାତା ଦାଉ ସାଧିଲା-। ନଈବଢ଼ିରେ ସେ ଭାସିଗଲା ଆଉ ଫେରିଲା ନାହିଁ ।

 

ଆଖି ଯୋଡ଼ିକ ସଜଳ ହୋଇ ଆସିଲା ମଥୁରାର । ମାଆ କଥା ମନେପଡ଼ିଗଲେ ସେ ସବୁ ଭୁଲିଯାଇ କେବଳ ମାଆର କଥା ମନେପକାଏ । ମାଆ ତାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଆବୋରି ରଖେ । ଭଉଣୀଟା ବାହା ହେବାର ହୋଇଯିବଣି । ବାପ ତ ପାଗଳ ହୋଇ ପଳାଇଲା । ସେ ତ ବିଦେଶରେ ରହିଲା । ତାକୁ ବାହା ଦିଅନ୍ତା ଆଉ କିଏ ଯେ । ମାସକୁମାସ ଭାଇ, ଭଉଣୀର ଚଳିବା ପାଇଁ କେତୋଟି ଟଙ୍କା ମନିଅର୍ଡ଼ର କରି ପଠାଇ ଦିଏ କର୍ତ୍ତବ୍ୟ ସିନା କରିଦିଏ ମଥୁରା, ତା ଅନ୍ତର ଭିତରଟା କିନ୍ତୁ ଘାଣ୍ଟି ଚକଟି ହୁଏ । ଭାଇ, ଭଉଣୀକୁ ଦେଖିବା ପାଇଁ ମନେ ହୁଏ । ମାଉସୀ ଆହୁରି ପାଖରେ ଅଛି ବୋଲି, ନହେଲେ ମା’ ଛେଉଣ୍ଡ ପିଲା ଦୁଇଟି ବାରଓଳି ଶୁଣ୍ଢିପିଣ୍ଡା ହଉଥାଆନ୍ତେ । ଅନେକ ଥର ସେମାନଙ୍କୁ ଯାଇ ଦେଖି ଆସିବାପାଇଁ ମାଲିକ ପାଖରେ ଅଳି କରିଛି ମଥୁରା । କିନ୍ତୁ ଛୁଟି ମିଳି ନାହିଁ । ସେ ସବୁ ଶୁଣିସାରି କିଛି ନ ଶୁଣିଲା ପରି କହି ଦିଅନ୍ତି–ତୁ ଆଉ ମୁଁ ସାଙ୍ଗରେ ଆସିଲୁ । ମୁଁ ଛୁଟି ନେଇଛି ? ଏଇ ହୋଟେଲଟା ଏକା ମୋର ନୁହେଁ ତୋର ବି …। ଆମେ ଛୁଟି ନେଲେ ହୋଟେଲ କଥା ବୁଝିବ କିଏ, ଏତେ ଲୋକଙ୍କର ଫରମାସ ଖାଟେ କିଏ । ରହି ଯା’ ଆଉ ଟିକେ ରହି ଯା । ଗୋବିନ୍ଦ ଟିକେ ପାରିବାର ହଉ, କାଳିଆଟା କାମ ଶିଖିଯାଉ । ନବା, ସନିଆତ ଏବେ ଆସିଛନ୍ତି ।

 

ମୁହଁ ଫିଟାଇ ଆଉକିଛି କହିପାରେ ନାହିଁ ମଥୁରା । ଯେତେହେଲେ ମାଲିକ, ଅନ୍ନଦାତା-। ଯେତେବେଳେ କେହି ତା’ ମୁହଁକୁ ଅନାଉ ନଥିଲେ ସେ ଆଶ୍ରୟ ଦେଇଥିଲେ ତାକୁ-। ସାତବର୍ଷ ତଳର କଥା । ବନ୍ୟାରେ ଘରଦ୍ଵାର ଭାସିଯିବାରୁ ସର୍ବସ୍ଵ ଥିବା ଲୋକ ହଠାତ୍ ସର୍ବହରା ହୋଇଗଲେ । ମାଆ ସେଇ ନଈସୁଅରେ କୁଆଡ଼େ ଭାସିଗଲା ଯେ କୂଳକିନାରା କିଛି ପାଇଲା ନାହିଁ । ବାପା ପାଗଳ ହୋଇ ଘର ଛାଡ଼ି ପଳାଇଗଲା । ସାନ ଭଉଣୀ ଓ ଭାଇଟାକୁ ସାଙ୍ଗରେ ଧରି କିଛିଦିନ ବୁଲିଲା । ଭିକ ମାଗିଲା ସେମାନଙ୍କ ତୁଣ୍ଡରେ ଆହାର ମୁଠେ ଦେବା ପାଇଁ । ଭିକ ସବୁଦିନ ମିଳେ ନାହିଁ । ହରି ଭରସା ଦେଲେ । ମାଉସୀ ଭାଇ ଓ ଭଉଣୀକୁ ଆଶ୍ରୟ ଦେଲେ । ରୋଜଗାର କରି ସେମାନଙ୍କ ପାଇଁ କିଛି ପଠାଇବାର ପ୍ରତିଶ୍ରୁତି ଦେଇ ଚାଲି ଆସିଲା ମଥୁରା । ଚିହ୍ନା ନାହିଁ, ପରିଚୟ ନାହିଁ । ଗୋଟିଏ ସହରରେ ପହଞ୍ଚି ଦେଖିଲା ଆଖିଝଲସା ରୂପ । କେହି ତା’ କଥା ଶୁଣିଲେ ନାହିଁ, ଭିକ ମୁଠେ ବି ଦେଲେ ନାହିଁ, ଚୋରି କରି ପାରିଲା ନାହିଁ । କାମ କରିବା ସହଜ କିନ୍ତୁ ମିଳିବା କଷ୍ଟ । ଯିଏ ଦେଖିଲା ଦୂର ଦୂର କଲା । ନିରାଶ ହୋଇ ଓପାସରେ ସଢ଼ିବାକୁ ଲାଗିଲା ମଥୁରା । ଦିନେ ସେ ଅନାବନା କଞ୍ଚା ଶାଗଗୁଡ଼ାକ ଖାଉଥିବାର ଦେଖି ମଧୁମଙ୍ଗଳ ତାକୁ ଭିଡ଼ି ଆଣିଥିଲେ ଘରକୁ । ତାକୁ ଘର ଅଗଣାରେ ଛିଡ଼ା କରାଇଦେଇ କହିଲେ–ଇମିତି ବଞ୍ଚିବୁ କେତେଦିନ ? କାମ କାର୍ଯ୍ୟ କରେ । ପେଟକୁ ଆହାର ଦେ । ଚୋରି କରି ପାରିଲୁ ନାହିଁ ଯେତେବେଳେ କାମ ତ କରି ପାରିବୁ । ମୋ ପାଖରେ ରହିଯା । ମୋର ବି ସେମିତି କିଛି ଅଜସ୍ର ସମ୍ପତ୍ତି ନାହିଁ । ତଥାପି ଲଢ଼ିବା ସାଙ୍ଗ ହୋଇ, ବଞ୍ଜିବା ପାଇଁ ଲଢ଼ିବା । ପୂର୍ବକାଳରେ ଯୁଦ୍ଧ କରିବାର ନିୟମ ଥିଲା । ସେ ନିୟମ କଳିକାଳରେ ଅଚଳ । ନୀତିନିୟମକୁ ଭାଙ୍ଗି ଲଢ଼ିବା ପାଇଁ ହେବ-। ସାଧୁ ହୋଇ ବସିବସି ମାଳା ଜପିଲେ କେହି ଆସି ତୁଣ୍ଡରେ ଆହାର, ଦେହରେ କନା ଦେଇଯିବେ ନାହିଁ-। ଦରକାର ହେଲେ ଚୋରି କରିବାକୁ ହେବ, ଚାଉଳରେ ଗୋଡ଼ି, ଦୁଧରେ ପାଣି ମିଶାଇବାକୁ ପଡ଼ିବ-। ଜୀବନଟା ଜାତୀୟ ରାଜପଥ ନୁହେଁ ଯେ ସିଧା ସିଧା ଚାଲିଯିବୁ ଲକ୍ଷ୍ୟସ୍ଥଳକୁ ।

 

ସେଇଦିନୁ ତାଙ୍କର ଆଶ୍ରିତ ହୋଇ ରହିଯାଇଥିଲା ମଥୁରା ତାଙ୍କରି ବୋଲ ମାନି । ସେଇଦିନୁ କାମ କରି ଆସିଛି, ନୀତି ନିୟମ ଲଘଂନ କରି ମାଲିକର ହାତକୁ ଚିକ୍‍କଣ କରିଛି । ଲଢ଼ିବା ବେଳେ ପଛଘୁଞ୍ଚା ଦେଲେ ଚଳିବ ନାହିଁ । ଜୀବନ ପଣ କରି ଆଗକୁ ନ ଗଲେ ପଛରେ ପଡ଼ିଯାଇ ଦଳିମକଚି ହୋଇଯିବ । ସାତବର୍ଷର ନୀତି ଅନୀତି ଭିତରେ ଅନୀତିର ବାହାଦୁରି ଅଙ୍ଗେ ନିଭେଇଛି ମଥୁରା । ନୀତି, ନିୟମକୁ ଧରି ବସିଥିଲେ ମଧୁମଙ୍ଗଳ ସହିତ ସେ ବି ଘାସ ଖାଉଥାଆନ୍ତା । ଆଉ ଘାସ ଖାଇବାକୁ ପଡ଼ୁନାହିଁ, ଭାତ ଖାଏ ଦୁଇ ଓଳି । ମାଲିକର ବି ବଡ଼ତି ହୋଇଛି ।

 

ପୁରୁଣା ଟାଇଲ୍ ଘର ପାଖରେ ଆଠ ବଖରା ନୂଆ ପକ୍‍କା ଘର ତୋଳା ହୋଇଛି । ତଳେ ଚାରୋଟି ଆଉ ଉପରେ ଚାରୋଟି କୋଠରୀ । ଛଅଟି ରହିବା ପାଇଁ ଆଉ ଗୋଟିଏ ଗୋପନରେ ଆସୁଥିବା ବଡ଼ ବଡ଼ ଲୋକମାନଙ୍କ ପାଇଁ ସଦା ସଂରକ୍ଷିତ । ଏହି ସଂରକ୍ଷିତ କୋଠରୀର ଚାବିକାଠି ତାହାରି ପାଖରେ । ସେ ଏହାର ସର୍ବସତ୍ତ୍ଵ ସଂରକ୍ଷଣ କରି ସମସ୍ତଙ୍କ କଥା ବୁଝେ, ସବୁ ଅସୁବିଧା କାଟି ସୁବିଧା କରିଦିଏ । ଏଇ କୋଠରୀଟି ଉପର ମହଲାର ଶେଷ ଘର । ଆଉ ଗୋଟିଏ କୋଠରୀରେ ହୋଟେଲର ରେସ୍ତୋରାଁ ।

 

ବିଶିଷ୍ଟ ଅତିଥିମାନଙ୍କର କଥା ମଥୁରା ଉପରେ ନ୍ୟସ୍ତ କରିଛନ୍ତି ମଧୁମଙ୍ଗଳ । ସେମାନେ ହୋଟେଲର ପୃଷ୍ଠପୋଷକ । ସେମାନଙ୍କ ପଇସାରେ ଏହାର ଅଭିବୃଦ୍ଧି । ସେଥିପାଇଁ ସେମାନଙ୍କ ମୁହଁକୁ ଭଲ କରି ଅନାଏ ମଥୁରା । ସେମାନଙ୍କ ଭାବ ଓ ବିଭବ ଭିତରେ ଅଭାବଗୁଡ଼ା କିଲିବିଲି କରୁଥିବାର ପ୍ରତ୍ୟକ୍ଷ କରି ଚମକି ଉଠେ । ଖାଦ୍ୟ ଖାଇ ସେମାନଙ୍କର ପେଟପୂରେ ନାହିଁ, ପାନୀୟ ପିଇ ସେମାନଙ୍କ ତୃଷ୍ଣା ମେଣ୍ଟେ ନାହିଁ । ସେମାନେ ଚାହାଁନ୍ତି ଆହୁରି ଆହୁରି ଅନେକ ବେଶୀ । ସେମାନଙ୍କୁ ମୁହଁ ଫିଟାଇ କହିବାକୁ ପଡ଼େ ନାହିଁ, ସେମାନଙ୍କ ଆଖିର ଚାହାଣି ଓ ଦେହର ଭଙ୍ଗୀରୁ ବୁଝି ନବାକୁ ହୁଏ । ସେଥିପାଇଁ ସେମାନେ ପହଞ୍ଚିଯିବା ମାତ୍ରେ କହିବା ଆଗରୁ ବ୍ୟବସ୍ଥା କରିଦିଏ ମଥୁରା ।

 

ଗୋଟିଏ ସମୟ ତାକୁ ଚଞ୍ଚଳ କରେ । ତାର ଅନ୍ତର ଭିତରଟା ହୁ ହୁ କରି ଜଳିଉଠେ, ଆଖି ଓଦା ହୋଇଆସେ । ସେତେବେଳେ ସେ ମନକୁମନ ପଚାରେ–ତୋ ଭଉଣୀକୁ ତୁ କଅଣ ଏହିପରି ଏମାନଙ୍କର ସଂଭୋଗ ପାଇଁ ଛାଡ଼ିଦେବୁ । ତା’ପରେ ସଜଳ ଆଖିର ଝାପ୍‍ସା ଦୃଷ୍ଟି ଆଗରେ ସାତବର୍ଷ ତଳେ ଛାଡ଼ି ଆସିଥିବା ଏଗାର ବର୍ଷର ଭଉଣୀର ନିଷ୍ପାପ ଓ ସରଳ ମୁହଁଟି ଭାସିଉଠେ । ସେ ବି କେତେ ବଡ଼ ହୋଇଥିବ, କେତେ ସୁନ୍ଦର ଦିଶୁଥିବ । ବାପା ମା’ ଥିଲେ ତାକୁ ବିଭା କରାଇଥାନ୍ତେ, ଭାଇକୁ ପାଠ ପଢ଼ାଇ ଥାଆନ୍ତେ, ସେ କିଛି କରିପାରିଲା ନାହିଁ । କେବଳ କେତୋଟି ଟଙ୍କା ମନିଅର୍ଡ଼ର କରି ଦେଇ କର୍ତ୍ତବ୍ୟ ପାଳନ କରୁଛି ମାତ୍ର ।

 

ଏଇ ବଡ଼ ଲୋକମାନଙ୍କର ପ୍ରୟୋଜନ ଦେଖି ଅବାକ୍ ହୋଇଯାଏ ମଥୁରା । ସେମାନେ ସାଧାରଣ ନୁହଁନ୍ତି, ଅସାଧାରଣ । ସେମାନଙ୍କ କଥା ଅଲଗା । ସେମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ସକାଳୁ ସନ୍ଧ୍ୟାଯାଏ ଖଟନ୍ତି । ସେମାନଙ୍କର ଦମ୍ ଅଛି । ସେମାନେ ସମାଜ, ଶାସନ ଓ ଧର୍ମର ବଡ଼ପଣ୍ଡା । ସେମାନଙ୍କର କେତେ ପରିଶ୍ରମ, କେତେ ବ୍ୟସ୍ତତା । ଟିକେ ଆରାମ ନ କଲେ ଦେହ ଭାଙ୍ଗିଯିବ, ମନ ଦବିଯିବ । ନିଜ ଘରେ ସମୟ ସୁବିଧା ହୁଏ ନାହିଁ ବୋଲି ପର ସ୍ତ୍ରୀ, କନ୍ୟା ଓ ଭଉଣୀ ଉପରେ ସେମାନଙ୍କର ଏତେ ଆକର୍ଷଣ । ଯେପରି ହେଉ ବ୍ୟବସ୍ଥା କରିବା ଦରକାର । ନ ହେଲେ ନ ଚଳେ । ମଥୁରା ମୂକ ହୋଇଯାଏ ।

 

କିଛି ନ ଜାଣିଲା ପରି ସବୁ କରିଯାଏ ସେ, ଦିନେ ଦିନେ ରାତିରେ ସେ ଶୋଇପାରେ ନାହିଁ । ସେଇ ଅସନା, ଅଶ୍ଳୀଳ କଥାଗୁଡ଼ା ମନକୁ ଚଞ୍ଚଳ କରେ । ବାଧେ ତାକୁ । ସେ ଡହଳବିକଳ ହୁଏ । କାହିଁକି ଏତେ ପାପ କରୁଛି ବୋଲି ନିଜକୁ ପଚାରେ, ଗାଲରେ ଠୋ ଠୋ କରି ଚାପୁଡ଼ା କଷିଦେଇ ନିଜକୁ ଶାସ୍ତି ଦିଏ ସେ । ମଝିରେ ମଝିରେ ଓପାସ କରି ପ୍ରାୟଶ୍ଚିତ କରେ ସେ । କିନ୍ତୁ ମାଲିକର ଆଦେଶ ଅମାନ୍ୟ କରି ପାରେ ନାହିଁ । ଯେତେହେଲେ ଅନ୍ନଦାତା, ଆଶ୍ରୟଦାତା ।

 

ପଇସାର ଖେଳ ଚାରିଦିଗରେ । ପଇସା ପାଇଁ ପାଗଳ ହୋଇ ଛୁଟିଛି ମଣିଷ । ମଥୁରାର ମଥାଟା ଝିମ୍‍ଝିମ୍ କରିଉଠେ । ସେ କିଛି ସମୟ ପାଇଁ ନିଜେ ନିଜ ଭିତରେ ନିଜେ ବୁଡ଼ିଯାଏ ।

 

ଆଜି ସକାଳଟା ଖୁବ୍ ଲମ୍ବ ମନେହେଲା ମଥୁରାର । କାହାରି ଡାକ ଶୁଭେ ନାହିଁ ଏ ଯାଏ । ସେ ନିଜେ ଚା’ କପେ ପିଇ ଦେହଟାକୁ ସତେଜ କରିନେଲା । କାଲି ରାତିରେ ଶୋଇବା ବେଳକୁ ଅନେକ ରାତି ହୋଇଗଲା । ଗୋଟାକରେ ଶୋଇ ଠିକ୍ ପାଞ୍ଚଟାରେ ଉଠି ବସିଲା । କିନ୍ତୁ ସାରା ରାତି ଶୋଇ ପରି ନ ଥାନ୍ତା ଯଦି ସେ ଭଦ୍ରଲୋକ ଯାଇ ନ ଥାନ୍ତେ । ଜଣେ ଜଣେ ଇମିତି ହୁଅନ୍ତି । କେବଳ ମାତାଲ ହୁଅନ୍ତି ନାହିଁ, ମଦ ଘଡ଼ି ବେକରେ ଝୁଲାଇ ବୁଲନ୍ତି । ତାକୁ ଧକ୍‍କା ଦେଇ ବାହାର କରିବାକୁ ଇଚ୍ଛା ହଉଥିଲା ମଥୁରାର । କିନ୍ତୁ ତାକୁ ସାବଧାନ କରାଇ ଦେଇ କହିଥିଲେ ମଧୁମଙ୍ଗଳ-ଲକ୍ଷପତି । ସତର୍କ ଥିବୁ ଯାହା କହିବେ କରିବୁ । କୌଣସି ପ୍ରକାର ବିଦା ହୋଇଗଲେ ରକ୍ଷା । ସେ ଭଦ୍ରଲୋକ ମାତାଲ ହୋଇ ଏମିତି କାଣ୍ଡ କଲେ ଯେ ଆଖିରେ ଦେଖି ହେଲା ନାହିଁ । ମାଉଁସ ଝୋଳ ଦେହଯାକ ବୋଳି ହୋଇ ନିଜ ଦେହକୁ ନିଜେ ଚାଟିଲେ । ଆଉ ଜିଭଟା କି ଲମ୍ବା ! ତାଙ୍କୁ ବିଦା କରୁ କରୁ ଗୋଟାଏ ବାଜି ଯାଇଥିଲା ।

 

ଆଜି ସକାଳୁ ଉଠିବା ବେଳକୁ ଦେହରେ ଅନେକ ଅବସାଦ । ମଠେଇ ମଠେଇ କାମ ଆରମ୍ଭ କଲା । ଆଜି ସକାଳଟା ଧିରେ ସୁସ୍ଥେ କାହିଁକି ଆସୁଥିଲା ବାହାରକୁ ଯାଇ ଅନାଇ ଦେଇ ଆସିଲା । ରାସ୍ତା ଉପରେ ଘୋଡ଼ାଗାଡ଼ି ଗୋଟାଏ ଟାଣି ଓଟାରି ହୋଇ ଯାଉଥିଲା । କୁଷ୍ଠରୋଗୀଟା ଗଛମୂଳେ ପଡ଼ିଥିଲା ନିର୍ଜୀବ କାଠ ଖଣ୍ଡେ ପରି । ମରି ଯାଇଥିଲା ବୋଧହୁଏ । ବଞ୍ଚିଥିଲେ ବି ଲାଭ କଅଣ ହୁଅନ୍ତା ଯେ ! ଯାହା କଥା ବୁଝିବା ପାଇଁ କେହି ଲୋକ ନାହିଁ, ତାର ବଞ୍ଚିବାର ଅର୍ଥ ନାହିଁ; ସେ ବରଂ ମରିଯିବା ଭଲ ।

 

ମଥୁରା ଭିତରକୁ ଆସି କିଛି କାମ ଆଗୁଆ ସାରିଦେଲା । ସମସ୍ତେ ଉଠି ବସିଲେ ଆଉ ସମୟ ହବନାହିଁ । ସାଙ୍ଗମାନଙ୍କୁ ଉଠାଇ ଦେଇ କାମରେ ଲଗାଇଦେଲା ।

 

ଗୋଟେ ରିକ୍‍ସା ଆସି ଛିଡ଼ା ହେଲା ହୋଟେଲ ସାମନାରେ ।

 

ଦୁଇଜଣ ଓହ୍ଲାଇ ପଡ଼ିଲେ ରିକ୍‍ସାରୁ । ଜଣେ ପୁରୁଷ ଆଉ ଜଣେ ମହିଳା । ବାପ ଝିଅ ହେବେ ବୋଧହୁଏ । ଝିଅଟି ବେଶ୍ ସୁନ୍ଦରୀ । ମୁହଁ ଉପରେ ସରଳତାର ପ୍ରଲେପ । ମାୟା ହେଲା ମଥୁରାର ଇମିତି ଗୋଟିଏ ଭଉଣୀ ଥିଲେ ତାକୁ ବାଜା ବଜାଇ, ରୋଷଣୀ ସଜାଇ ବାହା ଦିଅନ୍ତା ମଥୁରା । ତା’ନିଜ ଭଉଣୀବି ଏତେ ବଡ଼ ହୋଇ ଯାଇଥିବ ଭାବି ଚମକି ପଡ଼ିଲା ସେ । ସେ ଏଇ ଆଦର୍ଶ ହୋଟେଲ୍ ଭିତରେ ରହିଯାଇଥିଲେ ବି ସମୟ ଯେ ବସି ନ ରହି ସାତବର୍ଷ ଆଗେଇ ଯାଇଛି ଏଇ କଥାଟା ତୁହାଇ ତୁହାଇ ମନକୁ ଅସ୍ଥିର କଲା । ବୁଢ଼ାଟା ଜାଲୁଆ ପରି ମନେହେଲା । ତାକୁ ଦେଖିବାକ୍ଷଣି ତାର ମନଟା ବିଷେଇ ଉଠିଲା । ସେମାନଙ୍କ ପଛେ ପଛେ ଜିନିଷପତ୍ର ନେଇ କାଳିଆକୁ ପଠାଇଦେଲା । ସେମାନେ ଉପରକୁ ଉଠିବା ବେଳେ ଝିଅଟି ସିଡ଼ି ଉପରୁ ତଳକୁ ଚାହିଁଲା । ମଥୁରା ସିଡ଼ି ତଳେ ଛିଡ଼ା ହୋଇଥିଲା । ତା ଆଖି ଉପରେ ପଡ଼ିବାକ୍ଷଣି ଝିଅଟି ଟିକେ ହସିଦେଲା । ମଥୁରାକୁ ଖୁବ୍ ଭଲ ଲାଗିଲା । ସେ ବି ଟିକେ ହସିଦେଇ ଚାହିଁ ରହିଲା ସିଡ଼ି ଉପରକୁ-

 

ସେମାନେ ମାଗିବା ଆଗରୁ ସେମାନଙ୍କୁ ଦୁଇକପ୍ ଚା’ ସଙ୍ଗେ ସଙ୍ଗେ ନେଇ ଦେଇ ଆସିଲା ମଥୁରା ।

 

ହୋଟେଲ ଗୋଟିଏ ବିଚିତ୍ର ସଂସାର । ଏହା ଯେପରି ଅନ୍ୟ ଏକ ପୃଥିବୀ । ଅନେକ ଚରିତ୍ରର ସମାବେଶ ହୁଏ ଏଠାରେ । ଆଗମନ ଏବଂ ପ୍ରସ୍ଥାନ ମଧ୍ୟରେ ସମୟ ସ୍ଥିର ହୋଇ କେତେବେଳେ ରହିଯାଏ, ପୁଣି କେତେବେଳେ ତଟିନୀ ପରି ନାଚି ନାଚି ନିଜର ବେଗରେ ଉତ୍ତାଳ ହୋଇ ଭାସିଯିବା ବେଳେ ନିଜ ଚାରିପାଖରେ ସଂଗୀତ ସୃଷ୍ଟି କରିଯାଏ । ହୋଟେଲରେ ଚାକିରି କରି ପ୍ରଥମେ ବାଟବଣା ହୋଇଗଲା ବୋଲି ଅନୁତାପ କରିଥିଲା ମଥୁରା; କିନ୍ତୁ ଦିନେ ମାଲିକ ମଧୁମଙ୍ଗଳ ତାକୁ ବୁଝାଇଲେ; ଆମ ପରି ଗୋଟିଏ ଜୀବନ ସତ୍ତା, ତା’ର ଅନୁଭବ ଅଛି, ବିଭବ ମଧ୍ୟ । ସର୍ବହରା ଏଠାରେ ସବୁପାଇ ସମ୍ରାଟ ହୁଏ; ପୁଣି ସମ୍ରାଟ ସବୁ ହରାଇ ସର୍ବହରା ହୋଇଯାଏ-। ଘରଠାରୁ ଅନେକ ଦୂରରେ ପରକୁ ଆପଣାର କରେ ହୋଟେଲ୍ । ଅପରିଚିତକୁ ପରିଚୟ ଦେଇ, ଏକାକୀ ପଥ ଚାଲୁଥିବା ଲୋକଙ୍କୁ ସଂଖ୍ୟା କରେ ହୋଟେଲ୍ । ଅପରିଚିତକୁ ପରିଚୟ ଦେଇ, ଏକାକୀ ପଥ ଚାଲୁଥିବା ବ୍ୟକ୍ତିଙ୍କୁ ସଂଖ୍ୟ ଓ ସଙ୍ଗ ଦେଇ ହୋଟେଲ୍ ସୃଷ୍ଟି କରେ ମଣିଷର ଜୀବନରେ ଛନ୍ଦ ଓ ମଧୁରତା ।

 

ମଥୁରା କାନପାତି ଶୁଣିଲା, କିଏ ଯେପରି ଗୀତ ଗାଉଥିଲା ।

 

ପୁଣି ଶବ୍ଦ ଶୁଣି ଚାରିଆଡ଼କୁ ଅନାଇଲା । ସେ କିନ୍ତୁ କେଉଁଆଡ଼ୁ ଆସୁଥିଲା କିଛି ସ୍ଥିର କରି ପାରିଲା ନାହିଁ ।

 

ପୁଣି କାନ ଡେରିଲେ । ଆଉ ଭୁଲ ହେଲାନାହିଁ । ଆଖିରେ କିନ୍ତୁ ଦେଖିପାରିଲା ନାହିଁ, କାନକୁ କିନ୍ତୁ ଅବିଶ୍ଵାସ କଲାନାହିଁ ମଥୁରା ।

 

ସେଇ ଝିଅଟି ଡାକୁଥିଲା ।

 

ସେ ତା ଆଗରେ ଯାଇ ଛିଡ଼ା ହେଲା ।

 

ଟିକେ ଇତସ୍ତତଃ ହୋଇ ଆରମ୍ଭ କଲା ସେ, ଚା’ ପିଇ ବାଥ୍‍ରୁମ୍‍ ଭିତରକୁ ଯାଇଛନ୍ତି । କାଳେ ଆଉ ସମୟ ପାଇବନି ବୋଲି ଡାକିଲା ।

 

ମଥୁରା କହିଲା–କଅଣ ଦରକାର ? ଆଉ କପେ ଚା’ ଆଣିବି ?

 

ସେ କହିଲା–ନା, ଚା ନୁହଁ, ନିଦ ବଟିକା । କେତୋଟି ନିଦ ବଟିକା ଆଣି ଦେଇ ପାରିବ-?

 

ଆଶ୍ଚର୍ଯ୍ୟ ହୋଇ ପଚାରିଲା ମଥୁରା–ନିଦ ବଟିକା ?

 

ହଁ, ନିଦ ବଟିକା । ନିଦ ନହେଲେ ଯାହା ଖିଆଯାଏ । ମୋର କେତୋଟି ନିଦ ବଟିକା ଦରକାର ।

 

କିଛି ବୁଝି ନ ପାରି କହିଲା ମଥୁରା–ଚେଷ୍ଟା କରିବି ।

 

ସେ କହିଲା–ଯଦି ପାଅ ମୋ ହାତରେ ଦେବ, ଆଉ ଯେପରି କେହି ନଜାଣେ ।

 

ଇମିତିକି ଯିଏ ମୋ ସାଙ୍ଗରେ ଆସିଛନ୍ତି ତାଙ୍କ ଆଗରେ ମଧ୍ୟ ନୁହେଁ ।

 

–ସେ ତୁମ ବାପା ନା.... ! କହିଲା ମଥୁରା ।

 

ସେ କଥାର ସିଧା ଉତ୍ତର ନ ଦେଇ କହିଲା ସେ ବାପା ବୟସର ସବୁଲୋକ ବାପ ନୁହନ୍ତି । ତେବେ ଏତିକି ମନେରଖ ମୋର ନାମ ଲିପା ।

 

–ମୋର ନାମ ମଥୁରା । ମୋର ଭାଇ ଭଉଣୀକୁ ଅନେକ ଦିନ ହେଲା ଦେଖି ନାହିଁ । ସାତ ବରଷ ।

 

–ମୁଁ ତ ଅଛି ଲିପା ନିଶ୍ଚିନ୍ତ ହୋଇ କହିଲା । ତା’ପରେ ପୁଣି କହିଲା–ମୋ କଥା ଭୁଲି ଯିବନି ତ ?

 

ମଥୁରା କହିଲା–ଭଉଣୀ କଥା ଭାଇ କେବେ ଭୁଲିଯାଇପାରେ ? ଆଉ କିଛି ଦରକାର ହେଲେ କହିବ ପରେ ।

 

ମଥୁରା ତଳକୁ ଚାଲିଗଲା କାହାର ଡାକ ଶୁଣି । ଆଉ କିଏ ଚାଲିଯିବ ବୋଲି ତରତର ହଉଥିଲା । ହିସାବ କରି ବିଲ୍ ଦେଲେ ଟଙ୍କା ଦେବ । ମାଲିକର ଆସିବା ସମୟ ହୋଇ ନାହିଁ । ସେ ନ ଥିଲେ ବିଲ୍ ତିଆରି କରି ଟଙ୍କା ରଖେ ମଥୁରା । ମାଲିକର ତା ଉପରେ ଅଗାଧ ବିଶ୍ଵାସ । ବେଇମାନି ଜାଣେନି ବୋଲି ତାକୁ ସହଜରେ ବିଶ୍ଵାସ କରନ୍ତି ସମସ୍ତେ ।

 

ମଥୁରା ବିଲ୍ ଦେଇ ଟଙ୍କା ନେଲା । ସେ ଭଦ୍ରଲୋକ ତା’ ହାତରେ ଦୁଇଟଙ୍କାର ଗୋଟିଏ ନୋଟ୍ ଗୁଞ୍ଜିଦେଇ କହିଲା, ବହୁତ କରିଛ, ଆଉ ଥରେ ଆସିଲେ ପୁଣି ଦେଖାହେବ ।

 

–ଆମ ହୋଟେଲକୁ ଆସିବେ ନିଶ୍ଚୟ । ଅନୁରୋଧ କଲା ମଥୁରା ।

 

–ଯଦି ଆସେ; ଏଇ ହୋଟେଲକୁ ଆସିବି । କହିଲେ ସେ ।

 

ରିକ୍‍ସାରେ ଚଢ଼ି ଚାଲିଗଲେ ସେ । ବାକ୍‍ସ ଭିତରେ କେତୋଟି ଟଙ୍କା କେତୋଟି ରଖିଦେଇ ଘରଗୁଡ଼ାକୁ ଭଲ ଭାବରେ ପରିଷ୍କାର କରି ଆଣିବା ପାଇଁ ସେ ସଫାଇ ବାଲାକୁ କହିଲା-

 

ତା’ପରେ ବାହାରକୁ ଆସି କାହିଁକି କେଜାଣି ହୋଟେଲକୁ ପୂରା ଦୃଷ୍ଟିଦେଇ ଥରେ ଦେଖିନେଲା ସେ । ଏଇ ହୋଟେଲରେ ସାତବରଷ ହେଲା ଚାକିରି କରୁଛି ମଥୁରା । ପ୍ରତିଦିନ ଦେଖେ ହୋଟେଲକୁ । କିନ୍ତୁ ଆଜି ସକାଳର ଖରାରେ ହୋଟେଲଟା ନୂଆ ବେଶରେ ଜାଗି ଉଠିଥିଲା ଯେପରି ।

 

ଛାତ ଉପରେ ଶୀତଦିନର କଅଁଳ ନରମ କଅଁଳିଆ ଖରା । ସମୟ ନ ଥିଲା ହାତରେ ଖରା ମାଖିହୋଇ ଛାତ ଉପରେ ବସିବା ପାଇଁ । ସେ ଦୌଡ଼ିଯାଇ ଔଷଧ ଦୋକାନରୁ ନିଦ ବଟିକା ଛଅଟି ନେଇ ଆସିଲା । ଲିପାକୁ ନ ପାଇ ପକେଟ୍ ଭିତରେ ରଖିଦେଲା ।

 

ସେ କିନ୍ତୁ ନିଦ ବଟିକା ଖାଇବାର କାରଣଟା ବୁଝିପାରିଲା ନାହିଁ । ରାତିରେ ନିଦ ହୁଏ ନାହିଁ କାହିଁକି ଲିପାକୁ । ସେ ତ ମସିଣାରେ ଲମ୍ବ ହୋଇ ଗଡ଼ିପଡ଼ିଲା ବେଳକୁ ଆଖି ମୁଦି ହୋଇଆସେ । ସପନ ଦେଖିବାକୁ ବି ସମୟ ହୁଏ ନାହିଁ । ତା’ଠୁ ବୟସରେ କମ୍ ଲିପା ? ତା’ ଭଉଣୀ ବୟସର । ତଥା ତା’ର ନିଦ ହୁଏ ନାହିଁ, କାହିଁକି ? ସେ ଭାବେ । ପୁଣି ଭାବେ ମଥୁରା, ହୁଏତ ଦୂରରୁ ଅନିଦ୍ରା ହୋଇ ରେଳଗାଡ଼ିରେ ଆସିଛି ବୋଲି ନିର୍ବିଘ୍ନରେ ଟିକେ ଶୋଇବା ପାଇଁ ଚାହେଁ ।

 

ମଥୁରା ‘ଲିପା’ କଥା ମନରୁ ପୋଛିଦେଇପାରିଲା ନାହିଁ । ସେଇ ମୁହଁଟି ଚିହ୍ନା ଚିହ୍ନା, ଆଗରୁ କେଉଁଠାରେ ଦେଖିଥିବା ପରି ମନେହେଲା; କିନ୍ତୁ ସଠିକ୍ ମନେପଡ଼ିଲା ନାହିଁ । ଜୀବନରେ ଅନେକ ଲୋକଙ୍କୁ ଦେଖିଛି ସେ । ବଂଧୁତା ବି ହୋଇଛି । କିନ୍ତୁ ପ୍ରଥମ ଦେଖାରେ ଏପରି ଆପଣାର ହେବାପାଇଁ କେହି ଆଗେଇ ଆସି ନାହାନ୍ତି । ସେ ବି ଆଉ କାହାକୁ ଦେଖିବା ମାତ୍ରେ ନିଜର ବୋଲି ଭାବି ନାହିଁ ।

 

ହୋଟେଲରେ ମଣିଷ ବଦଳନ୍ତି, ଜୀବନ ବି । ବଦଳିବା ଧର୍ମ ଏଠାରେ । ଖାଦ୍ୟ ବି ବଦଳେ । ରୁଚି ବି ବଦଳେ । ପ୍ରତିଦିନ ଏକପ୍ରକାର ଖାଦ୍ୟ ପରିବେଷଣ କରାହୁଏ ନାହିଁ । ସକାଳର ତରକାରି ରାତିରେ ଅଚଳ । ଆଜି ଯଦି ମାଛ ଝୋଳ, କାଲି ହୁଏ ବେସର; ଆଜି ମାଂସତ କାଲି ମୁରଗ ମସଲମ୍ । ବଞ୍ଚିବା ପାଇଁ ହୋଟେଲରେ କେହି ଖାଆନ୍ତି ନାହିଁ, ଖାଆନ୍ତି ମଉଜ ପାଇଁ । ସେଥିପାଇଁ ନୂତନତ୍ଵ ଲୋଡ଼ା । ମନକୁ ଉଦର ଦେଇ ଜୟ କରିବା ଯେତେ ସହଜ ମସ୍ତିଷ୍କ ଦେଇ ଜୟ କରିବା ସେତେ ମୁସ୍କିଲ୍ ।

 

ମଥୁରା ମନ୍ତ୍ର ଜାଣେ ବୋଲି କହନ୍ତି ମଧୁମଙ୍ଗଳ । ନୋହିଲେ ଏଇ ସାତବରଷ ଭିତରେ ଶହଶହ ଲୋକଙ୍କ ମନକୁ ଜୟ କରିପାରି ନଥା’ନ୍ତା । ଯିଏ ଥରେ ଆସିଛି ସେ ଫେରିଯାଏ ପୁଣି ଆଉ ଥରେ ଆସିବା ପାଇଁ । ଆହାର ଓ ବ୍ୟବହାରଦ୍ଵାରା ମଣିଷର ମନକୁ ମଧୁମୟ କରାଯାଇପାରେ, ଏୟା ଆଗରୁ ଜାଣିଥିଲେ ଆହୁରି ବଡ଼ ହୋଟେଲ ଗୋଟେ ଖୋଲି ଥାଆନ୍ତେ ବୋଲି କୁହନ୍ତି ମଧୁମଙ୍ଗଳ ।

 

କିନ୍ତୁ ମଥୁରା ନିଜର ପ୍ରଶସ୍ତି ଶୁଣି ଫୁଲି ଯାଏ ନାହିଁ । ବରଂ ଶଙ୍କିଯାଏ । ସେ ଏତେ ଲୋକଙ୍କର ମନକୁ ଜୟ କରେ ହେଲେ ନିଜ ମନର ଖବର ରଖେ ନାହିଁ । ସେଇ ମନର ପ୍ରୟୋଜନ ଗୋଦାମର ସବା ତଳେ ସଢ଼ୁଥିବା ବସ୍ତା ପରି ପଡ଼ିରହେ ଉପରର ଭାର ବହନ କରି । ଫୁରୁସତ ହୁଏ ନାହିଁ ଏ ମନଟାକୁ ଏପାଖ ସେପାଖ କରି ଟିକେ ଦେଖିବା ପାଇଁ, ଲାଳନ କରି ଟିକେ ସତେଜ କରିଦେବା ପାଇଁ ।

 

ସେ କିନ୍ତୁ ଅନ୍ୟମାନଙ୍କର ଖବର ରଖେ । ସେମାନଙ୍କ କଥା ଭାବେ, ନିଜର କଥାଗୁଡ଼ାକୁ ସେ ସାଇତି ରଖେ ସ୍ଵପ୍ନ ଦେଖିବା ପାଇଁ । କିନ୍ତୁ ହାୟ ! ମଥୁରା ସ୍ଵପ୍ନ ଦେଖେ ନାହିଁ । ସେ ଯଦି ନିଜ ବିଷୟରେ ସ୍ଵପ୍ନ ଦେଖିପାରୁ ଥାଆନ୍ତା, ନିଜ ମନର ବାସ୍ନା ଟିକକୁ ଶୁଘିଂବାରୁ ଥାଆନ୍ତେ… ।

 

ଲିପା କାହିଁକି ଘରଛାଡ଼ି ପଳାଇ ଆସିଲା ବୋଲି ସେ ନିଜକୁ ପଚାରେ । ଏଇ ବୟସଟା କାହାର ବୁଲିବାର ବୟସ ନୁହେଁ, ଘର ଭିତରେ ରହିବାର । ବାପ ବୟସର ଲୋକଟା ବାପ ହେଉ ବା ମଉସା ହେଉ ଟିକେ ବୁଝାଇ ଦେଲା ନାହିଁ କାହିଁକି ବୋଲି ତାର କ୍ଷୋଭ ହେଲା, ତା’ ଉପରେ ରାଗ ହେଲା ।

 

ଆଉ ବସି ବସି ଭାବନାର ଜାଲ ବୁଣିବାର ସମୟ ନାହିଁ । ଜଳଖିଆ ଖାଇବାର ସମୟ ହୋଇଗଲା । ଭିଡ଼ ଜମିଲା ରେସ୍ତୋରାଁରେ । ହୋଟେଲର ଅନ୍ତେବାସୀମାନେ କୋଠରୀ ଭିତରେ ଖାଆନ୍ତି, କେହି କେହି ରେସ୍ତୋରାଁରେ ଖାଇ ଦେଇ ଯାଆନ୍ତି । କାହାର ପାଉଁରୁଟି, ଅଣ୍ଡା ତ ଆଉ କାହାର ପୁରି, ତରକାରୀ, ହାଲୁଆ । ଏବେ କେତେଦିନ ହେଲା କାଳିଆ ଦୋସା ତିଆରି କରୁଛି ଯେ ଭିଡ଼ ଜମୁଛି ରେସ୍ତୋରାଁରେ । ଗରମ ଦୋସା ଖାଇବା ପ୍ରଥମ ପାପ କାର୍ଯ୍ୟ ଭଳି ଲୋଭନୀୟ-

 

ସେ ପ୍ରତ୍ୟେକ କୋଠରୀକୁ ବରାଦ ମୁତାବକ ଚା’ ଜଳଖିଆ ପଠାଇ ଦେଲା । ରେସ୍ତୋରାଁକୁ ଯାଇ କିଛି ସମୟ କାମରେ ଲାଗିଗଲା ।

 

ଗରାଖମାନେ ଖାଇବାବେଳେ ସେ ପଛରେ ଛିଡ଼ା ହୁଏ । ବେଳେବେଳେ ଫିସ୍‍ଫିସ୍ କାନ ପାଖରେ ପଚାରେ–ଦୋସା ଭଲ ଲାଗୁଛି ସାର୍, ଚା’ରେ ଚିନି ଠିକ୍‍ ହୋଇଛି ତ, ଆଉ କିଛି ଆଣିବି ? ଘରେ ଖୁଦ ପୁଞ୍ଜାଏ ଖାଇଲେ ବି କ୍ଷିରା ପରି ସୁଆଦ ଲାଗେ । ଅଲଣା ସନ୍ତୁଳା ତୁଣ୍ଡକୁ ଜଣାପଡ଼େ ନାହିଁ କାହିଁକି ? ସ୍ନେହ ସରାଗ ମିଶାଇ ମା’ ଭଉଣୀ ବା ସ୍ତ୍ରୀ ବାଢ଼ିଦିଏ ବୋଲି ଯାହା ଦେଲେ ବି ଆପେ ଆପେ ଗିଳି ହୋଇଯାଏ, ଅସିଝା ଅଲଣା ଦୋଷ କଟିଯାଇ ଅମୃତ ପାଲଟିଯାଏ-। ସେଥିପାଇଁ ଅନେକ ଦୂରରେ ରହି ଖାଇବାବେଳେ ପାରୁପର୍ଯ୍ୟନ୍ତ ସେମାନଙ୍କର ଯତ୍ନ ନିଏ ମଥୁରା-

 

କାମରେ ଲାଗିଗଲେ ସବୁ ଭୁଲିଯାଏ ସେ । ଏତେ ବଡ଼ ପୃଥିବୀରେ ପୂର୍ବାହ୍ନ ସରିଯାଇ କେତେବେଳେ ମଧ୍ୟାହ୍ନ ଆସିଲା ସେ ଜାଣି ପାରିଲା ନାହିଁ । ମଧ୍ୟାହ୍ନ ଭୋଜନ ପରେ ହୋଟେଲରେ କାମ କମିଯାଏ କିଛି ସମୟ । ଟିକେ ବିଶ୍ରାମ କରିବାକୁ ସମୟ ମିଳେ । ସଫେଇ କାମ ଶେଷ କରି ଶୋଇପଡ଼େ ଟିକେ ।

 

ପୁଣି କେହି ଡାକିବା ଆଗରୁ ଉଠିପଡ଼େ ମଥୁରା । ସମୟକୁ ନ ଜଗିଲେ ସମୟ ଖସିଯାଏ । ଠିକ୍ ଚାରିଟା ବେଳକୁ ଚା’ ଜଳଖିଆର ସଜ ପ୍ରସ୍ତୁତ ହେବା ଆବଶ୍ୟକ । କେହି ମାଗିଦେଇ ନ ପାଇଲେ ହୋଟେଲର ମର୍ଯ୍ୟାଦାରେ ହାନି ହୁଏ । ଆଜି କାମ ଠିକ୍ ସମୟରେ କରିଯାଉଥିଲେ ବି ଦେହଟାକୁ ଯେପରି ଘୋଷାରି ଘୋଷାରି ନଉଥିଲା ମଥୁରା ! ଅବସାଦ ଦେହ ଓ ମନକୁ ଆଚ୍ଛନ୍ନ କରି ପକାଇଥିଲା ।

 

ୟା’ପରେ ଆସିବ ରାତି । ରାତିଟାକୁ ବଡ଼ ଭୟକରେ ମଥୁରା । ରାତି ମଣିଷକୁ ଚଞ୍ଚଳ କରେ । ହୋଟେଲରେ ମଣିଷମାନେ ଅଏସ, ସଂଭୋଗ ଖୋଜନ୍ତି । ସେମାନଙ୍କର ପ୍ରୟୋଜନ ମେଣ୍ଟାଇବାକୁ ଯାଇ ସେ ଅଣନିଃଶ୍ଵାସୀ ହୋଇଯାଏ । ଖାଦ୍ୟ, ସୁରା, ରମଣୀ ଏବଂ ସମ୍ଭୋଗ । ମଥୁରାର ନିରଳସ ହସହସ ମୁହଁଟି ସନ୍ଧ୍ୟା ହେଲେ ମଉଳିଯାଏ । ତଥାପି ସେ କାମ କରେ ଫରମାସ ଖଟେ ।

 

ମଣିଷ ମେଳରେ ମଣିଷ ନିର୍ଭୟ ହୁଏ । କିନ୍ତୁ ସେଇ ମଣିଷ ବି ବେଳେବେଳ ଭୟର କାରଣ ହୁଏ । ବ୍ରହ୍ମରୂପୀକୁ ଦେଖି ପିଲାବେଳେ ମାଆର ଅଞ୍ଚଳ ତଳେ ଆଶ୍ରୟ ନେଉଥିଲା ମଥୁରା-। ସହରର ମଣିଷ, ହୋଟେଲର ମଣିଷ ରଙ୍ଗ ବଦଳାଏ । ସେ ବହୁରୂପୀ । ସେଥିପାଇଁ ଡରିଯାଏ ମଥୁରା । ମଣିଷ ଭିତରେ ଲୁଚି ରହିଥିବା ପିଶାଚଟା ବୋଲ ନ ମାନି ଚେଇଁ ଉଠେ ରାତିରେ-। ପୃଥିବୀର ଶୋଇବା ବେଳରେ ସେ ଅବାଗିଆ ହୋଇ ଜିଦ୍ କରେ ନଗ୍ନହବା ପାଇଁ-। ମଣିଷ ମଣିଷର ମାଉଁସ ପାଇଁ ପାଗଳ ହୋଇଯାଏ । ହଜାର ହଜାର ଲୋକଙ୍କୁ ଆୟତ୍ତରେ ରଖୁଥିବା ଲୋକମାନେ ନିଜ ଆୟତ୍ତରେ ରହିପାରନ୍ତି ନାହିଁ । ଦେହ ଓ ମନକୁ ଉଲୁସାଇ ଦେଇ ଆରଣ୍ୟକ ହବାପାଇଁ ସେ ନିଶା କରେ, ଭାଙ୍ଗ, ମଦ, ଗଞ୍ଜେଇ ଖାଏ । ସାମାଜିକତାର ରୂପଟିକୁ ରାତିର ପରଦା ତଳେ ଲୁଚାଇ ଦେଇ ବଡ଼ ନାମଜାଦା ମଣିଷମାନେ ବି ଆଗେଇ ଆସନ୍ତି ଅତି ସାଧାରଣ ଲୋକ ପରି । ସେମାନଙ୍କର ନାମ, ଠିକଣା ଏନଂ ସମ୍ପଦ ଥାଇ ମଧ୍ୟ ସମସ୍ତେ ବେନାମୀ ଠିକଣାରେ କାରବାର କରିବାକୁ ସୁଖ ପାଆନ୍ତି ।

 

ମଥୁରା ସେହି ଲୋକମାନଙ୍କୁ ଦେଖି ଭୟରେ ଶିହରି ଉଠେ । ନିରୁପାୟ ହୋଇ ସେମାନଙ୍କର ଆଦେଶ ପାଳନ କରେ । ପାତ୍ରକୁ ପାନୀୟଦ୍ଵାରା ପୂର୍ଣ୍ଣ କରି ଆଗରେ ବାଢ଼ିଦିଏ କସା ମାଂସ, ଚପ୍, କଲିଜା ଭଜା… । ବାହାରର ଆଲୁଅ ଲିଭାଇ ଦେଇ ଭିତରକୁ ପଥ ଦେଖାଇ ଦିଏ ସେ ଆଗନ୍ତୁକକୁ । ହୋଟେଲରେ କେବଳ ଖାସୀ ବା ମୁର୍‍ଗୀ ମାଂସର ପ୍ରୟୋଜନ ହୁଏ ନାହିଁ, ମଣିଷ ମାଂସ ବି ଲୋଡ଼ା ହୁଏ ।

 

ମଧୁମଙ୍ଗଳ ତାକୁ ସାହସ ଦେଇ କହନ୍ତି–ନିଜେ ଭଲ ତ ଦୁନିଆ ଭଲ । କଂସେଇ ମାଂସ ବିକ୍ରି କରେ । ଏହା ତା’ର ବ୍ୟବସାୟ, ନ କଲେ ନ ଚଳେ; ପରିବାର ପ୍ରତିପୋଷଣ ତ କରିବାକୁ ହେବ । ଯେଉଁମାନେ ମାଉଁସ ଖାଆାନ୍ତି ସେମାନଙ୍କର ଦୋଷ ନ ହୋଇ ସେ ମାଉଁସ ବିକେ ବୋଲି ଦୋଷ ହେବ କାହିଁକି ? ସେମାନେ ଖାଉ ନଥିଲେ ସେ କାହାକୁ ବିକନ୍ତା ? ଯିଏ ଭୋଗକରେ ପାପ ତାହାରି ।

 

ମନକୁ ପାଏନି ମଥୁରାର । ନିରୁପାୟ ଭାବରେ କେବଳ ନିଜକୁ ଦେଖେ । ସେ ବାଦ୍ୟଯନ୍ତ୍ର ପରି କାମ କରିଥାଏ । ମୁହଁ ଉପରେ ପାଉଡ଼ର ବୋଳି, ଓଠରେ ରଙ୍ଗ ଲଗାଇ ଯେଉଁମାନେ ଦେହ ବିନୋଦନ ପାଇଁ ଆସକ୍ତ ସେମାନଙ୍କୁ ଲକ୍ଷ୍ୟ ସ୍ଥାନରେ ପହଞ୍ଚାଇ ଦେଇ ଫେରିଆସେ ମଥୁରା ।

 

ଆଜି କିନ୍ତୁ ମନଟା ଦୋହଲିଗଲା । ଏପରି ଜାଗାକୁ ଲିପା କାହିଁକି ଆସିଲା ବୋଲି ବାରମ୍ବାର ପ୍ରଶ୍ନ କଲା ନିଜକୁ ।

 

ଚାହୁଁ ଚାହୁଁ ସରିଯାଏ ବେଳ । ସୁଯୋଗ ଖୋଜେ ମଥୁରା । କୌଣସି ଆଳକରି ଯେତେଥର ଉପରକୁ ଗଲେ ବି ପଥ ଓଗାଳି ସେହି ଲୋକଟାକୁ ବସିଥିବାର ଦେଖି ଫେରି ଆସେ ।

 

ସନ୍ଧ୍ୟାବେଳେ କିନ୍ତୁ ତାକୁ ଏକୁଟିଆ ଡାକି କହିଲେ ସେ–ଭଲ ବକସିସ୍ ପାଇବୁ, ମୋ ପାଇଁ ଗୋଟିଏ କାମ କରି ଦେଇ ପାରିବୁ ମଥୁରା ?

 

ମଥୁରା କହିଲା–ହୋଟେଲରେ ଚାକର ମୁଁ ସାର୍ ! ଆଜ୍ଞା ଦିଅନ୍ତୁ ।

 

ସେ ତା’ର କାନ ପାଖରେ ଫିସ୍‍ଫିସ୍ କରି କହିଲେ–“ବିଲାତି ମଦ, ଖୁବ୍ ପୁରୁଣା ହେଲେ ବି ଆହୁରି ଭଲ । ଦୁଇ ବୋତଲ ପାରିବୁ ?”

 

ତାଙ୍କ ମୁହଁକୁ ଚାହିଁ ରହିଗଲା ମଥୁରା । ତା’ପରେ ଧୀରେ ଧୀରେ କହିଲା–ପାରିବି ।

 

ତା’ ହାତକୁ କେତୋଟି ଶହେ ଟଙ୍କିଆ ନୋଟ୍ ବଢ଼ାଇ ଦେଇ କହିଲେ ସେ–ଖାଇବା ରାତି ଦଶ ଆଗରୁ ନୁହେଁ । ମୁର୍‍ଗୀ, ପରଟା, ଚିଙ୍ଗୁଡ଼ି ଭଜା… ।

 

ମଥା ହଲାଇ ବାହାରିଯିବାବେଳେ କହିଗଲା ମଥୁରା–ଚା’ ଆଣିବି ?

 

ସେ ନିଶ୍ଚିନ୍ତ ହୋଇ କହିଲେ–ଆଣ । ସନ୍ଧ୍ୟାକୃତ୍ୟ ଶେଷ କରିବା ଆଗରୁ ଚା’ କପେ ପ୍ରତିଦିନ ପିଏ ।

 

ଚା ଆଣିଦେଲା ମଥୁରା ।

 

ଚା ପିଇ ବାଥରୁମ୍ ଭିତରକୁ ଚାଲିଗଲା ସେ । ଚା’ର କପ୍ ପ୍ଲେଟ୍ ଗୋଟାଇ ନେଇ ଆସିବାବେଳେ ପଛରୁ ସେଇ ପରିଚିତ ଶବ୍ଦ ଶୁଣିପାରିଲା ସେ ।

 

ଭାଇ… ।

 

କାନକୁ ବିଶ୍ଵାସ କରିପାରିଲାନି ମଥୁରା ।

 

ଭାଇ… ?

 

ନା, ଅବିଶ୍ଵାସ ବି କରିବାର କିଛି ନାହିଁ । ‘ଲିପା’ କବାଟ ଫାଙ୍କରୁ ମୁହଁ ଗଳାଇ ଡାକୁଥିଲା ତାକୁ ।

 

ପାଖକୁ ଯାଇ ତା’ ହାତକୁ ଚଟ୍ କରି ବଢ଼ାଇ ଦେଲା ନିଦ ବଟିକା କେତୋଟି । ତା’ପରେ କହିଲା–ମୁଁ ପାଖେ ପାଖେ ଅଛି । ଦରକାର ହେଲେ ଖବର ପାଏ ଯେପରି ।

 

ଲିପାର ମୁହଁଟା ଉଜ୍ଜ୍ଵଳି ଉଠିଲା । ସେ ତାକୁ ଗୋଟେ ଖାମ୍ ବଢ଼ାଇ ଦେଇ କହିଲା–

 

ସମୟ ହେଲେ ପଢ଼ିବ ।

 

ତଳୁ କିଏ ଡାକିଲା । ମଥୁରା ତରତର ହୋଇ ସିଡ଼ିଦେଇ ଓହ୍ଲାଇ ଆସିଲା ।

 

ରାତିର ମନମୋହିନୀ ରୂପ ଜଳିଉଠିଲା ଆକାଶରେ, ରାସ୍ତାଘାଟରେ ମଥୁରାକୁ କିନ୍ତୁ ଆହୁରି ଭୟଙ୍କର ଦେଖାଗଲା ସେଇ ରାତି ।

 

ସତରେ ମନଟା ତାର ଖୁବ୍ ଦବିଗଲା । କାମରେ ଉତ୍ସାହ ରହିଲା ନାହିଁ । ଟାଣି ଓଟାରି ହୋଇ କେବଳ କାମରେ ଲଗାଉଥିଲା ନିଜକୁ । ହୋଟେଲରେ କାମସାରି ଆଲୁଅ ଲିଭାଇ ଶୋଇଲା ବେଳକୁ ମଧ୍ୟରାତ୍ରି ଅତିକ୍ରମ ହୋଇଯାଇଥିଲା । ପେଟକୁ ଭୋକ ଲାଗୁ ନଥିଲା ବୋଲି ପାଣି ପିଇ ଶୋଇ ପଡ଼ିଲା ମଥୁରା ।

 

ରାତିରେ ଖୁବ୍ ଶୀତ ଲାଗିଲା ତାକୁ । ମାଘମାସର କଣକଣିଆ ଶୀତ । ସେ ଶୋଇ ପାରିଲା ନାହିଁ । ଘୋଡ଼ିହୋଇ ଜଡ଼ସଡ଼ ପରି ବସି ରହିଲା ମସିଣା ଉପରେ ।

 

ଠଣ୍ ଠଣ୍ ଠଣ୍ ଠଣ୍ ଠଣ୍ କରି ପାଞ୍ଚଟା ବାଜିଲା ଥାନା ଘଣ୍ଟାରେ ।

 

ଉଠି ବସିଲା ମଥୁରା ।

 

ରାତିଟା ଆରମ୍ଭ ହେବା ଆଗରୁ ଶେଷ ହୋଇଗଲା ତା’ ପାଖରେ । ବଡ଼ ଖରାପ ଲାଗୁଥିଲା ତାକୁ । ମନ ବିକଳ ହଉଥିଲା ଭାଇ ଭଉଣୀ କଥା ଭାବି ଭାବି । ଶୋଇ ବି ପାରିଲା ନାହିଁ, ସ୍ଵପ୍ନ ବି ଦେଖିଲା ନାହିଁ… ।

 

ଉଠି ବସିଲା ମଥୁରା ।

 

ତରତର ହୋଇ ସିଡ଼ି ଦେଇ ସେଇ ଲୋକଟି ଏକା ଏକା ଓହ୍ଲାଇ ଆସିଲେ ଉପରୁ ।

 

ମଥୁରା ଟିକେ ଆଡ଼ ହୋଇଗଲା । ସେହି ଲୋକଟିକୁ ଏକା ଏକା ସଡ଼କ ଉପରକୁ ଯିବାର ଦେଖି ମଥୁରା ଭାବିଲା ମଥୁରା, ସକାଳ ହେବା ଆଗରୁ କୁଆଡ଼େ…ପୁଣି କୋଉ ଜିନିଷର ପ୍ରୟୋଜନ ହେଲା ?

 

ସେ କିନ୍ତୁ ଫେରିଲା ନାହିଁ । ସକାଳ ହେଲା, ସୂର୍ଯ୍ୟ ଉଠିଲେ । ଜଳଖିଆ ଖାଇବାବେଳ ହୋଇଗଲା । ଲିପାର ଦରଜା ବନ୍ଦ ଥିଲା ସେହିପରି ।

 

ସନ୍ଦେହ ହେଲା ମଥୁରାର । ଦରଜା ଖୋଲି ଭିତରକୁ ପଶିଯାଇ ଡାକିଲା–‘ଲିପା’, ‘ଲିପା’…

 

‘ଲିପା’ ଶୋଇଥିଲା । ଅନେକ ରାତି ଅନିଦ୍ରା ରହିବା ପରେ ଶାନ୍ତିରେ ଶୋଇଥିଲା ସେ-। ଅନେକ ଥର ଡାକିଲା ମଥୁରା । ତା’ ଦେହକୁ ହଲାଇ ଦେଇ ସେ ଚମକିପଡ଼ିଲା ସେ ।

 

ହଇଚଇ ପଡ଼ିଗଲା ହୋଟେଲରେ ।

 

ପୁଲିସ ଆସିଲା ଡାକ୍ତରିମାଇନା ପାଇଁ ପଠାଇ ଦେଲା ଲାସକୁ । ମଥୁରାର ଜମାନବନ୍ଦୀ ନେଲେ ।

 

ମଥୁରା ପଥର ପାଲଟି ଯାଇଥିଲା ।

 

ଭୁଲି ଯାଇଥିଲା ସେ ଖାମ୍‍ ଭିତରେ ଥିବା ଲିପାର ଚିଠିଟିକୁ ପଢ଼ିବା ପାଇଁ । ପଢ଼ିବାକୁ ଆରମ୍ଭ କଲା ସେ । ସେ ଲୋକଟା ବାପ ବୟସର ହେଲେ ବି ବାପ ନୁହେଁ । ମଉସା ବା ପିଉସା ନୁହେଁ । ଗୋଟେ ଶୟତାନ ସେ, କିନ୍ତୁ ଖୁବ୍‍ ବଡ଼ଲୋକ… ବାପାକୁ ଅନେକ ଋଣ ଦେଇଥିଲେ । ସହର ବୁଲାଇ ନବାପାଇଁ ମୋତେ ସାଙ୍ଗରେ ନେଇ ଆସିଲେ । ବାପାଙ୍କ ହାତଗୋଡ଼ ତ ବନ୍ଧା ପଡ଼ିଥିଲା, ମୁହଁ ଖୋଲନ୍ତେ କିପରି ? ତା’ପରେ ମଣିଷକୁ ଏତେଦୂର ଅବିଶ୍ଵାସୀ ବୋଲି ସେ କ’ଣ ଜାଣିଥିଲେ ? ସହରରୁ ସହରକୁ ସାତଦିନ ହେଲା କେତେ ଜାଗା ବୁଲିଛି । ଆଜି ଏଇ ହୋଟେଲକୁ ଆସିଥିଲି ତାଙ୍କ ସାଙ୍ଗରେ । ଏଇ ସାତଟି ରାତି ମୁଁ ଶୋଇପାରିନି, ସେ ମୋତେ ଶୁଆଇ ଦେଇ ନାହାନ୍ତି । ଏତେ ବୟସରେ ଲୋକଟିର ଦୟାମାୟା ବି ଟିକେ ନାହିଁ । ମୋତେ ଶୋଷି ନେବା ପାଇଁ କି ଅଦ୍ଭୁତ ଜିଦ୍‍ ଲୋକଟାର ।

ଆଜି ତମକୁ ଦେଖି ଭରସା ପାଇଲି । ଇମିତି ଆଗରୁ ତ କେବେ ହୋଇ ନ ଥିଲା । ନିଶ୍ଚିନ୍ତ ହେଲି ଅନେକ । କୋଉ ଭାଗ୍ୟରୁ ଆଜି ଭଉଣୀ ଭାଇକୁ ନୁହେଁ, ଭାଇ ଭଉଣୀକୁ ପାଇଛି । ଏଥିରେ ମୋର ଆନନ୍ଦଟା କେତେ କଳନା କରିପାରୁଛ ? ସେ ଅସରନ୍ତି ଆନନ୍ଦକୁ କିଛି ସମୟ ଏକାନ୍ତ ଭାବେ ଉପଭୋଗ କରିବା ପାଇଁ ତୁମେ ଆଣି ଦେଇଥିବା ସବୁ ନିଦ ବଟିକାଗୁଡ଼ା ଏକାଥରେ ଖାଇଦେଲି… ଗୋଟିଏ ରାତି ନୁହେଁ; ସାତ ରାତି ମୁଁ ଶୋଇ ନ ଥିଲି ଯେ । ପୁଣି ଉଠିବାବେଳକୁ ତୁମେ ଦେଖିବ ଏଇ ଲୋକଟା ଆଉ ନ ଥିବ ଏଠି । ତାର କାମ ଶେଷ ହୋଇଯାଇଚି… ।

ଭୋ ଭୋ କରି କାନ୍ଦି ଉଠିଲା ମଥୁରା । ଆଉ ମନକୁମନ କହି ଚାଲିଲା–ଆହା ବିଚାରି… ଏତେଗୁଡ଼ା ନିଦ ବଟିକା ଏକାଥରେ ଖାଇଲେ ଯେ ମଣିଷ ଆଉ ସେଇ ନିଦରୁ କେବେ ଉଠେ ନାହିଁ ଏତକ ଯଦି ବୁଝି ପାରିଥାଆନ୍ତା !

ମଥୁରାର ସଂସାରଟା ଅନ୍ୟ ଏକ ପୃଥିବୀର ଗୋଟିଏ ଲୁହ ବିନ୍ଦୁରେ ଢଳଢଳ ହଉଥିଲା-

☆☆☆

 

Unknown

ଆଲୋକିତା

 

ମିତୁଅପାଙ୍କୁ ମୁଁ ପ୍ରାୟ ଭୁଲି ଯାଇଥିଲି । ତାଙ୍କ ସହିତ ପ୍ରାୟ ସାତବର୍ଷ ହବ କୌଣସି ସମ୍ପର୍କ ନ ଥିଲା ବା ଦେଖାସାକ୍ଷାତ ହୋଇ ନ ଥିଲା । ଆମ ଗାଁ ପାଖରେ ନରିପୁର ଗାଁରେ ମୋ’ ମାମୁଁଘର । ସେହି ଗାଁରେ ମିତୁଅପାଙ୍କ ଘର । ପିଲାଦିନେ ମାମୁଁଘରକୁ ଗଲେ ମିତୁଅପାଙ୍କ ସହିତ ଖେଳୁଥିଲି, ବୁଲୁଥିଲି । ସେ ଥିଲେ ପ୍ରଥମ ଓ ପ୍ରଧାନ ସାଙ୍ଗ । ମୋଠାରୁ ଚାରି ଛଅ ମାସ ବୟସରେ ବଡ଼ ବୋଲି ତାଙ୍କୁ ମୁଁ ଅପା ବୋଲି ଡାକୁଥିଲି । ବୟସର ସାମଞ୍ଜସ୍ୟ ଥିବାରୁ ଆମେ ଦୁହେଁ ଯେ ଖୁବ୍‍ ମିଶୁଥିଲୁ ତାହା ନୁହେଁ, ତାଙ୍କ ସହିତ ମୋ ମନର ମେଳ ଥିଲା ଅନେକ ବେଶୀ । ମାମୁଁଘରକୁ ପହଞ୍ଚିବା କ୍ଷଣି ମିତୁଅପା ଖବର ପାଇ ଚାଲି ଆସୁଥିଲେ । ମୋ କାନମୋଡ଼ି ବା ପେଟରେ ଚିମୁଟି ଦେଇ କହୁଥିଲେ–କଅଣ ଅପରାଧ କଲି ଯେ ଏଯାଏଁ ଖବର ଦେଇନ… ? ମୁଁ ଲାଜେଇଯାଇ ନୀରବ ରହୁଥିଲି । ସେ ମୋର ଅବସ୍ଥା ଉପଭୋଗ କରି କହୁଥିଲେ–ପୁଅ ସାଙ୍ଗରେ କଥା କହିବା ପାଇଁ ଝିଅର ଲାଜ ଲାଗିବା କଥା । କିନ୍ତୁ ଠିକ୍ ଓଲଟା ଦେଖୁଚି ତୁମ ପାଖରେ । ମୋ ହାତ ଦେହରେ ଲାଗିଚି କି ନାହିଁ କାନମୁଣ୍ଡ କିପରି ରଙ୍ଗେଇ ଗଲାଣି ଦେଖୁଛ ? ମୁଁ ସତରେ କେବଳ ଯେ ଲଜ୍ଜା କରୁଥିଲି ତା’ ନୁହେଁ, ବରଂ ତାଙ୍କ ସହିତ ମିଶିବାବେଳେ ଟିକେ ସଙ୍କୋଚ ଲାଗୁଥିଲା । କାଳେ ଯଦି କିଏ କଅଣ କହେ ! ଯେତେହେଲେ ମିତୁଅପା ଝିଅ, ଆଉ ମୁଁ ପୁଅ । ସମ୍ପର୍କଟା ମାମୁଁଘର ପଡ଼ୋଶୀ ସୂତ୍ରରେ । ତଥାପି ମିତୁଅପା ଏବଂ ମୋ ଭିତରେ ଏପରି ସମ୍ପର୍କ ଗଢ଼ିଉଠିଥିଲା ଯେ ତାହା ଶୀତଦିନରେ ଖରାପରି ଉଷ୍ମ ଏବଂ ଲୋଭନୀୟ ।

 

ପାଠପଢ଼ା ଶେଷକରି ଚାକିରି କରିବା ପାଇଁ ଚାଲିଆସିଲି ଗାଁ’ରୁ । ସାତ ବରଷ ବିତି ଗଲାଣି । ଗାଁକୁ ଯାଇଛି, କିନ୍ତୁ ମାମୁଁଘରକୁ ଯାଇପାରିନାହିଁ ହାତରେ ବିଶେଷ ସମୟ ନଥାଏ ବୋଲି-। ମୁଁ ବାହାହୋଇ ପୁଅଝିଅର ବାପ ହୋଇଚି । ମିତୁଅପା ବି ବାହାସାହା ହୋଇ ଘରଦୁଆର କରୁଥିବେ ବୋଲି ମୁଁ ଧରି ନେଇଥିଲି । ମନେମନେ ନିଜକୁ ଅପରାଧୀ ମଣୁଥିଲି, ଏଇଥିପାଇଁ ଯେ ମୋ ବାହାଘରକୁ ସ୍ଵତନ୍ତ୍ର ଭାବରେ ତାଙ୍କୁ ଡାକିପାରି ନ ଥିଲି କି ବିବାହ ପରେ ମୋ ସ୍ତ୍ରୀଙ୍କ ସହିତ ତାଙ୍କର ପରିଚୟ କରାଇ ଦେଇପାରି ନ ଥିଲି । ଏହା ଇଚ୍ଛାକୃତ ନ ହେଲେ ବି ହୋଇପାରି ନଥିଲା-। ଅଥଚ ମିତୁଅପାଙ୍କର ଦେହ ଛୁଇଁ ମୁଁ ଦିନେ ପ୍ରତିଶ୍ରୁତି ଦେଇଥିଲି ଯେ ବାହାହବା ଆଗରୁ କନ୍ୟାର ଫଟୋ ତାଙ୍କୁ ଦେଖେଇ ତାଙ୍କର ମତାମତ ନେଇ ବାହା ହେବି ଏବଂ ବାହାଘରକୁ ଆଉ କେହି ଆସୁ ବା ନଆସୁ ପଛକେ ସେ ନିଶ୍ଚୟ ଆସିବେ । ବାହାଘର ପ୍ରସ୍ତାବ ସମ୍ପର୍କରେ ତାଙ୍କୁ ଯେ କାହିଁକି କହିପାରିଲିନାହିଁ ବା ବାହାଘରକୁ ତାଙ୍କୁ ନିମନ୍ତ୍ରଣ କରିବା ପାଇଁ ଯାଇପାରିଲିନାହିଁ, ତାହା ସଠିକ୍ ଆଉ ମନେ ନ ପଡ଼ିଲେ ବି ତାଙ୍କୁ ଏ ବିଷୟରେ ନ କହିବା ବା ନ ଡାକିବାଦ୍ଵାରା ମୁଁ ଯେ ମୋର ପ୍ରତିଶ୍ରୁତି ରକ୍ଷାକରି ପାରିନାହିଁ, ଏଇ କଥାଟା ମନକୁ ଟିକେ ଚଞ୍ଚଳ କରେ । ସେଥିପାଇଁ ଆଜି ତାଙ୍କ ସମ୍ପର୍କରେ ଅପ୍ରୀତିକର ଖବରଟିଏ ଶୁଣି ମୋତେ ବେଶ୍‍ ବାଧିଲା ଏବଂ ତାଙ୍କର ବର୍ତ୍ତମାନର ଦୁର୍ଦ୍ଦଶା ପାଇଁ ଆଉ କେହି ଦାୟୀ ହେଉ ନ ହେଉ ମୁଁ ନିଜକୁ ଅନେକାଂଶରେ ଦାୟୀ ବୋଲି ମନେକଲି-। ସେ ଯେ ମୋତେ ଅନୁଭବଠାରୁ ଆହୁରୀ ବେଶୀ ସ୍ନେହ କରୁଥିଲେ, ଏହା ମନକୁ ବାରମ୍ବାର ଆନ୍ଦୋଳିତ କରିବାକୁ ଲାଗିଲା ।

 

ମିତୁଅପାଙ୍କର ଗୋଟିଏ ବଡ଼ ଗୁଣ ହେଲା ତାଙ୍କ ହୃଦୟରେ ଅକପଟ ସ୍ନେହ । ସେ ଯାହାକୁ ଭଲପାଉଥିଲେ ତା ପାଖରେ ମନ ଖୋଲି ସବୁ କହି ଦେଉଥିଲେ ଏବଂ ଯାହା ସହିତ ତାଙ୍କ ମନ ମିଳୁ ନ ଥିଲା ତା’ଠାରୁ ଅନେକ ଦୂରରେ ରହୁଥିଲେ । ଦରକାରବେଳେ ଜଣକୁ ପ୍ରବଳ ସମର୍ଥନ କରିବାବେଳେ ଆଉ ଜଣକୁ ପ୍ରବଳ ବିରୋଧ କରିବାକୁ ପଛଉ ନ ଥିଲେ । ସେ ଥିଲେ ସ୍ପଷ୍ଟବାଦିନୀ । ସେଥିପାଇଁ ଅନେକଙ୍କର ସେ ପ୍ରିୟପାତ୍ରୀ ହୋଇଥିଲେ ବି କେତେକ ତାଙ୍କୁ ଦେଖିସହି ପାରୁ ନଥିଲେ । ମୁଁ ତାଙ୍କୁ ଥରେ ସତର୍କ କରାଇ ଏଇ ଢଙ୍ଗ ଛାଡ଼ିଦେବା ପାଇଁ କହିଥିଲି । ସେ ମୋତେ ପଦେ ଶୁଣାଇ ଦେଇ କହିଥିଲେ–ଯାହାକୁ ଭଲ ନ ଲାଗେ ବାଧ୍ୟ ହୋଇ ତାକୁ ଭଲ ଲାଗେ ବୋଲି କହିବାକୁ ଶିଖଉଛ । ମୁଁ କହିଥିଲି: ନା, ସେପରି ନୁହେଁ ଯେ, ତଥାପି ଅପ୍ରିୟ କଥାଟାକୁ ନ କହି ଚୁପ୍‍ ରହିଲେ ଚଳନ୍ତାନି ! ସେ ମୋତେ ପାଖକୁ ଟାଣିନେଇ ସେଦିନ କହିଥିଲେ–ଆଜି ୟାର ଅର୍ଥ ବୁଝିବନି, ଦିନ ଆସିବ ବୁଝିପାରିବ । ସେତେବେଳେ ମୁଁ ପାଖରେ ନା ଦୂରରେ ଥିବି କିଏ ଜାଣେ ।

 

ସେ ମୋର ଅତି ନିକଟରେ ଥାଇ ବି ଅନେକ ଦୂରରେ ଥିବାପରି ବେଳେବେଳେ ଅନୁଭବ କରୁଥିଲି ବୋଲି ମୁଁ ବେଶ୍‍ ବାରିପାରୁଥିଲି । ଥରେ ଗାଁରେ ଥିଏଟର ହେଉଥାଏ । ସେ ମାମୁଁଘର ପିଲାମାନଙ୍କ ସହିତ ଆସିଥାଆନ୍ତି ଥିଏଟର ଦେଖିବାପାଇଁ । ମୁଁ ଅଭିନୟ କରିସାରି ଗ୍ରୀନ୍ ରୁମ୍‍ର ପଛପଟେ ଗୋଟେ ସିଗାରେଟ ଧରେଇବା ବେଳେ ସେ ପଛପଟୁ ଛପିଛପି ଆସି ମୋ ଆଖି ବନ୍ଦକରି କହିଲେ–ନାଟକର ଝିଅଟା ତ ଅସଲ ଝିଅ ନୁହେଁ ତଥାପି କାହିଁକି ଲଜ୍ଜାରେ ଲାଲ ପଡ଼ି ଯାଉଥିଲ । ଆଲୁଅ ବେଶୀ ନଥିଲା ସେଠାରେ । ମୁଁ ଇତସ୍ତତଃ ହେଲି ନା କଅଣ ସେ ହଠାତ୍‍ କହିଲେ–ମୁଁ ଦର୍ଶକ, ଯାହା କହିଲି ଦର୍ଶକର ଅନୁଭବ–ମୋର ନୁହେଁ… । ତା’ପରେ ତାଙ୍କୁ ଆଉ କିଛି କହିବା ଆଗରୁ ଗୋଟିଏ ମହମହ ବାସ୍ନା ମୋ ପାଖରେ ଛାଡ଼ିଦେଇ ସେ ଚାଲିଯାଇଥିଲେ ।

 

ମୁଁ କବିତା ଲେଖେ ବୋଲି ଝୁଙ୍କ୍‍କଲେ ତାଙ୍କ ଉପରେ ଗୋଟିଏ କବିତା ଲେଖିବା ପାଇଁ-। ମୁଁ ଲେଖିଲି ମଧ୍ୟ । ମୁଁ ଯେଉଁଦିନ ତାଙ୍କ ପାଖରେ କବିତାଟି ପଢ଼ିବାପାଇଁ ବସିଲି–ସେ ମୋର ଖାତାଟା ହାତରୁ ଟାଣିନେଇ ବାକ୍‍ସରେ ବନ୍ଦ କରିଦେଇ ଆସି କହିଲେ–ନା, ଥାଉ-। ତୁମେ ଲେଖିଚ ସେଇ ଯଥେଷ୍ଟ ମୋ ପକ୍ଷରେ, ଆଉ ବେଶୀ ନୁହେଁ । ମୁଁ ଅବାକ୍ ହୋଇଯାଇ କହିଲି–ତୁମେ ଶୁଣିବନି ? ସେ ମଉନାବତୀପରି ଝାଉଁଳି ପଡ଼ି କହିଲେ–ସମୟ ସରିଯାଉନି । ତୁମେ ଏତେ ତରତର ହେଉଚ କାହିଁକି ? ଆଉ କାହାକୁ ଦେଖିଲ କି କୋଉଠି ?

 

ସେଇ କବିତା ଖାତାଟା ତାଙ୍କ ପାଖରେ ରହିଗଲା । ଆଉ ଫେରେଇ ଆଣିନାହିଁ ବା ତାଙ୍କୁ ମନେପକାଇ ଦେଇନାହିଁ । ସାତବରଷ ପରେ ମିତୁଅପାଙ୍କ ସହିତ ସେହି କବିତା ଖାତାଟିର କଥା ବି ମନେପଡ଼ିଲା । ମୁଁ ଉନ୍ମନା ହୋଇଗଲି । ସେଇ କବିତା ଖାତାଟା ଥିଲେ ମୁଁ ସେହି କବିତାଟାକୁ ଆଜି ଆଉ ପଢ଼ିପାରନ୍ତି କି ନାହିଁ କହିପାରୁନି । କିନ୍ତୁ ସେଭଳି କବିତାଟିଏ କିପରି ଯେ ମୁଁ ମିତୁଅପାଙ୍କ ସମ୍ପର୍କରେ ଲେଖିପାରିଲି ଆଜି ଭାବିଲେ ସଂକୋଚ ଲାଗୁଚି । ଭଲହେଲା ସେ ପଢ଼ିଲେ ନାହିଁ ବା ଶୁଣିଲେ ନାହିଁ । ପଢ଼ିଥିଲେ କଅଣ ଯେ ମନେ କରିଥାଆନ୍ତେ, ଛି ଛି । ଆଜି ସିନା ଏଡ଼େ ସଂକୋଚ ଲାଗୁଚି, କିନ୍ତୁ ସେଦିନ ତରୁଣ ମନର ପ୍ରଥମ ଇନ୍ଦ୍ରଧନୁର ରଙ୍ଗ ତାଙ୍କ ଦେହରେ ଯେ ବୋଳି ଦେଇଥିଲି ଏହା ଆଜି ଅସ୍ଵୀକାର କରିପାରୁନାହିଁ । ମିତୁଅପା କିନ୍ତୁ ସେଇ ଖାତାଟିକୁ ଫେରେଇ ଦେବାପାଇଁ ପ୍ରସ୍ତାବ କରିଥିଲେ । ମୁଁ କହିଲି–ଅଛି ତ ଥାଉ । ତୁମ କଥା ତ ଲେଖିଥିଲି । ଦେଖିଲି ସେ ମୋ କଥା ଶୁଣୁ ନ ଥିଲେ, ନୂଆହୋଇ ଫୁଟୁଥିବା ଆମ୍ବ ବଉଳକୁ କିଭଳି ବେଦନାଦଗ୍‍ଧ ଦୃଷ୍ଟିରେ ଅନାଇ ରହିଥିଲେ । ମିତୁଅପାଙ୍କର ବେଦନାଦଗ୍‍ଧ ସେହି ମୁହଁଟି କି ଅନୁପମ ଦିଶୁ ନ ଥିଲା ସେଦିନ !

 

ଏତେ ବର୍ଷପରେ ସେଇ ମିତୁଅପା ହଠାତ୍ ଉଡ଼ିଆସି ଛିଡ଼ି ପଡ଼ିଲେ ଯେପରି । ଏତେଦିନ ଖୋଜ ଖବର ନ ଥିଲା । ମୁଁ ବି ପଚାରି ନ ଥିଲି କାହାକୁ । ସେଦିନ ଅଯାଚିତ ଭାବରେ ମୋ ମାମୁଁ ଝିଅ ଭଉଣୀ ଆମ ବସାକୁ ବୁଲିବାକୁ ଆସି କହିଗଲା ଯେ ମିତୁଅପା ସ୍ଵାମୀକୁ ଛାଡ଼ପତ୍ର ଦେଇ ଆଉ କାହା ସାଙ୍ଗରେ ରହୁଛନ୍ତି । ପ୍ରଥମେ କଥାଟାକୁ ବିଶ୍ଵାସ କରିପାରିଲି ନାହିଁ । ଅପା ମୋ ସ୍ତ୍ରୀକୁ ଶୁଣେଇ ଶୁଣେଇ କହିଲା : ଶୁଭର ବିଶ୍ଵାସ ହେଉନାହିଁ । ମିତୁଅପା ତାକୁ ଲୁଚେଇ ଲୁଚେଇ ପିଜୁଳି ଲାଞ୍ଚ ଦେଇଥିଲା ବୋଲି ଆଜି ଶୁଭ ତା ପଟ ନବନି ତ ମୋ ପଟ ନବ ? ମୋ ସ୍ତ୍ରୀ ଟିକେ ସନ୍ଦେହବୋଳା ଦୃଷ୍ଟି ନିକ୍ଷେପକରି କହିଲା–ମିତୁଅପାକୁ ମୁଁ ଦେଖିନାହିଁ, କିନ୍ତୁ ଅନେକ ଶୁଣିଛି । ଯିଏ ନିଜ ଜିନିଷ ରଖି ନ ପାରି ଅନ୍ୟର ଜିନିଷ ଉପରେ ଲୋଭ କରେ, ତାର ଏପରି ହେବା ବିଚିତ୍ର ନୁହେଁ । ମୁଁ ଦୁହିଁଙ୍କୁ କହିଲି–ଥାଉ, ପର ଚର୍ଚ୍ଚା କରି ଲାଭ ନାହିଁ । ଅପା ମୁହଁ ବଙ୍କେଇ ମୋ ପ୍ରତି ତାର ଅପ୍ରସନ୍ନ ଭାବଟାକୁ ବେଶ୍‍ ସ୍ପଷ୍ଟ ଭାବରେ ପ୍ରକାଶ କରି ଦେଇଥିଲା ।

 

ତା’ଠାରୁ ମିତୁଅପା କଥା ଶୁଣିବା ପରେ ମନଟା ବିଷଣ୍ଣ ହୋଇଗଲା । ଅପା ଓ ମିତୁଅପାଙ୍କର କେବେ ପଡ଼ୁ ନ ଥିଲା । ମୁଁ ଅପା ପାଖରେ ବେଶୀ ସମୟ ନ ରହି ମିତୁଅପା ପାଖରେ ବେଶୀ ସମୟ କଟାଉଥିଲି ବୋଲି ଅପାର ଗୋଟେ ଅଭିମାନ ଥିଲା । ସେଥିପାଇଁ ସେ ମିତୁଅପାଙ୍କୁ ସହିପାରୁ ନଥିଲା ଏବଂ ସୁଯୋଗ ପାଇଲେ ତା ବିରୁଦ୍ଧରେ କିଛି ନା କିଛି କହି ଦେଉଥିଲା । ମିତୁଅପା ସହିତ ମୋର ସମ୍ପର୍କକୁ ତିକ୍ତ କରିବା ପାଇଁ ବାରମ୍ବାର କହିଥିଲା–ମିତୁ କଅଣ ଖାଲି ତୋ ସାଙ୍ଗରେ ବୁଲେ ? ତାର ପଞ୍ଚପାଣ୍ଡବ ଅଛନ୍ତି ଯେ… । ଆଶ୍ଚର୍ଯ୍ୟ ! ଅପାର କଥାଗୁଡ଼ା ମୋ ଉପରେ ବିପରୀତ ପ୍ରଭାବ ପକାଉଥିଲା ଏବଂ ମୁଁ ମିତୁଅପାକୁ ଆହୁରି ସହାନୁଭୂତିର ଦୃଷ୍ଟିରେ ଦେଖୁଥିଲି । ଏହାହିଁ ଥିଲା ଅପା ପାଖରୁ ମୋର ଦୂରତ୍ଵ ବେଳେବେଳେ ଅତି କରୁଣ ଏବଂ ବେଦନାଦାୟକ ମନେ ହେଉଥିଲା ।

 

ଅପା ମିତୁଅପା ସମ୍ପର୍କରେ ଆହୁରି ଅନେକ କିଛି କହିଥିଲା ଗୌରୀକୁ । ନ ହେଲେ ସାତବର୍ଷ ଭିତରେ ମୋତେ ଦିନେ ସନ୍ଦେହ କରି ନ ଥିବା ଗୌରୀ ସଂଶୟର ବିଷଜ୍ଵାଳାରେ ଜର୍ଜରିତ ହୁଅନ୍ତା କାହିଁକି ? ସେଦିନ ସବୁଦିନ ପରି ଗୌରୀ ଶୋଇବାକ୍ଷଣି ତା ଉପରେ ହାତଟା ଲମ୍ବେଇଦେଲି । ସେ ହାତଟାକୁ ଆଡ଼େଇଦେଇ ଘୁଞ୍ଚିଗଲା ଦୂରକୁ । ମୁଁ କହିଲି–କଅଣ ହେଲା ? ସେ କହିଲା–ଯାହା ଉପରେ ହାତ ରଖିଲେ ସୁଖ ଲାଗିବ ତାହାରି ପାଖକୁ ଯାଅ । ମୁଁ ଗୌରୀର କଥା ଶୁଣି ଚମକିପଡ଼ିଲି । ଏହି ପଦକ କଥା ତା’ ମନରେ ଗଭୀର ସନ୍ଦେହର ବାର୍ତ୍ତା ବହନ କରୁଥିଲା । ମୁଁ ଗୌରୀ ପାଖକୁ ଲାଗିଯାଇ କହିଲି–ସାତବର୍ଷ ହେଲା ତୁମ ପାଖରେ ଯଦି ସୁଖ ଲାଗୁଥିଲା, ଆଜି କାହିଁକି ଅନ୍ୟ ପାଖକୁ ଯିବି ? ସାପ ଫଣା ଟେକି ଫଁ ଫଁ କଲାପରି ସେ ଦଣ୍ଡେ ଗୁମୁରିଲା ଏବଂ ତାପରେ କହିଲା–କିଏ ଜାଣେ ଆଉ କେଉଁଠିକୁ ଯାଅ କି ନାହିଁ ! ନିଜ ସ୍ଵାମୀକୁ ତଡ଼ିଦେଇ ପରପୁରୁଷ ଉପରେ ଯାହାର ଆଖି ପଡ଼ିଚି ସେ ଅନେକ ସଂସାର ଧ୍ଵଂସ ନ କରି ଛାଡ଼ିବ ନାହିଁ । ଗୌରୀର ଆକ୍ଷେପ ଯେ ମିତୁଅପା ପ୍ରତି ଥିଲା, ଏଥିରେ ସନ୍ଦେହ ନ ଥିଲା । ମୁଁ କହିଲି–ଅପା ସବୁଦିନ ଖଳେଇ । ତୁମେ ତା’କଥା ଶୁଣି ମିଛଟାରେ ଅଭିମାନ କରୁଛ । ସେ ଆହୁରି ରାଗିଯାଇ କହିଲା–ତୁମ ନିଜ ଅପା ଖଳେଇ, ତୁମ ନିଜ ସ୍ତ୍ରୀ ଅସୁନ୍ଦରୀ, ଆଉ ସେଇ ଡାଆଣୀ ସର୍ବଗୁଣସମ୍ପନା ସୁରସିକା !

 

ଏହାପରେ ମୁଁ ଆଉ କିଛି କହିବାର ସାହସ ନ କରି ଶୋଇପଡ଼ିଲି । ସନ୍ଦେହ ଥରେ ମନକୁ ଖାଇଲେ ସେଥିରୁ ମନକୁ ରକ୍ଷାକରିବା ସହଜ ନୁହେଁ । ବାଉଁଶକୁ ଘୁଣଖାଇ ଜୀର୍ଣ୍ଣ କରିଦିଏ, କିନ୍ତୁ ଉପରୁ ଜଣାଯାଏନି କିଛି; ଠିକ୍‍ ସେହିପରି ଉପରୁ ଗୌରୀର ମନକଥା ଏଯାଏ ଜାଣିବାର ଉପାୟ ନ ଥିଲେ ମଧ୍ୟ ଅପାର କଥା ଶୁଣି ସେ ଯେ ମନେମନେ ପ୍ରତି ମୁହୂର୍ତ୍ତରେ ଦଗ୍ଧ ହେଉଥିଲା, ଏହା ମୁଁ ଅନୁମାନ କଲି । କିନ୍ତୁ ସେଥିରୁ ତାକୁ ରକ୍ଷା କରିବା ପାଇଁ ମୋ ପାଖରେ କୌଣସି ଉପାୟ ନଥିଲା ।

 

ଏହାପରେ ମିତୁଅପା ସମ୍ପର୍କରେ ଅଧିକ ଜାଣିବାପାଇଁ କୌତୂହଳକୁ ଦମନ ନ କରି ବରଂ ଲାଗିଗଲି ଖବର ସଂଗ୍ରହ କରିବାପାଇଁ । ଗାଁରୁ ଯାଇ ଦିନେ ବୁଲି ଆସିଲି । ମାମୁଁଘର ଗାଁକୁ ଯାଇଥାଆନ୍ତି, କିନ୍ତୁ ଗାଁରୁ ସବୁ ଖବର ପାଇଗଲା ପରେ ଆଉ ସେଠାକୁ ଗଲିନାହିଁ । ସବୁ ଶୁଣିବା ପରେ ମିତୁଅପାର କାହାଣୀଟା ଯେ ସରଳ ନୁହେଁ ଜଟିଳ, ଏୟା ମୋର ମନେହେଲା । ମନରେ ସତରେ କଷ୍ଟ ଅନୁଭବ କଲି । କୈଶୋର ଏବଂ ପ୍ରଥମ ଯୌବନର ଅନ୍ତରଙ୍ଗ ସାଥୀ ଥିଲେ ମିତୁଅପା । ତାଙ୍କ ବିଷୟରେ ମୁଁ ସଦାବେଳେ ଭଲ ଭାବିଚି, ତାଙ୍କର ମଙ୍ଗଳପାଇଁ ଶୁଭକାମନା କରିଚି । ଆଜି ସେ ଯେ ଅସଫଳ ଜୀବନର ଦହନ ନେଇ ଚାରିଆଡ଼େ ବୁଲୁଥିବେ, ଏହାଠାରୁ ମୋ ପକ୍ଷରେ ଦୁଃଖର କଥା ଆଉ କଅଣ ହୁଅନ୍ତା ? ବହୁ ଲୋକଙ୍କ ସହିତ କଥାବାର୍ତ୍ତା କରି ମଧ୍ୟ ସଠିକ ଜାଣିପାରିଲି ନାହିଁ ସେ କେଉଁଠାରେ, କିନ୍ତୁ ଗାଁରୁ ଫେରିବାବେଳେ ମାମୁଁଘର ଗାଁରେ ମଦନ ସହିତ ବସରେ ଦେଖା ହୋଇଗଲା । ମଦନ ବି ମିତୁଅପାର ସହପାଠୀ ଥିଲା ଏବଂ ଦିନେ ସେ ବି ତାଙ୍କର କୃପା ପାଇଁ ଯେ ବିଭିନ୍ନ ପ୍ରଚେଷ୍ଟା କରି ବ୍ୟର୍ଥ ହୋଇଥିଲା, ଏହା ମୁଁ ଜାଣେ । ସେଥିପାଇଁ ସେ ମୋତେ ଦାୟୀ କରୁଥିଲା ସେତେବେଳେ ।

 

ବସରେ ମୋତେ ଦେଖିପକେଇ କହିଲା–ଆରେ ଶୁଭ ଯେ… କି ଅପୂର୍ବ, ଅନେକ ଦିନ ପରେ ଦେଖା । ମୁଁ ତାକୁ କୁଣ୍ଡେଇ ପକାଇ କହିଲି ଭାଗ୍ୟ ଭଲ, ସେଥିପାଇଁ ତୋ ସହିତ ଇମିତି ଆକସ୍ମିକ ଭାବରେ ଦେଖା ହୋଇଗଲା । ଚାକିରି ଜୀବନରେ ଚାକିରିଟା ପ୍ରଥମ ଅବଲମ୍ବନ ବୋଲି କୁହାଯାଏ, ତା’ପରେ ସ୍ତ୍ରୀ, ପୁତ୍ର, କନ୍ୟା ଏବଂ ତା’ପରେ ବନ୍ଧୁବାନ୍ଧବ । ମୁଁ ତ ଭାଇ ତହସିଲଦାର ଚାକିରି କରି ବୁଲୁଚି ଓଡ଼ିଶା ସାରା । ସାତବର୍ଷରେ ଏଗାରଟା ଜାଗାରେ ପୋଷ୍ଟିଂ, ଖୋଜ ଖବର କିଛି ରଖି ପାରିନାହିଁ । ଏ ବାରିପଦାକୁ ଆସି ସମୟ ପାଇଛି ଟିକେ । ସେ ମନକଥା ଜାଣିବା ପରି ଖପ୍‍କିନା କହିଦେଲା–ମିତୁ କଥା ଶୁଣିଥିବୁ ବୋଧେ । ସେ ଏଇ ସହରରେ ଅଛି, ତୁ କଅଣ ଆଜିଯାଏ ଦେଖାକରି ନ ଥିବୁ ଯେ… । ମଦନର କଥା ଶୁଣି ମୁଁ ଚମକି ପଡ଼ିଲେ ବି ଆଶ୍ଵସ୍ତ ହେଲି ଯେ ମିତୁଅପା ଏଇ ବାରିପଦାରେ ଅଛନ୍ତି । ବାରିପଦାଟା ଏପରି ବଡ଼ ଜାଗା ନୁହେଁ ଯେ କେହି ବେଶି ଦିନ ଅଜଣା ଅଶୁଣା ହୋଇ ରହିଯିବ । ମୁଁ ମଦନକୁ କହିଲି–ତୋର ଦେଖାହୁଏ ତାଙ୍କ ସହିତ-? ସେ କହିଲା–ଧ୍ୟାତ୍, ମୁଁ ଯିବି ତାଙ୍କ ସହିତ ଦେଖା କରିବା ପାଇଁ ! ଆଗର ମିତୁଅପା ଅନେକ ବଦଳି ଯାଇଛନ୍ତି । ତାଙ୍କୁ ନେଇ ତ ଗପ ଓ ଗୁଜବର ହାଟ ବସିଚି ବାବୁସାହିରେ । ମୁଁ କହିଲି–କିପରି । ସେ ଆହୁରି ଖବର ଦେଇ କହିଲା–ମିତୁର ବାହାଘର ହୋଇଥିଲା ବ୍ରହ୍ମପୁରରେ, କିନ୍ତୁ ବାହାଘରର ସପ୍ତମଙ୍ଗଳା ନ ଯିବା ଆଗରୁ ସ୍ଵାମୀ ସହିତ ବିଚ୍ଛେଦ ହୋଇଥିଲା । ତା’ପରେ ଶୁଣିଥିଲି ସେ ସନ୍ନ୍ୟାସିନୀ ହୋଇ ଚାଲିଯାଇଥିଲେ ଚିଲିକା କୂଳର କେଉଁ ଏକ ଆଶ୍ରମକୁ । ଏବେ ଶୁଣୁଚି ବାରିପଦାରେ ।

 

ମୁଁ ଆଶ୍ଵସ୍ତ ହେଲି ଯେ ସେ ଏହି ବାରିପଦାରେ ଅଛନ୍ତି । ସମସ୍ତେ ତାଙ୍କୁ ଭୁଲ ବୁଝନ୍ତି, କିନ୍ତୁ ମୁଁ ତ ଭୁଲ ବୁଝିନି ତାଙ୍କୁ । ବାରିପଦାକୁ ଫେରିଆସି ଲାଗିଗଲି ମିତୁଅପାଙ୍କ ସମ୍ପର୍କରେ ଅନୁସନ୍ଧାନ କରିବା ପାଇଁ । ଅନେକ ଲୋକ ଅନେକ ପ୍ରକାର କହିଲେ । ଜଣେ ବନ୍ଧୁ ତ କହିଲେ ଯେ କଲେଜ ପିଲାଙ୍କୁ କୃଷ୍ଣ କରି ମିତୁଅପା ରାଧାର ଭୂମିକାରେ ଅଭିନୟ କରୁଛନ୍ତି ବୋଲି । ମୁଁ ଏତେକଥା ତାଙ୍କ ସମ୍ପର୍କରେ ଏଯାଏଁ ଶୁଣି ସାରିଥିଲି ଯେ ଆଉ ଆଶ୍ଚର୍ଯ୍ୟ ହେଲିନାହିଁ । ବରଂ ମନଟା ବିଷଣ୍ଣ ହୋଇଗଲା ତାଙ୍କର ଅସଫଳ ଜୀବନର କାହାଣୀ ଶୁଣି । ମୋ ଅନ୍ତର ଭିତରଟା ଗୋଟିଏ ଅମୂଲ୍ୟ ରତ୍ନ ହରାଇ ଅଭାବବୋଧରେ ହୁ ହୁ ଜଳିବାକୁ ଲାଗିଲା । ମୁଁ ମୋ ନିଜ ଭିତରେ ଏପରି ଶୂନ୍ୟତା ଆଉ କେବେ ଅନୁଭବ କରି ନ ଥିଲି । ଆଜି ବୁଝିଲି ମିତୁଅପା ମୋ ହୃଦୟ ଭିତରେ ମୋ ଅଲକ୍ଷ୍ୟରେ କେତେ ବଡ଼ ଜାଗାଟିଏ ମାଡ଼ି ବସିଥିଲେ ।

 

ବାବୁସାହିକୁ ଦୁଇ ଚାରିଥର ବୁଲିବାକୁ ଗଲି । କିନ୍ତୁ ତାଙ୍କ ସହିତ ଦେଖା ହେଲାନାହିଁ । ସେ କେଉଁଠାରେ ନିର୍ଦ୍ଦିଷ୍ଟ ଭାବରେ ରହୁଥିଲେ ତାହା ଜାଣି ନଥିଲି । କେତେଦିନ ବିତିଗଲା । ଗୌରୀ ଦିନେ ସବୁ ଜାଣିଲା ପରି କହିଲା–ଯେତେ ଖୋଜିବ ମନା ନାହିଁ, କିନ୍ତୁ ସେ ବେଶ୍ୟା ସହିତ ଦେଖାହେଲେ କହିଦେବ ମୁଁ ତା’ପରି ପରପୁରୁଷ ଲୋଭରେ ପଡ଼ିନାହିଁ । ସେ ଏଇପରି କଲବଲ ହେବ । ତାର ଶୋଷ ମେଣ୍ଟିବ ନାହିଁ କି ପେଟ ପୂରିବ ନାହିଁ । ମୁଁ ମନେମନେ ଆହତ ହେଲି । ମିତୁଅପାଙ୍କ ପରି ଜଣେ ମହିଳା ଯେ ଏତେ ତଳକୁ ଖସିଯାଇ ପାରିବେ ନାହିଁ, ଏହା କାହିଁକି ବେଦର ଗାର ପରି ମୋ ମନରେ ଲାଗି ରହିଥିଲା ।

 

ମିତୁଅପାଙ୍କ ସହିତ କିପରି ସାକ୍ଷାତ ହେବ, ସେଇ କଥାଟା ମନକୁ ବିନ୍ଧୁଥିଲା । ସିନେମା, ପାର୍କ, ମନ୍ଦିର ଓ ବଜାର ଯେଉଁଠାକୁ ଗଲେ ବି ଆଖିବୁଲେଇ ତାକୁ ଖୋଜୁଥିଲି । ଦେଖା ହୋଇଗଲେ ପଚାରନ୍ତି ଭଲମନ୍ଦ, ଦେଖନ୍ତି ବୁଢ଼ାବଳଙ୍ଗର ପାଣି କେତେ ଦୂର ଯାଇଚି । ସେଦିନ ଅଫିସରେ ବସି ଫାଇଲ ଦେଖୁଥାଏ । ପାଞ୍ଚଟା ବାଜିସାରିଥାଏ ବୋଲି ଅଫିସ ପ୍ରାୟ ଖାଲିହୋଇ ଯାଇଥାଏ । ବଡ଼ବାବୁ ଭିତରେ ବସି ଢୁଳଉଥାନ୍ତି ମୁଁ ନ ଗଲେ ଯାଇପାରିବେ ନାହିଁ ବୋଲି । ମୁଁ ଝରକା ଦେଇ ବଡ଼ବାବୁଙ୍କୁ ଦେଖି କହିଲି ଚାଲି ଯିବାପାଇଁ । ସେ ଯେପରି ସେଇ ଅନୁମତିକୁ ଅପେକ୍ଷା କରୁଥିଲେ । ସାଇକେଲ ଚଢ଼ି ଅଦୃଶ୍ୟ ହୋଇଗଲେ ରାସ୍ତା ଉପରେ । ନଟବର ମୋର ବିଶ୍ଵସ୍ତ ପିଅନ । ସେ ଜଗିଥାଏ ମୋତେ ଏବଂ ଅଫିସକୁ । ତାକୁ ଚା’ କପେ ଆଣିବା ପାଇଁ ପଠେଇଦେଇ ଫାଇଲ୍‍ ପରେ ଫାଇଲ୍‍ ଦେଖିଚାଲିଲି ମୁଁ ।

 

କାହାର ପାଦଶବ୍ଦ ଶୁଣି ମୁଁ ଫାଇଲ ଉପରୁ ଆଖି ନ ଉଠେଇ ନଟବର ଚା ଆଣିଥିବା ଭାବି ହାତ ବଢ଼ାଇ କହିଲି, ଦିଅ… । ନଟବରର ସ୍ଵର ପରିବର୍ତ୍ତେ ଆଗନ୍ତୁକ କହିଲେ–ଦକ୍ଷ ଅଫିସର ଭାବରେ ନାମ ଅଛି, କିନ୍ତୁ ଏଡ଼େ ତନ୍ମୟ ହେଲେ ଚଳିବ । ମିତୁଅପାଙ୍କର କଣ୍ଠସ୍ଵର ଶୁଣି ମୁଁ ଚମକିପଡ଼ି ଚାହିଁଲି । ମୋର ଓ ତାଙ୍କ ମଧ୍ୟରେ ଥିବା ସାତ ବର୍ଷର ବ୍ୟବଧାନର ପର୍ଦ୍ଦାଟା ଉଠିଗଲା ଆଖିଆଗରୁ । ମୁଁ ତାଙ୍କୁ ଚାହିଁ ଦେଇ ସ୍ତବ୍‍ଧ ହୋଇ ରହିଗଲି ମୁହୂର୍ତ୍ତେ । ମୂକ ହୋଇଗଲି, ଭାଷା ସ୍ଫୁରିଲା ନାହିଁ ମୁହଁରୁ । ସେ କିନ୍ତୁ ଆଗପରି କହିଲେ–ଭକୁଆ ହୋଇଗଲ ଯେ… ମୋତେ ଇମିତି ଡାଅଣାପରି ଏକା ଲୟରେ ଚାହିଁଛ… ଭୂତ ଦେଖୁନ ନିଶ୍ଚୟ । ମୁଁ ଆଖି ଫେରାଇ କହିଲି–ମିତୁଅପା…ତୁମେ… !

 

ସେ କହିଲେ–ତୁମେ ଯେତେବେଳେ ମୋ ଖବର ରଖିଲ ନାହିଁ ମୁଁ ନିଶ୍ଚିନ୍ତ ହୋଇ ବସିରହନ୍ତି କିପରି । ଏଇ ସହରକୁ ଆସିବା ପରେ ଆଶାଥିଲା ତୁମେ ଖୋଜି ଖୋଜି ଆସିବ ବୋଲି-। କିନ୍ତୁ ସବୁ ଆଶା କଅଣ ସାର୍ଥକ ହୁଏ ମଣିଷର । ତାଙ୍କ ମନ କଥାଟିକ ପ୍ରଶ୍ନ ଛଳରେ ଏପରି ସୁନ୍ଦର ଭାବରେ ଗ୍ରୀବା ହଲାଇ ସେ କହିଲେ ଯେ ମୋ ମନରେ ବନ୍ଦୀ ହୋଇଥିବା ପ୍ରଗଳ୍‍ଭତା ବନ୍ଧ ଭାଙ୍ଗି ବାହାରକୁ କୁଦି ପଡ଼ିଲା । ମୁଁ ତାଙ୍କୁ କହିଲି–ତୁମକୁ ଖୋଜି ଖୋଜି ଚପଲ ଘୋରିଗଲାଣି, ସାଇକେଲର ଚେନ୍‍ ହୁଗୁଳା ହୋଇଗଲାଣି….. । ତୁମେ ଏତେ ଦୁର୍ଲଭ, ଦୁଷ୍ପ୍ରାପ୍ୟ ହୋଇଗଲ ବୋଲି କିଏ ଜାଣିଥିଲା କୁହ ! ସେ ଭୂରୁ ନଚାଇ କହିଲେ–ତୁମେ ମୋ ବିଷୟରେ ସବୁ ଶୁଣିବା ପରେ ଏଇ କଥା କହିପାରୁଛ ? ମୁଁ କହିଲି–ତୁମ ବିଷୟରେ ତୁମେ କହିବ, ଅନ୍ୟମାନଙ୍କର ଅନଧିକାର ଚର୍ଚ୍ଚାକୁ ମୁଁ ପ୍ରଶୟ ଦେଇ ନାହିଁ । ସେ ଉଜ୍ଜ୍ୱଳି ଉଠି କହିଲେ–ଦେଖୁଚି ମୋ ଆଖିରେ ମୁଁ ବଦଳି ଯାଇଥିଲେ ବି ତୁମେ ବଦଳିଯାଇନ ।

 

ନଟବର ଆଣିଥିବା ଗିଲାସେ ଚା’କୁ ଭାଗ ଭାଗ କରି ଖାଇଲୁ । ସେ କିନ୍ତୁ କହିଲେ–ତୁମ ଚା’ରୁ ଅଧେ ନେଇ ମୁଁ ଅନ୍ୟାୟ କରୁନାହିଁ ତ ? ମୁଁ କିଛି କହିବା ପୂର୍ବରୁ ସେ କିନ୍ତୁ ପିଇ ସାରିଥିଲେ ଚା’ ତକ । ଫାଇଲଗୁଡ଼ା ରଖିଦେଇ ମୁଁ କହିଲି–ଏଇଠି ବସି ଗପିବା ନା ତୁମ ଘରକୁ ଯିବା । ସେ କହିଲେ–ସନ୍ଧ୍ୟା ବହଳ ହୋଇନି । ମୋ ଘରକୁ ଯିବ ତୁମେ ? ଲୋକେ କିଛି କହିବେନି ? ମୁଁ ନିଷ୍ପଲକ ନୟନରେ ତାଙ୍କ ମୁହଁକୁ ଅନାଇ ରହିଲି ।

 

ମିତୁଅପା ସବୁଦିନ ଏହିପରି । ଯାହା ଅନୁଭବ କରେ, ମୁହେଁ ମୁହେଁ କହିଦେବ । ମନର କଥା ମନରେ ମାରି ତାହାରି ଦହନରେ ଦଗ୍‍ଧ ହବାର ଲୋକ ସେ ନୁହଁନ୍ତି । ମିତୁଅପାଙ୍କୁ ପୁଣି ଆଉ ଥରେ ଦେଖିଲି । କେବଳ ସାମାନ୍ୟ ମେଦ ବୃଦ୍ଧି ହୋଇଥିଲା ଶରୀରରେ । ମନଟି ଆଗପରି ପ୍ରବଣ ଏବଂ ପ୍ରସାରିତ । ଏପରି ଜଣେ ପ୍ରସନ୍ନମୟୀ ମହିଳା ଏତେ ଅନର୍ଥର ମୂଳ ହୋଇ ପାରନ୍ତି, ଏହା ମୋର ବିଶ୍ଵାସ ହେଉ ନଥିଲା । ତଥାପି କିଛି ନ ଜାଣିଲା ପରି ପଚାରିଦେଲି–ଆଉ ସବୁ ଖବର କହ । କିପରି ଅଛ, ଘରେ ଆଉ ସବୁ କିଏ କିପରି ଅଛନ୍ତି ? ସେ ବୁଝିପାରିଲେ ମୋ କଥାର ଅର୍ଥ । ତା’ପରେ କହିଲେ–ତୁମେ ଏତେଦିନ ଚାକିରି କରି ବି ସେଇ ପିଲା ହୋଇ ରହିଯାଇଚ, ନୋହିଲେ ଏଇ ପ୍ରଶ୍ନଟା ସିଧାସଳଖ ପଚାରି ପାରନ୍ତ ନାହିଁ ? ତଥାପି ଶୁଣିନିଅ । ମୁଁ ତ ଏକା ଅଛି । ଆଉ କାହା କଥା ପଚାରୁଛ ? ମୁଁ ତାଙ୍କ ମୁହଁକୁ ଚାହିଁଲି, ସିନ୍ଦୂର ନ ଥିଲା କପାଳରେ । ମୁଁ କହିଲି–ମିଛ କହୁ ନାହିଁ, ବହୁତ କଥା ଶୁଣିଥିଲି ତୁମ ନାମରେ, ବିଶ୍ଵାସ କିନ୍ତୁ ହୋଇ ନଥିଲା । ସେ କହିଲେ–ମୋତେ ଦେଖି ବିଶ୍ଵାସ ହଉଛି ? ମୁଁ କହିଲି : ନା । କିନ୍ତୁ ଏଇଠି ଆଉ ଗପିବା ନାହିଁ, ଚାଲ ତୁମ ଘରକୁ । ମିତୁଅପା ସାଙ୍ଗରେ ମୁଁ ବାବୁସାହିଆଡ଼କୁ ପାଦ ବଢ଼ାଇଲି ।

 

ମିତୁଅପା ବସିବା ଘରେ ମତେ ବସେଇ ଦେଇ ଭିତରକୁ ଚାଲିଗଲେ । ତା’ପରେ ଫେରି ଆସି କହିଲେ–ଟିକେ ଜଳଖିଆ ଖାଇବନି ? ମୁଁ କହିଲି–ବହୁତ ଦିନରୁ ତୁମ ହାତରୁ କିଛି ଖାଇନି ମିତୁଅପା, ତୁମେ ଯାଚି ନ ଥିଲେ ମୁଁ ନିଜେ ମାଗିଥାନ୍ତି ।

 

ହଠାତ୍‍ ମିତୁଅପା ବିହ୍ଵଳ ହୋଇଗଲେ । ମୁଁ ଲକ୍ଷ୍ୟକଲି ତାଙ୍କ ଆଖିର ଅବନତ ଦୃଷ୍ଟି । ସେ ମୁହଁ ଫେରେଇ ଆଖିପୋଛି ଭିଜା କଣ୍ଠରେ କହିଲେ–ଆଗ ଦିନଗୁଡ଼ା ସବୁ ମନେଅଛି ତୁମର, ମୁଁ ନିଜ ପାଖରେ ନିଜେ କିନ୍ତୁ ହଜିଗଲି ଶୁଭ । ତା’ପରେ ସେ କହିଚାଲିଲେ ତାଙ୍କ ଜୀବନ କାହାଣୀ-। ସବୁ ଶୁଣିସାରି ମୁଁ କହିଲି–ତୁମେ ଏମିତି କାହିଁକି କହିଲ ଯେ…। ସେ କହିଲେ–କଅଣ କହନ୍ତି ମିଛ-? ସେ ଚତୁର୍ଥୀ ରାତିରେ ମୋ ପାଖରେ ବସି କହିଲେ : ଗୋଟେ କଥା ପଚାରିବି, ସତ କହିବ ମିତୁ-? ମୁଁ କହିଲି–ମିଛ ତ କେବେ କହିନାହିଁ, ପଚାର । ସେ ପଚାରିଲେ–ତୁମେ ଏହା ପୂର୍ବରୁ ଆଉ କାହାକି କେବେ ଭଲପାଇ ନ ଥିଲ ? ମୁଁ ପ୍ରଥମେ କିଛି କହିଲି ନାହିଁ । ସେ ଉତ୍ତରଟା ଜାଣିଯିବା ପରି କହିଲେ–ଚୁପ୍ ହୋଇଗଲ ଯେ… କହ । ମୁଁ କହିଲି–ତୁମେ କଅଣ ମୋ ପାଖକୁ ପ୍ରଥମ ଆସୁଛ ? ସେ କହିଲେ–ମୋତେ ସନ୍ଦେହ କରୁଛ ? ମୁଁ କହିଲି : ନା, ତଥାପି ପଚାରିଦେଲି ଯିମିତି ତୁମେ ମୋତେ ପଚାରିଦେଲ । ସେ ଟିକେ ଚଢ଼ା ଗଳାରେ କହିଲେ–ମୋ କଥା ଆଉ ତୁମ କଥା ସମାନ ନୁହେଁ । ତୁମକୁ କହିବାକୁ ହେବ ତୁମେ ଏହା ଆଗରୁ ଆଉ କାହାକୁ ଭଲପାଇଥିଲ କି ନାହିଁ-? ମୁଁ ତାଙ୍କର ସ୍ଵୈରାଚାରିତା ଦେଖି ଅସହିଷ୍ଣୁ ହୋଇ କହିପକେଇଲି–ତୁମର ମୋ ପାଖକୁ ଆସିବା ଯଦି ପ୍ରଥମ ନୁହେଁ, ମୋ ମନରେ ତୁମେ ଆସିବା ଆଗରୁ ଆଉ କେହି ବି ଆସିଥିଲେ । ପଛକଥା ପଛରେ ପକେଇ ଆଗ କଥା ଭାବ, ବର୍ତ୍ତମାନଟାକୁ ଆଗପାଇଁ ପ୍ରସ୍ତୁତ କର । ତା’ପରେ ସେ ବିଛଣାରୁ ଉଠିଗଲେ ଯେ ଆଉ ଫେରିଲେ ନାହିଁ । ମୁଁ କାହାକୁ ଅବା ଅବଲମ୍ବନ କରି ରହନ୍ତି ତାଙ୍କ ଘରେ ? ଚାଲିଆସିଲି । ବ୍ରହ୍ମପୁରରୁ ଆସି କିଛିଦିନ ଚାକିରି କଲି ଭଞ୍ଜନଗରରେ । କିନ୍ତୁ ସେଠାରେ ମଧ୍ୟ ରହିପାରିଲି ନାହିଁ । ଶିକ୍ଷା ବିଭାଗର ଉପରିସ୍ଥ ଅଫିସର କହିଲେ ତାଙ୍କ ଘରେ ରାତି କଟାଇବା ପାଇଁ । ମୁଁ ରାଜି ନ ହୋଇ ଚାଲିଆସିଲି । ତା’ପରେ କିଛିଦିନ ରେଡ଼ିଓ ଷ୍ଟେସନରେ କାଜୁଆଲ ରୋଲରେ କାମକଲି । ସେଠାରେ ବି ସେଇ ଏକ କଥା । ରାତି କଟାଇବାର ନିମନ୍ତ୍ରଣ ବା ଆଦେଶ ଯାହା କୁହ; ପଳେଇଆସିଲି ଶ୍ଵାସରୁଦ୍ଧ ହୋଇ । ତାପରେ ଏଇ ବାରିପଦା । ବାବୁ ସାହିରେ ଘରଭଡ଼ା ନେଇଅଛି । ବାପାଙ୍କର ସମ୍ପତ୍ତିରୁ ଯାହା ମିଳେ ସେଇଥିରେ ଚଳିଯାଏ, ଅଭାବ ହୁଏନି-

 

ମୁଁ ଦୀର୍ଘନିଃଶ୍ଵାସ ତ୍ୟାଗକରି କହିଲି–ତୁମର ଏଡ଼େ ସୁନ୍ଦର ଜୀବନଟାକୁ ନିରର୍ଥକ କରିଦେଲ ମିତୁଅପା ? ସେ କହିଲେ–ଜୀବନର ଗୋଟିଏ ଅର୍ଥ ଶୁଭ । ସେଇ ଅର୍ଥର ଅର୍ଥାନ୍ତର କରିବ କାହିଁକି ? ମୋ ଦେଇ ତାହା ହବନାହିଁ ।

 

ମୁଁ ନୀରବ ହୋଇଗଲି । ଭାଷା ପାଉ ନଥିଲି ଆଉ କିଛି ପଚାରିବା ପାଇଁ । ମିତୁଅପାଙ୍କୁ ମୋର ବି ପଚାରିବା ପାଇଁ ଇଚ୍ଛା ହେଉଥିଲା: ତୁମେ କାହାକୁ ଭଲପାଅ, କିଏ ସେହି ଭାଗ୍ୟବାନ ? କିନ୍ତୁ ମୋ ମନ କଥା ମୋ ମନରେ ରହିଲା । ସେ ମୋ କଥା ପଚାରିଲେ ଏବଂ ଗୌରୀ କଥା ପଚାରି ମୋର ପୂର୍ବ ପ୍ରତିଶ୍ରୁତିକୁ ସ୍ମରଣ କରାଇଦେଇ କହିଲେ–ତୁମେ କେମିତି ଭୁଲିଯାଇପାରିଲ କେଜାଣି । ମୁଁ ତୁମ ପାଖରୁ କିନ୍ତୁ ଅନେକ ଆଶା କରୁଥିଲି । ଏତକ କହିସାରି କାଳେ ମୋତେ ବାଧିବ ବୋଲି ସେ କହିଲେ–କହୁ କହୁ ଜମିଥିବା ଅଭିମାନରେ ଏତେକଥା କହିଦେଲି । କିଛି ମନେ କରିବ ନାହିଁ । ବର୍ତ୍ତମାନ କହ ଗୌରୀ କିପରି ଅଛି, ପିଲାମାନେ କିପରି ଅଛନ୍ତି । ମୁଁ କେବଳ କହିଲି : ଭଲ ।

 

ଜଳଖିଆ ବାଢ଼ିଦେଇ କହିଲେ ମିତୁଅପା–ଆଜି ଜଳଖିଆ ଖାଅ, ଆଉ ଦିନେ ରାନ୍ଧିକରି ଖୁଆଇବି । ମୁଁ ଜଳଖିଆରେ ହାତଦେଇ କହିଲି–କେବଳ ଦିନେ ରାନ୍ଧି ଖୁଆଇବ ମିତୁଅପା ? ସେ ହସିଦେଇ କହିଲେ, ବେଶୀଦିନ ଖାଇଲେ ଗୌରୀ କଅଣ କରିବ, କିଏ ଖାଇବ ତାର ରାନ୍ଧଣା ?

 

ମିତୁଅପା ମୁହଁ ପୋଛିବା ପାଇଁ ତଉଲିଆଟାକୁ ବଢ଼େଇ ଦଉଥିଲେ, ମୁଁ କିନ୍ତୁ କୈଶୋରକୁ ମନେ ପକେଇ ତାଙ୍କରି ପଣତକାନିଟା ଟାଣିନେଇ ମୁହଁ ପୋଛିଦେଇ କହିଲି–କ୍ଷମା କରିବ ମିତୁ ଅପା, ମୁଁ ପନ୍ଦର ବର୍ଷ ତଳକୁ ଫେରି ଯାଉଛି ବୋଲି ।

 

ସେ ଆଉ ଥରେ ବିହ୍ଵଳ ହୋଇଗଲେ ।

 

ଫେରିବା ଆଗରୁ ସେ କହିଲେ–ସନ୍ଦେହମୋଚନ ପାଇଁ କିଛି ପଚାରିବ ନାହିଁ ? ମୁଁ କହିଲି: ନା, ଚତୁର୍ଥୀ ରାତିରେ ଉତ୍ତରେ ଦେଇ ନ ଥିବା କେବଳ ସେଇ ଗୋଟେ ପ୍ରଶ୍ନର ଉତ୍ତର ଯେବେ ସୁବିଧା ମନେ କରିବ ଦେବ, ଆଉ କିଛି ପଚାରିବି ନାହିଁ ।

 

ସେ ତାଙ୍କ ଶୋଇବା ଘରକୁ ନେଇଯାଇ କହିଲେ–ଏଇ ଘରେ ଟିକେ ବସିବନି ?

 

ମୁଁ ସେଇ ଘର ଭିତରକୁ ଯାଇ ସତରେ ମୁଗ୍‍ଧ ହୋଇଗଲି । ଗୋଟିଏ ବଡ଼ ପଲଙ୍କରେ ବିଛଣା ସୁନ୍ଦରଭାବରେ ସଜା ହୋଇଥିଲା । ଧୂପର ବାସ୍ନା ସଞ୍ଚରି ବୁଲୁଥିଲା ଘର ଭିତରେ । ଗୋଟିଏ ଛୋଟ ଟେବୁଲରେ ଗୁଚ୍ଛାଏ ଫୁଲ । କାନ୍ଥରେ ରାଧାକୃଷ୍ଣଙ୍କର ଗୋଟିଏ ବଡ଼ ଛବି । ସେ ମୋ ମୁହଁକୁ ଚାହିଁ କହିଲେ–ଏଥର ଦେଖିଲ ତ ମୋ ଘର ? ମୁଁ କହିଲି–ତୁମ ପାଇଁ ଯୋଗ୍ୟ ବ୍ୟବସ୍ଥା । ତା’ପରେ ଗୋଟିଏ କୋଣରେ ମସିଣାଟିଏ ପରାହୋଇ ତକିଆଟିଏ ଦିଆଯାଇଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ମୁଁ ପଚାରିଲି–ଏଠାରେ ଆଉ କିଏ ଶୁଏ ମିତୁଅପା, ତୁମ ଚାକରାଣୀ ?

 

ସେ ମୁରୁକି ହସି କହିଲେ–ମନଟା ଶୁଏ ପଲଙ୍କରେ, ଦେହଟା ମସିଣା ଉପରେ । ଚାକରାଣୀ ତ ମୋର ନାହିଁ ଭାଇ ।

 

ମୁଁ ବିସ୍ମୟରେ ହତବାକ୍‍ ହୋଇଗଲି । ସେ କିନ୍ତୁ ମୋର ମନଟାକୁ ହାଲୁକା କରିଦେବା ପାଇଁ କହିଲେ–ବଡ଼ ଆଶାଥିଲା ଦିନେ ମାନସ ପୁରୁଷ ସହିତ ମଖମଲ ଚାଦର ପଡ଼ିଥିବା ଗୋଟାଏ ବଡ଼ ପଲଙ୍କରେ ଶୋଇବି ବୋଲି । ସେ ଆଶାଟା ଯେ ଏକାବେଳେ ବ୍ୟର୍ଥ ହୋଇଯାଇଚି ତାହା ନୁହେଁ ଶୁଭ । ବରଂ ଏକଥା କହିପାରେ ସେଇ ଆଶାଟା ଏବେ ବି ବଞ୍ଚିଛି ।

 

ମୁଁ ଅଭିଭୂତ ହୋଇ କହିଲି–ରାତିରେ ତୁମେ ପଲଙ୍କରେ ନ ଶୋଇ ମସିଣା ଉପରେ ଶୁଅ ମିତୁଅପା ? ସେ କହିଲେ–ହଁ, ଦେହଟାକୁ ଶାସନ ନକଲେ ମନଟା ଆହୁରି ଅମାନିଆ ହବନି ? ମୁଁ କଅଣ ମୀରାବାଈ ହୋଇପାରିବି ? ତଥାପି ତାଙ୍କୁଇ ଡାକେ ସେଇ ରସିକରାଜଙ୍କୁ… ।

 

ମୁଁ ତକିଆ ପାଖରେ ଗୋଟେ ଖାତା ଦେଖି ଚମକିପଡ଼ି କହିଲି–ଏଇଟା ? ସେ ମୁହଁ ଉପରେ ଅନୁରାଗର ହସ ଖେଳାଇ କହିଲେ–ଏଇଟା ତୁମର ଦିଆ ସେଇ କବିତା ଖାତା, ମନେଅଛି ? ସମସ୍ତଙ୍କୁ ଛାଡ଼ି ପାରିଲି, କିନ୍ତୁ ଏଇ ଖାତାଟା ଏଯାଏଁ ଅଛି ପାଖରେ, ଛାଡ଼ି ପାରୁନାହିଁ-

 

ମୁଁ ପ୍ରକୋଷ୍ଠ ଭିତରୁ ବାହାରି ଆସିବା ପାଇଁ ପାଦ ବଢ଼ାଇ କହିଲି–ତୁମର ବ୍ରତ ମୁଁ ଭାଙ୍ଗିବି କାହିଁକି ମିତୁଅପା ? ତୁମେ ବରଂ ଏହିପରି ରୁହ, ଏଇଟା ହିଁ ତୁମର ସ୍ଵର୍ଗ । ବିଦାୟ ନେଇ ମୁଁ ଫେରି ଆସିବାବେଳେ ସେ କହିଲେ–ତୁମର ପ୍ରଥମ ପ୍ରଶ୍ନଟାର ଉତ୍ତର ମୁଁ କିନ୍ତୁ ଆଉ ଦେଇପାରିଲି ନାହିଁ ଶୁଭ, କିଛି ମନେ କରିବ ନାହିଁ ।

 

ମୁଁ ଥରେ ପଲଙ୍କ ଉପରକୁ ତ ଆଉ ଥରେ କାନ୍ଥରେ ଟଙ୍ଗାହୋଇଥିବା ରାଧାକୃଷ୍ଣଙ୍କର ଫଟୋଟିକୁ ଅନାଇ ମିତୁଅପାଠାରୁ ସେଦିନ ବିଦାୟ ନେଇ ଆସିଲି ।

☆☆☆

 

ମୋ ଗଳ୍ପର ନାୟକ

 

ମୁଁ ଆଉ ଲେଖୁ ନ ଥିବାରୁ ସଂପାଦକ ଦୁଃଖ କରି ତାଗିଦା ଉପରେ ତାଗିଦା ପଠାଇବାରେ ଲାଗିଛନ୍ତି । ଆଗେ ମୁଁ ଅନେକ ଗଳ୍ପ ଲେଖୁଥିଲି, କିନ୍ତୁ ଏବେ ତାହା କମି ପ୍ରାୟ ନ ଲେଖିବାରେ ପରିଣତ ହେଲାଣି । ଏଥିପାଇଁ ମୋତେ ପ୍ରାୟ ସମସ୍ତେ ଦୋଷ ଦିଅନ୍ତି । ଈଶ୍ଵରଦତ୍ତ ସୃଜନୀ ଶକ୍ତିକୁ ମୁଁ ବ୍ୟବହାର କରୁ ନଥିବାରୁ ବନ୍ଧୁ ଏବଂ ଶୁଭେଚ୍ଛୁମାନଙ୍କର ଅନେକ ଦୁଃଖ । କିନ୍ତୁ ସେମାନେ ଯଦି ମୋ ମନକଥା ଜାଣିବାକୁ ପ୍ରୟାସ କରନ୍ତେ ମୋ ଉପରେ ଏକତରଫା ଭାବରେ ଯେ ଦୋଷ ଲଦିଦେଇ ପାରନ୍ତେ ନାହିଁ, ଏହା ନିଃସନ୍ଦେହରେ କହିପାରେ ।

 

ଗୋଟିଏ ଦିନ ଅନ୍ୟଠାରୁ ପୃଥକ୍ । ଗୋଟିକର ବୈଚିତ୍ର୍ୟ ଅନ୍ୟଟିରେ ନାହିଁ ବା ଅନ୍ୟଟିର ରହସ୍ୟମୟ ବିଚିତ୍ରତା ଆହୁରି ଅଧିକ ଲୋମହର୍ଷକ । ତେଣୁ ଗୋଟିଏ ଦିନ ଜୀବନର ବହୁ ଦିନମାନଙ୍କର ମଧ୍ୟରୁ ଏକାଂଶ ହେଲେ ମଧ୍ୟ ପ୍ରତ୍ୟେକ ଦିନର ସ୍ଵକୀୟ ଦୀପ୍ତି ରହିଛି । ଖାଲି ଆଖିକୁ ଏହା ଦେଖାଯାଏ ନାହିଁ । ରୁଦ୍ଧ ମନରେ ଏହାକୁ ଚିହ୍ନି ହୁଏ ନାହିଁ । ଏଥିଲାଗି ଗ୍ରହଣ କରିବାର ଶକ୍ତି ଥିବା ଦରକାର । ମୁଁ ପ୍ରତିଦିନ ସକାଳେ ମୋ ନିଜ କାମରେ ଘରୁ ବାହାରି ଗଲାବେଳେ ଘର ଦୁଆରେ ବନ୍ଧା ହୋଇଥିବା ପୋଷା ନେଉଳଟିକୁ ଦେଖେ । ତାର ନାମ ହରି ହରି-। ଏବେ ବେଶ୍‍ ବଡ଼ ହେଲାଣି । ତାର ଦେହରେ ସକାଳର ନରମ ଖରା ପଡ଼ି ଚିକ୍‍ ଚିକ୍‍ କରି ଉଠିଲେ ସେ ଏତେ ସୁନ୍ଦର ଦିଶେ ଯେ ମୁଁ ତା ପିଠି ଆଉଁସି ଚାଲିଗଲାବେଳେ ସେ ସବୁ ଶୁଭ ହେବ ବୋଲି ସ୍ଵସ୍ତିବାଚନ କରେ ।

 

ମୋ ମନରେ ସମ୍ପାଦକଙ୍କ ଅନୁରୋଧ ଲାଗିରହେ । ଚରିତ୍ର ନ ଥାଇ ଗଳ୍ପ ରଚନା କରିହୁଏ ନାହିଁ । ମୁଁ କାମକୁ ନ ଯାଇ ମୋର ଚରିତ୍ରମାନଙ୍କୁ ଖୋଜିବା ପାଇଁ ଘୂରିବୁଲେ । ସମୟ ସରିଯାଏ ଜଲ୍‍ଦି । ଘର ଉପରର ଖରା କାନ୍ଥ ତଳକୁ ଖସେ, ଖାଲି ଆକାଶରେ ବାୟୁକୋଣରୁ ମେଘ ଖଣ୍ଡେ ଉଡ଼ିଆସି ଛନ୍ଦିହୁଏ, କିନ୍ତୁ ମୋ ଆଖିରୁ ଖୋଜିବାର ନିଶା ଛାଡ଼େ ନାହିଁ କି ମୁଁ ମୋ ଚରିତ୍ରମାନଙ୍କୁ ଆବିଷ୍କାର କରି ଦୁଃଖ ସୁଖ ହୋଇ ଆଜି ଦିନଟି ଭଲରେ କଟିଲା ବୋଲି ମୁହଁରେ ପ୍ରସନ୍ନତାରେ ପ୍ରମାଣପତ୍ର ଲେଖିଦେଇ ପାରେ ନାହିଁ ।

 

ପ୍ରତ୍ୟକ ଦିନର ଆହ୍ଵାନ ବିଭିନ୍ନ ପ୍ରକାର । ପ୍ରତ୍ୟାଶିତ ଅପେକ୍ଷା ଅପ୍ରତ୍ୟାଶିତ ସହିତ ସାକ୍ଷାତ ହୁଏ ଅଧିକ । ମୋ ଘରୁ ରାସ୍ତା ଉପରକୁ ଗଡ଼ିଗଲେ ମୋଡ଼ ଉପରେ ଯୋତାର ରଙ୍ଗ ଦେବାପାଇଁ ଯେଉଁ ପିଲାଟି ବସେ ତାକୁ ଦେଖି ନ ଦେଖିବା ପରି ମୁଁ ଯୋତାରେ ରଙ୍ଗ ଲଗାଇ ତା ହାତରେ ପଚିଶ ପଇସା ପକେଇଦେଇ ଚାଲିଯାଏ । ସେ ସମସ୍ତଙ୍କଠାରୁ ପଚାଶ ପଇସା ନିଏ, କିନ୍ତୁ ମୁଁ ତା ପାଖରେ ନିୟମିତ ଭାବରେ ପ୍ରତିଦିନ ଯୋତା ରଙ୍ଗ କରୁଥିବାରୁ ସେ ମୋତେ ଏତିକି କନସେସନ୍‍ ଦେଇଛି । ପିଲାଟିର ବୟସ ସତର ଅଠର ମଧ୍ୟରେ । ମୁଁ ତାକୁ ନ ଚାହିଁ ପାଦ ବଢ଼ାଇବା କ୍ଷଣି ସେ ଯୋତା ଉପରେ ବ୍ରସ୍‍ ବୁଲାଇ ମୋତେ ନ ଚାହିଁ କହେ–ପୁରୁଣା ହୋଇ ଆସିଲାଣି, ନୂଆ ହଳକ ସୁବିଧା କରି କିଣି ନିଅନ୍ତୁ । ମୁଁ ବିରକ୍ତ ହୁଏ, ଅଦାବେପାରୀ ଜାହାଜର ମୂଲ କାହିଁକି କରେ ବୋଲି ମନକୁମନ ପ୍ରଶ୍ନ କରେ, କିନ୍ତୁ ତା ମୁହଁକୁ ଚାହିଁଦେଇ ତାର ଆଖି ଯୋଡ଼ିକରେ କଅଣ ଦେଖେ କେଜାଣି ଆଉ କିଛି କହି ନ ପାରି ରହିଯାଏ ।

 

ସେ ପିଲାର ରଙ୍ଗ ବାକ୍ସର ଗୋଟେ ଡବାରେ ଦୁଇଟା ଟଙ୍କା ଏବଂ କେତୋଟି ପଇସା ଆଖିରେ ପଡ଼େ । ମୁଁ ତାକୁ କିଛି ନ କହି ତା ହାତକୁ ପଚିଶ ପଇସା ବଢ଼େଇ ଦେଇ ଚାଲିଯାଏ । ଯୋତା ସଫା କରାଇବା ଗୋଟାଏ ବାହାନା ମାତ୍ର; ତାକୁ ସାହାଯ୍ୟ କରୁଥିବାରୁ ମୋ ମନରେ ଗର୍ବ ଟିକେ ବି ହୁଏ, କିନ୍ତୁ ସେଇ ପିଲାର ଦୃଷ୍ଟିରୁ କଅଣ ଥାଏ କେଜାଣି, ସେ ମୋତେ ଉପେକ୍ଷା କଲାପରି ମନେ ହୁଏ । ପ୍ରତି ମୁହୂର୍ତ୍ତରେ ଜୀବନ ଯନ୍ତ୍ରଣାକୁ ନୀଳକଣ୍ଠ ପରି ଭକ୍ଷଣ କରୁଥିବା ଏହି ପିଲାଟିର ଔଦ୍ଧତ୍ୟ ସୀମା ଅତିକ୍ରମ କରୁଥିବା ପରି ଲାଗେ ମୋତେ । ସେ ଆଉ ଟିକେ ବଶମ୍ବଦ ହୋଇ ମୋର କାରୁଣ୍ୟ ଭିକ୍ଷା କଲେ ମୁଁ ଯେ ଅନାୟାସାରେ ଆହୁରି କିଛି ତାକୁ ଦିଅନ୍ତି, ତାହା ସେ ଜାଣି ମଧ୍ୟ ଅଜଣା ପରି ରହିଯାଏ । ମୋ ପକେଟ ଭିତରେ ପଡ଼ିରହେ ପଇସା । ହାତ ଉଠେନି ଦବାକୁ । ମନ ହୁଏନି କରୁଣା କରିବାକୁ । ଏଭଳି ଅପାତ୍ରରେ ଦାନ ଦେବା ମଧ୍ୟ ଅନୁଚିତ । ମୁଁ ଆଗେଇ ଚାଲେ ।

 

ମୋ କାହାଣୀର ବିଭିନ୍ନ ଚରିତ୍ର ମନେ ପଡ଼ନ୍ତି । ସେମାନଙ୍କୁ ମୁଁ ଖୋଜୁଚି ତ ଖୋଜୁଚି । ଆଉ ଦେଖା ସାକ୍ଷାତ ହେଉନାହିଁ । ମୁଁ ତ ସ୍ଵର୍ଗର କିନ୍ନରମାନଙ୍କର କଥା ଲେଖିନାହିଁ, ଏହି ମର୍ତ୍ତ୍ୟର ମାନବମାନଙ୍କ କଥା ଲେଖିଛି । ସେମାନଙ୍କ ଦୁଃଖ ସୁଖ ପ୍ରକାଶ କରିଛି ମୋ ପୂର୍ବ ଲେଖାରେ । ସେମାନଙ୍କର ଚରିତ୍ର ଜୀବନ୍ତ ହୋଇ ଉଠିଛି ମୋ ଲେଖନୀରେ । ତଥାପି କାହିଁକି ଯେ ସେମାନଙ୍କ ସହିତ ସାକ୍ଷାତ ହୁଏନାହିଁ, ମୁଁ ଜାଣି ନ ପାରି ହତାଶ ହୁଏ । ମୋ ଭିତରେ ଶୂନ୍ୟତାବୋଧଟି ବିସ୍ତୃତ ହୁଏ, ମୁଁ କ୍ଳାନ୍ତ ହୋଇ ଘରକୁ ଫେରିଆସେ ଚିଠି ଖୋଲି ପଢ଼େ, ଆଉ ଗଳ୍ପ ଲେଖିପାରେ ନାହିଁ । ଚରିତ୍ର ନ ଥାଇ ଘଟଣା ସୃଷ୍ଟି ହୁଏନାହିଁ ।

 

ସମ୍ପାଦକଙ୍କର ଆଉ ଗୋଟେ ଚିଠି । ଅନୁନୟ ବିନୟ ଶେଷ ହୋଇଛି । ଏବେ ଖାଲି ଅଭିମାନ । ସେ ଲେଖୁଛନ୍ତି ଯେ ଲେଖକ ବଡ଼ ହୋଇଗଲେ ଆଉ ଏପରି ପଛକୁ ଅନାଏ ନାହିଁ । ତା ଚାରିପାଖରେ ତାକୁ ଆଶ୍ରୟ କରି ଚଳୁଥିବା ଲୋକମାନେ ମଧ୍ୟ ସେହିପରି ଆଉ ତା ଦୃଷ୍ଟିରେ ପଡ଼ନ୍ତି ନାହିଁ । ସେ ମୁହଁ ଉପରକୁ କରି ଚାଲିଯାଏ, ଯେମିତି ମୁଁ ପଚିଶ ପଇସା ଦେଇ ଯୋତା ସଫା କରେଇ ଚାଲିଯାଏ ଆଗକୁ ।

 

ହଠାତ୍ ଅବସନ୍ନ ବୋଧକଲି । ମୋ ଲେଖାର ଗୁରୁତ୍ଵ ବେଶୀ ବୋଲି ମୁଁ ଆଜି ଯେପରି ନୂଆକରି ଅନୁଭବ କରୁଛି, କିନ୍ତୁ ଆଦୌ ଉଲ୍ଲାସିତ ହୋଇପାରୁ ନାହିଁ । ମୋ ଚାରି ପାଖରେ ହସନ୍ତ ପୃଥିବୀ ବିଷଣ୍ଣ ହୋଇ ଉଠିଚି ।

 

ଏଇ ପୃଥିବୀ କେଉଁ ଅନାଦି କାଳରୁ ପଡ଼ିରହିଛି ଇମିତି । କେତେ ଲୋକ ଆସିଲେଣି ଏବଂ ଗଲେଣି । ଯିବା ଆସିବାର ଅନିତ୍ୟତା ଭିତରେ ଯେଉଁ ନିତ୍ୟଚିରନ୍ତନ ରୂପଟି ପ୍ରକଟିତ ହୁଏ ତାହା ଏଇ ପୃଥିବୀ । ସବୁ ପରିବର୍ତ୍ତନ ମଧ୍ୟରେ ସେ ଅଛି ଏବଂ ରହିଥିବ । କାହିଁକି କେଜାଣି ଖୁବ୍‍ ଛୋଟ ଲାଗିଲା ନିଜକୁ, ପୃଥିବୀର ଅଣୁ ପରମାଣୁଠାରୁ ବି ମୋର ସ୍ଥିତି ଆହୁରି ନଗଣ୍ୟ, ଆହୁରି ଅର୍ବାଚୀନ ମନେହେଲା । ମୋର ସମୟ ସେହି ଅନନ୍ତ ସମୟର ଆରମ୍ଭ ନୁହେଁ କି ଶେଷ ମଧ୍ୟ ନୁହେଁ–ସେହି ଚିରପ୍ରବାହମାନ ସ୍ରୋତ ମଧ୍ୟରେ ଗୋଟିଏ ବୁଦ୍‍ବୁଦ୍‍ର ସ୍ଫୀତି ମଧ୍ୟ ନାହିଁ ମୋ ସମୟର । ଛି ଛି… । ମନକୁ ମନ ଧିକ୍କାର କଲି । ମନର ପୁଞ୍ଜିଭୂତ ଅହଙ୍କାରଗୁଡ଼ା ସାବୁନରେ ଫେଣ ପାଣିରେ ମିଳେଇ ଯିବା ପରି ମିଳେଇ ଗଲା ।

 

ମୁଁ ପୁଣି ଫେରି ଆସିଲି ଏଇ ମର୍ତ୍ତ୍ୟକୁ । ଏହି ପୃଥିବୀର ଗ୍ରୀଷ୍ମ, ବର୍ଷା, ଶୀତ ଓ ବସନ୍ତ ସମ୍ପର୍କରେ ମୁଁ କେତେ ଚିତ୍ର ଆଙ୍କିଛି, ପାରିପାର୍ଶ୍ଵିକ ଅବସ୍ଥାରେ ଚରିତ୍ରମାନଙ୍କର କ୍ରିୟା ଓ ପ୍ରତିକ୍ରିୟାକୁ ବର୍ଣ୍ଣନା କରିଛି, କିନ୍ତୁ ସେଭଳି ଗୋଟିଏ ଘଟଣା, ଗୋଟିଏ ଚରିତ୍ର ମୋ ଆଖି ଆଗରେ ପଡ଼ୁନାହିଁ । ସବୁ ବର୍ଣ୍ଣନା ଯେପରି ଅବାସ୍ତବ, ଅସତ୍ୟ । ଏପରି ଏକ ସଙ୍କଟରେ ପଡ଼ିବି ବୋଲି ମୁଁ ସ୍ଵପ୍ନରେ ମଧ୍ୟ ଭାବି ନଥିଲି । ମୁଁ ଆଜି ପର୍ଯ୍ୟନ୍ତ କେବଳ ବାହାସ୍ପୋଟ ମାରି ଆସୁଥିଲି ଯେ ମୋର ଗଳ୍ପର ଚରିତ୍ର ଓ ପରିବେଶ ସବୁ ବାସ୍ତବ, ଜୀବନ ସହିତ ସେମାନଙ୍କର ମୁହାଁମୁହିଁ ସାକ୍ଷାତ ଘଟେ ପ୍ରତି ମୁହୂର୍ତ୍ତରେ । କିନ୍ତୁ ହାୟ ! ମୁଁ ସେମାନଙ୍କୁ ଦେଖିଲି ନାହିଁ କି ସେମାନେ ମୋତେ ସ୍ରଷ୍ଟା ବୋଲି କାନ୍ଧରେ ବସାଇ ବିଜୟୋଲ୍ଲାସରେ ହିପ୍ ହିପ୍‍ ହୁରେ କହି ନୃତ୍ୟ କଲେ ନାହିଁ । ମୁଁ ତା’ହେଲେ କଅଣ ଏକ ବିଫଳ ଲେଖକ ? ଆଉ ତାହା ଯଦି ସତ୍ୟ, ତା’ହେଲେ ସମ୍ପାଦକ ମୋ ପଛରେ ଦୌଡ଼ିଛନ୍ତି କାହିଁକି ? ସେ ବି ହୁଏତ ସେହିପରି ସ୍ଵପ୍ନ ପଛରେ ଧାଇଁଥିବେ, ଆଲୋକକୁ ସାମ୍ନା କରିବାର ସାହସ ନ ଥିବ ତାଙ୍କର ।

 

ବଡ଼ ଅସହ୍ୟ ମନେ ହେଉଥାଏ । ସବୁ ଯେପରି ଅନିଶ୍ଚିତ ହୋଇ ଉଠୁଛି । ସିଂହାସନ ଦଖଲ କରିଥିବା ମୋର ନାୟକମାନଙ୍କୁ ମୁଁ ଆଉ ଖୋଜି ବାହାର କରିପାରୁ ନାହିଁ । ସେମାନେ ବୋଧହୁଏ ସମସ୍ତେ ଗାଦିଚ୍ୟୁତ ହେଲେଣି ।

 

ସେଇ ଯୋତା ସଫା କରୁଥିବା ପିଲାଟିକୁ ମୁଁ ପଚିଶି ପଇସାର ମଣିଷ ଭାବି କେବଳ ଅବଜ୍ଞା କରି ଆସିଛି । ତାକୁ ଦୟା ଦେଖାଇବାକୁ ଯାଇ ତା ହାତ ପାଖକୁ ପାଦ ବଢ଼େଇ ଦେଇଛି । କିନ୍ତୁ ତାର ମୁହଁକୁ ଅନାଇ ନାହିଁ, ତା ଆଖିର ଚାହାଣି ମୋତେ ଅନୁସରଣ କରିଛି ସତ୍ୟ ମୁଁ କିନ୍ତୁ ପଳେଇ ଯାଇଛି ଦୂରକୁ… ଅନେକ ଦୂରକୁ । ସେଇ ପିଲାଟାର ଦେହରେ ଏତେ ମଳି ଯେ, ତାକୁ ଛୁଇଁବାକୁ ବି ମୁଁ ଘୃଣା କରେ । ଅଥଚ ସେ ମୋର ଯୋତାର ଧୂଳି ଝାଡ଼ି ସଫା କରେ ଏବଂ ରଙ୍ଗ ଲଗାଇ ଦେଇ ଚକ୍‍ଚକ୍‍ କରିଦିଏ । ଦିନେ ଦିନେ ସେ ଏତେ ଚମତ୍କାର ଭାବରେ ସେଇ କାମଟି କରେ ଯେ, ସେଥିରେ ସେ ନିଜେ ମୁଗ୍‍ଧ ହୋଇ କହେ–ଏମିତି କିଏ କରିବ…, ମୋ ନିଜ ମୁହଁ ଦେଖାଯାଉଛି ଯୋତା ଉପରେ… ଆପଣ ନିଜେ ଦେଖନ୍ତୁ… ନିଜର ମୁହଁ ଦେଖିପାରିବେ… ।

 

ଛି ଛି… ଯୋତା ଉପରେ ମୁଁ ନିଜର ପ୍ରତିବିମ୍ବ ଦେଖିବି ? ତା କଥା ଶୁଣି ମୁଁ ଚମକିପଡ଼େ-। ପିଲାଟାର ସଂସ୍କୃତି ଜ୍ଞାନ ନାହିଁ ବୋଲି କ୍ଷମା କରିଦିଏ । କିନ୍ତୁ ମନ ଭିତରେ କଅଣ ଗୋଟେ ଖଚ୍‍ଖଚ୍‍ କରିବାକୁ ଲାଗେ । ମୁଁ ଦର୍ପଣରେ ପ୍ରତିଦିନ ନିଜର ପ୍ରତିବିମ୍ବ ଦେଖେ । ମୋ ଆଖିକୁ, ନାକକୁ, ଗାଲ ଓ କେଶକୁ, ଓଠ ଓ ହସକୁ ମନେମନେ ତାରିଫ୍‍ କରେ । ମୋ’ପରି ଆଉ କେହି ଯେ ନାହିଁ ବା ହୋଇ ନ ପାରେ ଏହି ଅସ୍ଫାଳନ ଜାଗେ ମନରେ ଏବଂ କ୍ରମେ କ୍ରମେ ଏହି ଧାରଣାଟି ମନ ଭିତରେ ସ୍ଥାୟୀ ହୋଇଯାଏ ଯେ ମୁଁ ଏକକ, ଅନନ୍ୟ ଓ ଅଦ୍ଵିତୀୟ । ଏଇ ଯୋତା ରଙ୍ଗ କରୁଥିବା ପିଲାଟା ନଗଣ୍ୟ ନାବାଳକ, ତା କଥାର ଗୁରୁତ୍ଵ ନାହିଁ କି ମହତ୍ଵ ନାହିଁ ।

 

ଏଇ କେତେଦିନ ହେବ ମୁଁ ଖୁବ୍ ବ୍ୟସ୍ତ ହୋଇପଡ଼ିଛି । ସମୟ ଅଣ୍ଟୁନାହିଁ ଅନ୍ୟ କଥା ଭାବିବା ପାଇଁ । ସବୁ ସୁଯୋଗଗୁଡ଼ା ନିଜ କାମରେ ଲଗେଇ ମଧ୍ୟ ମୁଁ ହନ୍ତସନ୍ତ ହୋଇଗଲିଣି । ସଫଳତା ତ ଦୂରର କଥା, ତା’ପାଖରେ ପହଞ୍ଚି ପାରୁନାହିଁ । ସମୟ ଘୁଞ୍ଚି ଘୁଞ୍ଚି ଯାଉଛି । ଅସଫଳ ମଣିଷର ଅସହାୟବୋଧ ମୋତେ ନିଷ୍ପେଷିତ କରୁଛି ।

 

ମୋ ନିଜର ମୁହଁ ଦେଖିବାକୁ ମୋତେ ଡର ଲାଗୁଛି, ଆଖିର ଜ୍ୟୋତି ନିଷ୍ପ୍ରଭ ହୋଇଗଲାଣି । ମୁହଁର ହସ ଟିକକ ଶୁଖିଗଲାଣି । ଭିତରର ଦମ୍ଭ ଭାଙ୍ଗି ଗଲାଣି । ପାଦରେ ଆଉ ବଳ ରହୁନି ପୂର୍ବପରି । ହାତ ଅସକତ ହୋଇ ଉଠିଲାଣି ।

 

ଡାକ୍ତର ଶେଷ କଥା କହିଦେଇ ସାରିଲେଣି । ମୁଁ ଆଉ ନିଜ ବଳରେ ବଞ୍ଚିପାରିବି ନାହିଁ-। ଆଉ କାହାର ସାହାଯ୍ୟ ଲୋଡ଼ା । ଯିଏକି ନିଜ ଜୀବନକୁ ପାଣି ଛଡ଼େଇ ମୋତେ ନିଜର ଗୋଟିଏ କିଡ଼୍‍ନି ଦେଇପାରିବ ମୋର ନଷ୍ଟ ହୋଇଯାଇଥିବା କିଡ଼୍‍ନି ସ୍ଥାନରେ ଟ୍ରାନ୍‍ସପ୍ଲାଣ୍ଟ କରିବାପାଇଁ । ସେହି କଥା ଶୁଣିବା ପରେ ମୁଁ କଳା ପଡ଼ିଗଲିଣି । ମୋତେ ବଞ୍ଚେଇବା ଲାଗି ଆଉ ଜଣେ ବ୍ୟକ୍ତି ଆବଶ୍ୟକ ହେଉଛି । ମୁଁ ଆଉ ନିଜ ଉପରେ ନିଜର ଭରସା ରଖିପାରୁ ନାହିଁ-

 

ଏଇକଥା ଜାଣିବା ଦିନୁ ମୁଁ ଖୋଜୁଛି, ମୋ ଚରିତ୍ରମାନଙ୍କୁ ଖୋଜୁଛି । ଟିକେ ଆଶା ଓ ଆଶ୍ଵାସନା ଖୋଜୁଛି… ଖୋଜୁଛି ଜଣକୁ, ଯିଏ ମୋତେ ଦମ୍ଭ ଦବ ଏବଂ ଫୁଟୁକିମାରି କହିବ–… ହଁ…ଏଇ କଥାକୁ, ନାଆ ପେଲିଦିଅ କଲିକତାକୁ…ମୁଁ ତ ଅଛି… ତୁମେ ଏତେ ଡରିଯାଉଛ କାହିଁକି…ସାହସ ରଖ, ଆଶା ରଖ… ।

 

ସମ୍ପାଦକ ନିଶ୍ଚୟ ଜଣେ ମହାନ୍‍ ବ୍ୟକ୍ତି ହୋଇଥିବେ । ସେ ମୋର ଦୁର୍ଦ୍ଦଶା ଏବଂ ଦୁଃଖର କାହାଣୀ ଶୁଣି ନିଜେ ହୁଏତ ସବୁ କାମ ଛାଡ଼ି ଦଉଡ଼ି ଆସିବେ । ଆଜି ସିନା ମୁଁ ତାଙ୍କ କହିବା ଅନୁସାରେ ଗଳ୍ପଟିଏ ଲେଖିପାରୁନାହିଁ କିନ୍ତୁ ଦିନେ ତ ପୁଣି ତାଙ୍କରି ପତ୍ରିକାର ପ୍ରାୟ ପ୍ରତି ସଂଖ୍ୟାରେ ମୋର ଗଳ୍ପ ପ୍ରଥମ ସ୍ଥାନ ମଣ୍ଡନ କରୁଥିଲା । ମୋ ପ୍ରତି ତାଙ୍କର ଅନୁରାଗ ନିଶ୍ଚୟ ଶିଥିଳ ହୋଇ ନ ଥିବ । ସେ କଦାପି ଅକୃତଜ୍ଞ ହୋଇପାରିବେ ନାହିଁ । ମୁଁ ଅନେକ ଆଶା ରଖି ତାଙ୍କୁ ଗୋଟେ ଲମ୍ବା ଚିଠି ଲେଖିଦେଲି ଏବଂ ତିନି ଚାରିଦିନ ଭିତରେ ତାଙ୍କୁ ମୋ ପାଖରେ ଛିଡ଼ାହୋଇ ଦମ୍ଭ ଦେବାଲାଗି ଅନୁରୋଧ କରି ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଲି ।

 

ସମ୍ପାଦକ ଆସିଲେ ନାହିଁ । ନିକଟତମ ଅନେକ ବନ୍ଧୁବାନ୍ଧବମାନେ ମଧ୍ୟ ନିଜ ନିଜର ଜୀବନ ଯନ୍ତ୍ରଣା ଯୋଗୁଁ ଆସି ପାରିଲେ ନାହିଁ । କେତେକ ଆସିପାରୁ ନ ଥିବାରୁ ସାନ୍ତ୍ଵନା ଦେଇ ଚିଠି ଲେଖି ଜଣାଇଲେ ଯେ ମୁଁ ଆଦୌ ବିଚଳିତ ହେବା ଉଚିତ ନୁହେଁ, ସବୁ ଠିକ୍ ହୋଇଯିବ । ଆଉ କେହି କେହି ଟେଲିଗ୍ରାମ୍‍ ପଠାଇ ନିଜର ଉଦବେଗ ପ୍ରକାଶ କଲେ । କେହି କେହି ବି ମୋର ଆଶୁଆରୋଗ୍ୟ କାମନା କରି ଭଗବାନଙ୍କ ପାଖରେ ପ୍ରାର୍ଥନା ପେସ୍‍ କରୁଥିବାର ଜଣାଇଲେ । ଯେଉଁ କେତେଜଣ ଆସି ଦେଖିଗଲେ, ସେମାନଙ୍କୁ ମୁଁ ଯେତେବେଳେ କିଡ଼୍‍ନି ଟ୍ରାନ୍‍ସପ୍ଲାଣ୍ଟେସନ୍‍ କଥା କହିଲି, ସେମାନେ କହିଲେ ଏଇଟା ଆଉ ଗୁରୁତର ବିଷୟ ହୋଇ ରହି ନାହିଁ । ସେମାନେ ସିନା ନିଜର କିଡ଼୍‍ନି ଦାନ କରିପାରୁ ନାହାନ୍ତି, କିନ୍ତୁ ହଠାତ୍‍ କେହି ନା କେହି ଦାନୀ ଶେଷ ମୁହୂର୍ତ୍ତରେ ଜୁଟିଯିବ, ଏଥିରେ ସନ୍ଦେହ ନାହିଁ । ସେମାନଙ୍କର ସାନ୍ତ୍ଵନା ମୋତେ କିନ୍ତୁ ଆଶା ବା ଭରସା କିଛି ଦେଇନାହିଁ । ବରଂ ସେମାନଙ୍କ ଉତ୍କଣ୍ଠାବୋଧ ଆହୁରି ପରିଷ୍କାର ହୋଇ ମୋର ସଙ୍କଟକୁ ଦୁଇଗୁଣ କରିଦେଲା । ଅଥଚ ସେମାନଙ୍କ ମଧ୍ୟରୁ ଅନେକଙ୍କର ମୁଁ ଅନେକ କରିଛି, ଏପରି କି ନିଜକୁ ବିପନ୍ନକରି କେତେକଙ୍କୁ ସାହାଯ୍ୟ କରିଛି, କିନ୍ତୁ ମୋର ସଂକଟ ସମୟରେ ସେମାନେ ଯେ ଏପରି ଭାବରେ ବୀରତ୍ଵର ସହିତ ପଛଘୁଞ୍ଚା ଦେବେ, ତାହା ତ ମୁଁ କଳ୍ପନା ବି କରି ନ ଥିଲି ।

 

ପୃଥିବୀଟା ବୋଧହୁଏ ଏହିପରି । ଈଶ୍ଵର ବୋଲି ଜଣେ କେହି ପରମ ଦୟାଳୁ ଅଛନ୍ତି ବୋଲି ମୋର ମଧ୍ୟ ଏଯାଏ ବଦ୍ଧମୂଳ ବିଶ୍ଵାସ ଥିଲା, କିନ୍ତୁ ମୋ ପରି ଜଣେ ନିରୀହ ପରୋପକାରୀ ବ୍ୟକ୍ତିର ସଂଙ୍କଟ ସମୟରେ ତାଙ୍କର ଉପସ୍ଥିତ ବା ଅନୁକମ୍ପା ବି ଅନୁଭବ କରିପାରିଲି ନାହିଁ । ରୋଗଟା ଭିତରେ ପ୍ରଚ୍ଛନ୍ନ ଥିଲା ଏଯାଏଁ । ଏବେ ବଢ଼ିବାରେ ଲାଗିଛି । ଅଙ୍ଗପ୍ରତ୍ୟଙ୍ଗରେ ନାନାଦି ଉପସର୍ଗ ଦେଖା ଦେଲାଣି । ଆଗେ ଡାକ୍ତରମାନେ ରୋଗ ନିର୍ଣ୍ଣୟ କରିପାରୁ ନ ଥିଲେ । ଏବେ ନିଃସନ୍ଦେହରେ କଅଣ ହୋଇଛି କହିଦେଇ ପାରୁଛନ୍ତି । କିଏ କହେ ଯେ ଏବେ ବି ସମୟ ଅଛି ଭେଲୋର୍‍ ଯାଅ, ଆଉ କିଏ ଅଧିକ ନିଶ୍ଚିନ୍ତ ହେବା ପାଇଁ କହେ ଯେ ଆମେରିକା ନ ଯାଇ ପାରିଲେ ବି ଦିଲ୍ଲୀର ଅଲ୍ଇଣ୍ଡିଆ ଇନ୍‍ଷ୍ଟିଚିଉଟ୍‍ ଯିବା ଦରକାର । ବିଳମ୍ବେ କାର୍ଯ୍ୟନାଶ । ଶୁଭସ୍ୟ ଶୀଘ୍ରମ୍ ।

 

ମୋର କିନ୍ତୁ ସାହସ ହୁଏନାହିଁ । ମରଣ ମୁହଁକୁ ଠେଲି ହୋଇଯିବା ବେଳେ ନିରୀହ ଛେଳିଟିର ଆଖିରେ ଯେପରି ପୃଥିବୀର ସବୁ ଭୟ ସମସ୍ତ ଆକୁଳତା ମୂର୍ତ୍ତ ହୋଇଉଠେ, ମୋ ଆଖିରେ ବି ଯେ ଠିକ୍‍ ସେତିକି ଭୟ, ସେତିକି ଆକୁଳତା ଫୁଟିଉଠୁଥିବ, ଏହା ମୁଁ ନ କହିଲେ ବି ଅନ୍ୟ ଯେ କେହି ମୋତେ ଦେଖିବା ପରେ କହିଦେଇ ପାରିବ । ମୋ ଆଖିର ଦୃଷ୍ଟିରେ ଆଉ ସେଇ ଦମ୍ଭ ନାହିଁ କି ମୁହଁରେ ଦମ୍ଭୋକ୍ତି ନାହିଁ । ଯୋତା ରଙ୍ଗ କରୁଥିବା ସେଇ ପିଲାଟି ଆଗରେ ଛିଡ଼ା ହେବା ଲାଗି ମୋର ପାଦରେ ଶକ୍ତି ନାହିଁ । ତା ମୁହଁକୁ ଇଚ୍ଛା କରି ବି ଚାହିଁବାକୁ ସାହସ ହୁଏ ନାହିଁ ବରଂ ଏବେ କେତେଦିନ ହେବ ଯୋତାଟି ଆଉ ରଙ୍ଗ ନ ଲଗାଇ ଲୁଚି ଲୁଚି ଅନ୍ୟ ବାଟଦେଇ ପଳେଇ ଯାଉଚି ।

 

ସେଇ ପିଲାଟି କିନ୍ତୁ ଖୁବ୍ ଅବାଧ୍ୟ । ମୋ ପରି ଜଣେ ଗରାଖ ହାତଛଡ଼ା ହୋଇଯିବା ତା ପକ୍ଷରେ କ୍ଷତିର କଥା । ତେଣୁ ସେ ମୋତେ ଖୋଜୁଥିବାର ମୁଁ ଦୂରରୁ ଥାଇ ଲକ୍ଷ୍ୟ କଲି କିନ୍ତୁ ତା ଆଗରେ ଛିଡ଼ାହୋଇ ମୁହାଁମୁହିଁ ତା ଆଖିରେ ଆଖି ରଖିବାର ଦୁଃସାହସ କରିପାରିଲି ନାହିଁ । ମୋ ମୁହଁରେ ସବୁ ହସ ହଠାତ୍‍ ଲିଭିଯାଇ ତାରି ମୁହଁର ହସରେ ପ୍ରକାଶ ପାଇଛି କୁଣ୍ଠା ନ କରି । ସେ ନିର୍ଭିକ ବିଜୟୀ ବୀର ପରି ପଦେ ପଦେ ଆଗେଇ ଯାଇଛି ଜୀବନ ସହିତ ଯୁଝିବା ପାଇଁ, ଜୀବନରେ ସବୁ ଯନ୍ତ୍ରଣାକୁ ନୀଳକଣ୍ଠପରି ପାନକରିବା ପାଇଁ । ମୋତେ ଲାଗିଲା ଯେପରି ସେ ସବୁ ପାରିବ, ସେ ମୋଠାରୁ ଅନେକ ସାହସୀ, ଅନେକ ସୌଭାଗ୍ୟବାନ ।

 

ଶେଷରେ ଭେଲୋର ଯିବାଲାଗି ମୁଁ ପ୍ରସ୍ତୁତ ହେଲି । କିଡ଼୍ନି ଟ୍ରାନ୍‍ସପ୍ଲାଣ୍ଟେସନ୍‍ ପାଇଁ କେହି ଦାତା ମିଳୁ ନଥିଲେ ବି ସେଠାକୁ ଯାଇ ଗୋଟେ ଚାନ୍‍ସ ନେବାଲାଗି ସ୍ଥିର କଲି । ମୃତ୍ୟୁ ଯେତେବେଳେ ନିଶ୍ଚିତ ସେତେବେଳେ ରୋଗର ଚିକିତ୍ସା ନକରି ମରିବା, ଋଣକ୍ଷେତ୍ରରେ ଭୀରୁ ପରି ମରିବା ସହିତ ସମାନ । ମୃତ୍ୟୁ ଆସିବ ବୋଲି ଜୀବନ ତାକୁ ନିଜ ବାଟ ଛାଡ଼ିଦେବ କାହିଁକି । ଅନ୍ଧାର ଆସୁ । ଆଲୋକ ଉତ୍ତୀର୍ଣ୍ଣ ହବା ପର୍ଯ୍ୟନ୍ତ ଏହି ସମଗ୍ର ବିଶ୍ଵବ୍ରହ୍ମାଣ୍ଡ ଯେ ଆଲୋକରେ ଏହା କିଏ ଅସ୍ଵୀକାର କରିବ ?

 

ଭେଲୋର ଯିବାର ଦିନ ଧାର୍ଯ୍ୟ ହେଲା । ସେଠାକୁ ଯିବାପାଇଁ ମଧ୍ୟ ଅନୁମତି ପତ୍ର ପାଇଗଲି । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଜଣେ କେହି ଦାତାଙ୍କୁ ସାଙ୍ଗରେ ନେଲେ କାର୍ଯ୍ୟଟି ସହଜ ହେବ ବୋଲି ମଧ୍ୟ ସୂଚନା ଦେଇଥିଲେ । ସେପରି କେହି ଦାତା ହରିଶ୍ଚନ୍ଦ୍ରଙ୍କୁ ନ ପାଇ ନିରାଶ ହୋଇ ଶେଷରେ ଏକା ଯିବା ପାଇଁ ସ୍ଥିର କରି ରିଜରଭେସନ୍‍ କଲି । ନିର୍ଦ୍ଦିଷ୍ଟ ତାରିଖ ଦିନ ଷ୍ଟେସନକୁ ଅନେକ ବନ୍ଧୁ ଆସିଲେ ବିଦାୟ ଦବାପାଇଁ । କେହି କେହି ବି କିଛି କିଛି ଉପହାର ଆଣିଥିଲେ । ମୋ ସିଟ୍‍ ଫଳ, ଫୁଲ, ମିଷ୍ଟାନ୍ନରେ ପୂର୍ଣ୍ଣ ହୋଇଗଲା । ମୁଁ କିଛି ସମୟ ପାଇଁ ସବୁ ଯନ୍ତ୍ରଣା ଭୁଲିଗଲି । ମନରେ ପୁଣି ସାହସ ସଞ୍ଚାର ହେଲା । ଏତେ ସ୍ନେହ ମମତା ଛାଡ଼ି ସଂସାରର ଏତେ ସୁଖ ସମ୍ପଦ ଛାଡ଼ି ମରିବାକୁ ଆଉ ଆଦୌ ଇଚ୍ଛା ହେଲାନାହିଁ । ବନ୍ଧୁମାନେ ମୋ ସହିତ ନ ଆସନ୍ତୁ, ସେମାନଙ୍କ ମଧ୍ୟରୁ କେହି ନିଜ ଜୀବନକୁ ବିପନ୍ନ କରି ଦାତା ନ ହୁଅନ୍ତୁ, କିନ୍ତୁ ତଥାପି ଏତେ ସଂଖ୍ୟାରେ ଯେ ସେମାନେ ଆସି ମୋତେ ଦେଖିଗଲେ ଓ ବିଦାୟ ମୁହୂର୍ତ୍ତରେ ଶୁଭକାମନା ଜଣାଇ ଗଲେ ତାହା ବଞ୍ଚିରହିବା ଲାଗି ପୁଞ୍ଜି ହୋଇ ରହିବ । ଭେଲୋରରେ ପହଞ୍ଚି ନିଜର ଜୀବନ ସମସ୍ୟାକୁ ଗଳ୍ପରେ ପରିଣତ କରି ଗୋଟେ ଲେଖା ସମ୍ପାଦକଙ୍କ ନିକଟକୁ ପଠାଇ ଦେବାପାଇଁ ସ୍ଥିରକଲି । ଗାଡ଼ି ଛାଡ଼ିଲା । ସେମାନେ ଅଦୃଶ୍ୟ ହୋଇଯିବା ପର୍ଯ୍ୟନ୍ତ ମୁଁ ହାତ ହଲାଉଥିଲି । ସେମାନେ ମଧ୍ୟ ହାତ ହଲାଇ ବିଦାୟ ଜଣାଇ ଥିଲେ ।

 

ସମସ୍ତେ ଅଦୃଶ୍ୟ ହୋଇଯିବା ପରେ ମୁଁ ସିଟ୍ରେ ବସିପଡ଼ିବାବେଳକୁ ଅନୁଭବ କଲି ଯେ ମୁଁ ଏକା… ଖୁବ୍ଏକାକୀ… ମୋ ଭିତରେ କଣ ହେଲା କେଜାଣି ମୋ ଆଖିର ଦୁଇ କୂଳ ଭର୍ତ୍ତି ହୋଇ ବନ୍ୟା ଆସିଲା ଅଶ୍ରୁର । ନିଜର ସେଇ ଦୁର୍ବଳତମ ମୁହୂର୍ତ୍ତକୁ ସମସ୍ତଙ୍କ ପାଖରୁ ଲୁଚାଇ ରଖିବା ଲାଗି ମୁଁ ବାଥ୍ରୁମ୍ଭିତରକୁ ପଶିଯିବା ପୂର୍ବରୁ ଠିକ୍ସାମ୍ନାରେ ସେଇ ଯୋତା ରଙ୍ଗ କରୁଥିବା ପିଲାଟିକୁ ଛିଡ଼ାହୋଇ ଥିବାର ଦେଖି ସ୍ତବ୍ଧ ହୋଇଗଲି । ଧରା ନ ପଡ଼ିବା ପାଇଁ ଶେଷ ଚେଷ୍ଟା କରି ମୁହଁ ଉପରେ ରୁମାଲଟା ଢାଙ୍କିଦେବା ଆଗରୁ ସେ ମୋର ପାଦଯୋଡ଼ିକୁ ଧରିପକେଇ କହିଲା–ମୁଁ ତୁମ ସାଙ୍ଗରେ ଯିବା ଲାଗି ଆସିଛି ବାବୁ, ମୋତେ ଆଉ ମନା କର ନାହିଁ, ତୁମର ଯାହା ନଷ୍ଟ ହୋଇଯାଇଛି ମୋର ତାହା ଅକ୍ଷୁଣ୍ଣ ଅଛି, ଦୁହେଁ ଭାଗ କରି ବଞ୍ଚିବା । …ମୋ ଗଳ୍ପର ନାୟକଙ୍କୁ ଆବିଷ୍କାର କରି ତାକୁ କୁଣ୍ଢାଇ ପକେଇ ଶିଶୁପରି କାନ୍ଦି ଉଠିଲି ।

☆☆☆

 

ନରନାରାୟଣ

 

ସତ୍ୟନାରାୟଣ ପୂଜା ହୁଏ ବୃନ୍ଦାବନ ବାବୁଙ୍କ ଘରେ । ବୃନ୍ଦାବନ ବାବୁ ପ୍ରତି ମାସ ପ୍ରଥମ ସୋମବାର ଦିନ ସତ୍ୟନାରାୟଣଙ୍କ ପୂଜା କରନ୍ତି ଏବଂ ସାଙ୍ଗ ଓ ଚିହ୍ନା ପରିଚୟ ଥିବା କେତେକ ପଡ଼ୋଶୀଙ୍କୁ ନିମନ୍ତ୍ରଣ କରନ୍ତି । ଏ ପୂଜାର ମାହାତ୍ମ୍ୟ ସେହିପରି । ସମସ୍ତଙ୍କୁ ଡାକିବାକୁ ହୁଏ । ‘ଅଳ୍ପ ବହୁତ ନ କହିବ, ପ୍ରସାଦ ବାଣ୍ଟିଣ ଖାଇବ’ ଏହାର ନିୟମ । ବୃନ୍ଦାବନ ସାହୁ ସୁନା ରୁପା କାରବାର କରି ବେଶଭଭ୍ କିଛି ଅର୍ଥ ଉପାର୍ଜନ କରିଛନ୍ତି । ଏବେ ବ୍ୟବସାୟରେ ଆହୁରି ପ୍ରସାର ହୋଇଛି । ଏବେ ହାତକୁ ନେଇଛନ୍ତି ଚାଉଳ, ମୁଗ ବିରି କାରବାର । ଆହୁରି ବଢ଼ୁଚି ସାମ୍ରାଜ୍ୟ, ବାଣିଜ୍ୟେ ବସତି ଲକ୍ଷ୍ମୀଃ । ସତ୍ୟନାରାୟଣଙ୍କୁ ସେଥିପାଇଁ ଡାକନ୍ତି, ମାନସିକ କୃତଜ୍ଞତା ଜଣାଇ ତାଙ୍କୁ ମାସକୁ ଥରେ ସ୍ମରଣ କରିବା ପାଇଁ ପୂଜାର ଆୟୋଜନ କରନ୍ତି ବୃନ୍ଦାବନ ବାବୁ ।

ରେଢ଼ାଖୋଲ ବଜାରର ନୂଆ ହୋଇ ଗୋଟିଏ ଗୋଦାମ ଖୋଲିଛନ୍ତି ଚାଉଳ, ମୁଗ ଓ ବିରି କିଣି ରଖିବା ପାଇଁ । ସପ୍ତାହକୁ ଥରେ ଯିବାକୁ ହୁଏ । ବୌଦରୁ ଡଙ୍ଗାରେ ସେପାଖକୁ ଯାଇ ରେଢ଼ାଖୋଲକୁ ଚାଲିଯାଆନ୍ତି ଲୁନାରେ । ଲୁନାକୁ ବି ସାଙ୍ଗରେ ନେଇଯାଆନ୍ତି ଯିବା ଆସିବାରେ ସୁବିଧା ହେବ ବୋଲି ।

ଡଙ୍ଗାରେ ଯିବା ଆସିବା ଚଢ଼ିବା ସଙ୍ଗେ ସଙ୍ଗେ ଚିନ୍ତାମଣି ସହିତ ପରିଚୟ ଦୃଢ଼ ହେଲା ।

ସେଦିନ ଡଙ୍ଗାରୁ ଓହ୍ଲାଇବାବେଳେ କହିଲେ ବୃନ୍ଦାବନ–ପ୍ରତି ମାସର ପ୍ରଥମ ସୋମବାର ସନ୍ଧ୍ୟାବେଳେ ମୋ ଘରେ ସତ୍ୟନାରାୟଣ ପୂଜା । ଚାଲି ଆସିବୁ ଚିନ୍ତାମଣି । ପ୍ରସାଦ ପାଇବୁ । ଶିରଣି ସମସ୍ତଙ୍କର ।

 

ବୃନ୍ଦାବନ ବାବୁଙ୍କୁ ଟିକେ ଅଧିକ ସୁବିଧା ଦିଏ ବୋଲି ସେ ଯେ ତା’ଉପରେ ବେଶୀ ପ୍ରସନ୍ନ ଏହା ଜାଣେ ଚିନ୍ତାମଣି । ବ୍ୟବସାୟୀ ଲୋକ । ନାମ ଡାକ ଅଛି ସାହୁ ପରିବାରର । ତିନି ପୁରୁଷର କାରବାର, ଧନସମ୍ପଦରେ ଘର ପୂରି ରହିଚି । ଚିନ୍ତାମଣି ତାଙ୍କୁ ନିଆଆଣ କଲାବେଳେ ଭଡ଼ା ମାଗେ ନାହିଁ, ତା’ ପୁଅକୁ କହିଦେଇଥାଏ ତାଙ୍କୁ ଭଲ ଜାଗାରେ ବସେଇବା ପାଇଁ । ଲୁନା ଖଣ୍ଡକ ସାଙ୍ଗରେ ନ ନେଲେ ହଇରାଣ ହେବେ ବୋଲି ସେ ଖଣ୍ଡକୁ ସାଙ୍ଗରେ ନିଅନ୍ତି ବୋଲି ସେଥିପାଇଁ ବିଶେଷ ବ୍ୟବସ୍ଥା କରିଦିଏ ଚିନ୍ତାମଣି । ଅନ୍ୟଯାତ୍ରୀ ବେଳେବେଳେ ବିରକ୍ତ ହୁଅନ୍ତି । ବଡ଼ କାଏଦା କରି ସେମାନଙ୍କୁ ଶାନ୍ତ କରି କହେ ଚିନ୍ତାମଣି–କାହାର କେତେ ଜରୋରି କାମ ଅଛି କିଏ କହିବ ? ସାଙ୍ଗରେ ଲୁନା ଖଣ୍ଡକ ତ ଆଉ ମଉଜ କରିବା ପାଇଁ ନଉ ନାହାନ୍ତି, ଦରକାର ହଉଥିବ । ଲୋକମାନେ ତୁନି ପଡ଼ନ୍ତି । ଯାହାର କଥା ସିଏ ଯେତେବେଳେ କିଛି କହୁ ନାହିଁ ବରଂ ସମର୍ଥନ କରୁଚି ସେମାନେ ଅଯଥାରେ ଶତ୍ରୁ ସୃଷ୍ଟି କରିବେ କାହିଁକି ।

 

ଚିନ୍ତାମଣି ଭୁଲି ନଥିଲା ବୃନ୍ଦାବନ ବାବୁଙ୍କ ନିମନ୍ତ୍ରଣ । ସତ୍ୟନାରାୟଣ ପୂଜା ପାଇଁ କହିଚନ୍ତି ଯେତେବେଳେ ନ ଯିବାଟା ମହା ଅପ୍ରାଧ ବୋଲି ଗଣାହେବ । କିନ୍ତୁ ନଦୀ ସେପାଖରୁ ଶେଷ ନାଆଟା ନେଇ ଏ ଘାଟରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇଯାଏ । ତଥାପି ଟିକେ ବିଳମ୍ବରେ ଗଲେ ବି ଚଳିବ ବୋଲି କହିଥିଲେ ମହାଜନ, ସେଥିପାଇଁ ତରତର ହୋଇ ଫେରୁଥାଏ ଚିନ୍ତାମଣି ।

 

ପ୍ରବଳ ବର୍ଷା ହୋଇଥାଏ ନଦୀ ମୁଣ୍ଡରେ ବୋଲି ଦୁଇକୂଳ ଭର୍ତ୍ତି ହୋଇ ବହିଥାଏ ମହାନଦୀ । ନଦୀକୂଳରେ ଲୋକ ଭିଡ଼ ଲଗେଇ ଥାଆନ୍ତି ବନ୍ୟା ଦେଖିବା ପାଇଁ ।

 

ଆକାଶରୁ ମେଘ ଅପସରି ଯାଇ ନାହିଁ ବରଂ ଚାରିଦିଗରେ ସାଜ ସାଜ ଭାବ । ଛତ୍ରଭଙ୍ଗ ଦବାପରେ ମେଘମାନେ ଠୁଳ ହଉଥାଆନ୍ତି ଆଉ ଥରେ ଏକତ୍ର ହୋଇ । ବୃନ୍ଦାବନ ସାହୁଙ୍କ ଘରେ ସତ୍ୟନାରାୟଣ ପୂଜା ଏଇ ଝଡ଼ବର୍ଷା ସତ୍ତ୍ଵେ ନିଶ୍ଚୟ ଯେ ହେଉଥିବ ଏଥିରେ ସନ୍ଦେହର ଅବକାଶ ନାହିଁ । କୋଡ଼ିଏ ବର୍ଷ ହେଲା ସତ୍ୟନାରାୟଣ ପୂଜା କରିଆସୁଛନ୍ତି ସେ । ଆଗେ ପରିବାର ଭିତରେ ହେଉଥିଲା, ଏବେ ବାଣିଜ୍ୟ ବ୍ୟବସାୟର ପ୍ରସାର ସହିତ ପୂଜାର ବି ପ୍ରସାର ହୋଇଚି, ଭକ୍ତ ଏବଂ ଅଭ୍ୟାଗତମାନଙ୍କର ସଂଖ୍ୟା ବଢ଼ିଛି, ନିମନ୍ତ୍ରିତମାନଙ୍କର ତାଲିକାଟା ଲମ୍ବ ହୋଇଯାଉଚି ।

 

ଚିନ୍ତାମଣି ଭୂଇଁରେ ମୁଣ୍ଡ ଲଗାଇ ପ୍ରଣାମ କଲା ସତ୍ୟନାରାୟଣଙ୍କୁ । ବର୍ଷା ଟିକେ କମୁ, ତା’ପରେ ବାହାରିବ ପଦାକୁ ।

 

କିନ୍ତୁ ବର୍ଷା ଆଉ କମିଲା ନାହିଁ କି ପବନର ବେଗ ଊଣା ହେଲା ନାହିଁ ।

 

ମହାନଦୀର ବଢ଼ି ସୁଅର ଶବ୍ଦ ଭାସି ଆସୁଥାଏ ପାଖକୁ । ଅବୋଧ୍ୟ ସେଇ ନଦୀର ଭାଷା, ତଥାପି ବିଶ୍ଵାସ ହଉ ନଥାଏ ବନ୍ୟା ଆସିଯିବ ବୋଲି । ନଈ ସୁଅର ଶବ୍ଦ ଶୁଣି ଚିନ୍ତାମଣି ବନ୍ୟା ଆସିବ କି ନାହିଁ କହିଦିଏ । ପାଣି ସହିତ ଆଜନ୍ମ ସମ୍ପର୍କ ତା’ର । ପାଣିର ଭାଷା ସମସ୍ତଙ୍କୁ ଅବୋଧ୍ୟ ସିନା; କିନ୍ତୁ ସେ ବୁଝେ, ସେ ଜାଣିପାରେ । ଗୋଟେ ମଇଁଷି ଲଢ଼େଇ କରିବା ଆଗରୁ ଯେପରି ନିଜକୁ ସଜକରି ଶତ୍ରୁ ଉପରକୁ କୁଦି ପଡ଼ିବା ପାଇଁ ସଁ ସଁ ହୁଏ କ୍ରୋଧରେ ସେହିପରି ଏକ ଅବ୍ୟକ୍ତ ଅବୋଧ୍ୟ ଶବ୍ଦ ଭାସି ଆସୁଥାଏ ମହାନଦୀରୁ ।

 

ପୁଅକୁ ଡାକି କହିଲା ଚିନ୍ତାମଣି–ଏପରି ଶବ୍ଦ ନୂଆ ନୁହେଁ; କିନ୍ତୁ ନିତିଦିନିଆ ବି ନୁହେଁ । ପୁରୁଷକ ଭିତରେ ଏପରି ଶବ୍ଦ ଦୁଇ ତିନିଥର ଶୁଣିଥିବ ଚିନ୍ତାମଣି । କିନ୍ତୁ ଏଥରର ଶବ୍ଦ ଆହୁରି ଭୟଙ୍କର ବୋଲି ମନ କହୁଥାଏ । କେତେ କଥା ମନକୁ ଆସୁଥାଏ, ଯୌବନର କେତେ କଥା ମନେପଡ଼ି ଯାଉଥାଏ ।

 

ସେତେବେଳେ ତାକୁ ପଚିଶି ଛବିଶ ହବ ବୋଧହୁଏ । ସେ ବାପ ହାତରୁ ନାଆର ମଙ୍ଗ ନିଜ ହାତକୁ ନେଇ ନୂଆ ହୋଇ ଦାୟିତ୍ଵ ନେଇଥାଏ ନାଆର । ତା’ ହାତରେ ନାଆକୁ ସଁପି ଦେଇ ଚିନ୍ତାମଣିର ବାପ ଦିନମଣି ଆରାମ କରୁଥାଏ ବୁଢ଼ା ବୟସରେ । ଦିନେ ରାତିରେ ଆସିଲା ବଢ଼ି । ନଈକୂଳର ପାଣି ନୀଳକଣ୍ଠେଶ୍ଵରଙ୍କ ମନ୍ଦିରର ଶେଷ ପାହାଚ ଯାଏ ଲାଗି ଆସିଲା । ନଦୀ ପାଣିର ଶବ୍ଦକୁ କାନରେ ଶୁଣି ସେଦିନ ତା’ର ବାପ ତାକୁ ପରିଚିତ କରେଇ ଦେଇଥିଲା ସେହି ଘରଭଙ୍ଗା ସ୍ଵର ସହିତ ।

 

ଆଜି ସେହି ସ୍ଵର ଶୁଣି ଚମକି ପଡ଼ିଲା ଚିନ୍ତାମଣି । ପୁଅକୁ ସାବଧାନ କରିଦେଲା । ନିଜେ ଭିଜି ଭିଜି ଯାଇ ଡଙ୍ଗା ଖଣ୍ଡକର ମଙ୍ଗକୁ ମଜବୁତ୍‍ କରି ନୀଳକଣ୍ଠେଶ୍ଵରଙ୍କ ମନ୍ଦିର ତଳେ କୂଳରେ ଥିବା ବଟ ଗଛର ଓହଳ ସହିତ ବାନ୍ଧିଦେଲା । ସେତେବେଳକୁ ବଢ଼ି ପାଣି ମନ୍ଦିରର ଦୁଇ ପାହାଚ ଉପରକୁ ଉଠି ଆସିଥାଏ । କିଟିକିଟିଆ ଅନ୍ଧାରରେ ଦିଶୁ ନ ଥାଏ କିଛି, ତଥାପି କାନପାରି ଚିନ୍ତାମଣି ଶୁଣିଲା ନଦୀର ବାଣୀ ।

 

ତା’ର କଲିଜା ଭିତରଟା ଥରି ଉଠିଲା ଭୟରେ । ଏଥର ବୋଧହୁଏ ବଡ଼ ଧରଣର କିଛି ଗୋଟା ବିପର୍ଯ୍ୟୟ ହବ । ପାପ ବଢ଼ୁଚି ପୃଥିବୀରେ । ପୁଣ୍ୟ କମି କମି ଯାଉଚି । ପାପ ବେଶୀ ହେଲେ କ୍ଷୟ ହୁଏ, କ୍ଷତି ହୁଏ । ଇଏ ଶାସ୍ତ୍ରର ନିୟମ । ଚିନ୍ତାମଣି ପୂଜକଙ୍କ ସହିତ କଥା ହବାବେଳେ କହିଲା–ଏଥର ପ୍ରଳୟ ନ କରି ଛାଡ଼ିବି ନାହିଁ ଗୋସାଇଁ, ନଦୀର ଶବ୍ଦ ଶୁଣୁଥିବ, ପାଣିର ରଙ୍ଗ ଦେଖୁଥିବ ।

 

ଗୋସାଇଁ ବୁଢ଼ା ହେଲେଣି ନଦୀ କୂଳରେ । ଚିନ୍ତାମଣିଠାରୁ ବୟସରେ ଦଶ ବରଷ ବଡ଼ ହେବେ । ସେ କହିଲେ–ମଣିଷର କଥାକୁ ଆଉ ବିଶ୍ଵାସ ହଉନାହିଁରେ ପୁଅ । ଯେତେ କହିଲେ ବି ଆଜିକାଲିର ପାଠୁଆ ପିଲାଏ ମାନିବେ ନାହିଁ । ମୁଁ ଆଗରୁ କହୁଥିଲି ନିଘା ଦବା ପାଇଁ । ତଥାପି ମଣିଷ ଛାର କଅଣ କରିବ, ନୀଳକଣ୍ଠେଶ୍ଵର ଅଛନ୍ତି, ସେ ଯାହା କରିବେ । ତାରିଲେ ତାରିବେ ମାରିଲେ ମାରିବେ । ଗତ ସନ୍ଧ୍ୟାରେ ସେ ବୃନ୍ଦାବନ ସାହୁଙ୍କ ଘରକୁ ଯାଇ ସତ୍ୟନାରାୟଣଙ୍କ ପ୍ରସାଦ ନେଇପାରିଲା ନାହିଁ । ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କଲା ସେ ଆକୁଳ ହୋଇ ତଥାପି ମନ ବୁଝିଲା ନାହିଁ, ବୁଦ୍ଧି ଦିଶିଲା ନାହିଁ । ଚିନ୍ତାମଣିର ମନଟା ବିଷଣ୍ଣ ହୋଇଗଲା ।

 

ମଣିଷର ଦୁଃଖ ଦେଖିଲେ ତା’ର ଛାତି ଭିତରଟା କରତି ହୋଇଯାଏ । ସେ ନାଉରି ବାପୁଡ଼ା, ତା’ ଦେଇ ଶାଗ ସିଝିବ ନାହିଁ କି ମୁଗ ସିଝିବ ନାହିଁ; କିନ୍ତୁ ସିଏ ପଚିଶ ଜଣଙ୍କର ଦାୟିତ୍ଵ ନେଇ ନାଆ ବାହେ । ସେ କିଏ ? ସେ ନିମିତ୍ତ ମାତ୍ର । ସିଏ ସବୁ । ସେଇ ସତ୍ୟନାରାୟଣ ସବୁ । କାଳେ ନାଆ ମଝି ନଈରେ ହବାବେଳକୁ ବରଷା ବତାସ ଆସିଯାଇ ପାରେ ବୋଲି ମନ ଅନ୍ଦୋଳିତ ହେଉଥାଏ ଆଶଙ୍କାରେ । ସେଇ ସତ୍ୟନାରାୟଣ ସାକ୍ଷୀ, ତାଙ୍କୁ ସ୍ମରଣ କରି ସେ ନୌକା ଛାଡ଼ିଛି କୂଳରୁ । କାତ ମାରୁଥାନ୍ତି ବାପ ପୁଅ । ଅକାତକାତ ପାଣି ନଦୀରେ । ମଙ୍ଗ ମୋଡ଼ି ଦେବାରୁ ପଛୁଆ ପବନ ବାଜି ନାଆ ଆଗଉଥାଏ ବଉଦଆଡ଼କୁ ।

 

ଚିନ୍ତାମଣି ନଈକୁ ଚିହ୍ନେ, ଆଉ ନଈ ଚିହ୍ନେ ଚିନ୍ତାମଣିକୁ ।

 

ନାଆ ଛାଡ଼ିବା ଆଗରୁ ନଈରୁ ପାଣି ଆଞ୍ଜୁଳାଏ କପାଳରେ ଛୁଆଁଇ ଗଙ୍ଗାମାତାକୁ ସ୍ମରଣ କରେ ଚିନ୍ତାମଣି । ସେଇ ମାଆ ସେ ଜଗତଜନନୀ । ତାଙ୍କରି କରୁଣା ବଳରୁ ତା’ର କୁଟୁମ୍ବ ମୁହଁରେ ଆହାର ପଡ଼ୁଛି । କୌଳିକ ବୃତ୍ତି, ଛାଡ଼ିବି କହିଲେ ଛାଡ଼ିହୁଏ ନାହିଁ । ପୁଅମାନେ ପାଠଶାଠ ପଢ଼ି ଯଦି ସରକାରୀ ଦପ୍ତରରେ ଚାକିରି କରିଥାନ୍ତେ ତାକୁ ନାଆ ନେଇ ଉଦୟାସ୍ତ ଜୀବନ ସହିତ ଯୁଝିବା ପାଇଁ ହୁଅନ୍ତା ନାହିଁ ।

 

ଚିନ୍ତାମଣି ନିଦକ ହୋଇ ଡଙ୍ଗାରେ କାତ ମାରେ । ବୌଦ ପାଖରେ ଦର୍‍ହ ପାଖରେ ଭଉଁରୀକୁ ଦୂରରେ ରଖି ନାଆକୁ କଡ଼େଇ ନବାବେଳେ ମହାଦେବ ମନ୍ଦିରଆଡ଼କୁ ଅନେଇ କପାଳରେ ହାତ ଛୁଆଁଏ ଚିନ୍ତାମଣି ।

 

ଏଇ ଦର୍‍ହରେ ଦେବଦେବୀମାନେ ସ୍ନାନ କରନ୍ତି । ସମୟ ଅସମୟ ଦେଖି ପାରି ହବାକୁ ହୁଏ ।

 

ନଦୀ ଦର୍‍ଡ ପାରି ହେବା ବେଳକୁ ମହାନଦୀର ଫୁଲା ପାଣିକୁ ଚାହିଁ ଦେଇ କହିଲା–ପାଣି ବଢ଼ୁଚିରେ ପୁଅ, ବେଗି ବେଗି କାତ ମାର, ଆଉ ବାଟ ପାଏ… ।

 

ରେଢ଼ାଖୋଲ ପାଖ ଶାଳବଣ ଉପରେ ନଇଁ ଆସିଥାଏ ଗୋଟିଏ ଭୋଦୁଅ ମେଘ । ବର୍ଷିବା ମୁହଁରେ ନଇଁ ପଡ଼ୁଥାଏ ନଦୀ ଉପରେ । ଥଣ୍ଡା ପବନ ଠେଲି ଆଣୁଥାଏ ଡଙ୍ଗାକୁ । ଆଉ ଡେରି ନାହିଁ, ବର୍ଷା ଆସିଯିବ ପରା ।

 

ନଦୀ ଭିତରେ ନାଆକୁ ଭସାଇ ଦବାବେଳେ ମେଘର ଗର୍ଭ ଖାଲି ଦିଶୁଥିଲା । ଏଇ ଘଣ୍ଟାକ ଭିତରେ ଏତେ ବଡ଼ ଗର୍ଭ ସଞ୍ଚାରିଗଲା । ଆଚମ୍ବିତ ହୋଇ ଥରେ ପଛକୁ ତ ଆଉ ଥରେ ଆଗକୁ ଅନାଏ ଚିନ୍ତାମଣି ।

 

କୂଳରେ ଡଙ୍ଗାର ମଙ୍ଗକୁ ବାନ୍ଧି ଦେଇ ପୁଣି ନଈରୁ ଆଞ୍ଜୁଳାଏ ପାଣି ନେଇ କପାଳରେ ଛୁଇଁ ଦୁଇ ହାତ ଯୋଡ଼ି ନମସ୍କାର କଲାବେଳକୁ ବର୍ଷା ଟୁପୁଟୁପୁ ଆରମ୍ଭ କରିଥାଏ ।

 

ଦୁଇ ଦିନ ହବ ବର୍ଷା ବତାସ ଯୋଗୁଁ ନାଆ ସେପାରିକୁ ନେଇ ନ ଥିଲା ଚିନ୍ତାମଣି । ଆଜି ସକାଳର ପାଗଟା ଭଲ ଥିଲା ବୋଲି ବାପ ପୁଅ ନାଆ ନେଇ ବାହାରି ଯାଇଥିଲେ ଦୁଇ ପଇସା ଅର୍ଜନ କରିବା ପାଇଁ ।

 

ପୁଅକୁ ଘରେ ଛାଡ଼ି ଲୁଗା ବଦଳାଇ କାନ୍ଧରେ ଖଣ୍ଡେ ଶୁଖିଲା ଗାମୁଛା ପକେଇ ଛତା ଖଣ୍ଡେ ଧରି ସାହୁଙ୍କ ଘରକୁ ବାହାରିବା ବେଳକୁ ବର୍ଷା ଝରୁଥାଏ ପ୍ରବଳ ବେଗରେ । ବାହାରକୁ ପାଦ ବଢ଼ାଇଲେ ଭିଜିଯିବା ନିଶ୍ଚିତ, ତଥାପି ସତ୍ୟନାରାୟଣଙ୍କ ପ୍ରସାଦ ନବା ପାଇଁ ନିମନ୍ତ୍ରଣ ସେ ଉପେକ୍ଷା ବା କରିବ କିପରି ?

 

କିନ୍ତୁ ଚିନ୍ତାମଣି ବାହାରିବା ବେଳକୁ ଦମକାଏ ପବନ ଆସି ତାକୁ ଠେଲି ନେଇଗଲା ଭିତରକୁ ।

 

ଦଣ୍ଡେ ରହିଗଲା ଚିନ୍ତାମଣି ।

 

ସେଇ ଝଡ଼ ବର୍ଷାରେ ଆଉ ବାହରି ହବ କି ନାହିଁ ବୋଲି ଭାବୁଥିଲାବେଳେ ଜିପ୍‍ଗାଡ଼ିରୁ ଡାକବାଜି ଯନ୍ତ୍ରରେ କିଏ ଯେପରି ସତର୍କ କରିଦେଇଗଲା । ବଢ଼ିପାଣି ମାଡ଼ି ଆସୁଚି । ଭୟରେ କାରଣ ନ ଥିଲେ ବି ସତର୍କ ରୁହ । ନାଉରୀମାନେ ସାବଧାନ ହୁଅ ।

 

ଫୁଟୁକି ମାରି ଟିକେ ହସିଲା ଚିନ୍ତାମଣି । ଏଇ ପାଠୁଆମାନଙ୍କ ହିସାବକୁ ସେ ଗ୍ରହଣ କରି ନ ପାରି କହିଲା ମନକୁମନ–ବଉଦ ସହରକୁ ରକ୍ଷା କରିବା ପାଇଁ ନିଜେ ନୀଳକଣ୍ଠେଶ୍ଵର ଜଗି ବସିଛନ୍ତି ଆସ୍ଥାନ ମାଡ଼ି । ନଦୀକୂଳରେ ତାଙ୍କରି ମନ୍ଦିର । ତାଙ୍କ ମନ୍ଦିର ଏଯାଏ କେବେ ବୁଡ଼ିନାହିଁ, ଯେତେବଡ଼ ବଢ଼ି ହେଲେ ବି ପାଣି ଆସି ଦେଉଳର ପାହାଚ ଛୁଇଁ ପ୍ରଣାମ କରି ଫେରିଯାଇଛି ସିନା ଆଉ କ୍ଷତି କିଛି କରି ନାହିଁ । ନୀଳକଣ୍ଠେଶ୍ଵରଙ୍କୁ ଦେଖି ସଂତ୍ରସ୍ତ ହୋଇ ନିଜକୁ ସଙ୍କୁଚିତ କରିନେଇଛି ମହାନଦୀ, ଆଗେଇ ଆସିନାହିଁ ।

 

ସେଥିପାଇଁ ସବୁ ସତର୍କମୂଳ ଘୋଷଣା ମିଥ୍ୟା ହୁଏ, ସବୁ ଆପଦକାଳୀନ ବ୍ୟବସ୍ଥା ବୃଥା ହୁଏ । ଏଥର ମଧ୍ୟ ତା’ର ବ୍ୟତିକ୍ରମ ହେବନି, ଏଥିରେ ସନ୍ଦେହ ନାହିଁ ।

 

ସେତିକିବେଳେ ଭାସିଯାଉଥିବା ଚାଳ ଉପରେ ଆର୍ତ୍ତନାଦ କରୁଥିବା କେତୋଟି ନିଃସହାୟ ଲୋକଙ୍କ ଆଡ଼କୁ ହାତ ଦେଖାଇ କହିଲେ ବିପ୍ରଦାସ–ଏମାନଙ୍କୁ ଆଉ କିଏ ରକ୍ଷା କରିବ ଚିନ୍ତାମଣି । ଭଗବାନ ବି ମୂକ ବଧିର ହୋଇ ରହିଗଲେ ।

 

ଚିନ୍ତାମଣି ସ୍କୁଲ କୋଠା ଉପରୁ ଚାହିଁଲେ ତଳକୁ । ତା’ର ଡଙ୍ଗା ଖଣ୍ଡକ ଭାସୁଥାଏ ପାଣିରେ ।

ସ୍କୁଲ ଘର ଓପରୁ ଓହ୍ଲାଇ ପହଁରି ଯାଇ ଡଙ୍ଗାର ମଙ୍ଗ ଧରି ତା’ ଭିତରକୁ କୁଦି ପକେଇବା ବେଳକୁ ପଛରୁ ଥାଇ କହିଲା ବରଜୁ–ମୁଁ ବି ସାଙ୍ଗରେ ଯିବି ମାମୁଁ ।

ମାମୁଁ ଭଣଜା ଦୁଇଜଣ ବସି ପଡ଼ିଲେ ଡଙ୍ଗାରେ ମଙ୍ଗ ଧରି ।

ଚିନ୍ତାମଣି ଏବଂ ବରଜୁ ।

ଦୁଇଟି ପାଞ୍ଚ ହାତର ଛୋଟ ଛୋଟ ମଣିଷ ବାହାରିଛନ୍ତି ଅସମ୍ଭବକୁ ସମ୍ଭବ କରିବା ପାଇଁ ।

ଭାସି ଯାଉଥିବା ସେଇ ଅସହାୟ ଲୋକମାନଙ୍କର ଆକୁଳ କ୍ରନ୍ଦନ ଭାସି ଆସୁଥାଏ । ମଣିଷକୁ ଆଉ ଏତେ ନିଃସହାୟ ହୋଇ ମରଣ ଦୁଆରକୁ ଠେଲି ହୋଇଯାଉଥିବାର ସେ କେବେ ଦେଖି ନ ଥିଲା । ବିପ୍ରଦାସଙ୍କ ବଚନ ମନେପଡ଼ିଲା । ସତ୍ୟନାରାୟଣ ମୂକ, ନୀଳକଣ୍ଠେଶ୍ଵର ବଧିର; କିନ୍ତୁ ନରନାରାୟଣ ତାଙ୍କର ମୂର୍ତ୍ତିମନ୍ତ ଜୀବନ୍ତ ବିଗ୍ରହ । ତାଙ୍କୁ ଉଦ୍ଧାର କରି ଚିନ୍ତାମଣି । ସେ ବରଜୁକୁ ଇଶାରା ଦେଲା ।

ମାମୁଁ ଭଣଜା ଡଙ୍ଗା ଛାଡ଼ିଦେଲେ ।

ପଛରୁ ବିପ୍ର ଦାସ ଆବୃତ୍ତି କଲେ–ଓଁ ତ୍ରୟୋମ୍ବକେ ଯଯାମହେ... ।

ଅଧଘଣ୍ଟାକ ପରେ ଭାସିଯାଉଥିବା ଲୋକମାନଙ୍କ ମଧ୍ୟରୁ ପାଞ୍ଚ ଜଣକୁ ଉଦ୍ଧାର କରି ଫେରିଆସିଲେ ମାମୁଁ ଭଣଜା ।

ଗୋଟେ ଆଲମାରୀ ଭାସିଆସିଲା ସୁଅରେ । ଚରମ ବିପଦରେ ମଧ୍ୟ ଲୋଭ ଯାଏନି ମଣିଷର । ଦଳେ ଲୋକ ପ୍ରାଣ ମୂର୍ଚ୍ଛା ଲମ୍ଫ ଦେଲେ ଧରିବା ପାଇଁ ।

ଦୁଇଜଣ ପଛକୁ ହଟି ଆସିଲେ ସୁଅର ବେଗରେ । ଆଉ କିଛି ଜଣ ଧରିଲେ ଆଲମାରୀଟିକୁ । ସେମାନଙ୍କ ମଧ୍ୟରେ ଭାଗ ବସେଇବାର କନ୍ଦଳ ଦେଖି ମନେମନେ ହସିଲା ଚିନ୍ତାମଣି ।

କାହାର କାଳିଗାଈଟିଏ ଭାସିଯାଉଥିଲା । ପାଖରୁ ଦେଖିଲା ଚିନ୍ତାମଣି; କିନ୍ତୁ କିଛି କରିପାରିଲା ନାହିଁ । ସେତବେଳକୁ ପ୍ରାଣବାୟୁ ନିର୍ଗତ ହୋଇଯାଇଥିଲା ତା’ପିଣ୍ଡରୁ । ଦୀର୍ଘ ନିଶ୍ଵାସ ଛାଡ଼ି ହଟି ଆସିଲା ଚିନ୍ତାମଣି ।

ଉଦ୍ଧାର କରିଥିବା ପାଞ୍ଚ ଜଣଙ୍କ ଦୃଷ୍ଟିରେ କୃତଜ୍ଞତାର ଅସରନ୍ତି ତରଙ୍ଗ ।

ସେମନଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇ ଦେଇ ଫେରିବାବେଳକୁ କାଠ ଗଣ୍ଡିଟିଏ ଧରି ଭାସିଯାଉଥିବା ଗୋଟିଏ ବାଳକକୁ ଦେଖି ଚିନ୍ତାମଣି କାତମାରି କହିଲା–ଆହାରେ… ଭଗବାନ ଏତେ ନିର୍ଦ୍ଦୟ ହେଲେ… କାହାର କି ଦୋଷ କରିଥିଲା ଏଇ ଦଶ ବର୍ଷର ବାଳକ… ।

ମାମୁଁ ଭଣଜା ଉଦ୍ଧାର କରି ଆଣିଲେ ସେହି ଅଚିହ୍ନା ବାଳକଟିକୁ ।

ଆଖିରେ ତା’ର ଅଜସ୍ର ଭୟ ।

ସଙ୍ଗେ ସଙ୍ଗେ ଖବର ଆସି ପହଞ୍ଚିଲା ଯେ ସୁଅ ମୁହଁରେ ସହରର କେତେ ଲୋକ ଭାସିଗଲେ ।

ଚିନ୍ତାମଣି ନିରୁପାୟ ହୋଇ ଛିଡ଼ା ହୋଇ ରହିଲା । ଆହୁରି କିଏ କେତେ କୁଆଡ଼େ ଭାସିଯାଇଥିବେ କିଏ ଜାଣେ ।

ନାଆ ନେଇ ନୀଳକଣ୍ଠେଶ୍ଵରଙ୍କ ମନ୍ଦିରର ଚୂଡ଼ା ପାଖରେ ଛିଡ଼ା ହେଲେ ସେମାନେ ।

ମନ୍ଦିର ବୁଡ଼ି ଯାଇଥାଏ ପାଣିରେ ।

ଚିନ୍ତାମଣି ମନ୍ଦିର ଚୂଡ଼ା ଉପରେ ଉଡ଼ୁଥିବା ତାଙ୍କର ବାନାକୁ ନମସ୍କାର କରି କହିଲା–ଅପ୍ରାଧ ମାର୍ଜନା କରିବ ପ୍ରଭୁ ! ଆମେ ଉପରେ ଥିଲେ ବି ତଳେ-ସବୁ ସମୟରେ ତୁମେ ଉପରେ-ତୁମେ ଉପରେ-ତୁମେ ନିଜକୁ ରକ୍ଷାକର…. ମଣିଷ ବାପୁଡ଼ା ମୁଁ … ମୋର ଏତେ ଶକ୍ତି ନାହିଁ ?

ସେତେବେଳକୁ ବେଳ ଦୁଇପ୍ରହର । ଦଳେ ଲୋକଙ୍କର ଆର୍ତ୍ତ କରୁଣ ସ୍ଵର ଭାସି ଆସିଲା ନଦୀ ବକ୍ଷରୁ ।

ଚାହିଁଲା ଚିନ୍ତାମଣି ।

ଦର୍ରହ ପାଖରେ ପହଞ୍ଚିବା ପାଇଁ ଆଉ କିଛି ବାଟ ବାକି ଅଛି । ଆହୁରି ଟିକେ ତା’ଆଗକୁ ଗଲେ ଭଉଁରୀ ।

ସେଇ ଭଉଁରୀର ଘୂର୍ଣ୍ଣି ପାର ହୋଇ ଆଜିଯାଏ କେହି ବର୍ତ୍ତିପାରି ନାହିଁ ।

ପୁଣି ସିଏ ନୀଳକଣ୍ଠେଶ୍ଵର । ଶାସ୍ତ୍ର ପୁରାଣ ପଢ଼ିବାର ଭାଗ୍ୟ ତା’ର ହୋଇ ନାହିଁ, ଦେବଦେବୀଙ୍କର ପୂଜାର୍ଚ୍ଚନା ସେ ଜାଣି ନାହିଁ ।

ତଥାପି ଈଶ୍ଵରଙ୍କ ନାମ ସ୍ମରଣ କଲେ ଦମ୍ଭ ଆସେ, ସାହସ ହୁଏ ମନରେ । ଇଷ୍ଟ ଦେବତା ସଦାବେଳେ ପାଖେ ପାଖେ ଥାଆନ୍ତି । ତାଙ୍କୁ ହାରି ଗୁହାରି ନ ଜଣାଇବ ତା ଆଉ କାହାକୁ କହିବ ?

ଚିନ୍ତାମଣି ଗୋସାଇଁଙ୍କ ସାଙ୍ଗରେ କଥା ହେଉଥିବାବେଳେ ପାଣି ଆହୁରି ଗୋଟାଏ ପାହୁଚକୁ ବୁଡ଼ାଇଦେଲା । ଆଉ କାଳବିଳମ୍ବ ନ କରି ସାହିକୁ ଦୌଡ଼ିଲା ସେ । ସମସ୍ତଙ୍କୁ ଖବର ଦେବା ଦରକାର । ସେତେବେଳକୁ ନିଶ୍ଚିନ୍ତରେ ଶୋଇଥିବା ସାହିବାଲାଙ୍କୁ ସେ ଉଠାଇ ପକେଇ କହିଲା ସତର୍କ ହୋଇ ରହିବା ପାଇଁ । ଅନେକ ତା’କଥାକୁ ବିଶ୍ଵାସ କଲେ ନାହିଁ । କିଏ ଜଣେ କହିଲା ଯେ ଚିନ୍ତାମଣିର ବୟସ ବଢ଼ିବା ସଙ୍ଗେ ସଙ୍ଗେ ବୁଦ୍ଧି କମିଯାଉଚି ।

ବୌଦ୍ଧ ସହର ଏତେ ଉଚ୍ଚରେ ଅବସ୍ଥିତ ଯେ ମହାନଦୀର ବଢ଼ି ପାଣି ସହର ଭିତରକୁ ପଶିବା ସହଜ ନୁହେଁ ।

କିନ୍ତୁ ଅସମ୍ଭବ କଥା ସବୁ ହୁଏ ଏଇ କଳିକାଳରେ । ଗୋଟେ ଖଣ୍ଡିଆଭୂତ ଆସି ପାଞ୍ଚଖଣ୍ଡ ଗାଁ ଗୋରୁଗାଈ ଓ ପୋଖରୀ ପାଣିକୁ ଉପରକୁ କାଠି ପରି ଉଠେଇ ନେଇପାରେ ।

ଚିନ୍ତାମଣି ଆହୁରି କେତେକଙ୍କୁ ବି କହିଲା । ସେତେବେଳକୁ ପୁଲିସ୍‍ ଗଡ଼ିଟା ବୁଲୁଥାଏ ଚରକି ପରି ।

ଅଗଷ୍ଟ ତିରିଶ ତାରିଖ । ସୋମବାର । ନୀଳକଣ୍ଠେଶ୍ଵରଙ୍କ ପାଖରେ ସକାଳେ ଠୁଳ ହୋଇଥିବା ବେଲପତ୍ର, ଅକ୍ଷତ ଏବଂ ଅର୍କ ଫୁଲଗୁଡ଼ା ନଦୀ ପାଣିରେ ପ୍ରଥମେ ଭାସିଗଲା ସ୍ରୋତରେ । ନୀଳକଣ୍ଠକୁ ପ୍ରଣାମ କରି ଆଜ୍ଞା ନେଲା ମହାନଦୀ ।

ରାତି ଅଧ ବେଳକୁ ମନ୍ଦିର ଭିତରେ ପାଣି ଲହଡ଼ି ମାରିଲା ଆସି ।

ହଇଚଇ ପଡ଼ିଗଲା ସହରରେ । ଘଣ୍ଟାକୁ ଏକ ଫୁଟ ହିସାବରେ ବଢ଼ୁଥାଏ ପାଣି ।

କୂଳ ଲଙ୍ଘି ନଦୀ ଚାଲି ଆସିଲେ କଅଣ ହବ ?

ଯୁଗ ଯୁଗ ଏଇ ନଦୀକୁ ମାଆ ପରି ସ୍ନେହ ଭକ୍ତି କରିଚନ୍ତି କୂଳରେ ବସବାସ କରୁଥିବା ଲୋକମାନେ । ସେ ସେମାନଙ୍କର ଅନେକ ଅଦଉତି ସହିଚି; କିନ୍ତୁ ସେମାନଙ୍କର ବିଶ୍ଵାସକୁ ଭାଙ୍ଗିଦେଇ ନାହିଁ ।

ଆଜି କଅଣ ସତରେ ମହାନଦୀ ତା’ର ଗର୍ଭରେ ମିଶାଇ ଦବ ବୌଦ ଏବଂ କୂଳରେ ହସଖୁସିରେ ରହୁଥିବା ସହସ୍ର ଲୋକଙ୍କୁ ?

ସକାଳ ହୋଇ ନଥାଏ ।

ସୁଅ ଫିଟିଗଲା । କୂଳ ଭାଙ୍ଗି ନଦୀର ପାଣି ଅଶ୍ଵ ଗତିରେ ଦୌଡ଼ିଲା ସହରଆଡ଼କୁ ।

ଲୋକଙ୍କ ଭିତରେ ହାଲୋଳ ପଡ଼ିଗଲା । ଆବାଳବୃଦ୍ଧ ବନିତାଙ୍କର କ୍ରନ୍ଦନର ଶବ୍ଦ ଭାସି ଆସି ଲୀନ ହୋଇଗଲା ମହାନଦୀର ଅମଣିଆ ସ୍ରୋତର ଶବ୍ଦରେ ।

ମଣିଷ ଅସହାୟ ହୋଇ ଚାହିଁ ରହିଲା କେବଳ । ମହାନଦୀ ସବୁ ନୀତିନିୟମ, ସବୁ ପ୍ରତିଶ୍ରୁତି ଭାଙ୍ଗି ସୃଷ୍ଟି କଲା ଅନେକ ରଣ ସାମ୍ମୁଖ୍ୟ; ଯେପରି ପ୍ରକୃତି ମଣିଷ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଚି । ନୀଳକଣ୍ଠେଶ୍ଵର ରୁଦ୍ରମୂର୍ତ୍ତି ଧାରଣ କରି ଡମ୍ବରୁ ବଜାଇ ତାଣ୍ଡବ ଲୀଳା ଆରମ୍ଭ କରିଦେଲେ ପାପ ତାପ ଅନ୍ୟାୟ ଅନୀତି ବିରୁଦ୍ଧରେ ।

ଚିନ୍ତାମଣି ପିଲାଛୁଆଙ୍କୁ କଚେରୀ ଘର ଉପରକୁ ଉଠେଇ ଦେଇ ଫେରିଆସିଲା । ସେମାନଙ୍କର ସାନକୁହା ମାନିଲା ନାହିଁ । ସହର ଭିତରେ ସୁଅ ପଡ଼ିଚି ।

ସକାଳ ହବା ବେଳକୁ ସଚହରର ଅବସ୍ଥା ଶୋଚନୀୟ । ଧ୍ଵଂସମୁଖୀ ମହାନଦୀ କେବଳ ଭାଙ୍ଗିରୁଜି ଦଳିମକଚି ଦେଇ ଆଗକୁ ଧାଇଁଚି ।

କେଉଟ ସାହିରେ ଆଉ ଚିହ୍ନବର୍ଣ୍ଣ ଦିଶୁନାହିଁ ।

ମୋଚି ସାହିରେ ଅଧେ ନଦୀ ଗର୍ଭରେ ଲୀନ ହୋଇଗଲାଣି ।

ମହାନଦୀ ଗର୍ଭବତୀ ମହିଳା ପରି ଫୁଲି ଉଠିଚି ରାତିକ ଭିତରେ ।

ସେଇ ଭୟଙ୍କର ରୂପ ଦେଖି ଶଙ୍କିଗଲା ଚିନ୍ତାମଣି ।

ତା’ର ହାତକୁ ଧରି ପକେଇ ବ୍ରାହ୍ମଣ ସାହିର ବିପ୍ରଦାସେ କହିଲେ–ମୋ ଭେକ ବୁଡ଼ିଗଲା ପୁଅ । ଆଉ କିଛି କହିଲା ନାହିଁ ।

ଏତେ ଗୁଡ଼ାଏ ଲୋକ ତାହେଲେ ଆଖି ଆଗରେ ନିଶ୍ଚିନ୍ତ ଭାବରେ ମରଣ ମୁହଁରେ ଅଦୃଶ୍ୟ ହୋଇଯିବେ ?

ଚିନ୍ତାମଣି ଚାହିଁଲା ବରଜୁ ମୁହଁକୁ ।

ବରଜୁ କହିଲା–ବଡ଼ ଅସମ୍ଭବ କାମ ମାମୁଁ… ।

କିନ୍ତୁ ଆମ ଆଖି ଆଗରେ ସେମାନେ ଭାସିଯିବେ ଆମେ କେବଳ ଛିଡ଼ାହୋଇ ଦେଖିବା… ?

ବରଜୁ କାତ ଧରି କହିଲା–ତମ କଥା ରହୁ, ନୀଳକଣ୍ଠଙ୍କ ନାମ ଧରି ଛାଡ଼ିଦିଅ ନାଆ… ।

ଚିନ୍ତାମଣି କପାଳରେ ଯୋଡ଼କର ଲଗାଇ ନାଆ ଛାଡ଼ିଦେଲା ।

ଦୁହେଁ କାତ ମାରୁଥିଲେ ଅକାତ କାତ ପାଣିରେ ।

ପଛକୁ ପବନ ଠେଲି ନେଉଥିଲା ଡଙ୍ଗାକୁ । ଦର୍‍ହ ଭିତରେ ପଡ଼ିବା ଆଗରୁ ପହଞ୍ଚିଗଲେ ସେମାନେ ।

ଜଣେ, ଦୁଇ ଜଣ, ତିନି ଜଣ… ।

ତା’ପରେ ଆହୁରି ସାତ ଆଠ ଜଣ ହାତ ବଢ଼ାଉଥାନ୍ତି ବ୍ୟାକୁଳ ହୋଇ । ସେମାନଙ୍କର ହାତ ଆଉ ଚିନ୍ତାମଣିର ହାତ ମଝିରେ ମହାକାଳ ଅପେକ୍ଷା କରୁଚି ।

ଚିନ୍ତାମଣି ଝିଙ୍କି ଆଣିଲା ଦୁଇ ଜଣଙ୍କୁ ।

ଡଙ୍ଗାଟା ଥରି ଉଠିଲା । ଉଚ୍ଛୁଳା ପାଣି କିଛି ପଶିଗଲା ଡଙ୍ଗାରେ ।

ବରଜୁ ହୁରି କଲା–ସାବଧାନ ମାମୁଁ… ।

ଚିନ୍ତାମଣି ଯୁଝୁଥାଏ ଯମ ଦେବତା ସହିତ । ଆଗରେ ଦର୍‍ହ । ତା’ଆଗରେ ଭଉଁରୀ ।

ଭଉଁରୀ ଭିତରେ ଘୂରୁଥାଏ ଯେପରି ! ତଳ ଉପର ମନ୍ଥି ହୋଇଯାଉଥାଏ ।

ଆଉ ଥରେ ହାତ ବଢ଼ାଇବା ବେଳକୁ ପାଦ ଚହଲି ଯାଇ ପାଣିରେ ପଡ଼ିଗଲା ଚିନ୍ତାମଣି-

ବରଜୁ ଆତଙ୍କରେ ଚିତ୍କାର କରି ଉଠି କାତଟା ବଢ଼େଇ ଦେଇ କହିଲା–ଧର ମାମୁଁ, କାତଟାକୁ ଧରି ସମ୍ଭାଳି ଯାଅ… ।

କିନ୍ତୁ ସେତବେଳକୁ ଦୂରକୁ ଭାସିଯାଇଥାଏ ଚିନ୍ତାମଣି । ଆଗରେ ଭଉଁରୀ । ଚିନ୍ତାମଣି ସବୁ ଶକ୍ତି ଖର୍ଚ୍ଚ କରି ଚିତ୍କାର କଲା–ତୁ ଫେରିଜା ବରଜୁ…ମୋ କଥା…

ଆଉ କିଛି ଶୁଣାଗଲା ନାହିଁ ।

ମହାକାଳ ଅପେକ୍ଷା କରୁଥିଲା ଭଉଁରୀ ଭିତରେ ।

ବରଜୁ ଫେରିଆସିଲା ଆଖିରେ ମହାନଦୀର ଅଥଳ ଜଳ ନେଇ ।

 

ଚିନ୍ତାମଣି ରହିଗଲା ନଦୀ ଭିତରେ ।

କାହିଁକି ?

ସେଇ ନଦୀକୁ ସିଏ ମା ପରି ଭଲ ପାଉଥିଲା ବୋଲି ନା ମଣିଷମାନଙ୍କୁ ସେ ସ୍ନେହ କରୁଥିଲା ବୋଲି ? ସେଇ ପ୍ରଶ୍ନର ଉତ୍ତର କେହି ଦେଇ ପାରିଲେ ନାହିଁ ।

☆☆☆

 

ବିଶ୍ଵାସ ହୁଏ ନାହିଁ

 

ଏପରି ଅନେକ ମୁହୂର୍ତ୍ତ ଆସେ ଯାହା ବିଶ୍ଵାସର ପରିସର ବାହାରେ । ସମୟେ ସମୟେ ଖୁସିରେ ସମ୍ମତି ନେବା ପରିବର୍ତ୍ତେ ଦୁଃଖ ଏବଂ ବାଧ୍ୟତାବଶତଃ ଅନିଚ୍ଛା ସମ୍ମତିଟିଏ ନେବାକୁ ପଡ଼େ ଯାହାକୁ ଅନ୍ୟମାନେ କହନ୍ତି ଆତ୍ମବଳି ବା ସାକ୍ରିଫାଇସ୍ । ତାହାହିଁ ଘଟିଛି ସୁବାସର ଜୀବନଚକ୍ରରେ-। ଅନୁରାଗ ଯେ କି ସୁବାସର ଘନିଷ୍ଠ ବନ୍ଧୁ, ତାଙ୍କ ବାପାଙ୍କ କୁଚକ୍ରାନ୍ତରେ ସୁବାସ ନିଜର ନିର୍ମଳ ଜୀବନ ରାସ୍ତାକୁ ଆତ୍ମବଳି ଦେଇଛି ବନ୍ଧୁ ପାଇଁ ଓ ବାଛିଦେଇଛି ଏକ କଣ୍ଟକିତ ଅଜଣା ରାସ୍ତାକୁ ଯେଉଁଥିରେ ସେ ଆଗରୁ ଚାଲିବାରେ ଅଭ୍ୟସ୍ତ ନୁହେଁ ।

 

ସୁବାସ ଜାଣିଥିଲା ଯେ ସେ ଯଦି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଉର୍ତ୍ତୀର୍ଣ୍ଣ ନ ହୁଏ, ବୃତ୍ତି ପାଇବ ନାହିଁ । ବୃତ୍ତି ନପାଇଲେ ହାତରୁ ଖର୍ଚ୍ଚକରି ତାକୁ ପଢ଼ାଇବାର ସାମର୍ଥ୍ୟ ବାପାଙ୍କର ନାହିଁ । ବି.ଏ. ପର୍ଯ୍ୟନ୍ତ ସେ ପଢ଼ି ଆସିଲା ପରିବାରର ଯତ୍ ସାମାନ୍ୟ ସାହାଯ୍ୟ ଓ ନିଜର କୃତିତ୍ଵ ବଳରେ । ହାଇସ୍କୁଲ ପରୀକ୍ଷାରେ ସେ ଫାଷ୍ଟ ଡିଭିଜନରେ ପାସ୍‍ କରିଥିଲା ଏବଂ ପ୍ରଥମ ଦଶଜଣଙ୍କ ମଧ୍ୟରେ ଉତ୍ତୀର୍ଣ୍ଣ ହୋଇ ସ୍କଲରସିପ୍ ପାଇଥିଲା । ଆଇ.ଏସ୍.ସିରେ ମଧ୍ୟ ସେହିପରି ହେଲା । ତାର ସ୍ଥାନ ଥିଲା ପଞ୍ଚମ । ବି.ଏସ୍.ସି. ପରୀକ୍ଷାରେ ସେ ଯେ ପଛରେ ପଡ଼ିଯିବ ନାହିଁ ଏହା ପ୍ରାୟ ଧରି ନେଇଥିଲା । ତାର ଆତ୍ମବିଶ୍ଵାସ ଥିଲା ପ୍ରବଳ । ତେଣୁ ପରୀକ୍ଷା ଦେଇସାରି ସେ ଘରେ ଥିଲାବେଳେ ସମୟ ଅପବ୍ୟୟ ନକରି ଲାଇବ୍ରେରୀରୁ ବହି ଆଣି ପଢ଼ିବାକୁ ଲାଗିଲା । ଆଇନଷ୍ଟାଇନ୍, ଜର୍ଜ ଷ୍ଟିଭେନ୍‍ସନ୍‍ଙ୍କ ଉପରେ ପଢ଼ିସାରି ଏବେ ସେକ୍‍ସପିଅରଙ୍କ ଜୀବନୀ ପଢ଼ୁଛି । ତା ଆଗରୁ ପଢ଼ିସାରିଛି ଗାନ୍ଧି ଓ ନେହେରୁଙ୍କ ଜୀବନୀ ଏବଂ ନେହେରୁଙ୍କ ଡିସ୍‍କଭରି ଅଫ୍ଇଣ୍ଡିଆ । ଯେତିକି ପଢ଼ୁଛି ସେତିକି ସେ ଆହୁରି ବଡ଼, ଉଜ୍ଜ୍ଵଳ ଏକ ନୂତନ ଜଗତ ଆବିଷ୍କାର କରିବାରେ ଲାଗିଛି । ମଣିଷ ସଭ୍ୟତାର ରୋମହର୍ଷକ କାହାଣୀ ତାକୁ ପ୍ରଲୁବ୍‍ଧ କରିଛି, ପ୍ରେରଣା ଦେଇଛି; ବାଧାବିଘ୍ନ କେବେ ମଣିଷକୁ ଅଟକାଇ ପାରିନାହିଁ, ସେ ସବୁ ଅତିକ୍ରମ କରି ସେ ଆଗକୁ ଯାଇଛି । ପଡ଼ିଛି ବହୁବାର । ଲହୁ ଲୁହାଣ ହୋଇଛି । କିନ୍ତୁ ସେଇଠି ରହି ଯାଇନାହିଁ । ପୁଣି ଉଠିଛି । ଯାତ୍ରା ପୁଣି ଆରମ୍ଭ କରିଛି ।

 

ସୁବାସ ଆଗରେ ବି ସେହିପରି ସହଜ ସରଳ ପଥ ନୁହେଁ, ଅନେକ ବାଧାବିଘ୍ନ ଥିବା ପଥ । ଆତ୍ମବିଶ୍ଵାସ, ସାହସ ତାର ସମ୍ବଳ ।

 

ସୁବାସ ବହିଟିଏ ପଢ଼ୁଥିଲା ବେଳେ ଆସି ପହଞ୍ଚିଲା ଅନୁରାଗ । ସେ ତା’ର ଅନ୍ତରଙ୍ଗ ବନ୍ଧୁ । ଏକା କ୍ଲାସରେ ପଢ଼ନ୍ତି । ଅନୁରାଗ ତାକୁ ଛାଡ଼ି ଯେପରି ଅଲଗା କିଛି କରେ ନାହିଁ, ସୁବାସ କିଛି କରିବା ଆଗରୁ ସେହିପରି ଅନୁରାଗକୁ ପଚାରିନିଏ । ଦୁହେଁ ଏକତ୍ର ପଢ଼ନ୍ତି, ଆଲୋଚନା କରନ୍ତି । ମତ ବିନିମୟ କରନ୍ତି । ଖେଳିବା, ବୁଲିବା ବେଳେ ମଧ୍ୟ ଦୁହିଁଙ୍କୁ ଏକତ୍ର ଦେଖାଯାଏ ।

 

ଅନୁରାଗ କହିଲା–କିରେ…ତୁ ଏଯାଏ ବାହାରି ନାହୁଁ ଯେ… ଆଜି ପରା ମ୍ୟାଚ୍ ଅଛି ।

 

ସୁବାସ ଭୁଲି ଯାଇଥିଲା । ସେ ବହିଟି ରଖି ଦେଇ ଉଠିପଡ଼ି କହିଲା–ଆରେ ସତେତ… ଗୋଟେ ଭଲ ବହି ହାତରେ ପଡ଼ିଛି, ପଢ଼ୁ ପଢ଼ୁ ଆଉ ସବୁ ଭୁଲିଗଲି । ଚାଲ୍‍ ଚାଲ୍ । ସେମାନେ ପୁରୀରୁ ଆସିଗଲେଣି ? –ହଁ, ମୁଁ ଦେଖି ଆସିଲି । ଏଇ ବସରୁ ଓହ୍ଲାଇ କ୍ଲବ୍‍କୁ ଗଲେ । ଆଉ ଘଣ୍ଟାଏ ଅଛି ହାତରେ । ଆଜି ଯଦି ଆମେ ଆମ କଲେଜ ଜିତିଯାଏ… ।

 

–ଜିତିବ ଅବଶ୍ୟ । କିନ୍ତୁ ପୁରୀ ସହଜରେ ବାଟ ଛାଡ଼ିଦେବ ନାହିଁ ।

 

ଦୁଇ ବନ୍ଧୁଗଲେ ପଡ଼ିଆକୁ । ଲୋକ ଗହଳି ବଢ଼ିବାରେ ଲାଗିଥାଏ । ବାଦାମ କିଣିଲା ଅନୁରାଗ । ସୁବାସର ଅଧେ, ତାର ଅଧେ ।

 

ଅନୁରାଗ ଆରମ୍ଭ କଲା–ଫଳ ଦିନେ ଦି’ ଦିନ ମଧ୍ୟରେ ବାହାରିଯିବ । ତୋର ପୋଜିସନ୍‍ ତ ଥୁଆ ହୋଇ ରହିଛି ।

 

–ତୋ ତୁଣ୍ଡରେ ଫୁଲ ଚନ୍ଦନ ପଡ଼ୁ… ମୋତେ କିନ୍ତୁ ଡର ଲାଗୁଛି ଅନୁ ।

 

ଆଶ୍ଚର୍ଯ୍ୟ ହୋଇ ଅନୁରାଗ କହିଲା–ତୋତେ ଯଦି ଡର ଲାଗେ, ଆମେ ସବୁ କୁଆଡ଼େ ଯିବୁ… ?

 

ଅନୁରାଗ ବାପା ଶିକ୍ଷା ବିଭାଗର କମିଶନର୍ । ବି.ଏସ୍.ସି ପରେ ଦିଲ୍ଲୀ ଯିବା ନିଶ୍ଚିତ ହୋଇଗଲାଣି । ଉତ୍କଳ ବିଶ୍ଵବିଦ୍ୟାଳୟରେ ରହି ନିଜର କ୍ୟାରିଅର ବିସର୍ଜନ ଦବାକୁ ଚାହେଁନି ସେ-। ତା ବାପା କହି ସାରିଲେଣି ଦିଲ୍ଲୀ ଯିବା ଲାଗି ପ୍ରସ୍ତୁତ ରହିବା ପାଇଁ । ସେଠାରେ କେବଳ ବଡ଼ ବଡ଼ କୋଠା ନିର୍ମାଣ କରାଯାଏ ନାହିଁ ବଡ଼ ବଡ଼ ନେତା ସେଇଠି ରୁହନ୍ତି, ଭାରତର ଭବିଷ୍ୟତ ଗଢ଼ାଯାଏ ସେଇଠି । ଅନୁରାଗ ଦିଲ୍ଲୀରେ ତିନି ଚାରିଟା ବର୍ଷ ରହିଗଲେ ଆଇ.ଏ.ଏସ୍ ହୋଇ ବାହାରି ଆସିବ । କ୍ୟାରିଅର ଖୋଲିଯିବ ।

 

ସୁବାସର ଯିବା ପାଇଁ ଇଚ୍ଛା ହୁଏ । କିନ୍ତୁ ତା’ ବାପାର ସମ୍ବଳ ନାହିଁ । ସେ ଅଧସ୍ତନ କର୍ମଚାରୀ । କିରାଣୀ । ଅନୁରାଗ ସହିତ ଆଉ ଏକା ସାଙ୍ଗରେ ପଢ଼ିବାର ସୌଭାଗ୍ୟ ତାର ହେବନାହିଁ । ଦୁହେଁ ଅଲଗା ହୋଇଯିବେ କେତେ ବର୍ଷ ଏକତ୍ର ଅଧ୍ୟୟନ କରିବା ପରେ । କିନ୍ତୁ ବନ୍ଧୁତ୍ଵ ବଜାୟ ରହିବ ।

 

ସୁବାସ କହିଲା–ଏଇ ଭୁବନେଶ୍ଵରରେ ରହି ମୁଁ ଯାହା ପାରିବି କରିବିରେ ଅନୁ । ତୁ କିନ୍ତୁ ଭୁଲି ଯିବୁନି । ଦିଲ୍ଲୀରୁ ଆସିଲା ବେଳେ ନୋଟ୍‍ ଖାତାଗୁଡ଼ା ନେଇଆସିବୁ ।

 

ଅନୁରାଗ କହିଲା–ବାପା କାହିଁକି ଜିଦ୍‍ କରନ୍ତି ଦିଲ୍ଲୀ ଯିବା ପାଇଁ ମୁଁ ବୁଝି ପାରେନି । ଭୁବନେଶ୍ଵରରେ ରହି ଭବିଷ୍ୟତ ନିର୍ମାଣ କରିହେବନି କାହିଁକି ? ସମସ୍ତେ ତ ଆଉ ଦିଲ୍ଲୀ ଯାଉନାହାନ୍ତି ।

 

–ନା, ନା ସେ କଥା ନୁହେଁ ଯେ, ଦିଲ୍ଲୀ ଦେଶର ରାଜଧାନୀ । ସେଠାରେ ବାତାବରଣ ବଡ଼ ହେବାର ଅନୁକୂଳ । କଥାରେ ଅଛି ବଡ଼ ହେବ ବା ବଡ଼ ଲୋକଙ୍କ ପାଖେ ପାଖେ ରହିବ ।

 

ହସି ଉଠିଲେ ଦୁହେଁ ।

 

ଖେଳ ଆରମ୍ଭ ହେଲା । ଖୁବ ଆକ୍ରମଣାତ୍ମକ ଖେଳ ଖେଳିଲେ ପୁରୀ କଲେଜର ପିଲାମାନେ । ପ୍ରଥମେ ଗୋଲ୍ ବି ଦେଲେ ସେମାନେ ।

 

ବି.ଜେ.ବି. ପଛେଇ ଗଲା । ଆଉ ସେଇ ଗୋଲ ସୁଝି ଦେଇ ପାରିଲା ନାହିଁ ।

 

ବି.ଜେ.ବି. ହାରିଗଲା ।

 

ସୁବାସ ମନେ କଲା ସେ ସେ ବି ହାରିଗଲା ।

 

ଅନୁରାଗ ବି ସେଇ କଥା କହିଲା ।

 

ଖେଳ ପଡ଼ିଆରୁ ଫେରିବା ବେଳେ ଅନୁରାଗ ତାକୁ ଟାଣି ନେଇଗଲା ନିଜ ଘରକୁ ।

 

ଫରେଷ୍ଟ ପାର୍କରେ ବଙ୍ଗଳା ।

 

ଏଇ ବଙ୍ଗଳାକୁ ଆଜି ଏଇ ପ୍ରଥମ ଆସୁନି ସୁବାସ, ଏହା ପୂର୍ବରୁ ଅନେକଥର ଆସିଛି ।

 

କିନ୍ତୁ ଆଜି ଏଇ ପ୍ରଥମ ତାକୁ ପାଖରେ ବସାଇଲେ ଅନୁରାଗର ବାପା ଶିକ୍ଷାବିଭାଗର କମିଶନର ନରୋତ୍ତମ ପଟ୍ଟନାୟକ ।

 

ସେ କହିଲେ–ଫଳ କେବେ ବାହାରିବ ?

 

ଦିନେ ଦି ଦିନ ଭିତରେ ।

 

–କିନ୍ତୁ ଯାହା ଜାଣିବା କଥା ଜଣା ପଡ଼ିଯିବଣି ଏତେବେଳକୁ…

 

ସୁବାସ କିଛି କହିଲା ନାହିଁ ।

 

ସେ ପୁଣି କହିଲେ–ଅନୁକୁ ମୁଁ ସେଥିପାଇଁ କହେ ଯେ କଠିନ ପରିଶ୍ରମ ଓ ନିଷ୍ଠାର ବିକଳ୍ପ ନାହିଁ । ଚେଷ୍ଟା କରିବା ତୁମ୍ଭମାନଙ୍କର କାମ । ଫଳ ବିଧାତାଙ୍କ ହାତରେ । ଅନୁ ଯଦି ଫାଷ୍ଟ ଡିଭିଜନ୍‍ ପାଏ, ଦିଲ୍ଲୀରେ ସିଟ୍ ପାଇଯିବ…

 

ସୁବାସ ମନେମନେ ପ୍ରାର୍ଥନା କଲା ବନ୍ଧୁର ସଫଳତା ପାଇଁ । ଅନୁରାଗ ଏଯାଏ କେବେ ହେଲେ ପ୍ରଥମ ଶ୍ରେଣୀରେ ପାସ୍‍ କରିନି । ଦ୍ଵିତୀୟ ଶ୍ରେଣୀରେ ରହିଯାଇଛି । ଏଥର କୁଆଡ଼େ ଆଶାତୀତ ଭାବରେ ଭଲ କରିଛି । ସେ ଏକଥା କହି ନଥିଲେ ବି ତା ବାପାଙ୍କ ମୁହଁରୁ ଶୁଣିଛି ।

 

ଗତଥର ସେ ଅନୁରାଗ ଘରକୁ ଆସିଥିଲା ବେଳେ ତା’ ବାପା ଅଫିସ ଯାଉଥିଲେ । ଘର ଦ୍ଵାର ମୁହଁରେ ଦେଖା ହୋଇଯାଇଥିଲା । ସେତିକିବେଳେ ସେ କହିଥିଲେ ଏକଥା ।

 

ଆଜି ପୁଣି ଦୋହରାଇଲେ ।

 

–ପଟେନ୍‍ସିଏଲିଟି ଅଛି । କିନ୍ତୁ ଅଧ୍ୟାବସାୟ କରେନା ଅନୁରାଗ । ଏଥର ମୁଁ ତା ପାଖେ ପାଖେ ଥିଲି । ପରୀକ୍ଷା ସମୟରେ ଗସ୍ତ କରିବା ବନ୍ଦ ରଖିଥିଲି । ଏହାର ସୁଫଳ ଅବଶ୍ୟ ସେ ପାଇବ ।

 

ସୁବାସ ବି ସେଇ କାମନା କରେ । ଅନୁ ଫାଷ୍ଟଡିଭିଜନ୍‍ ନ ପାଇ ସେକେଣ୍ଡ ପାଏ ବୋଲି ଦୁହିଁଙ୍କ ମଧ୍ୟରେ ବେଳେ ବେଳେ ସୂକ୍ଷ୍ମ ପାଚେରୀଟିଏ ଗଢ଼ିଉଠେ । କିନ୍ତୁ ଅଳ୍ପ ସମୟ ପାଇଁ । ଅନୁରାଗ ଅଲଗା ହୋଇଯିବା ଆଗରୁ ସୁବାସ ସେଇ ପାଚେରୀ ଭାଙ୍ଗି ଦେଇ କହେ–ଫାଷ୍ଟ୍‍ ଡିଭିଜନ୍‍ ସେକେଣ୍ଡ୍ ଡିଭିଜନରୁ ଭଲ ମଣିଷର ପରିଚୟ ମିଳେନା, ମିଳେ ଚରିତ୍ରରୁ । ମନୁଷ୍ୟତ୍ଵରୁ । ସେଥିରେ ତୁ ମୋଠାରୁ ଅନେକ ବଡ଼ । ତୋର ସାହାଯ୍ୟ ମୁଁ କେବେ ଭୁଲି ପାରିବି ନାହିଁ ।

 

କମିଶନର ସାହେବ ଉଠି ଗଲାବେଳେ କହିଲେ–ରେଜଲ୍ଟ ବାହାରୁ, ଗୋଟେ ଗେଟ୍‍ ଟୁଗେଦର କରିବା । ସବୁ ସଫଳତା ସେଲିବ୍ରେଟ୍‍ କରାଯିବା ଦରକାର ।

 

ସୁବାସ ଅନାଇ ରହିଲା ତାଙ୍କ ଯିବା ବାଟକୁ ।

 

ଅନୁରାଗ ଆସିଲା ହାତରେ ଜଳଖିଆ ନେଇ ।

 

ଦୁଇ ବନ୍ଧୁ ଖାଇଲାବେଳେ ତା’ ମା ଆସି ପହଞ୍ଚିଲେ ।–ପୋଜିସନ ତ ତୋର ଥୁଆରେ ସୁବାସ… ।

 

–ନା ମାଉସୀ, ନିଶ୍ଚିନ୍ତ ଭାବେ କହି ହେବନି କିଛି । ମୁଁ ଭଲ କରିଛି ଅବଶ୍ୟ, କିନ୍ତୁ ଅନ୍ୟମାନେ ଭଲ କରିଥିବେ ।

 

ଅନୁରାଗ କହିଲା–ମା ଦେଖିବ ସେ ଫାଷ୍ଟ୍‍ କି ସେକେଣ୍ଡ୍ ହେବ… ।

 

ତା ମା’ ମଥା ହଲାଇଲେ ।

 

ସଂନ୍ଧ୍ୟାବେଳେ ତାଙ୍କ ଘରୁ ଫେରିଲା ବେଳେ ଅନୁରାଗ ବୁଣୁଥିଲା ସ୍ଵପ୍ନର ଜାଲ । ବୁଢ଼ିଆଣୀର ଜାଲରେ ପୋକ ମାଛି ଧରା ଦେଲା ପରି ସେଇ ଜାଲରେ ଧରା ଦେଉଥିଲେ ସଫଳତାଗୁଡ଼ାକ । ସେ ପୋଜିସନ ରଖିବ, ଏମ୍.ଏସ୍.ସି. ପଢ଼ିବ ପଦାର୍ଥ ବିଜ୍ଞାନରେ । ପୁଣି ପୋଜିସନ ରଖିବ । ଏମ୍.ଫିଲ. କରିବ । ପି.ଏଚ୍.ଡି. କରିବ । ରିସର୍ଚ୍ଚ କରିବା ପାଇଁ ଯିବ ବିଦେଶ-। ନୂତନ କିଛି ଆବିଷ୍କାର କରିବ । ଏ ଦେଶର ଟେକ ରଖିବ ବିଶ୍ଵରେ ।

 

ସେ ଘରକୁ ଫେରି ଆସିବି ଭିତରକୁ ନ ପଶି ବାହାରେ ଛିଡ଼ା ହୋଇଥିବାର ଦେଖି ମା’କହିଲେ–କିରେ ବାହାରେ ଠିଆ ହୋଇଛୁ ଯେ– !

 

ସୁବାସ ଜାଲ ବୁଣା ଶେଷ କରି ଭିତରକୁ ପଶିଲା ।

 

ଠିକ୍ ତାର ଦୁଇଦିନ ପରେ ଫଳ ପ୍ରକାଶ ପାଇଲା । ବିଶ୍ଵବିଦ୍ୟାଳୟ ଅଫିସକୁ ଯାଇ ଦେଖିଆସିଲା ଫଳ ବାହାରିଥିବା ତାଲିକା, କିନ୍ତୁ ନିଜର ନାମ ନଥିଲା ସେଥିରେ । ଥରେ ନୁହେଁ ସାତଥର ପଢ଼ିଥିଲୁ ସେଇ ଲିଷ୍ଟ । କିନ୍ତୁ ତା ନାମ ନଥିଲା ସେଥିରେ । ଅନୁରାଗ କହିଲା–ବିଶ୍ଵାସ ହେଉନି ତୋ ନାମ ଭୁଲରେ ବୋଧହୁଏ ରହିଯାଇଛି । ବିରାଟ ଭୁଲ୍‍ କରି ପକାଇଛି ଟାଇପିଷ୍ଟ୍ ।

 

ସୁବାସ କିନ୍ତୁ କହିଲା–ନା ମୁଁ ଫେଲ୍‍ ହୋଇଯାଇଛି ।

 

ତା ବାପା ବିଶ୍ଵାସ କରିପାରିଲେ ନାହିଁ ।

 

ତା ମା’ କାନ୍ଦିଲେ ଠାକୁରଙ୍କ ପାଖରେ ଅଧିଆପଡ଼ି ।

 

ତାକୁ ଅତି ସ୍ନେହ କରୁଥିବା ଫିଜିକ୍ସ ପ୍ରଫେସର୍‍ ଘନଶ୍ୟାମ କହିଲେ–କେହି ଜାଲ୍‍ କରିଛି ନିଶ୍ଚୟ । ଆକାଶ ଖସି ପଡ଼ିଲେ ମୁଁ ସ୍ତମ୍ଭିତ ହେବି ନାହିଁ, କିନ୍ତୁ ଏଇ ଘଟଣା ମୋତେ ସ୍ତମ୍ଭିତ କରିଛି-

 

ଅନୁରାଗ ଆସିଥିଲା ଘରଯାଏ ।

 

ତାକୁ ସାନ୍ତ୍ଵନାଦେଇ ଘରକୁ ଫେରିଲା ବାପା ମାଙ୍କୁ ଖବର ଦେବା ପାଇଁ ସେ ଫାଷ୍ଟ୍‍ ଡିଭିଜନରେ ପାସ୍‍ କରିଛି । ବିଶ୍ଵାସ ହେଉନଥିଲେ ବି ସତ୍ୟ ।

 

ଅନୁ ଚାଲିଗଲା ପରେ ତା ଆଖିରୁ ଲୁହ ପୋଛି ଦେଇ କହିଲେ ଘନଶ୍ୟାମ ବାବୁ–ତୁ ରିଚେକିଂ ପାଇଁ ଦରଖାସ୍ତ କର । କେଉଁଠି ଭୁଲ ହୋଇ ଯାଇଥିବା ପରି ଲାଗୁଛି ।

 

ସେଇ ରାତି ଆଉ ଶୋଇ ପାରିଲା ନାହିଁ ସୁବାସ ।

 

ସ୍ଵପ୍ନରେ ଗଢ଼ିଥିବା ସୌଧଗୁଡ଼ାକ ଭାଙ୍ଗିପଡ଼ିଥିଲା ପ୍ରବଳ ଏକ ଭୂମିକମ୍ପରେ ।

 

ନିଜ ହାତରେ ଗଢ଼ିଥିବା ସେଇ ସୌଧଗୁଡ଼ାକୁ ଭଗ୍ନସ୍ତୂପରେ ପରିଣତ ହୋଇଥିବାର ଦେଖି ସମ୍ଭାଳି ପାରୁନଥାଏ ସୁବାସ ।

 

କାହିଁକି କେଜାଣି କେତେ ବର୍ଷ ପରେ ତା ମା’ ସେଇ ରାତି ପୁଅ ପାଖରେ ଶୋଇଲେ ।

 

ମାଆର ମନ ଦୁର୍ବଳ ।

 

ଏତେ ଦୁଃଖ ସତ୍ତ୍ଵେ ସୁବାସ କହିଲା–ତମେ ଭୟ କରନି ମା । ମୁଁ ଆତ୍ମହତ୍ୟା କରିବି ନାହିଁ । ଘର ଛାଡ଼ି ଦୁଃଖରେ କାହିଁ ଚାଲିଯିବି ନାହିଁ । ଏଇଠି ରହି ତମର ଆଶୀର୍ବାଦ ନେଇ ପୁଣି ଚେଷ୍ଟା କରିବି । ମୋର ଆତ୍ମବିଶ୍ଵାସ ଅଛି, ମୁଁ ଥରେ ହାରିଯାଇଛି ସିନା, ସବୁଥର ହାରିବି ନାହିଁ ।

 

ସୁବାସ ତା ପରଦିନ ବିଶ୍ଵବିଦ୍ୟାଳୟ ଅଫିସ୍‍କୁ ଯାଇ ଖାତା ପରୀକ୍ଷା କରିବା ପାଇଁ ଫି ଓ ଦରଖାସ୍ତ ଦେଇଆସିଲା ।

 

ବାପା ତାକୁ ପିଲାଦିନେ ଶିଖାଇଥିଲେ ସେ ମନ୍ତ୍ର । ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ଵର । ଗୁରୁ ସାକ୍ଷାତ୍‍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ । ଗୁରୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର । ସେ ସାକ୍ଷାତ ପରମ ବ୍ରହ୍ମ । ତାଙ୍କଠାରୁ ଆଉ କେହି ବଡ଼ ନୁହେଁ । ଏଇ ବିଶ୍ଵାସ ଭାଙ୍ଗିଯାଉଛି କାହିଁକି-? କାହିଁକି ଶିକ୍ଷକଙ୍କ ବିଚାର ବୁଦ୍ଧି ବିରୁଦ୍ଧରେ ଖାତାର ପୁନଃ ମୂଲ୍ୟାୟନ କରିବା ସକାଶେ ସେ ନିବେଦନ କଲା ? ତାର ନିଜର ଦୁର୍ବଳତା ସେ ହୁଏତ ଜାଣେ ନାହିଁ । ସେ ଏକା ପରୀକ୍ଷା ଦେଇନଥିଲା, ଅନ୍ୟାନ୍ୟ ଛାତ୍ର ଛାତ୍ରୀମାନେ ଯଦି ଠିକ୍ ନମ୍ବର ପାଇଲେ ସେ ବି ପାଇଥିବ-। ସେ ଧରିନେଲା କାହିଁକି ଯେ ତା ପ୍ରତି ଅନ୍ୟାୟ କରାହୋଇଛି ?

 

ଅନେକ ପ୍ରଶ୍ନ ଉଦୟ ହେଲା ମନରେ । କିନ୍ତୁ ଉତ୍ତର ଖୋଜି ପାଇଲା ନାହିଁ ସୁବାସ । ଖାତାର ପୁନଃ ମୂଲ୍ୟାୟନ କରିବା ବିଷୟ ସେ ଭାବି ନଥିଲା । ଫିଜିକ୍‍ସ ପ୍ରଫେସର ଘନଶ୍ୟାମ ବାବୁ କହିଲେ । ତାଙ୍କରୁ ମୁହଁରୁ ସେ ପ୍ରଥମ ଶୁଣିଲା ଯେ ଖାତା ଦେଖାରେ ଅନେକ ହେରଫେର ହେଉଛି ଏବେ । ଏକଷଠିକୁ ଷୋହଳ କରାଯାଇ ପାରୁଛି, ଅଠରକୁ ଏକାଅଶୀ ସେହିପରି କରିଦିଆ ଯାଉଛି । ଫେଲ୍‍ ପିଲା ପାସ୍‍ କରିଥିବା ଓ ପାସ୍‍ କରିଥିବା ପିଲା ଫେଲ୍‍ ହୋଇଥିବାର କେତୋଟି ସତ ଘଟଣା ଉଦ୍ଧାର କଲେ ସେ । ପରୀକ୍ଷା ଖାତା ଦେଖିବାର ଯେଉଁ ପ୍ରଣାଳୀ ରହିଛି ତାହା ତ୍ରୁଟିପୂର୍ଣ୍ଣ । ଅଧ୍ୟାପକମାନଙ୍କ ମଧ୍ୟରୁ କେତେକ ଉତ୍କୋଚ ନେଇ ବା ପ୍ରିୟାପ୍ରୀତି ଓ ମୂଲାହିଜାରେ ପଡ଼ି ନମ୍ବର ବଢ଼ାଇବା ଘଟଣା ଶୁଣାଯାଉଛି ଏବେ । ଗତ ବର୍ଷ ମନ୍ତ୍ରୀଙ୍କ ଝିଅ ଫାଷ୍ଟ ହେଲା ଏହି ଉପାୟରେ ।

 

ଯିଏ ଫାଷ୍ଟ ହେବାର ହେଉ, ଯିଏ ଫେଲ୍ ହୋଇ ପାସ୍‍ କରିଥିବାର ସମ୍ମାନ ପାଇବାର ପାଉ, ତା ବିରୁଦ୍ଧରେ ଆନ୍ଦୋଳନ ବା ଅଭିଯୋଗ କରିବାକୁ ସମୟ ନାହିଁ ସୁବାସର । ସେ କେବଳ ନିଜ କଥା ଜାଣିବାକୁ ଚାହେଁ । ନିଜେ ଯେଉଁ ମୂଲ୍ୟ ପାଇବା କଥା ତାହା ଯେପରି ଅନ୍ୟାୟରେ କମି ନଯାଏ ବା ଅନ୍ୟ କେହି ନେଇନଯାଏ ସେତିକି ଦେଖିବା ତାର କର୍ତ୍ତବ୍ୟ ।

 

ବିଶ୍ଵବିଦ୍ୟାଳୟରେ ଦରଖାସ୍ତ ଦେଇ ଘରକୁ ଫେରିଲା ସୁବାସ । ତା’ପରଦିନ ନୀଳାଚଳ ଏକ୍‍ସପ୍ରେସରେ ଅନୁରାଗ ଦିଲ୍ଲୀ ଚାଲିଗଲା ନାମ ଲେଖାଇବା ପାଇଁ । ଜେ.ଏନ୍.ୟୁ. ବା ଦିଲ୍ଲୀ ବିଶ୍ଵବିଦ୍ୟାଳୟର ହିନ୍ଦୁ କଲେଜରେ ନାମ ଲେଖାଇବା ପାଇଁ ଚେଷ୍ଟା ଚାଲିଛି । ଗୋଟେ କିଛି ନିଶ୍ଚୟ ହୋଇଯିବ । ପ୍ରଥମ ଶ୍ରେଣୀ ପାଇଛି ଯେତେବେଳେ ଅସୁବିଧା ହେବନାହିଁ ।

 

ଯିବାଆଗରୁ ସେ କଥା କହିଗଲା ଅନୁରାଗ । ତାର ବିଫଳତା ପାଇଁ ପ୍ରକୃତରେ ସେ ଦୁଃଖିତ । ବହୁ ଦିନର ଅନ୍ତରଙ୍ଗ ସାଥୀ ଦୁହେଁ । କିନ୍ତୁ କେତେ ବର୍ଷ ପରେ ଏଇଠି ଅଲଗା ହୋଇଗଲେ । ଆଉ ସାଙ୍ଗ ହୋଇ ଖେଳ ପଡ଼ିଆକୁ ଯିବାର ସୁଯୋଗ ମିଳିବ ନାହିଁ, କଲେଜ ପ୍ରତିଯୋଗିତାରେ ସାଙ୍ଗ ହୋଇ ପରସ୍ପର କମ୍ପିଟିସନ କରି ପାରିବେ ନାହିଁ । ନିଜ ନିଜର ଭବିଷ୍ୟତ ସଂପର୍କରେ ମତ ବିନିମୟ ବା ଆଲୋଚନା କରିପାରିବେ ନାହିଁ ।

 

ପ୍ରକୃତରେ ସୁବାସ ଦୁଃଖିତ । ତଥାପି ବନ୍ଧୁର ସଫଳତା ପାଇଁ ସେ ଅଭିନନ୍ଦନ ଜଣାଇଛି ତାକୁ । ଷ୍ଟେସନ ଯାଇଥିଲା ବିଦାୟ ଦବା ଲାଗି । ତାକୁ ଅନୁରୋଧ କରିଥିଲା ଚିଠି ଦେବା ପାଇଁ । ଅନୁରାଗ ବି କହିଥିଲା ଭାଙ୍ଗି ନପଡ଼ି ପୁଣି ଯୋରସୋରରେ ଲାଗିବା ପାଇଁ । ଜୟ ପରାଜୟ ଖେଳାଳୀ ପକ୍ଷରେ ବଡ଼ କଥା ନୁହେଁ, ବଡ଼ କଥା ହେଉଛି ଭଲ ଭାବରେ ଖେଳିବା । ଖେଳାଳିର ଦୃଷ୍ଟିକୋଣ ନେଇ ପୁଣି ଭବିଷ୍ୟତଆଡ଼କୁ ଅଗ୍ରସର ହେବାଲାଗି ପରାମର୍ଶ ଦେଇଗଲା ଅନୁରାଗ ।

 

ଷ୍ଟେସନରୁ ଫେରି ଶୋଇପଡ଼ିଲା ସୁବାସ । ମା’ ଖାଇବା ଲାଗି ଯେତେ ଡାକିଲେ ବି ଖାଇଲା ନାହିଁ କି ଉଠିଲା ନାହିଁ ।

 

ଦଶ ଦିନ ପରେ ଅନୁରାଗର ଚିଠି ଆସି ପହଞ୍ଚିଲା । ହିନ୍ଦୁ କଲେଜରେ ଏଡ଼ମିସନ୍ ନେଇଛି ସେ । ଜେ.ଏନ୍. ୟୁ.ରେ ବି ସିଟ୍ ପାଇଥିଲା । କିନ୍ତୁ ବାପା କହିଲେ ସେଠାରେ ନେତାଗିରି କରିବା ଲାଗି ସୁଯୋଗ ବେଶୀ, ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ପଢ଼ିବା ଓ କଂପିଟିସନ କରିବାରେ ସୁଯୋଗ ବେଶୀ । ଆଜିରୁ ନଲାଗିଲେ ଆଇ.ଏ.ଏସ୍. ହେବା ସମ୍ଭବ ନୁହେଁ । ବାପାଙ୍କ କଥା ମାନି ଶେଷରେ ସେ ଏଡ଼ମିସନ୍ ନେଇଛି ହିନ୍ଦୁ କଲେଜରେ । ଅନୁରାଗ ଆହୁରି ବି ଲେଖିଛି ଯେ ହଷ୍ଟେଲରେ ବି ସେ ସିଟ୍ ପାଇଛି । ପରିବେଶ ଭଲ । ଖାଇବା ପିଇବା ସନ୍ତୋଷ ଜନକ । ରାଗିଂ ଅଳ୍ପ ବହୁତ ଅଛି । ସେଥିପାଇଁ ବିଚଳିତ ନୁହେଁ ସେ ।

 

ବିଶ୍ଵବିଦ୍ୟାଳୟ ଅଫିସ୍‍କୁ ଦିନେ ଛାଡ଼ି ଦିନେ ଛାଡ଼ି ଦିନେ ଦୌଡ଼ିଛି ସୁବାସ । ପ୍ରାୟ ତିନି ସପ୍ତାହ ହୋଇଗଲାଣି, ଏଯାଏ ପୁନର୍ବାର ଖାତା ମୂଲ୍ୟାୟନ କିନ୍ତୁ ହୋଇନାହିଁ । କେବେ ହେବ ନିର୍ଦ୍ଦିଷ୍ଟ ଭାବରେ ମଧ୍ୟ କେହି କହୁନାହାନ୍ତି । କେବଳ ସେ ନୁହେଁ, ଆହୁରି କେତେ ଜଣ ଛାତ୍ର ଦରଖାସ୍ତ କରିଛନ୍ତି ପୁନଃ ମୂଲ୍ୟାୟନ ପାଇଁ ।

 

ବିଶ୍ଵବିଦ୍ୟାଳୟକୁ ଗଲେ ଛାତି ଭିତରଟା ଯନ୍ତ୍ରଣାରେ କାତର ହୁଏ ସୁବାସର । ତା ସାଙ୍ଗ ପିଲାମାନଙ୍କ ମଧ୍ୟରୁ ଅନେକ ନାମ ଲେଖାଯାଇଛନ୍ତି ବିଶ୍ଵବିଦ୍ୟାଳୟରେ । ସେମାନଙ୍କ ସହିତ ଯେପରି ସାକ୍ଷାତ ନହୁଏ ସେଥିପାଇଁ ସେମାନଙ୍କୁ ଏଡ଼ାଇ ଏଡ଼ାଇ ଚାଲେ । ମୁହଁ ତଳକୁ ପୋତି କିଛି ନଦେଖିଲା ପରି କୌଣସିଆଡକୁ ଦୃଷ୍ଟି ନଦେଇ ଯାଆ ଆସ କରେ । ପାସ୍‍ କରିଥିଲେ ସେ ଏମ୍.ଏସ୍.ସିରେ ନାମ ଲେଖାଇ ଥାଆନ୍ତା । ସେ ସୁଯୋଗ ଆଉ ହେଲାନାହିଁ ।

 

ବସି ବସି ବିଷଣ୍ଣ ମୁହୂର୍ତ୍ତଗୁଡ଼ାକ କାଟୁଥିଲା ସୁବାସ ।

 

ହଠାତ୍‍ ଘର ଖୋଜି ଖୋଜି ପହଞ୍ଚିଗଲା ବିଶ୍ଵବିଦ୍ୟାଳୟର ପିଅନ ।

 

କଣ୍ଟ୍ରୋଲର ଅଫ୍ ଏକ୍‍ଜାମିନେସନ୍‍ ଡାକିଛନ୍ତି ତାକୁ । ଜରୁରୀ ।

 

ତାଙ୍କ ପାଖରେ କଅଣ କାମଥାଇ ପାରେ ସୁବାସର ? ହୁଏତ ଖାତାର ପୁନଃ ମୂଲ୍ୟାୟନ ହୋଇସାରିଛି । ସେ ନିଜେ ତାକୁ ଫଳାଫଳ ଜଣାଇବାକୁ ଚାହାନ୍ତି । ଛାତି ଭିତରଟା ଧଡ଼୍ ଧଡ଼୍ କରି ଉଠିଲା ।

 

ବିଳମ୍ବ ନକରି ସୁବାସ ଚାଲିଲା ବିଶ୍ଵବିଦ୍ୟାଳୟଆଡ଼କୁ । କଣ୍ଟ୍ରୋଲର ଅଫ୍ ଏକ୍‍ଜାମିନେସନ୍‍ସ ନିର୍ମାଲ୍ୟ ମିଶ୍ର ତାକୁ ଭିତରକୁ ଡାକି ପଠାଇଲେ ।

 

ସୁବାସ ନମସ୍କାର କରି ଛିଡ଼ାହେଲା । ସେ ତାକୁ ବସିବାକୁ କହି ଆରମ୍ଭ କଲେ–ତମେ ଖାତାର ପୁନଃ ମୂଲ୍ୟାୟନ ପାଇଁ ଦରଖାସ୍ତ କରିଥିଲ ।

 

–ଆଜ୍ଞା ।

 

–ଏଇ ଦରଖାସ୍ତ ତୁମର ?

 

–ଆଜ୍ଞା ।

 

ତାପରେ ଟିକେ ରହି କହିଲେ ନିର୍ମାଲ୍ୟ ବାବୁ–ତମ ଖାତା ଜଣେ ପ୍ରବୀଣ ଅଧ୍ୟାପକ ଦେଖିଛନ୍ତି । ପୁଣି ମୁଁ ମଧ୍ୟ ଦେଖୁଛି । ପ୍ରତି ଉତ୍ତର ପାଇଁ ଯଥାର୍ଥ ନମ୍ବର ଦିଆଯାଇଛି । କିନ୍ତୁ ଭୁଲ ହୋଇ ଯାଇଛି ଖାତାରୁ ନମ୍ବର ଉଠାଇଲା ବେଳେ । ଫିଜିକ୍‍ସ ଫାଷ୍ଟ ପେପରରେ ତୁମେ ପାଇଥିଲ ୯୩, କିନ୍ତୁ ନମ୍ବର ଉଠିଛି ୩୯ ।

 

ଚମକି ପଡ଼ିଲା ସୁବାସ ।

 

ନିର୍ମାଲ୍ୟ ବାବୁ କହିଲେ–ଇଂରାଜୀରେ ତୁମେ ପାଇଥିଲ ୮୧, ଭୁଲରେ ଉଠିଚି ୧୮ । ଅକ୍ଷମଣୀୟ ତ୍ରୁଟି ନିଶ୍ଚୟ । କିନ୍ତୁ ଯାହା ହେବାର ହୋଇଯାଇଛି । ବିଶ୍ଵବିଦ୍ୟାଳୟ ପକ୍ଷରୁ ମୁଁ ଦୁଃଖ ପ୍ରକାଶ କରୁଛି ।

 

–ମୋର କଅଣ ହେବ ସାର୍‍ ବର୍ଷଟେ ନଷ୍ଟ ହେଲା, ମୋ କ୍ୟାରିଅର ବି !

 

–ତମେ ଭଲ ପିଲା, ସପ୍ଲିମେଣ୍ଟାରୀ ଦେଲେ ଫାଷ୍ଟ୍‍ ଡିଭିଜନ ତ ନିଶ୍ଚୟ ପାଇବ ପୋଜିସନ୍‍ ବି ରଖିପାର ।

 

–କିନ୍ତୁ ଏଇ ସଂଶୋଧନ ଫଳ ପ୍ରକାଶ କରିବାରେ କିଛି ବାଧା ନାହିଁ ତ ସାର୍ !

 

–ଅଛି । ଆହୁରି ଗୋଟେ ଗୁରୁତର ତ୍ରୁଟି ହୋଇ ଯାଇଛି । ଯାହା ବର୍ତ୍ତମାନ ସଂଶୋଧନ କଲେ ପରିଣତି ଖରାପ ହେବ ।

 

–କଅଣ ସାର୍ ?

 

–ତମ ନମ୍ବର ଆଉ ଜଣେ ପାଇଯାଇଛି । ଏବଂ ତା ନମ୍ବର ତମେ ପାଇଛ । ସେ ଏବେ ଅନ୍ୟ ଏକ ୟୁନିଭରସିଟିର ଛାତ୍ର ପୋଷ୍ଟ ଗ୍ରାଜୁଏଟ କ୍ଲାସର– ।

 

ଟିକେ ରହି ପୁଣି କହିଲେ ନିର୍ମାଲ୍ୟ ବାବୁ–ଯାହା ହେବାର ହୋଇଗଲାଣି । ମୁଁ ଅତ୍ୟନ୍ତ ଦୁଃଖିତ ତମ ପାଇଁ । କିନ୍ତୁ ପରବର୍ତ୍ତୀତ ପଦକ୍ଷେପ ନେଲେ ତୁମେ ବି ଆହୁରି ଦୁଃଖିତ ହେବ ।

 

–ମୁଁ ତାହେଲେ ପାସ୍‍ କରିବି, ଫେଲ୍‍ ହେବି ସାର୍ ?

 

–ଟିକେ ଚିନ୍ତାକର ସୁବାସ । ତମେ ପାସ୍‍ କଲେ ଆଉ ଜଣେ ଫେଲ୍‍ ହେବ । ବିଶ୍ଵବିଦ୍ୟାଳୟରୁ ତା ନାମ କଟିଯିବ । ବାହାର ବିଶ୍ଵବିଦ୍ୟାଳୟରେ ଆମ ବିଶ୍ଵବିଦ୍ୟାଳୟ ପତିଆରା କମିଯିବ ।

 

–ସେଥିପାଇଁ ମୋତେ ବଳି ଦେବେ ସାର୍ ?

 

–ଖାଲି ସେଥିପାଇଁ ନୁହେଁ, ଯିଏ ତୁମ କେସ୍‍ ସହିତ ସଂପୃକ୍ତ ସିଏ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପୁତ୍ର ।

 

–କିଏ ସାର୍ ?

 

–ଏଜୁକେସନ ବିଭାଗର କମିଶନରଙ୍କ ପୁଅ ଅନୁରାଗ । କିନ୍ତୁ ସେ ଏ ବିଷୟ ଜାଣେନି–ତା ବାପାଙ୍କ ଅନୁରୋଧରେ ପଡ଼ି…

 

ସୁବାସ ସ୍ତମ୍ଭୀଭୂତ ହୋଇଗଲା ।

 

କିଛି ସମୟ ପରେ ସେ ଗୋଟେ କାଗଜ ଟାଣି ନେଇ ଲେଖି ଦେଲା–ମୁଁ ପୁନଃ ମୂଲ୍ୟାୟନ କରିବା ପାଇଁ ଯେଉଁ ନିବେଦନ କରିଥିଲି ତାହା ପ୍ରତ୍ୟାହାର କରିନେଉଛି ।

 

କାଗଜ ଖଣ୍ଡକୁ ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ନିର୍ମାଲ୍ୟ ମିଶ୍ରଙ୍କ ହାତକୁ ବଢ଼ାଇ ଦେଇ ଧୀରେ ଧୀରେ ତାଙ୍କ କୋଠରୀକୁ ନିଷ୍କ୍ରାନ୍ତ ହୋଇଗଲା । ସେ ଆଉ ବିଶ୍ଵାସ କରିପାରୁନଥିଲା ଏଇ ପୃଥିବୀକୁ ।

Image